Latest Odisha News

ବ୍ୟଙ୍ଗ : ଛୁଟିଦିନ

ଜାନୁଆରୀ ୨୬ ହଉ କି ଅଗଷ୍ଟ ୧୫, ମାନେ ସ୍କୁଲ ଛୁଟି । ଆଉ କିଛି ମନେ ରହୁ କି ନ ରହୁ କିନ୍ତୁ ସ୍କୁଲରେ ପଢିବା ବେଳଠୁ ଏହିଭଳି କିଛି କିଛି ତାରିଖ ନିଶ୍ଚିତ ଭାବେ ମନେ ରଖୁଥିଲୁ । କାରଣ ଏହି ଦିନମାନଙ୍କରେ ଆମକୁ ସରକାରୀ ଭାବେ ଛୁଟି ମିଳୁଥିଲା । ନହେଲେ କେତେଯେ ପ୍ରକାରର ବାହାନା ସବୁ ଉଦ୍ଭାବନ କରିବାକୁ ପଡୁଥିଲା ସ୍କୁଲ ନ ଯିବା ପାଇଁ ତାର ସୀମା ନାହିଁ । ବୋଧେ ସେଇଥିପାଇଁ ସରକାର ଜାଣିଶୁଣି ଏହି ମହତ ଦିନଗୁଡିକୁ ଛୁଟି ଘୋଷଣା କରିଛନ୍ତି । କିଛି ନହେଲେବି ମୋ’ ଭଳି କୁଳାଙ୍ଗାରମାନେ ଛୁଟି ଦିନ ଭାବେ ଅନ୍ତତଃ ଦେଶର ଏହି ବିଶେଷ ଦିନଗୁଡିକୁ ମନରେ ଧରି ରଖିପାରିବେ । ଯଦି ରାମ ନାମ ନ ଧରୁଛ ତେବେ ମରା ମରା ଘୋଷ । ଦେଶ ସ୍ଵାଧୀନ କରି ସଂଗ୍ରାମୀ ମାନେ ଯେତେ ଖୁସି ହୋଇନଥିବେ ତାଠୁ ଅଧିକ ଖୁସି ଆମେ ହେଉଥିଲୁ କାରଣ ସେ ଦିନ କେହିବି ଆମକୁ ବିଧା, ଚାପୁଡ଼ା ମାରି ଗର୍ଜନ ତର୍ଜନ କରି ନିଦରୁ ଉଠଉନଥିଲେ । ମାଆଙ୍କ ସକାଳ ତାଗିଦା ଏହି ଦିନମାନଙ୍କରେ ଫିକା । କମ୍ବଳଭିତରୁ ମୁହଁଟିକୁ ବାହାର କରି କହିଦେଉଥିଲୁ , ଆଜି ସ୍କୁଲ ଟିଉସନ ସବୁ ଛୁଟି । ଆଉ ଟିକେ  ଶୋଇବି।

କିଛି ଫ୍ରେଣ୍ଡ ଇନ୍ ନିଡ଼୍ ଟାଇପର ବନ୍ଧୁ ବର୍ଷ ଆରମ୍ଭରୁ ହିସାବ କରି ଜଣେଇ ଦିଅନ୍ତି ଚଳିତ ବର୍ଷ କେତେଟା ଲାଗ୍ ଲାଗ୍ ଛୁଟି ରହିବ । ଏଇ ଯେମିତି ଧରନ୍ତୁ ଶୁକ୍ରବାର ଅଗଷ୍ଟ ପନ୍ଦର, ପରଦିନ ଦ୍ଵିତୀୟ ଶନିବାର, ତାପରେ ରବିବାର ଆଉ ସୋମବାର ଅଲ ଇଣ୍ଡିଆ ଷ୍ଟ୍ରାଇକ୍ ଅର୍ଥାତ ପୁରା ଚାରିଦିନ ଛୁଟି । ସେମିତି ଫ୍ରେଣ୍ଡ ଫର୍ ନିଡ଼୍ ଶୁଭେଛୁ ମାନେ ଆଗୁଆ ସମସ୍ତଙ୍କୁ ମନେ ପକେଇଦିଅନ୍ତି। ଛୁଟିଦିନ ମାନଙ୍କରେ ସବୁ ପିକନିକ୍ ସ୍ପଟ୍ ଭିଡ଼ ରହିବ । ପୋଗ୍ରାମ୍ ଏବେଠୁ ଠିକ କର ନଚେତ୍ ପରେ ପସ୍ତେଇବ ।

ହ୍ଵାଟ୍ସଆପର ବହୁଳ ପ୍ରସାର ପରେ କପି ପେଷ୍ଟ ଫରୱାର୍ଡ ମାର୍କା ବନ୍ଧୁମାନେ ଏହିସବୁ ପବିତ୍ର ଦିନ ପାଇଁ ଆଗରୁ ଆଡ଼ଭାନ୍ସ ଶୁଭେଚ୍ଛା ଓ ବଢିଆ ବଢିଆ ଦେଶପ୍ରେମ ଭିଡିଓ ଯୋଗାଡ଼ କରି ରଖିଥାନ୍ତି । ଦେଶର ସେବାପାଇଁ ଯେତିକି ସବୁ ଗୁରୁବାଣୀ ଏହି ଦିନମାନଙ୍କରେ ଆସେ ସେତିକିରେ ଜଣେ ଏକ ନମ୍ବର ଦେଶଭକ୍ତ ହେବାପାଇଁ ଯଥେଷ୍ଟ । ତାକୁ ପଢି ଯଦି ହୃଦସ୍ଥ କରୁଥାନ୍ତେ ତେବେ କେବେଠୁ ଆମ ଦେଶ ରାମ ରାଜ୍ୟ ହୋଇସାରନ୍ତାଣି। ପଠେଇଲା ବାଲା ବି ଜାଣିଚି ପଢିଲା ବାଲା ବି ଜାଣିଛି ଏଭଳି ଗୁରୁବାଣୀରେ ମଣିଷର ପରିବର୍ତ୍ତନ ହୁଏନି । ନହେଲେ ହ୍ଵାଟ୍ସଆପକୁ କେବେଠୁ ଶାନ୍ତି ପାଇଁ ନୋବେଲ ପ୍ରାଇଜ ଦିଆ ସରନ୍ତାଣି । ଲମ୍ବା ଲମ୍ବା ଭିଡିଓ ସବୁ ପଠେଇ ଦେଇ ପଠେଇଲାବାଲା ଖୁସି ହୁଏ ଯାହାହେଉ ଗୋଟେ କାମ ସରିଲା । କିନ୍ତୁ ପାଇଲା ବାଲାର ମୁଣ୍ଡ ଟିଣ । ଏତେ ସବୁ ଫଟୋ ଭିଡିଓ ଶଳା ଡିଲିଟ କରିବ କେମିତି ? ଫୋନ ମେମୋରୀ ତ ଫୁଲ୍ ।

ଆଉ ଯଦି ଏହି ଭଳି ସରକାରୀ ଛୁଟିଦିନ ଭଲ ଆମିଷବାରରେ ପଡିଲା ତେବେ ତ କଚେ ପୁଅ ବାର । ସକାଳୁ ସକାଳୁ କେତେ ଯେ କୁକୁଡ଼ା ଛେଳି ମେଣ୍ଢା ସହିଦ ହୋଇଯାଆନ୍ତି ତାର ହିସାବ ନଥାଏ । ଆମେ ମାନେ ଦେଶପ୍ରେମରେ ଉଦବୁଦ୍ଧ ହେଇ ଖୁସି ହେଲାବେଳକୁ ଛେଳି କୁକୁଡ଼ାଙ୍କ ହଂସା ଉଡ଼ିଯାଉଛି । କୋଉ ଶଃ ଆଜି ଛୁଟି କରିଥିଲା କେଜାଣି ଆମ ବଉଁଶ ନିପାତ କରିବାକୁ !

ହେ ସ୍ୱର୍ଗବାସୀ ମହାପୁରୁଷମାନେ ତୁମମାନଙ୍କ ଯୋଗୁଁ ଆମେ ଗୋଟେ ଗୋଟେ ଛୁଟିଦିନ ପାଇଛୁ । ସ୍ଵର୍ଗର ଅପସରା ମାନେ ତୁମକୁ ଫୁଲ ଦୋଳିରେ ବସି ଝୁଲାଉଥାନ୍ତୁ ।ତୁମେ ପେଗ ପରେ ପେଗ ଅମୃତ ପିଇ ସୁଧର୍ମା ସଭାର ଉଚ୍ଚ ଆସନରେ ଢୁଳାଉଥାଅ ।

ମୋର ଏ ଲେଖାରେ ଯଦି କେଉଁ ଦେଶଭକ୍ତ ମନରେ ଆଘାତ ପାଇଥାନ୍ତି ତେବେ କ୍ଷମା ମାଗୁଛି ନଚେତ ନିଜ ହୃଦୟକୁ ପଚାରି ମତାମତ ଦେବେ କ’ଣ ସତରେ ଆମେ ଦେଶଭକ୍ତ ? ଦେଶଭକ୍ତି କ’ଣ ଦିନକର ବିଷୟ ? ଏତେ ତ୍ୟାଗୀ ମହାମନିଷୀଙ୍କୁ ଆମେ କଣ କେବଳ ଦିନଟିଏ ମନେ ପକେଇବୁ ? ବାକି ଭୁଲିଯିବୁ ? ଯଦି ଦେଶର ସେହି ପବିତ୍ର ଦିନଗୁଡିକରେ ଛୁଟି ନହୁଏ ତେବେ କଣ ସେ ତାରିଖ ସବୁ ଆମର ଆଉ ମନେ ରୁହନ୍ତା ନା ସେହିଦିନକୁ ଆମେ ‘ହର୍ଷ ଉଲ୍ଲାସ’ ରେ ପାଳନ କରନ୍ତୁ ? ମତାମତ ଅପେକ୍ଷାରେ…..ଜଣେ ଆଜନ୍ମ ଛୁଟିପ୍ରିୟ ଦେଶପ୍ରେମୀ ।

Leave A Reply

Your email address will not be published.