Latest Odisha News

BREAKING NEWS

ଠକାଠକିର ସମୟ

ଅନ୍ୟକୁ ଠକିଦେବାକୁ ଅନେକଙ୍କୁ ଭଲ ଲାଗୁଥିଲେ ମଧ୍ୟ ନିଜେ ଠକି ହେବାକୁ କିନ୍ତୁ କାହାକୁ ବି ଭଲ ଲାଗେନି । ଆମର ଧାରଣା, ଚାଲାକ ଲୋକମାନଙ୍କୁ କେହି ଠକି ପାରିବେନି ବରଂ ବେଳ ପଡିଲେ ସେଇ ଚାଲାକ ଲୋକମାନେ ଆପଣା ଚାଲାକିପଣରେ ଅନ୍ୟମାନଙ୍କୁ ଅତି ସହଜରେ ବୋକା ବନେଇ ଠକି ଦେଇ ପାରିବେ । ମଜା କଥା ହେଲା, ଦୁନିଆରେ ବଞ୍ଚୁଥିବା ଆମ ପରି ପ୍ରାୟ ସବୁ ମଣିଷ ନିଜକୁ ଯେତିକି ଚାଲାକ ଭାବନ୍ତି ତା’ ଠାରୁ ବେଶୀ ବୋକା ଭାବନ୍ତି । ଆଉ ଚାଲାକ ଲୋକମାନେ ସବୁବେଳେ କହି ହୁଅନ୍ତି; ସେମାନେ ବୋକା ଓ ସରଳ, ସେଥିପାଇଁ ସାରା ଦୁନିଆ ତାଙ୍କୁ ଠକି ଦେଉଛି । ଅନେକ ସମୟରେ ଅସଲ ବୋକା ଜାଣି ନଥାଏ ଯେ, ସେ ଠକି ଯାଇଛି ବୋଲି ।

ଆମର ପୁରୁଣା ଲୋକଗପର ଅନ୍ୟ ଏକ ବିଭବ ହେଲା ସେଥିରେ କିଏ ନା କାହାକୁ ଠକିଥାଏ । ପ୍ରତାପୀ ରାଜାକୁ ଚାଲାକ ବିଦୁଷକ ଠକି ଦିଏ ତ, ବଣର ରାଜା ସିଂହକୁ ଅବା ବଳବାନ ହାତୀକୁ ଠକି ଦିଏ ବିଲୁଆ ବାପୁଡ଼ା । ବିଚରା ନେଉଳ, ଓଧ ଓ ବିଲୁଆ ମାନଙ୍କୁ  ଚାଲାକ ବୋଲି ଆମ ମୁଣ୍ଡରେ ଏଇ ଲୋକଗପ ମାନେ ହିଁ ପୁରେଇଛନ୍ତି । ଆମେ ସେସବୁ ଗପରେ କେବଳ ଆମୋଦିତ ହେଉ ଖାସ୍ ବିଚରା ବୋକା ଲୋକଟି ହଇରାଣ ହୁଏ ବୋଲି । ଆମେ ସେ ଗପ ମାନଙ୍କରେ କିଛି ନିର୍ଦ୍ଦିଷ୍ଟ ଜାତିର ଓ ଧର୍ମର ଲୋକଙ୍କୁ ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ବୋକା ବୋଲି ଚିହ୍ନଟ କରି କିଛି କମି ମଜା ନେଇନୁ । ଯେମିତିକି ଆମର ସର୍ଦ୍ଦାର ଜୋକ୍ସ ସବୁ ।

କଥା କ’ଣ କି, ଅନେକ ଦିନ ହେଲାଣି ଆମ ସମସ୍ତଙ୍କୁ ଲାଗୁଛି ଆମେ ଜଣେ ଜଣେ ଅତ୍ୟନ୍ତ ସରଳ ସୁଧାର ଲୋକ ଓ ଆମ ସମ୍ନା ଲୋକଟି ଆମକୁ ଠକି ଦେବାକୁ ହଜାର ଫନ୍ଦି ମେଲେଇ ବସିଛି । ଫଳ ଦୋକାନୀ ଠୁଙ୍ଗାରେ ଯେଉଁ ଫଳଟି ପକେଇବ ସେଇ ଗୋଟିକ ନିଶ୍ଚୟ ଖରାପ ହେଇଥିବ । ରୋଗୀକୁ ଜୀବନ ବଞ୍ଚେଇବାକୁ ଯେଉଁ ଔଷଧ ଦିଆଯାଉଛି, ସେଇଟି ଅସଲି ନା ନକଲି ବୋଲି ସନ୍ଦେହ ରହୁଛି । ସାରା ଜୀବନର ସଞ୍ଚୟକୁ ଦେଇ ଯାଗା କି ଘର ଖଣ୍ଡେ କିଣିଥିବା ମଧ୍ୟବିତ୍ତକୁ ଠକିବାକୁ ଅନେକ କୁଖ୍ୟାତ ବିଲଡର୍ ଓ ଜମି ମାଫିଆ ଅନେଇ ବସିଛନ୍ତି । ମନ୍ଦିର ଭିତରେ ଦିଅଁଙ୍କ ଆଗରେ ଦୀପ ଲଗେଇ ଆଖି ବନ୍ଦ କରି ପ୍ରାର୍ଥନା କଲାବେଳକୁ ମନେ ପଡୁଛି ମନ୍ଦିର ବାହାରେ ମୋ ହସପପିସ୍ ର ଚପଲଟା ଠିକ୍ ରେ ଥିବ ତ? ବାଇକ୍ ଧରି ବଜାର ଗଲେ ସାଙ୍ଗରେ ବିରକ୍ତିକର ଭାବରେ ହେଲମେଟ୍ କୁ ଧରିବାକୁ ହେଉଛି । ଏବେ ପୁଣି ଗୋଟେ ନୁହେଁ ଏକା ସାଙ୍ଗରେ ଦିଇ ଦିଇଟା ହେଲମେଟ୍ କୁ ସମ୍ଭାଳିବାକୁ ପଡୁଛି । ସାମାନ୍ୟ ଆଡ଼ ଆଖି ହେଲେ ବାଇକ ଉପରୁ ହେଲମେଟ୍ ଗାୟବ । ସେଥିରେ ବାଇକରେ ଡବଲ ଲକ୍ କଲାପରେ ବି ମନ ଛନ ଛନ ।

ଖାଲି ଦୋକାନୀ ଗ୍ରାହକଙ୍କୁ ପଟି ମାରୁଛି ନୁହେଁ, ଏଇ ଠକାଠକି  କାରବାରରେ ଗ୍ରାହକ କିଛି କମ୍ ନୁହଁନ୍ତି । ଜିନିଷ କିଣି ପଇସା ଦେଲାପରେ ସବୁବେଳେ ମନରେ ଦକା ଫଟା-ଚିରା ନୋଟ୍ ଆସିଗଲାନି ତ? ସେଥିରେ ସାମାନ୍ୟ ଅନ୍ୟମନସ୍କ ହେଲ ମାନେ, ଦୋକାନୀ କୋଉ ଛଟକରେ ତମକୁ ଫଟା-ଚିରା ନୋଟ ବଢେ଼ଇ ଦେବ ତମେ ଜାଣି ପାରିବାନି । ତାପରେ ତମେ ସେ ଫଟା ନୋଟ୍ କୁ ପକେଟରୁ ଖସେଇବାକୁ ବାର ଫିସାଦି କରିବ । କିଛି ନହେଲେ ତେଲ ଟାଙ୍କିରେ ଅନ୍ୟ ନୋଟ ଭିତରେ ରଖି ସେଥିରୁ ମୁକ୍ତି ପାଇବ । ତେଲ ଟାଙ୍କିରେ ପେଟ୍ରୋଲ୍ ପକାଇଲା ବେଳେ ବି ଅଭିଯୋଗ, ଟାଙ୍କି ବାଲା କମ୍ ତେଲ ଦେଉଛନ୍ତି । ଅପମିଶ୍ରଣ କରୁଛନ୍ତି । ତମେ କେବଳ ସନ୍ଦେହ କରିବ ସିନା ବେଶି କିଛି କରିପାରିବନି । ଖବର କାଗଜ ଏଇ ଠକାଠକି ଖବରରେ ତ ଭର୍ତ୍ତି । କେବେ ପ୍ରେମିକ ଠକିଛି ପ୍ରେମିକାକୁ ତ କେବେ ଘଟଣା ଓଲଟା । ବଧୁ ନିର୍ଯାତନା, କାରଣ ଝିଅର ବାପା ଯାହା ଦେବ ବୋଲି କହିଥିଲା ଦେଲାନି । ଠକିଦେଲା । କେବେ ଗୋରୀ ଦେଖାଇ କାଳିକୁ ବାହା ଦିଆଯାଇଛି ତ କେବେ ବେରୋଜଗାରିଆ ପୁଅକୁ ଚାକିରିଆ ବର କହି ଠକି ଦିଆଯାଇଛି । କେବେକେବେ ଅତି ଅନ୍ତରଙ୍ଗ ବନ୍ଧୁ ଅତି ଦରକାର କହି ଟଙ୍କା ମାଗିନେଇ ଆଉ ଫେରେଇବନି । ମାଗିଲେ ସମ୍ପର୍କ ଖରାପ ହେଇଯିବ । ତମ ଆଖି ଆଗରେ ସେ ତା’ର ସବୁ ଖର୍ଚ୍ଚବାଚ କରୁଥିବ ଅଥଚ୍ ପଇସା ମାଗିଲେ ନାହି ଶୁଖାଉଥିବ । ହାୟ, ତମେ ଛାଡି ପାରୁନଥିବ କି ଧରି ବି ପାରୁନଥିବ । ଚାରିକତି ଆଖି ପକେଇଲେ ଲାଗୁଛି ଆମେ ଠକିବା ଠକିଦେବାକୁ ହିଁ ଆମେ ଜୀବନ ବଞ୍ଚିବାର ଏକମାତ୍ର ରାସ୍ତା ଭାବରେ ବାଛି ନେଇଛେ । ଆମେ ସମସ୍ତେ ଲମ୍ବା ବନିଶୀ ଖାଡ଼ି ସବୁ ଧରି ଓ ବନିଶୀ କଣ୍ଟାରେ ଛୋଟ ଜିଅଳ ଲଗେଇ ବଡ଼ ମାଛ ଶିକାର କରିବାକୁ ବସିଛେ । ଆମର କିନ୍ତୁ ଅସୀମ ଧୈର୍ଯ୍ୟ । ମାଛ ଆଜି ନହେଲେ କାଲି ପଡ଼ିବ । ଅଲବତ ପଡ଼ିବ ।

ସୋସିଆଲ ମିଡିଆରେ ବୁଲୁଥିବା ଦୋକାନୀକୁ ଚୁନ ମାରୁଥିବା ଅନେକ ଗ୍ରାହକଙ୍କ ଭିଡିଓ ସିସିଟିଭି ଦୟାରୁ ବୁଲୁଛି । ସେସବୁ ଦେଖି ଆମର ମନୋରଞ୍ଜନ ହେଇଯାଉଛି । ଦୁଇଟି ମଣିଷର ଠକା ଠକି ଦେଖିବାରେ କ’ଣ କମି ରସ ମିଳେକି? ମନ ଖୁସ୍ ହେଇଯାଏ । ଓଠରେ ଉକୁଟି ଉଠେ ହସ । ଏମିତି ଭିଡିଓ ଦେଖି ଲାଗେ ଅନ୍ୟକୁ ଠକିବା ପଇଁ ଆମେମାନେ କେତେ ଚମତ୍କାରୀ କଳା କୌଶଳ ବାହାର କରିଛେ । କେତେ ଅଭିନବ ଉପାୟ ମାନଙ୍କର ଆବିଷ୍କାର ଓ ଉଦ୍ଭାବନ କରିଛେ । ତେବେ ଆମର ସବୁ ଜ୍ଞାନ ଗୁଣ ବିଜ୍ଞାନର ଉଦ୍ଦେଶ୍ୟ କ’ଣ ଅନ୍ୟକୁ ଠକିବା ପାଇଁ ?

ଏ କଥା ସତ ଯେ, ଘରୁ ବାହାରିଲେ ଗୋଟେ ଡର ଡର ଭାବ ଲାଗି ରହୁଛି । ଲାଗୁଛି ଆମକୁ କିଏ ନା କିଏ ଆଖି ପିଛୁଡାରେ ଠକି ଦେବ । ମୁଁ ଜାଣିଛି, ମୁଁ ଯେମିତି ଭାବୁଛି ମୋ ସାମ୍ନା ମଣିଷଟି ବି ମୋତେ ନେଇ ଏକଦମ୍ ଅବିକଳ ସେଇଆ ହିଁ ଭାବୁଛି । କେହି କେହି କହନ୍ତି ଆଜିକାଲିର ସମୟ ଖରାପ ହେଇଗଲାଣି । ଆଗରୁ ଭଲ ଥିଲା । ରାସ୍ତାରେ ପରର ସୁନା ମୁଣ୍ଡାଟେ ପଡିଥିଲେ କେହି ଅନେଇ ଯାଉନଥିଲେ । ସତରେ ପୁରୁଣା ସମୟ ଭଲ ଥିଲା? କେହି କାହାକୁ ଠକୁ ନଥିଲେ? ମିଛ କଥା । ସତ ହେଲା, ମଣିଷ କିଛି ବଦଳିନି । ଆଗରୁ କୁହା ଯାଇଛି ପରା ‘ଆପେ ବଞ୍ଚିଲେ ବାପର ନାଁ’ । ନିଜେ ବଞ୍ଚିବା ପାଇଁ ସେ କିଛିବି କରିପାରେ । କିଛିବି ମାନେ କିଛିବି । ଆଜି କାଲି ତ ଅନଲାଇନ୍ ଠକେଇର ଯୁଗ । ଫେସ୍ ବୁକ୍ ରେ ମିଛ ଆଇ.ଡି ତିଆରି କରି ଅନ୍ୟକୁ ଟଙ୍କା ମଗା ଚାଲିଛି । ମିଛ ବ୍ୟାଙ୍କ ବାଲା  ବିଭିନ୍ନ ସୂତ୍ରରୁ ସୂଚନା ସଂଗ୍ରହ କରି ଏକା ଝଟକାରେ ଲୋକଙ୍କ ପୁରା ସଞ୍ଚୟ ପୋଛି ନେଉଛନ୍ତି । ଆଧୁନିକ ଠକେଇର ନୂଆ ନାଁ ଦିଆଯାଇଛି ସାଇବର୍ ଠକେଇ । ଆଗରୁ ଅନେକ ସମୟରେ ତମକୁ ଠକୁଥିବା ଲୋକକୁ ତମେ ଅନ୍ତତଃ ଜାଣିଥିଲ, ଏବେ ଏ ସାଇବର୍ ଫ୍ରଡ୍ ଙ୍କ ଯୁଗରେ ସେତକ ବି ଜାଣି ପାରିବନି ।

ଭାବୁଛନ୍ତି କି ଏବେ କ’ଣ କରାଯିବ?

ପ୍ରକୃତ କଥା ହେଲା; ଏବେ ପାଣିରେ କୁମ୍ଭୀର, ଆଉ ଉପରେ ବାଘ ।

Leave A Reply

Your email address will not be published.