Latest Odisha News

BREAKING NEWS

ଗଳ୍ପ : ସରଭେଣ୍ଟ

ଅଭିଜିତ ଦେବର୍ଷି 

ଶ୍ୟାମଲେନ୍ଦୁ ମହାପାତ୍ର ଓରଫ ଶ୍ୟାମ ଅଜା ନିଜ ଘର ବାରି , ବଂଶ ଆଭିଜାତ୍ୟ ର ଯେତିକି ପ୍ରଶଂସା ନା କରନ୍ତି ତା’ ଠୁ ଅଧିକା ପ୍ରଶଂସା କରନ୍ତି ନିଜ ପୁଅ ସୋମର। କାହିଁକି ବା ନକରିବେ ? ତାଙ୍କ ପୁଅ ସୋମ ଓରଫ ସୋମ୍ୟଜିତ୍ ମହାପାତ୍ର ପଙ୍କରେ ପଦ୍ମ ସଦୃଶ। ଶ୍ୟାମ ଅଜାଙ୍କ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ହେଲେ ମଧ୍ୟ, ଗାଁରେ ତାଙ୍କ ପରିବାରର ନାମ ଡାକ ଅଛି। ତାଙ୍କ ବଡ଼ ଭାଇ ଗାଁ ସ୍କୁଲରୁ ଶିକ୍ଷକ ଭାବେ ଅବସର ପ୍ରାପ୍ତ, ନିଜେ ମାଇନର ପାସ ନହେଲେ ମଧ୍ଯ ବଡ଼ ଭଦ୍ର ମାର୍ଜିତ ବ୍ୟବହାର ପାଇଁ ସବୁ ଆଡ଼େ ଆଦର ପାଆନ୍ତି।

ନିଜ ସ୍ତ୍ରୀ ଚାଲିଗଲା ପରେ ସୋମକୁ ଏକା ପାଳି ବଡ଼ ମଣିଷ କରିଛନ୍ତି । ସୋମ ପିଲାଟି ଦିନରୁ ପାଠପଢ଼ାରେ ବହୁତ୍ ନା କରି , ରସାୟନ ବିଜ୍ଞାନରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲା। ଭୁବନେଶ୍ୱରରେ ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ ସଂସ୍ଥାରେ ଉଚ୍ଚପଦସ୍ଥ ଅଫିସର ସେ।

ଗଲା ରବିବାର ସେ ଘରୁ ସବୁ ବହୁତ୍ ସାରା ଖାଇବା ଜିନିଷ , ଆଚାର , ପାମ୍ପଡ , ଲଡ଼ୁ ନେଇକି ବହୁତ୍ ଶ୍ରଦ୍ଧାର ସହିତ ଯାଇଥିଲେ ସୋମକୁ ଦେଖା କରିବାକୁ । ସେଠି ପହଞ୍ଚିଲା ପରେ ସେ ସୋମର ସରକାରୀ କ୍ୱାଟରରେ ସବୁ ଜିନିଷ ରଖୁଥିଲା ବେଳେ ସୋମର ଜଣେ ମହିଳା ସହକର୍ମୀଙ୍କ ନଜର ଶ୍ୟାମ ଅଜାଙ୍କ ଉପରେ ପଡ଼ିବାରୁ ସେ କୁଆଡେ ପଚାରିଦେଲେ , ସାର ସେ କିଏ ? ସୋମ କୁଆଡେ ନିଜ ମଳିଛା ମୁଣ୍ଡିଆ ବାପା ଙ୍କୁ ଦେଖି , ହାଲକା ରେ କହିଦେଲା , ସେ ମୋ ସରଭେଣ୍ଟ ।

ଫେରି ଆସିଥିଲେ ଥିଲେ ଶ୍ୟାମ ଅଜା , ଏତେ ଇଂରାଜୀ ନ ପଢ଼ିଥିଲେ ବି ବାପାଙ୍କୁ ଫାଦର ବୋଲି କୁହାଯାଏ ବୋଲି ତାଙ୍କର ଜ୍ଞାନ ଥିଲା । ମନ ଖରାପ କରି ନିଜ ବଡ଼ ଭାଇଙ୍କୁ ପଚାରିଥିଲେ ସରଭେଣ୍ଟ ମାନେ କଣ ବୋଲି? ବଡ଼ ଭାଇ କିଛି ଅସୁବିଧା ଜାଣିପାରି କହିଲେ , କଣ ହେଲା କହୁନୁ , ହଠାତ ସରଭେଣ୍ଟ କଥା କାଇଁ ପଚାରୁଚୁ ? କିଏ କଣ କହିଲା କି ?

ସୋମ କହିଲା ମତେ , କହିଲେ ଅଜା । ଏକଥା ସୋମ କହିଲା ତତେ ? ବଡ଼ ଭାଇ ତାଙ୍କୁ ଆଶ୍ଚର୍ଯ୍ୟ ହେଇ ପଚାରିଲେ । କଥା ତାକୁ ସମ୍ଭାଳିବା ପାଇଁ ହସିକି କହିଲେ, ଆରେ ମାନେ ସରଭେଣ୍ଟ ସମ୍ପର୍କୀୟ । ତୁ ଚିନ୍ତା କରନା।

କିଛି ନ କହି ମନେ ମନେ ଖାଲି ଏତିକି ଭାବୁଥିଲେ , ସୋମ ମତେ ସମ୍ପର୍କୀୟ କଣ ପାଇଁ କହିବ । ନିଜ ଭାଇଙ୍କ କଥାକୁ ବିଶ୍ୱାସ କରି ପାରୁ ନଥିଲେ।

ଏଇ ଗୁରୁବାର ଦିନ ସକାଳୁ ସକାଳୁ , ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲେ ଶ୍ୟାମ ଅଜା , ଫାଶୀ ଲଗେଇ ଦେଇଥିଲେ । ବୋଧେ ସରଭେଣ୍ଟର ଅର୍ଥ ଆଉ କୋଉଠୁ ଜାଣି ସାରିଥିଲେ ?

ବ୍ରହ୍ମପୁର

Leave A Reply

Your email address will not be published.