Latest Odisha News

BREAKING NEWS

ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ: ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଶାନ୍ତି ପ୍ରତିଷ୍ଠା ଲାଗି ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବୁଧବାର ଦିନ କହିଛନ୍ତି ।

ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ରକ୍ଷା କରିବାକୁ କିଛି ଶୁଭ ସମ୍ବାଦ ପାକିସ୍ତାନଠୁ ଚାହୁଁଛନ୍ତି ବୋଲି କହିବାର କିଛିଘଣ୍ଟା ପରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏକ ବିବୃତି ଦେଇ ଭାରତୀୟ ପାଇଲଟଙ୍କୁ ମୁକ୍ତ କରାଯିବ ବୋଲି କହିଛନ୍ତି ।

ପାକିସ୍ତାନର ସବୁଠୁ ଅଧିକ ପ୍ରସାରିତ ଖବର କାଗଜ ‘ଡ଼ନ’ରେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କ ବୀରତ୍ୱ ତଥା ଦେଶପ୍ରେମର କଥା ପ୍ରକାଶ ପାଇବା ପରେ ଏହା ପାକିସ୍ତାନୀବାସୀଙ୍କୁ ଆଚମ୍ବିତ କରିଛି । ଅଭିନନ୍ଦନ କିପରି ପାକିସ୍ତାନ ଯୁଦ୍ଧବିମାନକୁ ଖସାଇ ଦେଇଥିଲେ ଏବଂ ଏହା ପରେ ସେ କିପରି ସମସ୍ତ ଦରକାରୀ ପ୍ରତିରକ୍ଷା କାଗଜକୁ ଚୋବାଇ ଗିଳି ଦେଇଥିଲେ ତାହା ଏହି ପାକିସ୍ତାନୀ ଖବରକାଗଜରେ ପ୍ରକାଶିତ ହୋଇଛି । ସେ ପାକିସ୍ତାନ ମାଟିରେ ମଧ୍ୟ ଦୃଢ ଦମ୍ଭରେ ଭାରତ ମାତା କୀ ଜୟ କହିବାକୁ ପଛଘୁଞ୍ଚା ଦେଇନଥିଲେ ।

ଭାରତୀୟ ବାୟୁସେନାର ପାଇଲଟ ଭାବେ ଅଭିନନ୍ଦନ ମିଗ୍ ୨୧ ଯୁଦ୍ଧବିମାନ ଚଳାଉଥିଲେ । ପାକିସ୍ତାନ ସୀମା ଅତିକ୍ରମ କରି ଶତୃପକ୍ଷ ବିମାନକୁ ଧ୍ୱଂସ କରିବା ପରେ ତାଙ୍କ ବିମାନଟି ଯାନ୍ତ୍ରିକ ତୃଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାଫଳରେ ସେ ପାରାଚ୍ୟୁଟ୍ ଦ୍ୱାରା ତଳେ ଓହ୍ଲାଇଥିଲେ । କିନ୍ତୁ ପାକିସ୍ତାନୀ ସେନା ଦ୍ୱାରା ସେ ଗିରଫ ହୋଇଥିଲେ ।

କାଳେ ଶତୃପକ୍ଷ ନିକଟରେ ନିଜ ଦେଶର ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତଥା ନକ୍ସା ହସ୍ତଗତ ହୋଇଯିବ ତେଣୁ ସେ ସମସ୍ତ କାଗଜକୁ ଚୋବାଇ ନଷ୍ଟ କରିଦେଇଥିଲେ । ସେ ପାରାଚ୍ୟୁଟରେ ଖସିପଡ଼ିବା ପରେ କିଛି ପିଲାଙ୍କୁ ପଚାରିଥିଲେ ଏହା ଭାରତ ନା ପାକିସ୍ତାନ ସୀମା? । ପାକିସ୍ତାନୀ ପିଲାମାନେ ଚାଲାକି କରି କହିଥିଲେ ଏହା ଭାରତ ବୋଲି । ଏହା ଭାରତ ଭାବି ଅଭିନନ୍ଦନ “ଭାରତ ମାତା କୀ ଜୟ” ବୋଲି ଖୁସି ହୋଇ ପାଟି କରିଥିଲେ । ଏହାପରେ ପାକିସ୍ତାନୀ ପିଲାମାନେ କହିଥିଲେ ଏହା ପାକିସ୍ତାନ ବୋଲି ।

ତାଙ୍କ ପାଖରେ ଥିବା ପିସ୍ତଲକୁ ଦେଖାଇ ପ୍ରାୟ ଅଧ କିଲୋମିଟର ଦୌଡ଼ି ପଛକୁ ଚାଲି ଆସିଥିଲେ । ସେ ଏକ ପୋଖରୀ ଦେଖି ସେଠାରେ ଜରୁରୀ କାଗଜପତ୍ରକୁ ପାଣିରେ ନଷ୍ଟ କରିଦେଇଥିଲେ ଏବଂ ଅନ୍ୟ କିଛି କାଗଜକୁ ପାଟିରେ ଚୋବାଇ ନଷ୍ଟ କରିଦେଇଥିଲେ । ପିସ୍ତଲରୁ ଆକାଶକୁ ଗୁଳି ଚଳାଇ ଅଭିନନ୍ଦନ ପିଲାମାନଙ୍କୁ ଡ଼ରାଇବାକୁ ଚେଷ୍ଟା ମଧ୍ୟ କରିଥିଲେ ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଥିବା ‘ଡ଼ନ’ ଖବରକାଗଜରେ ପ୍ରକାଶିତ ହୋଇଛି ।

ଏହି ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନଙ୍କ ବୀରତ୍ୱ କାହାଣୀ ତଥା ଦେଶପ୍ରେମକୁ ନେଇ ଏବେ ସମଗ୍ର ପାକିସ୍ତାନରେ ଚର୍ଚ୍ଚା ଜୋରରେ ଚାଲିଛି ।

Leave A Reply

Your email address will not be published.