ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୪
ସି. ସି .ଟିଭି କ୍ୟାମେରାର ଫୁଟେଜ ଦେଖି ଜାଣିଲା ରଞ୍ଜୁ ଅନେକ କିଛି। ନିୟମିତ ଯିବା ଆସିବା ସହ କାମ ଠିକ୍ ହେଉଛି । ଡକ୍ଟର ସବୁବେଳେ ଅସ୍ତିସୂଚକ କଥା କହୁଛନ୍ତି। ମନଟା ଯାହା ମାନୁନି। କେବେ ଯେ ଠିକ୍ ହବ ସବୁ।
ଆଶା ତ ନଈଟିଏ। ଅଙ୍କେଇ ବଙ୍କେଇ ଧାଇଁ ଥାଏ। ସାପଭଳି ଗୁଡେଇଯାଏ ତାଳୁରୁ ତଳିପା। ଅବ୍ୟକ୍ତ ସେ ଅନୁଭୂତି। ଏକାଏକା ଭୋଗିବାକୁ ପଡେ।
କାହିଁ ସେ ମିଠା ପବନ। ଧୂପଝୁଣାର ମହକ। ଶ୍ଳୋକ ସ୍ମୃତିର ଧ୍ବନି । ବିନ୍ଦୁଏ ସିନ୍ଦୂର। ଆପଦ ବିପଦରୁ ରକ୍ଷା କରୁଥିବା କାନି । କାହିଁ, କାହିଁ ।
ସାଦରେ ଗ୍ରହଣ କରି ଜୀବନ ଜୀଉଁଚି। କାହିଁକି ଏତେ ହସ୍ତକ୍ଷେପ ? ନିଜ ଅନୁସାରେ ବଞ୍ଚିବ ନା ସବୁବେଳେ ନିଜ ଇଚ୍ଛା ବିରୁଦ୍ଧରେ ଗୀତ ଗାଉଥିବ। ନିଜ ପାଇଁ ସମସ୍ତେ ବଞ୍ଚିବେ, ଆଉ କଥା କହିବେ ବଡବଡ। ଏତେ ଅଙ୍କୁଶ କ’ଣ ପାଇଁ ଯେ। ଢିଲା ଛାଡି ଦେଖ ତ ଥରେ। ଗୁଡି ଉଡିବ ଆକାଶରେ।ସ୍ବଚ୍ଛନ୍ଦରେ, ମନ ଇଚ୍ଛା, ଆରାମରେ।
କେତେକେତେ ପିଲାଙ୍କୁ ପଢେଇପାରୁଥିବା ରଞ୍ଜୁ ନିଜକୁ ପଢେଇପାରୁନି ପାଠ ଟିକିଏ। ଆଗକୁ ସବୁ ଠିକ୍ ହବ ,ଏତିକି ଘୋଷିଲେ ହେଲା। ହେତ୍ ଯେତେସବୁ ବାଜେକଥା ବେକାର।
ଏକ,ଦୁଇ, ତିନି ଏଇ କେତେଜଣଙ୍କୁ ନେଇ ଜୀବନ। ଏତେ ବଡ ପୃଥିବୀ, ଅସଂଖ୍ୟ ଜନତା , ଅଥଚ କେଡେ ସୀମିତ ତା’ ଇଲାକା। ସୋରିଷ, ପୋସ୍ତଠାରୁ ବି ସାନ , ବିନ୍ଦୁଏ କେବଳ; ତଥାପି ସମସ୍ୟାରେ ଛନ୍ଦିଯାଉଚି। ଗଡିଆ ଭିତରେ ଉବୁଟୁବୁ ହେଉଚି। ମନିପ୍ଲାଣ୍ଟର ଅସଂଖ୍ୟ ଶାଖା ଲହଲହ କରି ଗୁଡେଇ ଯାଉଚି । ଚେରେଇଯାଉଚି, ଆଣ୍ଟକରି ଧରିରଖୁଚି।ମୁକୁଳି ହେଉନି ତ। ନିରାଶ୍ରୟଃ ମାଂ ଜଗଦୀଶ ରକ୍ଷ ନା ନା ସମସ୍ତେ ଥାଇ ମଣିଷ ଏକଲା, ନିଃସଙ୍ଗ।
ମଣିଷ, ଜନତା ଏସବୁ ଶବ୍ଦ ପୁଂବାଚକ ହିଁ , ସ୍ତ୍ରୀ ବାଚକ ନାହିଁ। ଏତେ ବିଭେଦ କାହିଁକି । ଅତଳତଳ ଅନ୍ଧାର। ଅଡୁଆ ସୂତାରୁ ପୁଳେ। ଅଣନିଃଶ୍ବାସୀ ଲାଗେ। ପବନ ମେଘକୁ ଉଡେଇନେଲା ପରି ଉଡିଯାଉ ସବୁ ଇତିହାସ ।ହରିଯାଉ ଅନ୍ଧାର।
କି ସୁନ୍ଦର ଦିନ ସବୁ ଥିଲା। ମଜାରେ ମଜାରେ କଟୁଥିଲା। ଭଲ ପାଠ ପଢୁଥିବା , ବାଧ୍ୟ ସନ୍ତାନ ଘରେ ବାହାରେ ସବୁଠି ଆଦର ସାଉଁଟି ଥାଏ। ମାଆ ବାପାଙ୍କର ଆଖି। ନା ଆଗକୁ ନା ପଛକୁ ସମଗ୍ର ଅଞ୍ଚଳ ତା’ର। ପାଠ ଶାଠ ସବୁଥିରେ ଆଗୁଆ। ଆଗଭର ହୋଇ କାମ କରିଯିବା ଯେମିତି ରକ୍ତରେ ଅଛି। ଗୁଡାଏ ପୁରସ୍କାର ସାଉଁଟି ଗୋଟେଇ ରଖିଥିଲା। ସମୟ ନାଚୁଥିଲା ଇଙ୍ଗିତରେ। ସାଙ୍ଗମେଳରେ ଜୀବନ। ଅସଂଖ୍ୟ ଈର୍ଷାଳୁ ଆଖି ଚାହିଁ ବି କିଛି କରିପାରୁନଥିବାର ଏକ ସୁନ୍ଦର କାଳଖଣ୍ଡ ହାତ ପାପୁଲିରେ ଥିଲା। ପୂରା ବଶମ୍ବଦ। ହଲଚଲ ନ ହୋଇ ସ୍ଥିର। ଏକବାରେ ନିଜର।
ଏମିତି ବି ହୁଏ କି ? ଭଲଲାଗୁଥିବା ସବୁ ଚିଜ ଆକାଶରେ ମେଳଣ କରନ୍ତି। ଜହ୍ନ ,ତାରାସହ ବନ୍ଧୁତା କରନ୍ତି। ଘୋ’ ଘା’ ଅଞ୍ଚଳ ନିସ୍ତବ୍ଧ ନୀରବ ହୋଇଯାଏ । ସମୁଦ୍ର ନିସ୍ତରଙ୍ଗ। ପକ୍ଷୀ ପକ୍ଷୀସବୁ ଉଡିଗଲେ। ସାଗୁଆ ଗଛ ତ ଚଡକ ମାଡରେ ଶୁଖିଲା , ନଣ୍ଡା। ସବୁଜିମା ବଦଳରେ ଏବେ ଧୂସର , ପାଣ୍ଡୁର। ହଜିଯାଇଥିବା ସମୟ , ଇଡିଯାଇଥିବା ପାଣି ଆଉ ଫେରିବ କି ? ଯଦି ନାଁ, ଏତେ ଭାବନା କାହିଁକି। ଯାଉ, ଯାହାସବୁ ପାଇବାର ନାହିଁ ସେସବୁ ଯାଉ। ଜୀବନ ବୃତ୍ତର ପରିଧି ବାହାରେ ଯିଏସବୁ ରହିବେ ରହନ୍ତୁ। ଆଉ ଡାକିହବନି କି ମିଶେଇହବନି । ଏତେ ଯୋଡହସ୍ତେ ମାଗିହବନି। ଜଣକ ପାଖରେ ସବୁ ଅଛି , ଯା ଜଣେ ହାତପତେେଇ ନିଉଛାଳି ହବ କାହିଁକି ଯେ। ଯାଉ ତ ସବୁ। ନେଇଯା’ ସମୟ ତୁ ଯାହା ଯାହା ନବାକଥା। ଆଉ କେତେ ସାଲିସ୍ କରାଯାଇପାରେ ଜୀବନରେ ?