Latest Odisha News

ସୁନ୍ଦରଗଡ଼ରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଖୋଲିବ ୮୧ଟି ମିଲେଟ୍ ଶକ୍ତି କିଓସ୍କ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇ ଆସୁଛି। ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲିବ ୮୧ଟି ମିଲେଟ୍ ଶକ୍ତି କିଓସ୍କ । ପ୍ରଥମ ପର୍ଯ୍ୟାୟରେ ୬ଟି କିଓସ୍କ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ଏହି କିଓସ୍କ ସ୍ଥାନୀୟ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ପରଶି ଦେବା ସହ ମିଶନ ଶକ୍ତିର ମା’ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମିଲେଟ୍‌ସରୁ ଖାଦ୍ୟ ପ୍ରସ୍ତୁତି ଓ ମିଲେଟ୍ ଶକ୍ତି କିଓସ୍କର ପରିଚାଳନାଗତ ତାଲିମ ଦିଆଯାଉଛି । ଏଥିପାଇଁ ସେପ୍ଟେମ୍ବର ୮ ଓ ୯ ତାରିଖରେ ଜିଲ୍ଲାର ଟାଙ୍ଗରପାଲି ବ୍ଲକ ରଙ୍ଗିଆମୁଣ୍ଡା ସ୍ଥିତ ସେବକ କମ୍ପ୍ଲେକ୍ସ ଠାରେ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ୱାସନ ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଏଥିରେ ତାଲିମ ଦିଆଯାଇଛି ।

ମିଲେଟ୍ ଶକ୍ତି କିଓସ୍କ ଜରିଆରେ ସ୍ଥାନୀୟ ଲୋକଙ୍କୁ ଜଳଖିଆରେ ପୁଷ୍ଟିକର ଖାଦ୍ୟ ଖାଇବାର ସୁଯୋଗ ମିଳିବ । ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟରେ ଭରପୁର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ, ଭିଟାମିନ୍ ଓ ମିନେରାଲ୍ସ ରହିଛି । ତେଣୁ ଏଥିରୁ ପ୍ରସ୍ତୁତ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ । ଏହାସହ କିଓସ୍କ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ରୋଜଗାରର ଆଉ ଏକ ମାଧ୍ୟମ ମଧ୍ୟ ମିଳିପାରିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ ।

ମାଣ୍ଡିଆରୁ ଏଣ୍ଡୁରି ପିଠା, କାଙ୍ଗୁ ତଥା ସୁଆଁରୁ ବରା, ମାଣ୍ଡିଆ ଚିକେନ ପକୋଡ଼ା, ମାଣ୍ଡିଆରୁ ଖିରି ଆଦି ସୁସ୍ୱାଦୁ ଖାଦ୍ୟ କିଭଳି ତିଆରି କରିହେବ । ସେହିପରି ମିଲେଟ୍ ଶକ୍ତି କିଓସ୍କର ପରିଚାଳନା ସହ ଏହାର ପରିଷ୍କାର ପରିଚ୍ଛନ୍ନତା କିଭଳି ବଜାୟ ରଖାଯିବ, ସେନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ, ବାଜରା, କୋଦ, ଜହ୍ନା, ଗଙ୍ଗେଇ, ସୁଆଁ ଆଦି ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଚାଷ କରାଯାଉଛି । ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟରେ ରହିଛି ପ୍ରଚୁର ପୋଷଣ ଶକ୍ତି । ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷ ଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ମିଲେଟ୍‌ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ଅକ୍ଟୋବର ସୁଦ୍ଧା ୬ଟି ମିଲେଟ୍ ଶକ୍ତି କିଓସ୍କ ଖୋଲାଯିବ । ଜିଲ୍ଲାର ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହାର ପରିଚାଳନା ଦାୟିତ୍ୱରେ ରହିବେ । ପରବର୍ତ୍ତୀ ସମୟରେ ଅବଶିଷ୍ଟ ୭୫ଟି କିଓସ୍କ ପର୍ଯ୍ୟାୟ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲିବ ।

Comments are closed.