ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧
ଭୋର ପାଞ୍ଚଟା।ଅକ୍ଟୋବର ମାସ। ହାଲୁକା ଥଣ୍ଡା ପବନ ଦେହମନକୁ ଛୁଇଁ ଯାଉଥାଏ। ହାତଘଣ୍ଟା ନୁହେଁ, ମୋବାଇଲରେ ଦେଖିଦେଲେ ହେଲା। ଅମୃତା ବାହାରକୁ ବାହାରିବା ପୂର୍ବରୁ ଆଣ୍ଟିଙ୍କର ସମସ୍ତ କାମ ସାରିଦେଇଥାଏ।କାମରେ ସୁନିପୂଣା ସେ। ପରଫେକସନିଷ୍ଟ କି ସିନ୍ସିଓର କହି ବିଦ୍ରୁପକଲେ ସେ ହୁସକରି ଉଡେଇଦେଇ ପାରେ ସେସବୁକୁ।
ଆପାର୍ଟମେଣ୍ଟର ସିଡିଦେଇ ନା ଲିଫ୍ଟଦେଇ ଓହ୍ଲାଇବ ବୋଲି ଭାବୁଭାବୁ ତଳେ ପହଞ୍ଚିସାରିଥାଏ ଅମୃତା।ପାହାଚଦେଇ ଓହ୍ଲାଇଲେ ଶରୀର ସନ୍ତୁଳିତ ସୁଗଠିତ ହେବ ଏକଥା ସେ ଭଲଭାବରେ ଜାଣିଥାଏ। ତା’ ସାଧନାରେ ସେ ସଫଳ ହେବାକୁ ଚାହେଁ। ନାଚଗୀତରେ ସେ ନିପୂଣା। ବିଧିବଦ୍ଧଭାବେ ଶିଖିବାକୁ ସମୟ ବା କାହିଁ ତା’ର। ତଥାପି ମନ ରଖିଛି ଛଉ , ସମରନୃତ୍ୟକୁ ସେ ଆୟତ୍ତ କରିବ ନିଶ୍ଚୟ। ଆଗେଇ ଚାଲିଛି ଜୀବନ ଦାଣ୍ଡରେ ଲମ୍ବା ପାହୁଣ୍ଡପକେଇ ମାତ୍ର କୋଡିଏ /ବାଇଶ ବର୍ଷର ଝିଅଟି।
ଗେଟ୍ ପାଖରେ ଦେଖାହେଲେ ମିଷ୍ଟର ଡିସୁଜା ଓ ତାଙ୍କର ଷୋହଳ ସତର ବର୍ଷର ପୁଅ ଯିଏକି ଗୋଟିଏ ଗ୍ରେହାଉଣ୍ଡର ଶିକୁଳିକୁ ଧରି ସକାଳ ଚଲାବୁଲା ପାଇଁ ବାହାରିଥାଆନ୍ତି ନିକଟ ପାର୍କକୁ ।
” ଗୁଡମର୍ଣ୍ଣିଂ ଅଙ୍କଲ ” , ଅମୃତା କହିଲା, କୁକୁରରଚେନ୍ ଆଉ ପିଲାଟାର ହାତକୁ ଚାହିଁ। ଅଙ୍କଲ ‘ ମଣ୍ଣିଂ’ କହିଲେ , ଅମୃତାର ସର୍ବାଙ୍ଗରେ ଆଖି ବୁଲେଇ ଏକ ଦରଭଙ୍ଗା ସ୍ବରରେ। ତରତର ପାଦରେ ବାପ ପୁଅ ଚାଲିଗଲେ ତା’ ବିପରୀତ ଦିଗରେ।
ମୁହାଁମୁହିଁ ଦେଖାହେଲା ଚନ୍ଦ୍ରା ସହିତ। ତାର ଟିକିଏ ଡେରି ହୋଇଯାଇଥିଲା। ଅମୃତାର ଚାହାଣୀରେ ସେ ଗୋଟାପଣେ ଜଡସଡ। କୈଫୟତ ଦେଲା, ‘ ସରି , ଟିକିଏ ଡେରି ହୋଇଗଲା ।’ ଅମୃତା ଆଜନ୍ମ କୈଫୟତକୁ ଘୃଣା କରେ। ସମୟ ଯେମିତି ତା’ ପଛରେ ଧାଏଁ।ଆଉ ସେ ଆଗେ ଆଗେ ହରିଣୀ ଭଳି। କାହାକୁ ଅପେକ୍ଷା ରଖେନି ସେ।କାହାକୁ ସରି କହିବନି କି କୈଫୟତ ଦେବନି। ଅଦ୍ଭୁତ …ଅପୂର୍ବ ସେ।
ଉଃ !!!!! ଚନ୍ଦ୍ରାକୁ ସେ ଚାହାଣି ଅସହ୍ୟଲାଗେ। ବିଚରା ,କହିଲା ନିଜକୁ ନିଜେ ମନେମନେ ସେ। ଭୁଲ୍ ତ କରିସାରିଚି। ଆଉ କହିଲେ ହବ ବା କ’ଣ? ଏବେ ଅସ୍ବାଭାବିକଭାବେ କୃତଜ୍ଞତା ଜ୍ଞାପନ କରିବାକୁ ବାଧ୍ୟ। ସମସ୍ତ ଭାବକୁ ଭିତରେ ଚାବିପକେଇ ହସିଦେଇ ଆଉଥରେ କହିଲା , ‘ସରି।’ ଏଥର ଅମୃତା କେତୋଟି ଶବ୍ଦରେ କିଛି ବୁଝେଇଦେଲା ଦି ଚାରି ସେକେଣ୍ଡରେ । ସତ କହିବାକୁ ଗଲେ ଚନ୍ଦ୍ରାର ପ୍ରମୁଖ କାମ କେତୋଟି ସେ ସାରିଦେଇଚି। ସେ କହୁକି ନ କହୁ କୃତଜ୍ଞତା ଜ୍ଞାପନ କରିବାକୁ ପଡିବ ନା । ଦୁହେଁ ଦୁହିଁଙ୍କ ବିପରୀତ ରାସ୍ତା ଆପଣେଇଲେ ଏଥର।
ଚନ୍ଦ୍ରା ଚାବି ଖୋଲି ଆଣ୍ଟିଙ୍କୁ ଶୁଭସକାଳର ଅଭିନନ୍ଦନ ଜଣାଇଲା ସବୁଦିନଭଳି। ୱେଟଟିସୁରେ ହାତ ପୋଛିଲା। ୱାସରୁମକୁଯାଇ ବଦଳାଇହେଲା ଲୁଗାପଟା। ଧୂପବତୀ ଲଗେଇଲା। ରୁମ୍ ଫ୍ରେଶନର ଭଲ ଲାଗେନି ତାକୁ। ଲାପଟପ ଖୋଲି ବସିଲା ଆଣ୍ଟିଙ୍କ ପାଖରେ। ତାଙ୍କ ହାତ କି ବୋର୍ଡ ଉପରେ ରଖି କିଛି ଅଙ୍କାବଙ୍କା ଗାର ଟାଣିଲା। ଯେମିତି ସେ ଆଙ୍କୁଚନ୍ତି କିଛି। ଫୁଲ ପତ୍ର କଲା। ରଙ୍ଗଭରିଲା। ଏଥର ଲାଗିଲା ସେ ହସୁଚନ୍ତି ଯେମିତି।
ଏ କାମ ତା’ର ନିତିଦିନିଆ। ନିଜେ ନିଜକୁ ପଢାଏ ଆଉ ହସେ ଏକାଏକା। ଚୁକ୍ତି ଅନୁଯାୟୀ କାମ ନିଖୁଣଭାବରେ କରିବାକୁ ପଡେ। ଘରେ ଯେଉଁ କ୍ଲୋଜସର୍କିଟ କ୍ୟାମେରା ଲାଗିଚି,ସେହି ଭୟରେ ସବୁକାମ ସମୟ ଅନୁସାରେ ଠିକ୍ ଭାବରେ କରିବାକୁ ପଡେ। ଟିକିଏ ବି ଊଣା ହେଲେ ନିର୍ଦ୍ଦିଷ୍ଟ ତାରିଖ, ସମୟ ଓ କାମର ଦ୍ବାହିଦେଇ ଦରମା କଟିଯାଏ। ଦରମା ସ୍ଲିପରେ ଏସବୁ ଦେଖିଲେ ଭାରି ଡରଲାଗେ ତାକୁ। ଭଗବାନ କ’ଣ ତାଙ୍କଠାରୁବି ଆହୁରି ବଡଲାଗେ ଅଦେଖା ସେହିସବୁ କାମକୁ ତଦାରଖ କରୁଥିବା କ୍ୟାମେରାକୁ। ନିର୍ଦ୍ଦିଷ୍ଟ ତାରିଖରେ ଖାମ୍ ଉପରେ ନାମ ଲେଖି ଲିଭିଂରୁମର ଟେବୁଲ ଉପରେ ଥୁଆଯାଇଥାଏ ତା’ର ଦରମା। କିଏ ଦିଏ …ଏସବୁ ଜାଣିବାର ଉତ୍ସୁକ ମନଟିଏ ଥିଲେବି ଜାଣିବାର ଉପାୟ ନଥାଏ ।
( କ୍ରମଶଃ )