Latest Odisha News

BREAKING NEWS

ବିଡିଏର ଶେଷ ଚେତାବନୀ; ଘର କର ନ ହେଲେ ପ୍ଲଟ୍ ବାତିଲ

ଭୁବନେଶ୍ଵର: ଆପଣ ବିଡିଏରୁ ପ୍ଲଟ ହାସଲ କରି ଘର କରିନାହାନ୍ତି କି? ଦୀର୍ଘ ଦିନ ହେଲା ପକାଇ ରଖିଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ; କାରଣ ଆପଣଙ୍କୁ ଆଇନ ଅନୁସାରେ ଦଣ୍ଡ ଭୋଗ କରିବାକୁ ପଡ଼ିବ। ଏମିତି କି ପ୍ଲଟ ଆଲଟମେଣ୍ଟ ବାତିଲ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି।  ଢେର ଦିନ ହେଲା ବିଡିଏର ବିଭିନ୍ନ ସ୍କିମରେ ପ୍ଲଟ କିଣିଥିବା ଲୋକଙ୍କୁ ବିଡିଏ ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ଲଟ ନେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ କେତେକ ଲିଜଧାରୀ ଏ ପର୍ଯ୍ୟନ୍ତ ଘର ତିଆରି କରିନାହାନ୍ତି। ସେମାନଙ୍କୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କୋର୍ ହାଉସ୍ ତିଆରି କରିବା ପାଇଁ ଚେତାବନୀ ଦିଆଯାଇଛି। ଏ ସମୟ ଭିତରେ ଘର ତିଆରି ନ କଲେ ସେମାନଙ୍କ ଆଲଟମେଣ୍ଟ ବାତିଲ ହୋଇଯିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ବିଡିଏ ଭୁବନେଶ୍ଵର ଓ ତାର ସୀମାଧୀନ ଅଞ୍ଚଳରେ ବିଭିନ୍ନ ସ୍ଥାନକୁ ବାସପୋଯୋଗୀ କରିବା ସହ ବିଭିନ୍ନ ସ୍କିମ ଜରିଆରେ ଜାଗା ବିକ୍ରି କରିଥାଏ। ଲଟେରୀ ହେବା ପରେ ଭାଗ୍ୟଶାଳୀ ବିଜେତା ଏଥିରୁ ପ୍ଲଟ କିଣିବାର ସୁଯୋଗ ପାଇଥାନ୍ତି। ତେବେ ପ୍ଲଟ ଆଲଟମେଣ୍ଟ ହେବା ସହ ବିଡିଏର ନିର୍ଦ୍ଧାରିତ ନିୟମକୁ ମାନିବା ଜରୁରୀ। ନିର୍ଦ୍ଧାରିତ ସମୟରେ କୋର୍ ହାଉସ ତିଆରି କରିବା ଦରକାର। କିନ୍ତୁ କିଛି ଲୋକ ପ୍ଲଟ ନେବାର ଢେର୍ ଦିନ ବିତିଯାଇଥିଲେ ମଧ୍ୟ ଘର ତିଆରି ଆରମ୍ଭ କରିନାହାନ୍ତି। ଏପରିକି ବାରମ୍ବର ନୋଟିସ ଦେବା ପରେ ମଧ୍ୟ ପ୍ଲଟ ମାଲିକମାନେ ଏହାକୁ ଖାତିର କରୁନାହାନ୍ତି। ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁ କହିଛନ୍ତି ଯେ ଯେଉଁମାନେ ଆଲଟ ହୋଇଥିବା ପ୍ଲଟରେ ଘର ତିଆରି କରୁନାହାନ୍ତି, ସେମାନଙ୍କୁ ଏଇଟା ଶେଷ ଚେତାବନୀ। ବାରମ୍ବାର ସେମାନଙ୍କୁ ନୋଟିସ ଦେବା ପରେ ମଧ୍ୟ ସେମାନେ ଏହାକୁ କର୍ଣ୍ଣପାତ କରୁ ନ ଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ ଅନୁଯାୟୀ ସେମାନେ ଦଣ୍ଡିତ ହେବେ, ଦରକାର ପଡ଼ିଲେ ସେମାନଙ୍କ ନାମରେ ଥିବା ଆଲଟମେଣ୍ଟକୁ ବାତିଲ କରିଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ବିଡିଏର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ କିଛି ପ୍ଲଟଧାରୀ ପ୍ଲଟ ମୂଲ୍ୟ ବଢ଼ିବା ପାଇଁ ଅପେକ୍ଷା କରୁଛନ୍ତି। ୧୦ ବର୍ଷ ଅପେକ୍ଷା କରିବା ପରେ ଯେତେବେଳେ ପ୍ଲଟର ମୂଲ୍ୟ ବହୁତ ଅଧିକ ହେଉଛି ସେମାନେ ବିଲ୍ଡରଙ୍କୁ ବିକ୍ରି କରିଦେଉଛନ୍ତି। ଏହା ପ୍ଲଟ ଆବଣ୍ଟନ ସ୍କିମର ଘୋର ଉଲ୍ଲଂଘନ। ଏହାକୁ ନେଇ ନିକଟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏହା ପରେ ଖିଲାପକାରୀମାନଙ୍କୁ ଏହି ଚେତାବନୀ ଦିଆଯାଇଛି। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା କୋର୍ ହାଉସ ନିର୍ମାଣ ଶେଷ ନ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁମାନେ ବିଦେଶରେ ରହୁଛନ୍ତି  ଓ କୋଭିଡ୍ ପାଇଁ ଘର ତିଆରି କରିପାରିନାହାନ୍ତି ସେମାନଙ୍କୁ ବର୍ଷେ ଅଧିକ ସମୟ ଦିଆଯାଇଛି।

Leave A Reply

Your email address will not be published.