Latest Odisha News

BREAKING NEWS

ଭାରତ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ କରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦେଶକୁ କରୋନାର ଦ୍ୱିତୀୟ ଲହର ଆସି ସାରିଛି । ଶୁକ୍ରବାର ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଶେଷକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରର ସର୍ବାଧିକ ପ୍ରଭାବ ପ୍ରତୀୟ ହେଉଛି । ଏମିତି ନୁହେଁ ଭାରତରେ ପ୍ରଥମ ଥର ଏତେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗତବର୍ଷ ଜୁନ୍-ଜୁଲାଇ ମାସରେ କରୋନା ସଂକ୍ରମଣ ପାଖାପାଖି ଏତିକି ଥିଲା । କିନ୍ତୁ ଚଳିତଥର କରୋନା ଯେଉଁ ଗତିରେ ସଂକ୍ରମଣ କରୁଛି ବା ବ୍ୟାପୁଛି ତାହା ବେଶ୍ ଚିନ୍ତାଜନକ । ପ୍ରାୟ ୧୦ ଦିନ ତଳେ ଦେଶରେ ୩୦ ହଜାର ମାମଲା ଆସିଥିଲା । କରୋନାର ପ୍ରଥମ ଲହରରେ ଏତେ ସଂଖ୍ୟାରେ ସଂକ୍ରମଣ ମାମଲା ପ୍ରାୟ ୨୩ ଦିନ ପରେ ବଢିଥିଲା । ଅର୍ଥାତ୍ ଏଥର କରୋନା ସଂକ୍ରମଣ ବେଗ ଦୁଇଗୁଣରୁ ଅଧିକ ଅଛି ।

ଗତବର୍ଷ ସେପ୍ଟେମ୍ବରରେ କରୋନା ସଂକ୍ରମଣ ପିକକୁ ଆସିବା ପରେ ଦେଶରେ ସଂକ୍ରମଣ ମାମଲା ହ୍ରାସ୍ ପାଇଥିଲା । ଏମିତି ନୁହେଁ କି କରୋନାର ଦ୍ୱିତୀୟ ଲହର ନେଇ ଆଶଙ୍କା ନଥିଲା । କିନ୍ତୁ ସେପ୍ଟେମ୍ବର ଭଳି ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ଏତେ ଆସିବ ବୋଲି ଆଶଙ୍କା ନଥିଲା । ତେବେ ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ୨୦୨୦ ସେପ୍ଟେମ୍ବରର ରେକର୍ଡ ଭାଙ୍ଗିବା ଭଳି ଦେଖାଯାଉଛି ।

ମହାରାଷ୍ଟ୍ରରେ ଦ୍ୱିତୀୟ ଲହରର ଅଧିକ ପ୍ରଭାବ

ଏବେ ଯାଏଁ ମହାରାଷ୍ଟ୍ରରେ ହିଁ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ଏଥିସହ ଗୁରାଟ ଓ ପଞ୍ଜାବରେ ମଧ୍ୟ ନୂଆ ସଂକ୍ରମଣ ମାମଲା ରେକର୍ଡସ୍ତରରେ ପହଞ୍ଚିଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଭଳି ରାଜ୍ୟରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ଭଳି ଏହି ରାଜ୍ୟ ଗୁଡ଼ିକରେ ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖିଲେ କରୋନାର ଦ୍ୱିତୀୟ ଲହର ଅଧିକ ଘାତକ ହେବ ବୋଲି କୁହାଯାଉଛି ।

ୟୁପି, ବିହାର ଓ ପଶ୍ଚିମବଙ୍ଗରେ ଦ୍ୱିତୀୟ ଲହର ଆସିଲେ କ’ଣ ହେବ ?

ମହାରାଷ୍ଟ୍ରରେ ଦ୍ୱିତୀୟ ଲହରର ଅଧିକ ପ୍ରଭାବ ଦେଖାଯାଉଥିବା ବେଳେ ଦୈନିକ ସଂକ୍ରମଣ ମାମଲା ୬୨ ହଜାର ଡେଇଁଲାଣି । ଏବେ ଯାଏ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଭଳି ଅଧିକ ଜନସଂଖ୍ୟା ଥିବା ରାଜ୍ୟରେ ସଂକ୍ରମଣ ବଢ଼ିନାହିଁ । ଯଦି ଏହିସବୁ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସେ ତ ସ୍ଥିତି ବହୁତ ଖରାପ ହୋଇଯିବ ।

ଟିକାକରଣ ହିଁ ଭରସା

ସଂକ୍ରମଣକୁ ଦେଖି ମହାରାଷ୍ଟ୍ରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, କେରଳ ଭଳି ରାଜ୍ୟ ମଧ୍ୟ କଡ଼ା କଟକଣା ଲଗାଇଛନ୍ତି । ସରକାର ଟିକାକରଣ ବୃଦ୍ଧି କରିବା ସହ ଏପ୍ରିଲ୍ ପହିଲାରୁ ୪୫ ବର୍ଷ ବୟସ୍କରୁ ଅଧିକ ସମସ୍ତଙ୍କୁ ଟିକା ଦେବେ ବୋଲି ଘୋଷଣା କରିଛନ୍ତି । ଦେଶର ଅଧିକରୁ ଅଧିକ ଲୋକଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଡୋଜ୍ ଦେବାକୁ ପ୍ରୟାସ ଜାରି ରହିଛି । ତେବେ ଦ୍ୱିତୀୟ ଲହରର ସଂକ୍ରମଣ ଗତି ସମସ୍ତଙ୍କୁ ଡରାଉଛି । ଏସବିଆଇର ଏକ ରିପୋର୍ଟରେ କୁହାଯାଇଛି କଟକଣା ପରିବର୍ତ୍ତେ ଟିକାକରଣ ବୃଦ୍ଧି ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ରିପୋର୍ଟରେ ଟିକାକରଣକୁ ହିଁ ଏକମାତ୍ର ଆଶା ବୋଲି କୁହାଯାଇଛି ।

Leave A Reply

Your email address will not be published.