Latest Odisha News

BREAKING NEWS

ପଟ୍ଟନାୟକେ ଥିଲେ ବୋଲି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ

ଜୀବନର ଗତି ଅତି ରହସ୍ୟମୟ , ସବୁବେଳେ ସରଳ ରେଖାରେ ଚାଲେ ନାହଁ। ଜୀବନର ହିସାବ ଖାତାରେ ସବୁବେଳେ ଦୁଇ ଯୋଗ ଦୁଇ ଚାରି ହୁଏ ନାହିଁ, କେବେ ଦଶ ବି ହେଇପାରେ ତ କେବେ ଶୁନ୍ୟ ବି ହେଇପାରେ। ଜୀବନ ଚକ୍ର ବେଳେବେଳେ ଏମିତି ଏକ ଅଜଣା ମୋଡ଼ରେ ପହଞ୍ଚେଇ ଦିଏ ଯାର ପୂର୍ବାନୁମାନ କରିବା ଅସମ୍ଭବ । ସମୟ ସମୟରେ ଗୋଟିଏ ଅତି ଛୋଟ ଘଟଣା ବି ଜୀବନର ମୋଡ ବଦଳେଇ ଦେଇ ଥାଏ। ବାପାଙ୍କ ଜୀବନରେ ବି ସେଇମିତି ଗୋଟେ ଛୋଟ ଘଟଣା ତାଙ୍କ ଜୀବନ ର ଗତିପଥକୁ ସମ୍ପୂର୍ଣ୍ଣ ବଦଳେଇ ଦେଇ ଥିଲା। ଏଇମିତି ଏକ ଘଟଣା ବାପାଙ୍କୁ ସଂସ୍କୃତ ଟୋଲରୁ ସେତେବେଳର ଉଚ୍ଚ ଇଂରାଜୀ ସ୍କୁଲକୁ ଆସିବା ପାଇଁ ପ୍ରେରଣା ଯୋଗେଇ ଥିଲା।

ବଲାଙ୍ଗୀରରେ ଚୌହାନ ବଂଶ ର ରାଜାମାନଙ୍କ ରାଜତ୍ୱ ସମୟରେ ଶିକ୍ଷାକୁ ଏତେ ଗୁରୁତ୍ୱ ଦିଆଯାଉ ନଥିଲେ ମଧ୍ୟ ଅବଧାନଙ୍କ ତତ୍ତ୍ୱାବଧାନରେ ସଂସ୍କୃତ ଭାଷାରେ ଶିକ୍ଷାଦାନ ଚାଲିଥାଏ। ପରେ ରାମଚନ୍ଦ୍ର ଦେବ ତାଙ୍କ ଶାସନ କାଳରେ ୧୮୯୨ରେ ପ୍ରଥମ କରି ଇଂରାଜୀ ବିଦ୍ୟାଳୟ ସ୍ଥାପନା କରିଥିଲେ । ୧୯୧୨ ରେ ଜର୍ଜ ସଂସ୍କୃତ ଟୋଲ ମଧ୍ୟ ପ୍ରତିଷ୍ଠା ହୋଇ ସାରି ଥାଏ ,ଏଣୁ କରି ୧୯୨୫-୨୬ ବେଳକୁ ବଲାଙ୍ଗୀର ଶିକ୍ଷାକ୍ଷେତ୍ରରେରେ ଅଗ୍ରଗତି ଲାଭ କରି ସାରିଥିଲା ଓ ଉଭୟ ସଂସ୍କୃତ ଓ ଭର୍ଣ୍ଣାକୁଲାର ସ୍କୁଲରେ ଶିକ୍ଷା ଦାନ ଦିଆଯାଉ ଥିଲା। ସେ ସମୟରେ ସଂସ୍କୃତ ଅଧ୍ୟୟନ ନିମନ୍ତେ ପିଲାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ କ୍ଷେତ୍ରରେ ଆର୍ଥିକ ସାହାଯ୍ୟ ଦେବାର ମଧ୍ୟ ବ୍ୟବସ୍ଥା ଥିଲା। ସେଇ ସମୟରେ ବାପଛେଉଣ୍ଡ ଦୁଇ ଭାଇ ରାମଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ର ନିପଟ ମଫସଲ ଗାଁ ତାଲିଉଡାରରୁ ପାଠ ପଢି ମଣିଷ ହେବାର ସ୍ଵପ୍ନ ନେଇ ବଲାଙ୍ଗୀର ଆସିଲେ। ମନରେ ଆଶା ଓ ବିଶ୍ୱାସ କିଛି ନହେଲେ ବି ବ୍ରାହ୍ମଣ କର୍ମ କରି ଦୁଇ ପଇସା ରୋଜଗାର କରି ଦୁଃଖିନୀ ମା ଓ ଭଉଣୀଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବେ। ବୟସ ବି ଟିକେ ଅଧିକ ହେଇ ଯାଇଥାଏ। ଏହା ସହିତ ସଂସ୍କୃତ ଟୋଲ ବ୍ୟବସ୍ଥାରେ ପରୀକ୍ଷାରେ ଭଲ କଲେ ଷ୍ଟାଇପେଣ୍ଡର ବ୍ୟବସ୍ଥା ମଧ୍ୟ ଥିଲା। ଏଣୁ ଦୁଇ ଭାଇ ସଂସ୍କୃତ ଟୋଲରେ ନାମ ଲେଖେଇଲେ।

ସେତେବେଳେ ତାହା ଆବାସିକ ଥିଲା। ଦୁଇ ଭାଇ ସ୍କୁଲରେ ଥିବା ଛାତ୍ରାବାସରେ ରହି ପଢୁ ଥିଲେ। କାକା ଗାଁ ରୁ ଚୁଡା ,ମୁଢି, ଗୁଡ ,ଆଦି ନିଜେ ବୋହି ଆଣି ଦିଅନ୍ତି। ସେଇଆ ହୁଏ ଜଳଖିଆ, ବାହାରୁ କିଣି ଖାଇବାକୁ ଅର୍ଥ ବା କାହିଁ ? ପିନ୍ଧିବାରେ ବି ସେମିତି କିଛି ବିଳାସ ନଥିଲା। ଖଣ୍ଡେ ଲେଖା ଧୋତି,ଓ କରିଆ ଖଣ୍ଡେ ଖଣ୍ଡେ । ନିତି ରାତିରେ କରିଆ ପିନ୍ଧି ଧୋତି ଧୋଇ ସୁଖେଇ ତାକୁ ପୁଣି ପିନ୍ଧନ୍ତି। ପ୍ରାୟତଃ ଏମିତି ସ୍କୁଲ ଓ ଛାତ୍ରାବାସ ଭିତରେ ଜୀବନ କଟିଯାଉ ଥାଏ। ବେଳେ ବେଳେ ସ୍କୁଲ ନିକଟରେ ଥିବା ମହାଦେବ ମନ୍ଦିର ଓ ତତ୍ସଲଗ୍ନ ପଡ଼ିଆ ଓ ରାସ୍ତା ଉପରେ ବୁଲାବୁଲି କରନ୍ତି ଦୁଇଭାଇ।

ଏମିତି କିଛିବର୍ଷ କଟି ଗଲା ପରେ ବାପାଙ୍କ ଯେତେବେଳେ ସପ୍ତମ ଶ୍ରେଣୀ , ସେତେବେଳେ ଦିନେ ସନ୍ଧ୍ୟା ବେଳେ ଦୁଇ ଭାଇ ମହାଦେବ ମନ୍ଦିର ସମ୍ମୁଖସ୍ଥ ରାସ୍ତାରେ ବୁଲୁ ଥାଆନ୍ତି । ଦେଖିଲେ କପଡା ବୋଝେଇ ଜିପ ଗାଡିଟିଏ ଖରାପ ହୋଇ ରାସ୍ତାମଝିରେ ଠିଆ ହେଇଛି ଓ ଜଣେ ମଧ୍ୟବୟସ୍କ ବ୍ୟକ୍ତି ବ୍ୟସ୍ତ ହୋଇ ରାସ୍ତାରେ ଏପଟ ସେପଟ ହେଉଛନ୍ତି। ସେମାନଙ୍କୁ ଦେଖି ବ୍ୟକ୍ତି ଜଣକ ପଚାରିଲେ ,”ଏଠି କଉଠି ପାଣି ମିଳିବ? “ସେମାନେ ଦଉଡି ଯାଇ ପାଖରେ ଥିବା ଛାତ୍ରାବାସରୁ ପାଣି ଆଣି ଦେଲେ। ପାଣି ପିଇ ଆଶ୍ୱସ୍ତ ହେଲା ପରେ ଭଦ୍ରବ୍ୟକ୍ତି ଜଣଙ୍କ ପିଲାମାନଙ୍କୁ ସେମାନଙ୍କ ପରିଚୟ ପଚାରିଲେ। ପିଲାଦୁହେଁ ନିଜର ସଂକ୍ଷିପ୍ତ ପରିଚୟ ଦେଇ ନିକଟରେ ଥିବା ସଂସ୍କୃତ ଟୋଲରେ ପଢୁଥିବା କଥା କହିଲେ। ପ୍ରାରମ୍ଭିକ ପରିଚୟ ଆଦାନ ପ୍ରଦାନ ପରେ ସେହି ବ୍ୟକ୍ତି ଜଣଙ୍କ ନିଜର ଅସହାୟତା କଥା ଜଣେଇଲେ।

ସେ ଥିଲେ ଖୋର୍ଦ୍ଧା ନିକଟସ୍ଥ ବାଜପୁର ଗ୍ରାମର ରାଘବ ପଟ୍ଟନାୟକ। କପଡ଼ା ବ୍ୟବସାୟ ତାଙ୍କର । ସେଠାରୁ ଗାମୁଛା, ଧୋତି ଓ ଅନ୍ୟାନ୍ୟ ପ୍ରକାର ଲୁଗା ଆଣି ବଲାଙ୍ଗୀର ଓ କଳାହାଣ୍ଡିରେ ହୋଲସେଲ ଯୋଗାନ୍ତି । ଯୋଗକୁ ସେଦିନ ତାଙ୍କର ଗାଡି ଠିକ ସେଇ ମହାଦେବ ମନ୍ଦିର ଛକ ନିକଟରେ ଖରାପ ହେଇ ଯାଇ ଥାଏ। ସନ୍ଧ୍ୟା ହୋଇ ଆସୁଥାଏ । ଆଖପାଖରେ ଦୋକାନ ବଜାର ତ ଦୂରର କଥା, ଜନବସତି କିଛି ନାହିଁ। କରିବେ କଣ ? ସେତେବେଳେ ତ ଆଉ ମୋବାଇଲ ନଥିଲା ଯେ କାହାକୁ ସାଙ୍ଗେ ସାଙ୍ଗେ ଡାକି ଦେବେ । ସାଙ୍ଗରେ ବି କେହି ନଥିଲେ । ଗାଡିରେ ଭର୍ତ୍ତି ଲୁଗା । ଗାଡି ଛାଡି ମେକାନିକକୁ ଡାକିବାକୁ ଯିବେ କେମିତି ? ଏ ପିଲାଙ୍କ ଉପରେ ବିଶ୍ବାସ ବି କରିବେ କେମିତି ? ପିଲାମାନଙ୍କ ସାଙ୍ଗରେ କଥା ବାର୍ତ୍ତା ହେଇ ତାଙ୍କର ପରିବାର ବିଷୟରେ ଜାଣିଲେ, ଓ ସେମାନଙ୍କ ଆର୍ଥିକ ଦୁରବସ୍ଥା ବିଷୟରେ ଜାଣିଲେ। କିଛି ସମୟ କଥା ହେଲା ପରେ ତାଙ୍କର ପିଲାମାନଙ୍କ ଉପରେ କେଜାଣି କେମିତି ବିଶ୍ୱାସ ଆସିଲା । ଦୁଇ ଭାଇଙ୍କୁ ଗାଡି ଜଗେଇ ମେକାନିକକୁ ଡାକିବାକୁ ଗଲେ। ପରେ ଖୋଜି ଖୋଜି ଯାଇ ମେକାନିକ ଓ ବଲାଙ୍ଗୀରରେ ଥିବା ତାଙ୍କ ସହଯୋଗୀଙ୍କୁ ନେଇ ଫେରିଲେ ଓ ପିଲାମାନଙ୍କୁ ଅଶେଷ ଧନ୍ୟବାଦ ଓ କିଛି ଅର୍ଥପୁରସ୍କାର ତଥା ପରବର୍ତ୍ତୀ ସମୟରେ ସାହାଯ୍ୟର ପ୍ରତିଶ୍ରୁତି ଦେଇ ବିଦା କଲେ।

ପିଲାଙ୍କ ସାଙ୍ଗରେ ଭାବର ଆଦାନ ପ୍ରଦାନ ଭିତରେ ସେ କଥା ଛଳରେ କହିଥିଲେ ଦୁଇ ଜଣ ଯାକ ସଂସ୍କୃତ କାହିଁକି ପଢ଼ୁଛ ! ଜଣେ ସଂସ୍କୃତ ପଢ ମାତ୍ର ଅନ୍ୟ ଜଣେ ଉଚ୍ଚ ଇଂରାଜୀ ସ୍କୁଲରେ ପଢିଲେ ଭଲ ହେଇଥାନ୍ତା। ବାପା ଆର୍ଥିକ ଦୁରବସ୍ଥା କଥା କହିବାରୁ ସେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ରତି ମାସରେ ସେ ତାଙ୍କୁ ଟଙ୍କାଟେ ଲେଖାଏଁ ସାହାଯ୍ୟ କରିବେ। ସେତେବେଳେ ଗୋଟିଏ ଟଙ୍କାର ମଧ୍ୟ ବହୁତ ମୁଲ୍ୟ ଥିଲା । ପଟ୍ଟନାୟକେ ତ ଲୁଗା ନେଇ ପ୍ରତିମାସ ବଲାଙ୍ଗୀର ଆସନ୍ତି ; ସେମାନଙ୍କୁ ନିଶ୍ଚେ ଭେଟିବେ। ଆଉ ଯଦି ବାପା ଇଂରାଜୀ ସ୍କୁଲରେ ପଢିବେ ତେବେ ସେ ନିଶ୍ଚୟ ଅଧିକ କିଛି ସାହାଯ୍ୟ କରିବେ। କହିବା ବାହୁଲ୍ୟ ଏ କଥା ବାପାଙ୍କ ମନରେ ଗଭୀର ପ୍ରଭାଵ ପକେଇ ଥିଲା। ସେ ଏକା ଥରକେ ଷଷ୍ଠ ଓ ସପ୍ତମ ପରୀକ୍ଷା ଦେଇ ଉଚ୍ଚ ଇଂରାଜୀ ସ୍କୁଲରେ ନାମ ଲେଖେଇ ଥିଲେ।

ସେହି ଘଟଣା ପରଠାରୁ ପଟ୍ଟନାୟକେ ଯେବେ ବି ବଲାଙ୍ଗୀର ଆସନ୍ତି ଛାତ୍ରାବାସକୁ ଯାଇ ସେମାନଙ୍କୁ ଭେଟନ୍ତି ଓ କିଛି କିଛି ସାହାଯ୍ୟ କରନ୍ତି। ଚିଠି ପତ୍ର ମଧ୍ୟ ଆଦାନ ପ୍ରଦାନ ଚାଲିଥାଏ କିନ୍ତୁ ଦୁର୍ଭାଗ୍ୟର କଥା ଯେ ମାତ୍ର ଦୁଇ ମାସ ସାହଯ୍ୟ କଲା ପରେ ଗାଡି ଦୁର୍ଘଟଣାରେ ପଟ୍ଟନାୟକ ବାବୁଙ୍କର ମୃତ୍ୟୁ ହୋଇ ଯାଇଥିଲା। ବାପାଙ୍କୁ ଇଂରାଜୀ ସ୍କୁଲ ପଢିବା ସେ ଦେଖି ପାରିଲେ ନାହିଁ କି ସାହାଯ୍ୟ କରି ପାରିଲେ ନାହିଁ। ବାପା କିନ୍ତୁ ତାଙ୍କ କଥାକୁ ଗୁରୁମନ୍ତ୍ର ବୋଲି ଗ୍ରହଣ କରି ଆଗକୁ ମାଡି ଚାଲିଲେ । ବହୁ କଷ୍ଟରେ ମାଟ୍ରିକ ପର୍ଯ୍ୟନ୍ତ ପଢିଲେ। ଅବସ୍ଥା ଚକ୍ରରେ ମାଟ୍ରିକ ବେଳକୁ ତାଙ୍କର ବିବାହ ମଧ୍ୟ ହେଇଯାଇଥିଲା । ସେତେବେଳେ ମାଟ୍ରିକ ପରେ ମାତ୍ର ତିନିବର୍ଷ ଏଲଏମପି ପଢ଼ିଲେ ଡାକ୍ତର ଡିଗ୍ରୀ ମିଳୁଥିଲା । ଡ଼ାକ୍ତରୀ ପଢ଼ିବା ପାଇଁ ବାପାଙ୍କର ପ୍ରବଳ ଇଛା ସତ୍ତ୍ୱେ ଅର୍ଥାଭାବରୁ ପଢି ପାରି ନଥିଲେ । ସେଇ ଅବଶୋଷ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ରହିଥିଲା। ତାଙ୍କ ସାଙ୍ଗ ଦେବୀ ଚୋପଦାର ତିନି ବାର୍ଷିଆ ଏଲଏମପି କୋର୍ସ କରି ଡାକ୍ତର ହେଇଥିଲେ । ହେଲେ ବାପା ତାଙ୍କର ଶଶୁରଙ୍କ ଦୟାରୁ ମାଟ୍ରିକ ପରେ ବିହାର ଯାଇ ତିନିମସିଆ ଟାଇପିଙ୍ଗ, ସର୍ଟ ହ୍ୟାଣ୍ଡ ଓ ଆକାଉଣ୍ଟlନସି କୋର୍ସ କରି ଚାକିରୀ ଆରମ୍ଭ କଲେ।

ଏପଟେ ପଟ୍ଟନାୟକ ବାବୁଙ୍କ ଅବର୍ତ୍ତମାନରେ ତାଙ୍କର ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଦୁଇ ଝିଅ ଓ ଗୋଟିଏ ପୁଅ, ଝିଅ ଦୁଇଜଣ ବଡ ଥିଲେ ଓ ପୁଅ ଦୁର୍ଗା ପଟ୍ଟନାୟକ ଅତି ଅଳ୍ପ ବୟସର ଥିଲେ। ବହୁ କଷ୍ଟରେ ମା ଦୁଇ ଝିଅଙ୍କ ବାହାଘର କରିଥିଲେ। ନାନୀମାନଙ୍କ ବାହାଘର ପରେ ଭାଇଟି ଘରେ ମା କଥା ନ ମାନି ବାଳୁଙ୍ଗା ହେବାରୁ ସେହି ବାଜପୁର ପାଖ ଗାଁ ରେ ବିବାହ କରିଥିବା ନାନୀ ପାଖରେ ରଖି ପଢେଇବି ବୋଲି ତାଙ୍କୁ ନେଇ ଯାଇଥିଲେ। ଆମ ବାପା ରାଘବ ପଟ୍ଟନାୟକଙ୍କୁ ବାପା ପରି ମାନ୍ୟ କରୁଥିଲେ। ତାଙ୍କ ଅବର୍ତ୍ତମାନରେ ମଧ୍ୟ ତାଙ୍କ ପତ୍ନୀ ଅର୍ଥାତ ମାଙ୍କ ସହିତ ସମ୍ପର୍କ ରଖିଥିଲେ। ବାପା ମାଟ୍ରିକ ପଢି, ଚାକିରୀ କଲାବେଳକୁ ପଟ୍ଟନାୟକ ମାଆଙ୍କ ପାଖରୁ ଖଣ୍ଡେ ଚିଠି ପାଇଲେ ଯେଉଁଥିରେ ସେ ଅତି ବିକଳରେ ଦୁର୍ଗା କାକାଙ୍କୁ ଆଣି ପାଖରେ ରଖି ପଢ଼େଇବା ପାଇଁ ଅନୁରୋଧ କରିଥିଲେ । କାରଣ ପାଖରେ ରଖି ପାଠ ପଢେଇବାକୁ ନେଇଥିବା ଭଉଣୀ କୁଆଡେ ତାଙ୍କୁ ନାନା ପାଇଟି କରାଉଥିଲେ ଓ ଚାକର ପରି ବ୍ୟବହାର କରୁଥିଲେ ।

ଚିଠି ପାଇ ବାପା ଯେତେବେଳେ ବାଜପୁରରେ ନାନୀଙ୍କ ଘରେ ପହଞ୍ଚନ୍ତି , ଦଶ ଏଗାର ବର୍ଷ ର ପିଲାଟିଏ ନୁଖୁରା ବାଳ ,ମଇଳା ଲୁଗାପଟା ପିନ୍ଧି ଘରଆଗରେ ଠିଆ ହେଇଥିବାର ଦେଖି ତାକୁ ପଚାରିଲେ , “ତୁମେ କଣ ଦୁର୍ଗା ?” ପିଲାଟି ହଁରେ ମୁଣ୍ଡ ହଲେଇଲା । ବାପା ତାଙ୍କୁ ସାଙ୍ଗରେ ନେଇ ନାନୀଙ୍କ ପାଖକୁ ଘର ଭିତରକୁ ଗଲେ ଓ ମାଆ ଙ୍କ ଆଦେଶରେ ନେବାକୁ ଆସିଛି ବୋଲି କହି କାକାଙ୍କୁ ପ୍ରଥମେ ବାଜପୁର ରେ ଥିବା ତାଙ୍କ ନିଜ ଘରକୁ ଓ ଦିନେ ଦୁଇ ଦିନ ପରେ ବଲାଙ୍ଗୀରକୁ ନେଇ ଆସିଲେ।ବାପା ଦୁର୍ଗା କାକାଙ୍କୁ ଆଣି ପାଖରେ ରଖିଥିଲେ ଓ ପଢେଇ ଥିଲେ l

କାକା ମାଟ୍ରିକ ପାସ କଲାପରେ ବାପାଙ୍କ ଠାରୁ ଅନୁମତି ନେଇ ମିଲିଟାରୀରେ ଯୋଗ ଦେଇଥିଲେ। ମିଲିଟାରୀରେ ସର୍ଟଟର୍ମ ସେବା ସାରି ପରେ ପୋଷ୍ଟାଲ ଡିପାର୍ଟମେଣ୍ଟରେ ଯୋଗ ଦେଇଥିଲେ। ତାଙ୍କ ପିଲାମାନେ ଆଜି ସାମାଜିକ ଜୀବନରେ ସୁପ୍ରତିଷ୍ଠ । ବାପା ଆଜି ନାହାନ୍ତି, କାକା ବି ଚାଲି ଗଲେଣି କିନ୍ତୁ ବଞ୍ଚିଥିବା ପର୍ଯ୍ୟନ୍ତ ଦୁହେଁ ନିବିଡ଼ ସମ୍ପର୍କ ରଖିଥିଲେ। ପରସ୍ପର ର ସବୁ ବାହାଘର ବ୍ରତଘର ଆଦି ଶୁଭ କାମ ତଥା ଶୁଦ୍ଧି କ୍ରିୟାରେ ଯୋଗ ଦେଉଥିଲେ।ମା ବଞ୍ଚିଥିବା ପର୍ଯ୍ୟନ୍ତ କାକା, କାକି ଓ ତାଙ୍କ ପିଲାମାନେ ମଝିରେ ମଝିରେ ଆମ ଘରକୁ ଆସୁଥିଲେ। ଆମେ ପିଲାମାନେ କିନ୍ତୁ ସେ ପ୍ରକାର ସମ୍ପର୍କକୁ ବଞ୍ଚେଇ ରଖି ପାରିଲୁନି । ହେଲେ ବାପା, ରାଘବ ପଟ୍ଟନାୟକଙ୍କ, ତାଙ୍କ ଜୀବନ ପ୍ରତି ଅବଦାନ କେବେବି ଭୁଲି ନଥିଲେ ଓ ଜୀବନର ଶେଷ ପର୍ଯ୍ୟନ୍ତ କହୁଥିଲେ, ମୋର ଜୀବନର ଗତିପଥ ଅଲଗା ହେଇ ଥାଆନ୍ତା,କେବଳ ପଟ୍ଟନାୟକେ ଥିଲେ ବୋଲି…..।

Comments are closed.