Latest Odisha News

BREAKING NEWS

କବିତା : ଡୋର

ବିଭୁଦତ୍ତ ନାୟକ 

ଗୋଟିଏ ମାନ୍ୟତାରେ ବନ୍ଧା
ବହୁତ କିଛି ଏଠି,
ରକ୍ତ ଏବଂ ହୃଦୟ
ମେଘ ଆଉ ସମୁଦ୍ର
ଶାଳଗ୍ରାମ ଓ ପଥର
ଯିଏ ଯେତିକି ମାନିବ
ତା ପାଇଁ ସେତିକି ଗାଢ଼
ରଙ୍ଗ ଆଉ ମହକ ସମ୍ପର୍କର।

ଅନେକ କିଛି ଅପୂର୍ଣ୍ଣ ଏଠି
ଜଙ୍ଗମ ସ୍ଥାବର
ମଣିଷ ଈଶ୍ୱର
ହୁଏତ, କିଛି ବି ସମ୍ପୂର୍ଣ୍ଣ ନୁହଁ!
ଅପୂର୍ଣ୍ଣତା ରହିଛି ଯଦି ରହୁ
ରହିଥାଉ ଚିରଦିନ,
ରହିବା ବି ବିଧେୟ !

କେବେ ତ ଭାଙ୍ଗିବ ନିରବତା !
ନିଃଶବ୍ଦରୁ ପୁଣି ଥରେ
ପ୍ରତିଧ୍ବନିତ ହେବ ମୁଖର କୋଳାହଳ!
ସେମିତି ଚୁପ୍ କି ରହି ହୁଏ?
ଅଭିମାନର ବାଦଲ ଯେତେ କଳା ହେଲେ ବି
ସମୟର ବାଆରେ ଉଡିଯାଏ,
ହଁ, ଭାଙ୍ଗିବା ଆଗରୁ
କେବେଳେ ବର୍ଷିଯାଏ ଲୁହ ଅସରାଏ,
ହେଲେ କି ତୁଟେ ବନ୍ଧନର ଖିଅ !

ମାନିଲେ ତୁମେ ମୋର,
ମୁଁ ତୁମର !
ନ ମାନିଲେ କିଏ କାହାର??
ଖିଅକରେ ବନ୍ଧା
ଆପଣା ପର
ଈଶ୍ବର ପଥର
ପ୍ରେମ ଆଉ ବିଶ୍ବାସର ଡୋର।

ତୁମ ଇଚ୍ଛା ହିଁ ହେଉ ଇଚ୍ଛା ମୋର
ନରହୁ କିଛି ଦେୟ ଅବା ଅଧିକାର
ଜହ୍ନ ଉଇଁବା ମୋହରେ
ଚକୋର ବିଭୋର,
ଅକ୍ତିଆରେ ଲୋଭ ନାହିଁ
ଯାହା ମୋର ନୁହେଁ
ସ୍ୱପ୍ନ ଦେଖିବିନି ସେସବୁ ପାଇଁ,
ବାସ୍, ଅତୁଟ ଥାଉ ଡୋର !!

୪୨, ଜଗତ ଆପାର୍ଟମେଣ୍ଟ
ବ୍ଯାଙ୍କ ରୋଡ
ପଶ୍ଚିମ ଗାନ୍ଧୀ ମୈଦାନ
ପାଟନା
ବିହାର
୮୭୭୯୩୧୯୬୬୪

Comments are closed.