Latest Odisha News

BREAKING NEWS

ଗଳ୍ପ : ସମୟର ଖେଳ

ଅନୀତା ଦାସ 

ସେଦିନ କାହିଁକି କେଜାଣି ପୁରୁଣା ଆଲବମ ସବୁ ଖୋଲି ବସିଲା ଶିବାନୀ। ସବୁ ଫଟୋ ଭିତରେ ହାଇସ୍କୁଲ ବେଳର ସବୁଠାରୁ ଭଲ ସାଙ୍ଗ ସସ୍ମିତା ସହ ଉଠେଇଥିବା ଫଟୋ ସବୁ ତା’ର ଭାରି ପ୍ରିୟ। ସସ୍ମିତା ସହ ତା’ର ବନ୍ଧୁତା କେବଳ ଦଶମ ଯାଏଁ ସୀମିତ ହୋଇ ରହିଯାଇଥିଲା। କଲେଜ ଅଲଗା ହେବା ସହ କଥାବାର୍ତ୍ତା ବି ଧିରେ ଧିରେ କମି ଯାଇଥିଲା। ଫେସବୁକର ହ୍ୟାଲୋ ହାଏ ଭିତରେ ତାଙ୍କ ସମ୍ପର୍କ ରହିଯାଇଥିଲା। ଆଲବମ୍କୁ ସୋଫା ଉପରେ ପକେଇ ଦେଇ ଲାପଟପରେ ଫେସବୁକ ଖୋଲି ଖୋଜିଲା ସସ୍ମିତାକୁ ନିଜ ଫ୍ରେଣ୍ଡ୍ ଲିଷ୍ଟରେ। ପ୍ରୋଫାଇଲ୍ରେ ତା ବାହାଘର ବେଳର ସେଇ ଗୋଟିଏ ଫଟୋ ଥିଲା ଯୋଉଥିରେ ପ୍ରଶାନ୍ତ ତା ମଥାରେ ସିନ୍ଦୂର ପିନ୍ଧଉଛନ୍ତି। ପ୍ରଶାନ୍ତକୁ ଦେଖିଲେ ମନେ ପଡିଯାଏ ତା’ର ପୁରୁଣା କଥା ସବୁ।

ପ୍ରଥମ ବିବାହ ପ୍ରସ୍ତାବ ତା’ର ଆସିଥିଲା ପ୍ରଶାନ୍ତଙ୍କ ପରିବାର ତରଫରୁ। ପ୍ରଥମ ଦେଖାରୁ ପ୍ରଶାନ୍ତ ପସନ୍ଦ ଆସିଥିଲା ଶିବାନୀର। ପ୍ରଶାନ୍ତଙ୍କ ପରିବାର ଲୋକ ମଧ୍ୟ ଶିବାନୀକୁ ପସନ୍ଦ କରିଥିଲେ। ବିବାହର ପାଖାପାଖି ସବୁ ଆୟୋଜନ ସରିଯାଇଥିଲା ଖାଲି କାର୍ଡ ବାଣ୍ଟିବା ବାକି ଥିଲା । ଏମିତି ଗୋଟିଏ ଦିନ ରାତିରେ କଲ୍ ଆସିଲା ଶିବାନୀ ପାଖକୁ ଏକ ଅଜଣା ନମ୍ବରରୁ। ଫୋନ୍ କରି ଥିଲେ ପ୍ରଶାନ୍ତ। ସେ ଏ ବିବାହରେ ରାଜି ନୁହଁନ୍ତି ବୋଲି କହିଲେ । ସସ୍ମିତା ବୋଲି ଗୋଟିଏ ଝିଅକୁ ଭଲ ପାଆନ୍ତି ଆଉ ସବୁ ପ୍ରେମବିବାହରେ ପରିବାରର ଅସମ୍ମତି ଭଳି ତା ପରିବାର ବି ସସ୍ମିତାକୁ ବୋହୁ କରିବାକୁ ଚାହୁଁ ନାହାଁନ୍ତି ବୋଲି କହିଲେ । ସେଥିପାଇଁ ତା’ର ଅରାଜି ସତ୍ତ୍ୱେ ଏ ବାହାଘରର ଆୟୋଜନ ଚାଲିଛି। ସବୁ କଥା ଶୁଣିବା ପରେ ଶିବାନୀ ଫୋନ୍ କାଟିଦେଇଥିଲା।

ସକାଳ ହେବା କ୍ଷଣି ସେ ଏ ବାହାଘର ପାଇଁ ରାଜି ନୁହେଁ ବୋଲି ଘର ଲୋକଙ୍କୁ ଜଣେଇଦେଇଥିଲା। କଥା ଏତେ ବାଟ ଯିବା ପରେ କାହିଁକି ସେ ମନାକରୁଛି ବୋଲି ଘର ଲୋକ ଯେତେ ପଚାରିଥିଲେ ବି ତା ପାଖରେ କିଛି ଉତ୍ତର ନଥିଲା। ତା ପିଲା ଦିନର ସାଙ୍ଗ ସସ୍ମିତା ହିଁ ସେଇ ଝିଅ ଯାହାକୁ ପ୍ରଶାନ୍ତ ଭଲ ପାଆନ୍ତି ଜାଣି ବହୁତ ଖୁସି ଥିଲା ସେ । ପ୍ରଶାନ୍ତ ପରିବାରର ଅରାଜି ସତ୍ତ୍ୱେ ସେ ନିଜେ ଦୁହିଁଙ୍କ ବିବାହ କରାଇଥିଲା। ଅବଶ୍ୟ ଏଥିପାଇଁ ବହୁତ କିଛି ତାକୁ ଶୁଣିବାକୁ ପଡ଼ିଥିଲା ଉଭୟଙ୍କ ପରିବାର ଲୋକଙ୍କଠାରୁ। ପରେ ତା’ର ବିବାହ ହୋଇଥିଲା ସୁମିତ ସହ । ସୁମିତ ତାକୁ ସେ ସବୁ କିଛି ଦେଇଥିଲେ ଯାହା ହୁଏତ ସେ ସ୍ୱପ୍ନ ଦେଖି ଥିଲା ପ୍ରଶାନ୍ତକୁ ନେଇ , ଖାଲି ଅନେକ ଚେଷ୍ଟା କରିବା ପରେ ବି ବିବାହର ଚାରିବର୍ଷ ଯାଏଁ ସେ ଥିଲା ଶୂନ୍ୟଗର୍ଭା।

ଲାପଟପରେ ସସ୍ମିତା ଫଟୋକୁ ଟିକେ ଜୁମ୍ କରି ଦେଖୁଥିବାବେଳେ ପଛ ପଟୁ ଛଅ ବର୍ଷର ଝିଅ ଶ୍ରୁତି ଆସି କୁଣ୍ଢେଇ ଧରି ପଚାରିଲା ମାମା ଏ ଆଣ୍ଟି କିଏ ତମ ଫ୍ରେଣ୍ଡ୍ କି? ଶିବାନୀ କିଛି କହିବା ପୂର୍ବରୁ ଶ୍ରୁତି ପୁଣି କହିଲା କାଇଁ ଇଏ ତ ଆମ ଘରକୁ କେବେ ଆସିନାହାନ୍ତି? ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ଚାପି ଧରି ଶିବାନୀ କହିଲା ,”କାହିଁକି ନା ସେ ଭଗବାନଙ୍କ ପାଖକୁ ପଳେଇଛନ୍ତି। ପୁଣି ଶ୍ରୁତି ପଚାରିଲା ଏ ଭଗବାନଙ୍କ ଘର କୋଉଠି? ତା ପ୍ରଶ୍ନର ଉତ୍ତର ନଦେଇ ଶିବାନୀ ରୋଷେଇ ଘର ଆଡେ ଦଉଡ଼ି ଗଲା କାନ୍ଦି କାନ୍ଦି। ରୋଷେଇ ଘରେ ଲୁହ ପୋଛୁ ପୋଛୁ ଖାଇବାକୁ ଡାକିଲା ଶ୍ରୁତିକୁ। ଶ୍ରୁତି ନ ଆସିବା ଦେଖି ଶିବାନୀ ଆଉ ଥରେ ଡାକିବାକୁ ଯାଉଥିବାବେଳେ ଦେଖିଲା ଶ୍ରୁତି ମିରରରେ ନିଜ ମୁହଁ ଟିକେ ଆଉ ସସ୍ମିତା ମୁହଁ ଟିକେ ଦେଖୁଥିଲା।

ତା’ର ପରବର୍ତ୍ତୀ ପ୍ରଶ୍ନ କ’ଣ ହେବ ଏକଥା ଜାଣିବାକୁ ବାକି ନଥିଲା ଶିବାନୀର । ନିଜ ମନରେ ସାହସ ସଞ୍ଚୁଥିଲା କହିବାକୁ ଯେ ଏ ଆଣ୍ଟି ଆଉ କେହି ନୁହନ୍ତି ତା ନିଜ ମା ଆଉ ପ୍ରଶାନ୍ତ ତା ନିଜ ବାପା ଯିଏ ଏକ କାର୍ ଦୁର୍ଘଟଣାରେ ସବୁଦିନ ପାଇଁ ଚାଲିଯାଇଥିଲେ। ଯିବା ପୂର୍ବରୁ ତା ଶୂନ୍ୟକୋଳକୁ ପୂର୍ଣ୍ଣ କରି ଯାଇଛନ୍ତି।

ଯାଜପୁର

Leave A Reply

Your email address will not be published.