ଭୁବନେଶ୍ୱର: ବେଆଇନ୍ ଅସ୍ତ୍ରଶସ୍ତ୍ରର ଅବାଧ କାରବାର ରାଜଧାନୀରେ ଅପରାଧୀଙ୍କର ସାହାସ ବଢାଇଛି । ଦିନ ହେଉ ଅବା ରାତି, ଅପରାଧ ଘଟାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି ଅପରାଧୀ । ବାଲିଅନ୍ତା ଥାନା ଅନ୍ତର୍ଗତ କୁଳସାହିରେ ଧାନ ବ୍ୟବସାୟୀଙ୍କୁ ରାତି ଅଧରେ ହୋଇଛି ବୋମା ମାଡ ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସଦାଶିବ ମିଶ୍ର ନାମକ ଜଣେ ଧାନ ବ୍ୟବସାୟୀଙ୍କୁ ଏକ ଫୋନ୍ କଲ ଆସିଥିଲା । ଫୋନ୍ରେ କଥା ହେବା ପରେ ସେ ଘରୁ ବାହାରିଥିଲେ । ସେହି ସମୟରେ ତାଙ୍କୁ ଦୁଇଜଣ ଅଜ୍ଞାତ ବ୍ୟକ୍ତି ପିଛା କରିଥିଲେ । ତେବେ କିଛି ବାଟ ଗଲା ପରେ ନିଛାଟିଆ ସ୍ଥାନ ଦେଖି ପିଛା କରୁଥିବା ଦୁଇଜଣ ବ୍ୟକ୍ତି ସଦାଶିବଙ୍କୁ ବୋମା ମାଡ କରି ଚମ୍ପଟ୍ ମାରିଥିଲେ । ବିସ୍ଫୋରଣ ଶବ୍ଦ ଶୁଣି ଗାଁ ଲୋକେ ସଦାଶିବଙ୍କୁ ଗୁରୁତର ଅବସ୍ଥାରେ ଦେଖି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ସଦାଶିବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ପହଂଚି ବାଲିଅନ୍ତା ପୋଲିସ ବୋମାର ଅବଶେଷକୁ ଜବତ କରିବା ସହ ସଦାଶିବଙ୍କୁ ଆସିଥିବା ଫୋନ୍ କଲ ଆଧାରରେ ତଦନ୍ତ ଆରମ୍ଭ କରିଛି ।
Comments are closed.