Latest Odisha News

BREAKING NEWS

ମନୋଜ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକର ଦ୍ଵାଦଶାହ ଉପଲକ୍ଷେ ସାହିତ୍ୟ ଚର୍ଚ୍ଚା ଏବଂ ଆମେ ଓଡ଼ିଆ-ଆମ ଓଡ଼ିଶା ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ସ୍ମୃତିସଭା ଆୟୋଜିତ ହୋଇଯାଇଛି । ଏହି ବିଶେଷ ସ୍ମୃତି ସଭାରେ ଦେଶ ବିଦେଶର ଅନେକ ମନୋଜ ପ୍ରେମୀ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ରାଜ୍ୟ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଜନ୍ମା ମନୋଜ ଦାସଙ୍କ ମହନୀୟ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରି କହିଲେ ସେ ଥିଲେ ଅମୃତର ସନ୍ଧାନୀ। ମହାନ ସାହିତ୍ୟିକ ଦିଗ୍ଗଜଙ୍କୁ ନୋବେଲ ପ୍ରଦାନ ସପକ୍ଷରେ ମଧ୍ୟ ସେ ମତ ପ୍ରକାଶ କରିଥିଲେ। ବର୍ଷୀୟାନ ଭାଷା ଗବେଷକ ଓ ଲେଖକ ପଣ୍ଡିତ ଡ଼. ଅନ୍ତର୍ଯ୍ୟାମୀ ମିଶ୍ର ତଥା ବିଶିଷ୍ଟ ସୁବକ୍ତା ଦାଶ ବେନହୁର ମଧ୍ୟ ମହାନ ଲେଖକଙ୍କର ହୃଦୟସ୍ପର୍ଶୀ ସ୍ମୃତିଚାରଣ କରିଥିଲେ।

ଅନ୍ୟ ଯେଉଁମାନେ ସଭାରେ କାଳଜୟୀ ସ୍ରଷ୍ଟାଙ୍କ ସ୍ମୃତିରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ସମୀର ରଂଜନ ଦାସ, ସରୋଜ ବଳ, କନକ ହୋତା ଏବଂ ସୁକାନ୍ତି ମହାପାତ୍ର ।

ଏହି ଅବସରରେ ସରୋଜ ବଳଙ୍କ ପ୍ରଯୋଜିତ ମନୋଜ ଦାସଙ୍କ ବ୍ୟକ୍ତିତ୍ୱ ଉପରେ ଆଧାରିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ବେତାର ଉପସ୍ଥାପକ ବବି ଅନୁସୂୟାଙ୍କ ଦ୍ୱାରା ମନୋଜ ଦାସଙ୍କ ‘ଲକ୍ଷ୍ମୀର ଅଭିସାର’ ଗଳ୍ପଟି ମର୍ମସ୍ପର୍ଶୀ ଭାବରେ ଉପସ୍ଥାପିତ ହୋଇଥିଲା। ଏହା ସହ ସ୍ନେହଲତା ମିଶ୍ର ରଥ ମନୋଜ ଦାସଙ୍କ ‘କବିତା ଉତ୍କଳ’ ସଙ୍କଳନରୁ କବିତାଟିଏ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ।

ଏହି କାର୍ଯ୍ୟକ୍ରମକୁ କାନାଡ଼ାର ଟରୋଣ୍ଟୋରୁ ବିଶିଷ୍ଟ ସାହିତ୍ୟିକ ପ୍ରଶାନ୍ତ ଭୂୟାଁ ପରିଚାଳନା କରିଥିବା ବେଳେ ଆମେରିକାର ବିଶିଷ୍ଟ ଭାଷା ଓ ସଂସ୍କୃତି ପ୍ରେମୀ ଅତିଥିମାନଙ୍କର ସ୍ୱାଗତ କରିଥିଲେ । ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସଂପାଦକ ନିହାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାଟିରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ବହୁ ମନୋଜ ପ୍ରେମୀ ଉପସ୍ଥିତ ଥିଲେ।

Comments are closed.