Latest Odisha News

କବିତା : ରଜ ତୁମେ ଆସ

ଝରଣା ବାରିକ 

ହେ ରଜ ତମେ ଆସ ପ୍ରତି ବର୍ଷ
ଜ୍ୟେଷ୍ଠ ମାସର ଶେଷରେ
ଆଷାଢ଼ର ପହିଲି ପରଶରେ
ଛୁଇଁ ଯାଅ ପ୍ରତିଟି ହୃଦୟକୁ
ପୋଡ଼ ପିଠାର ବାସ୍ନାରେ
ରଜର ତିନି କୋଣିଆ ପାନରେ।
ମହ ମହ ବାସୁଥିବା ଅତରରେ
ନାଲି ନାଲି ଅଳତା ଲଗା ପାଦରେ
ଟିପି ଟିପି ମଥାର ଚନ୍ଦନରେ
ନୂଆ ଜାମା ପିନ୍ଧି ସଜେଇ ହୋଇଥିବା
କୁଆଁରୀ ଝିଅ ମାନଙ୍କ ଖିଲି ଖିଲି ହସରେ
ଦୋଳିରେ ଖେଳର ସୁମଧୁର
ରଜ ଗୀତରେ ।

ହେ ରଜ ଏଇ ଦୁଇ ବର୍ଷ ହେଲାଣି
ତମେ ଆସ ,
ଠିକ ସମୟରେ
ଶୂନଶାନ ରାସ୍ତାରେ
ଲକଡାଉନ ସଟଡାଉନ ଗତି ପଥରେ
କଣ୍ଟନମେଣ୍ଟ ଜୋନରେ
ଅବରୋଧ ପରିଧିରେ।
ଉଦାସ ଭରା ଚେହେରାରେ
ଲୁହ ଭରା ଆଖିରେ
ଶୁଖି ଯାଇଥିବା ମୁହଁରେ
ଜାମା ପେଣ୍ଟ ପାଇଁ ରୁଷି
ବସୁଥିବା କୁନି ଝିଅର
ଉଦାସ ମନରେ।

ରଜଦୋଳି ପାଇଁ ଜେଜେଙ୍କ
ପାଖରେ ଅଳି କରୁଥିବା
ଟିକି ନାତୁଣୀ ପାଖରେ।
ସାନିଟାଇଜର ଆଉ ମାସ୍କର
ଭିଡ଼ ଭିତରେ।
ଦୁଇଗଜ ଦୂରତାର ଲକ୍ଷ୍ମଣରେଖାର
ତିନି ଗାର ଭିତରେ।

ସମଲ, ତାଳଚେର, ଅନୁଗୋଳ

Leave A Reply

Your email address will not be published.