ଜଣେ କବି , ଗାଳ୍ପିକ, ନାଟ୍ୟକାର ଓ ଗୀତିକାର ଭାବରେ କିଶୋର ଆକାଶ ଖୁବ୍ ପରିଚିତ। ନିଜର ସ୍ଵକୀୟ ଭାଷା ଶୈଳୀ, ଉନ୍ନତ ପାତ୍ରୋଚିତ ସଂଳାପ ଓ ଚଳଚଞ୍ଚଳ ପ୍ରବାହମାନ ଦୃଶ୍ୟ ସଂଯୋଜନା ଦ୍ୱାରା ସେ ବିମୋହିତ କରି ପାରନ୍ତି ପାଠକ ଓ ଦର୍ଶକମାନଙ୍କୁ। ଅନୁବାଦ ସାହିତ୍ୟରେ ମଧ୍ୟ ସେ ଖୁବ୍ ସିଦ୍ଧହସ୍ତ ।
ନିଜ ସହ ଲୁଚକାଳି, ମୁଠାଏ ଆକାଶ, ସାମ୍ନା କରି ପାରୁନଥିବା ମଣିଷ, ପ୍ରିୟା, ସମୁଦ୍ର ସମୁଦ୍ର, ଛପନ ଭୋଗ, ଆକାଶର ଟିକିତାରା, ଏକା ଏକା ଏକଲବ୍ୟ, ଚତୁର ବୀରବଲ , ବୋଇତାଳୁଠାରୁ ଆଚାର ଯାଏଁ ପ୍ରଭୃତି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ତଥା ସାହିତ୍ୟ ସଂସଦ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ।
ଲେଖକ କିଶୋର ଆକାଶଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୁଖ୍ୟ ଉତ୍ସ କ’ଣ ଥିଲା ?
କୋଇଲିକୁ ଯଦି ପଚରାଯାଏ ତୋର ପଞ୍ଚମ ତାନର ଉତ୍ସ , ବଂଶୀକୁ ପଚରାଯାଏ ତୋର ସୁମଧୁର ସୁସ୍ୱନର ଉତ୍ସ , ତଲ୍ଲୀନ ଭକ୍ତଟିକୁ ପଚରାଯାଏ ତୋର ଏ ଉଦ୍ଦଣ୍ଡ ନୃତ୍ୟ ଓ ସଂକୀର୍ତ୍ତନର ଉତ୍ସ କଣ ? ସେମାନେ ନିଶ୍ଚିତ ଭାବେ ରହିବେ ନିରୁତ୍ତର। ଲେଖାଲେଖି ତ ବିଧିନିର୍ଦ୍ଧିଷ୍ଟ। ଅଦୃଶ୍ୟ ଐଶୀ ଶକ୍ତିର କରାମତି। କେହି ବି ଇଚ୍ଛା କରି କି ଚେଷ୍ଟା କରି ସଫଳ ସ୍ରଷ୍ଟାଟିଏ ହୋଇପାରେନା। ତାହା ସ୍ୱତଃପ୍ରବୃତ୍ତ ଓ ମା ନୀଳ ସରସ୍ଵତୀଙ୍କ ସାରସ୍ଵତ ଶୁଭାଶିଷ। ତଥାପି କହିବାରେ ଦ୍ୱିଧା ନାହିଁ ମୋର, ମୋ ଅଜା ଥିଲେ ପ୍ରସିଦ୍ଧ ରାଧାପ୍ରେମ ଲୀଳାର ଗାୟକ। ଅବଶ୍ୟ ଗାଁ ଛାଡ଼ି ବ୍ରହ୍ମପୁର ଆସିବା ପରେ ସେ ନାଟ୍ୟ ପ୍ରତିଭା ପରିସ୍ଫୁଟନର ଅକାଳ ଇତି ଘଟିଥିଲା। ପ୍ରାଇମେରୀ ଶିକ୍ଷା ପାଇଁ ମତେ ମାମୁଁ ଘରେ ଅଜା ଆଈଙ୍କ ମେଳରେ ରହିବାକୁ ପଡ଼ିଥିଲା। ପ୍ରତିଦିନ ସନ୍ଧ୍ୟାରେ ମତେ କୋଳରେ ବସେଇ ଅଜା ଗାଆନ୍ତି ଚିକିଟି ରାଜା କିଶୋର ଚନ୍ଦ୍ର ଦେବଙ୍କ ରଚିତ ଏଇ ଗୀତ ଅତି ସୁଲଳିତ ମଧୁର କଣ୍ଠରେ- “ରାଜେନ୍ଦ୍ର ତନୁଜ ଶ୍ରୀ କିଶୋର ଚନ୍ଦ୍ର ବନ୍ଦୁଛି ତବ ଚରଣେ ଆସି/ସୁଜନେ ହସିଦେବେ ଯେବେ ନିନ୍ଦାରେ ଯିବି ଭାସି/କୃଷ୍ଣ ହେ ଦିଅ କୃପା ବରଷି। ”
ସେ ଗାଉଥିଲେ ଆହୁରି ଅନେକ ଛାନ୍ଦ, ଚଉପଦୀ, ଜଣାଣ, ଶ୍ଳୋକ। ହେଲେ ଏ ଉପର ଲିଖିତ ଗୀତ ଶୁଣି ମୋ ମନ ତଳୁ କିଏ ଯେମିତି ଚୁପି ଚୁପି କହୁଥିଲା, ତୁ କଣ ଏମିତି ଗୀତ ଲେଖି ପାରିବୁନି ? କବିଟିଏ ହୋଇ ପାରିବୁନି? ଏ ପ୍ରଶ୍ନ ବେଳେବେଳେ ଅଜାଙ୍କୁ ପଚାରିଦିଏ। ସେ ମୋ ପିଠି ଥାପୁଡେଇ କହନ୍ତି ନିଶ୍ଚୟ ହେବୁରେ ବାୟା ! ବହୁତ ବଡ଼ କବି ହେବୁ। ( ପ୍ରକୃତରେ ମୋ ନାଁ ବି କିଶୋର ଚନ୍ଦ୍ର ସାହୁ ଯାହା ସେ ହିଁ ଦେଇଥିଲେ।) ବୋଧହୁଏ ଆଜି ଯାହା ବି ହୋଇପାରିଛି କେବଳ ଅଜା ସତ୍ୟବାଦୀ ସାହୁଙ୍କର ପ୍ରଚ୍ଛନ୍ନ ଆଶୀର୍ବାଦ, ଆଈ ଝରା ସାହୁ, ପିତା ସ୍ବର୍ଗତଃ ନଟବର ସାହୁ ଓ ମାତା ନୀଳେନ୍ଦ୍ରୀ ସାହୁ (ଯିଏ ୮୨ ବର୍ଷ ବୟସରେ ବି ଏବେ ଚଳଚଞ୍ଚଳ ଆଉ ମତେ ଫୋନରେ ତାଗିଦ କରେ ପ୍ରତିଦିନ, ଆଜି କ’ଣ ଲେଖିଲୁ ନା ନାହିଁ) ଙ୍କର ଅପ୍ରମିତ ପ୍ରେରଣା, ପ୍ରୋତ୍ସାହନ ଆଉ ପ୍ରତିବେଦନର ପୁଷ୍ପିତ ପରିଣତି।
ଗଳ୍ପ କବିତା ସହିତ ଆପଣ ନାଟକ ମଧ୍ୟ ଲେଖନ୍ତି ତେବେ ଆତ୍ମତୃପ୍ତି କେଉଁଠି ଅଧିକ ?
୧୯୭୧ରୁ ୧୯୯୫ ପ୍ରାୟ ୨୫ ବର୍ଷ କେବଳ କବିତାରେ ବଞ୍ଚିଥିଲି । କବିଟିଏ ହୋଇ ବଞ୍ଚିବାର ସେ ସୁକୋମଳ ସ୍ନିଗ୍ଧ ସମ୍ମୋହନ ଅନନ୍ୟ ଅନୁଭବ ସତରେ ନିଆରା। କାଁ ଭାଁ ଗପ ଲେଖୁଥିଲି। ତା’ ଭିତରେ ନାଟକ ଲେଖିବା ପାଇଁ ବହୁ ବନ୍ଧୁ ପରିଜନଙ୍କଠାରୁ ପ୍ରସ୍ତାବ ଆସିଲା। ନରେନ୍ଦ୍ରପୁର ହାଇସ୍କୁଲ ଲାଇବ୍ରେରୀର ପ୍ରାୟ ୧ହଜାର ନାଟକ ପଢ଼ିବାର ସୁଯୋଗ ଦେଇଥିଲେ ଶିକ୍ଷକ ସ୍ୱର୍ଗତଃ ସତ୍ୟବାଦୀ ସାହୁ। ତା’ ଛଡା ମ୍ୟାଟ୍ରିକ ପରେ ପରେ ଆଖପାଖ ଶହେ ଗାଁରେ ମଞ୍ଚସ୍ଥ ହେଉଥିବା ନାଟକରେ ସ୍ମାରକ ଭୂମିକାରେ ମତେ ଅବତୀର୍ଣ୍ଣ ହେବାକୁ ପଡୁଥିଲା। ୧୯୭୫ ରେ ଗ୍ରାଜୁଏସନ ବର୍ଷ ହିଁ ମୋ ଲିଖିତ ପ୍ରଥମ ସାମାଜିକ ନାଟକ “ଅନୁତାପର ଅଶ୍ରୁ” ମଞ୍ଚସ୍ଥ ହୋଇ ଅପୂର୍ବ ଆଲୋଡନ ସୃଷ୍ଟି କଲା ସେ ଇଲାକାରେ। ତା’ପରେ ୧୫, ୧୬ଟି ମଡର୍ଣ୍ଣ ନାଟକ ଲେଖିଥିଲି। କିନ୍ତୁ ନାଟ୍ୟ ସଂଗଠନର ଝାମେଲା ତଥା ନିର୍ଦ୍ଦେଶକ ଅନୁଜ ପ୍ରଶାନ୍ତ କୁମାର ସାହୁର ବଦଳି , ମତେ ନାଟକ ଲେଖାରୁ କ୍ଷାନ୍ତ କଲା। ନାଟକ ଏକ ଦୃଶ୍ୟ କାବ୍ୟ । ନିଜର ସୃଷ୍ଟ ଚରିତ୍ର ସମୂହର ସାମ୍ନାସାମ୍ନି ହେବା ଯେତିକି ରୋମାଞ୍ଚକର ତତୋଧିକ ତୃପ୍ତିଦାୟକ, ଯାହା ଗଳ୍ପ ଓ କବିତାରେ ଦୁଷ୍ପ୍ରାପ୍ୟ।
ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?
ମୋ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ବେଶ୍ ପ୍ରାଞ୍ଜଳଭାବେ ମୁଁ ପରିପ୍ରକାଶ କରିପାରିଛି ବୋଲି ଦୃଢ ଦାବି କରିପାରେ। ଗପର ମୂଳଦୁଆ ତ ଜୀବନ। ଜୀବନକୁ ଛାଡି ଗପ କି କବିତା ଲେଖିବା ଅସମ୍ଭବ ଓ ଅବାସ୍ତବ ନୁହେଁ କି ? ଆମର ଦୈନନ୍ଦିନ ଜୀବନରେ ପ୍ରତିଦିନ ଘଟୁଥିବା ଘଟଣା, ଦୁର୍ଘଟଣା, ଅଘଟଣ , ଦୁଃଖସୁଖ, ହସକାନ୍ଦ, ଲୁହଲହୁର ପ୍ରତିଛବି ତ ପ୍ରତିଫଳିତ ହୋଇଥାଏ ମୋ ଗପରେ। ଏହା ସର୍ବଜନବିଦିତ।
ଜଣେ ଲେଖକର ସାମାଜିକ ଦାୟିତ୍ୱବୋଧ କିପରି ହେବା ଆବଶ୍ୟକ ?
ଲେଖକ ତ ସମାଜରେ ବାସ କରେ।ସେ ପ୍ରଥମେ ଜଣେ ମଣିଷ ପୁଣି ସାମାଜିକ ପ୍ରାଣୀ।ତେଣୁ ସେ ସମାଜ ପାଇଁ ହିଁ ଲେଖିଥାଏ। ସମାଜରେ ପ୍ରତିନିୟତ ଘଟି ଚାଲିଥିବା ଦୁର୍ନୀତି, ଦୁରାଚାର, ଦୁଷ୍କର୍ମ, ହତ୍ୟା, ଲୁଣ୍ଠନ, ଈର୍ଷା, ପରଶ୍ରୀକାତରତା, ଅସହିଷ୍ଣୁତା, ଧନୀକ ଶ୍ରେଣୀର ଦରିଦ୍ରଙ୍କ ଉପରେ ଆଉ ଦୁର୍ବଳ ଉପରେ ସବଳର ଅତ୍ୟାଚାର ଦେଖି ଦେଖି ଲେଖକର ଲେଖନୀରୁ ସ୍ଫୁଲିଙ୍ଗ ନିର୍ଗତ ହୋଇ ଯେଉଁ ଆଗ୍ନେୟ ସୃଷ୍ଟି ହୁଏ , ତାହା ହିଁ ରୂପ ନିଏ ସାହିତ୍ୟ ରୂପେ। ଜଣେ ଲେଖକର ସମ୍ପୂର୍ଣ୍ଣ ଦାୟିତ୍ଵବୋଧ ରହିବା ନିହାତି ଆବଶ୍ୟକ। ନଚେତ୍ ସ +ହିତ (ସମାଜର ହିତ) ସାହିତ୍ୟର ପ୍ରକୃତ ଉଦ୍ଦେଶ୍ୟ ପରାହତ ହେବ। ଲେଖକଟିଏ ସବୁବେଳେ, ସବୁକାଳେ ଦାୟିତ୍ଵସମ୍ପନ୍ନ ନାଗରିକ ହେବା ଉଚିତ୍। ସାମାଜିକ ବିଶୃଙ୍ଖଳା ଓ ଅସୁସ୍ଥତାର ବିଷ ବଳୟ ଭିତରୁ ଲେଖକଟିଏ ହିଁ କେବଳ ଏ ସମାଜକୁ ଉଦ୍ଧାର କରି ଶୃଙ୍ଖଳିତ ଏବଂ ସୁସ୍ଥ କରିଦେଇପାରିବ ତା’ର ଲେଖା ମାଧ୍ୟମରେ।
ସାହିତ୍ୟକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମର ଭୂମିକାକୁ ଆପଣ କିପରି ମୂଲ୍ୟାୟନ କରିବେ ?
ସାହିତ୍ୟକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯଦି ସମ୍ବାଦପତ୍ରଗୁଡିକର ସାପ୍ତାହିକ ରବିବାସରୀୟ ସାହିତ୍ୟ ପୃଷ୍ଠା ନିୟମିତ ପ୍ରକାଶ ପାଉ ନଥାନ୍ତା ; ହୁଏତ ଆଜି ଏତେ ସଂଖ୍ୟକ ସ୍ରଷ୍ଟାଙ୍କ ମୁହଁ ଦୃଶ୍ୟମାନ ହେଉ ନଥାନ୍ତା। କାରଣ ପ୍ରତିଷ୍ଠିତ ପତ୍ରିକା ତ ବରିଷ୍ଠ ତଥା ପ୍ରବୀଣ ସ୍ରଷ୍ଟାଙ୍କ ଲେଖା ହିଁ ଛାପନ୍ତି। ତେଣୁ ନବୀନ ସ୍ରଷ୍ଟାଙ୍କୁ ଏଇ ଗଣମାଧ୍ୟମ ହିଁ ଲୋକଲୋଚନକୁ ଆଣିଥାଏ। ତା’ଛଡା ଜଣେ ସାଧାରଣ ମଣିଷ ସମ୍ବାଦପତ୍ର ପଢିଥାଏ ତ ସାହିତ୍ୟ ଏଇ ମାଧ୍ୟମରେ ଲୋକପ୍ରିୟ ହୋଇ ଜନାଦୃତି ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?
ଦୀର୍ଘ ୪୫/୫୦ ବର୍ଷର ରଗଡା ଲହୁଲୁହାଣ ସାହିତ୍ୟ ସାଧନାର ସରଣୀରେ କେଉଁ ସୃଷ୍ଟିକୁ ଶ୍ରେଷ୍ଠତାର ମାନ୍ୟତା ଦେବି ! କେମିତି କହି ଦେଇପାରିବି ଏଇଟା ମୋର ସର୍ବଶ୍ରେଷ୍ଠ କୃତି ବୋଲି। ମା ଆଗରେ ସବୁ ସନ୍ତାନ ଯେମିତି ସମାନ, ଠିକ୍ ସେମିତି ସବୁ ସୃଷ୍ଟି ମୋ ପାଇଁ ସମାନ। ସମୟ ଉପରେ ବିଶେଷ କରି ପାଠକ(ଯିଏ କି ଈଶ୍ୱର ମୋ ପାଇଁ)ଉପରେ ଛାଡି ଦିଆଯାଉ ସେ ନିର୍ଣ୍ଣୟ କରିବେ। ପାଠକ ହିଁ ଶ୍ରେଷ୍ଠ ବିଚାରକ। ସେ ସଠିକ୍ ବତାଇ ଦେଇପାରେ ଭଲ ଆଉ ଭେଲର ପାର୍ଥକ୍ୟ। ତାଳି ଆଉ ଗାଳି ଉଭୟକୁ ଫୁଲମାଳ କରି ପିନ୍ଧିପାରେ ଏ ଅକିଞ୍ଚନ କଥାକାର। ତଥାପି ମୋର ସାମାଜିକ ନାଟକ “ଅନୁତାପର ଅଶ୍ରୁ” ଆଉ ଗପ “ସାମ୍ନା କରିପାରୁ ନ ଥିବା ମଣିଷ “(ଯାହା ଇଂରାଜୀ, ହିନ୍ଦୀ, ବଙ୍ଗଳା ଓ ତେଲୁଗୁ ଭାଷାରେ ଅନୂଦିତ ଓ ଆଦୃତ) ଅତ୍ୟଧିକ ଆତ୍ମତୃପ୍ତି ଦେଇଥାଏ ଆଉ ଆନନ୍ଦ ଆଶାବରୀ ଶୁଣାଇଥାଏ।
ଓଡ଼ିଆ ଭାଷା ସାହିତ୍ୟକୁ ପାଶ୍ଚାତ୍ୟ ସାହିତ୍ୟ କିପରି ଭାବରେ ପ୍ରଭାବିତ କରିଛି ?
ଓଡ଼ିଆ ସାହିତ୍ୟରେ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବ ବେଶ୍ ପରିଦୃଷ୍ଟ ହୁଏ। ବିଶେଷ କରି ଇଂରାଜୀ ଭାଷା ସାହିତ୍ୟ ଅଧ୍ୟୟନ କରିଥିବା ଲେଖକମାନଙ୍କର ଲେଖାରେ ଏହା ଅତ୍ୟଧିକ ଦୃଷ୍ଟିଗୋଚର ହୋଇଥାଏ। ୧୯୫୦ରୁ ୧୯୮୦ ଯା ଏଁ ଏହା ବହୁଳ ଭାବରେ ଓଡ଼ିଆ ସାହିତ୍ୟରେ ଦୃଶ୍ୟମାନ ହୋଇଥିଲା। ଏ ଓଡ଼ିଶାର ମାଟିମଗ୍ନା ନହୋଇ, ପରମ୍ପରା ପ୍ରତି ବିମୁଖ ହୋଇ, ଓଡ଼ିଆ ମାନଙ୍କର ଜୀବନ ଜଞ୍ଜାଳର ପ୍ରକୃତ ଚିତ୍ର ବଦଳରେ ପାଶ୍ଚାତ୍ୟ ସାହିତ୍ୟରୁ ଆମଦାନୀ କରିଥିବା ଭାବ ଓ ଭୂଗୋଳ କେବେ ବି ସଫଳ ହୁଏନାହିଁ ବରଂ କିମ୍ଭୁତକିମାକାର, ବିକୃତ ଓ ବିବର୍ଣ୍ଣ ପ୍ରତିଛବି ପ୍ରଦାନ କରିଥାଏ।
ବର୍ତ୍ତମାନ ସମୟରେ ବହୁଳ ଭାବରେ ଇ- ପତ୍ରିକା ପ୍ରକାଶ ପାଉଛି । ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏହା କିପରି ଭାବରେ ସହାୟକ ହୋଇପାରୁଛି ?
ବର୍ତ୍ତମାନ ସମାଜରେ ଇ-ପତ୍ରିକାର ବହୁଳ ପ୍ରକାଶନ ଦୃଷ୍ଟିଗୋଚର ହେଉଅଛି। ଯାହା ଆମ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସହାୟକ ନ ହୋଇ କ୍ଷତିସାଧନ କରୁଛି। କାରଣ ଏଇ ପ୍ଲାଟଫର୍ମରେ ଉତ୍ତମ ନିଖୁଣ ସମ୍ପାଦନାର ଅଭାବ। ଧୂଆମୂଳା ଅଧୂଆମୂଳା ଯିଏ ଯାହା ଯେମିତି ଲେଖିକି ଦେଲା , ତାହା ପୋଷ୍ଟ ନକରି ବଛାବଛି, ଫିଲଟର କରି ଲେଖା ଦେଲେ ଏବଂ ପତ୍ରିକାର ମାନ ଉତ୍କୃଷ୍ଟ ସ୍ତରକୁ ଉନ୍ନତ କଲେ ହିଁ ଇ-ପତ୍ରିକାର ଅବଦାନକୁ ଅବଶ୍ୟ ସ୍ବୀକୃତି ମିଳିବ। ଓଡ଼ିଆ ଇ-ପତ୍ରିକାର ମାନ ଖୁବ୍ ନିକୃଷ୍ଟ ଓ ଚଳନୀୟ। ଅବଶ୍ୟ ବେଳେବେଳେ ଚମକଦାର ଲେଖା ବି ପଢିବାକୁ ମିଳିଥାଏ। ମୋର ବ୍ୟକ୍ତିଗତ ମତ ପ୍ରିଣ୍ଟେଡ ସାହିତ୍ୟ , ଡିଜିଟାଲ ସାହିତ୍ୟଠୁ ଖୁବ୍ ଉଚ୍ଚରେ। ଯାହା ବାସ୍ନାୟିତ, ପୁଲକିତ, ସମ୍ମୋହିତ କରିବାରେ ଯଥେଷ୍ଟ ସମ୍ଭାବନା ଓ ସାମର୍ଥ୍ୟ ରଖେ।
ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?
ବିଲକୁଲ ନୁହେଁ। ପ୍ରତ୍ୟେକ ପୁରସ୍କାର ପଛରେ ଲବିର ଲାଇଟ ଲୁଚି ରହିଥାଏ। ବିନା ପ୍ରୟାସରେ କି ବିନା ଧରାଧରିରେ ଏଇଠି ପୁରସ୍କାର ମିଳେନାହିଁ । ଅବଶ୍ୟ ଏଥିରେ ବ୍ୟତିକ୍ରମ ବି ବେଳେବେଳେ ପରିଲକ୍ଷିତ ହୋଇଥାଏ। ଏଥିପାଇଁ ଓଡ଼ିଆ ସାହିତ୍ୟର ଅନେକ ମୂର୍ଦ୍ଧନ୍ୟ ସାହିତ୍ୟିକ ପୁରସ୍କାର ପ୍ରାପ୍ତିରୁ ବଞ୍ଚିତ। ତଥାପି ଏ ପୁରସ୍କାର ପଛରେ ନ ଗୋଡେଇ ଉତ୍କୃଷ୍ଟ ଆକର୍ଷଣୀୟ ସୃଷ୍ଟି ସର୍ଜନା କଲେ ଏବଂ ପାଠକଙ୍କ ବାଃ ବାଃ ସାଉଁଟିବାରେ ଢେର ଆନନ୍ଦ ଓ ଆତ୍ମତୃପ୍ତି ମିଳିଥାଏ। ପୁରସ୍କାର ପ୍ରାପ୍ତି ଅପେକ୍ଷା ଜଣେ ଅଜଣା ପାଠକର ପୋଷ୍ଟକାର୍ଡଟିଏ , ମେସେଜ୍ ଟିଏ , ଫୋନ୍ କଲଟିଏ କୋଟିଏ ଗୁଣରେ ଶକ୍ତିମାନ ଆଉ ରୋମାଞ୍ଚକର । ଜଣେ ହେଲେ ତ ଅଚିହ୍ନା ପାଠକ ମୋ ଲେଖା ପଢି ମୁଗ୍ଧ ହୋଇଛି। ଏହାଠାରୁ ଆଉ ଅଧିକା ପୁରସ୍କାର କ’ଣ ହୋଇପାରେ?
ଆପଣଙ୍କର ରଚିତ ପାରମ୍ପରିକ ସାମାଜିକ ନାଟକ “ଅନୁତାପର ଅଶ୍ରୁ” ଅଭୂତପୂର୍ବ ଜନପ୍ରିୟତାର କାରଣ କ’ଣ ?
ଉତ୍ତର: ଏଇ ନାଟକ ୧୯୭୫ ମସିହାରେ ମୋର ଗ୍ରାଜୁଏସନ୍ ବର୍ଷ ଲେଖିଥିଲି ଓ ଏହା ଅପୂର୍ବ ସଫଳତାର ସହ ମଞ୍ଚସ୍ଥ ହୋଇଥିଲା। ସେଥିରେ ମଞ୍ଚ ନିର୍ଦ୍ଦେଶକ ନାରାୟଣ ସାମଲ ଓ ପ୍ରଥମ ରଜନୀର ସମସ୍ତ କଳାକାର, ସଙ୍ଗୀତକାର ତଥା ମୋର ପିତା ମାତା ଭାଇ ଭଉଣୀମାନଙ୍କର ଅକୁଣ୍ଠିତ ସହଯୋଗ ହିଁ ସଫଳତାର ମୂଳମନ୍ତ୍ର ଥିଲା। ତା’ ଛଡା ଏଇ ନାଟକରେ ହସକାନ୍ଦ, ଲୁହଲହୁ, ଗୀତ-ସଙ୍ଗୀତ , କମେଡି ପାରୋଡି, ମେଲୋ ଡ୍ରାମାର ସବୁ ମସଲା ସମାନୁପାତିକ ଭାବେ ପରିବେଷଣ କରାଯାଇଥିଲା। ତେଣୁ ଏହା ଅଭୂତପୂର୍ବ ସଫଳତା ହାସଲ କରି (ବହିର ତୃତୀୟ ସଂସ୍କରଣ ପ୍ରକାଶିତ ହୋଇ ଆଉଟ୍ ଅଫ୍ ପ୍ରିଣ୍ଟ) କ୍ଳାସିକ ନାଟକର ମାନ୍ୟତା ହାସଲ କରିପାରିଛି ।
ଆପଣଙ୍କର ଚର୍ଚ୍ଚିତ ଗପ “କୁକୁଡ଼ା ଡାକଇ କକରେ କ” ରେ ଆପଣ କ’ଣ କହିବାକୁ ଚାହିଁଛନ୍ତି ? ଏମିତି ଭବିଷ୍ୟତ କାଳରେ ବାକ୍ୟ ଗଠନର ନୂଆ ଶୈଳୀର ପରୀକ୍ଷାରେ ଆପଣ ଅନେକ ଗୁଡ଼ିଏ ଗପ କିଛି ବର୍ଷ ତଳେ ଲେଖିଥିଲେ ଏହା କେତେ ଦୂର ଆଦୃତ ଓ ସଫଳ?
ଉତ୍ତର: “କୁକୁଡ଼ା ଡାକଇ କକରେ କ” ଗପରେ ଗୋଟିଏ ପୁତ୍ର-ପତିହରା ମାଆ ଆଉ ଜଣେ ରିଟାୟାର୍ଡ ଆର୍ମି ଅଫିସରଙ୍କ ଅଦୃଶ୍ୟ-ଅଜବ-ଅସାଧାରଣ ସମ୍ପର୍କ ବର୍ଣ୍ଣିତ ଯାହା କୁକୁଡ଼ାର ପ୍ରତୀକ ମାଧ୍ୟମରେ ପରିବେଷିତ। ଆଉ ଭବିଷ୍ୟତ କାଳରେ ବାକ୍ୟ ଗଠନ ଶୈଳୀ ଏକ ଏକ୍ସପେରିମେଣ୍ଟ୍ ଥିଲା। ଆଗରୁ ପ୍ରଖ୍ୟାତ କଥାକାର ଜଗଦୀଶ ମହାନ୍ତି ବୋଧେ ଗୋଟିଏ ଗପ ଲେଖିଛନ୍ତି ଏମିତି। ଏହି ନୂତନ ଶୈଳୀକୁ ଥୋକେ ପସନ୍ଦ କରିଛନ୍ତି ତ ଅନ୍ୟ କେହି କେହି ନାକ ଟେକିଛନ୍ତି। ଉଭୟ ମନ୍ତବ୍ୟକୁ ସାଦରେ ଗ୍ରହଣ କରିଛି ଦୁର୍ଘଟଣାଗ୍ରସ୍ତ ହୋଇ ।
ଆପଣ କବିତା ଲେଖୁଥିଲେ । ତେବେ କବିତାରୁ ଦୂରେଇ ଯିବାର କାରଣ କ’ଣ ଥିଲା ? ଓଡ଼ିଆ ସାହିତ୍ୟରେ କବିତା ଅପେକ୍ଷା ଗପ ଅଧିକ ପ୍ରଭାବଶାଳୀ ବୋଲି ଆପଣ ଭାବନ୍ତି କି ?
ମୁଁ ପଚିଶ ବର୍ଷ କାଳ କବିତା ଲେଖି ଜଣେ ପ୍ରତିଷ୍ଠିତ କବି ହିସାବରେ ମାନ୍ୟତା ପାଇଥିଲି। ଯଦିଓ ଖଣ୍ଡିଏ ବି କବିତା ସଙ୍କଳନ ପ୍ରକାଶ ପାଇନାହିଁ ମୋର। ୧୯୯୫ରେ ସାନଭାଇ ମନୋରଞ୍ଜନ ସାହୁ ଏକ ସଡ଼କ ଦୁର୍ଘଟଣାରେ ମାତ୍ର ବତିଶ ବର୍ଷ ବୟସରେ ଚାଲିଗଲା ସବୁଦିନ ପାଇଁ। ତା’କୁ ବହୁତ ଭଲ ପାଉଥିଲି ତ ତା’ପରେ ଆଉ କବିତା ଉତୁରିଲା ନାହିଁ ଲେଖନୀରୁ। କାଳୀ ବଦଳରେ ରକ୍ତ ହିଁ ଝରିଲା କଲମରୁ। ଯାହାକୁ ନେଇ ଗପର ଗୁମୁଟଟିଏ ସୃଷ୍ଟି କଲି। ଯାହା ଏଯାବତ୍ ମା ବୀଣାପାଣି ଆଉ କାଳିଆର କୃପାରୁ ଅବ୍ୟାହତ ରହିଛି। ମୁଁ ଦୂରେଇ ଯାଇନି କବିତା ପାଖରୁ ବରଂ ସେ ମୋ’ଠୁ ହାତ ଛାଡ଼ି ଦେଇ ଚାଲିଯାଇଛି ସବୁ ଦିନ ପାଇଁ । ୧୯୯୫ରୁ ଏଯାବତ୍ ଗପରେ ହିଁ ସକ୍ରିୟ। କବିତାର ଏକ ସଂକ୍ଷିପ୍ତ କାନଭାସ୍ ଉପରେ ମନର ସବୁ କଥା ଓ ବ୍ୟଥା ବ୍ୟକ୍ତ କରିହୁଏନି ଅଥଚ ଗପର ସୁବିସ୍ତୃତ ସବୁଜିମା ଭିତରେ ହୃଦୟର ସବୁ ଗୋପନ ଅବ୍ୟକ୍ତ ଅଭିବ୍ୟକ୍ତି ପ୍ରକାଶ କରି ହୋଇଯାଏ। ୨୦୦୦ ଯାଏଁ ଛୋଟ ଗପ ଲେଖୁଥିଲି , ପ୍ରଖ୍ୟାତ କବି ବିପିନ୍ ନାୟକଙ୍କ ପ୍ରରୋଚନାରେ ହିଁ ବଡ଼ ଗପ ଲେଖିବା ସମ୍ଭବ ହୋଇପାରିଥିଲା। ପୁଣି ଏ ଗପ ଲେଖାର ଦୀର୍ଘ ଯାତ୍ରାପଥରେ ପ୍ରଖ୍ୟାତ ଗାଳ୍ପିକ ଗୌରହରି ଦାସଙ୍କର ଅକୁଣ୍ଠିତ ଅବଦାନ ଅବିସ୍ମରଣୀୟ। ଓଡ଼ିଶାର ଅଗଣିତ ଓଡ଼ିଆ ପତ୍ର ପତ୍ରିକାର ଗୁଣୀ ବିଦ୍ୱାନ ସମ୍ପାଦକଙ୍କ ପାଖରେ ଚିରଋଣୀ ଯେଉଁମାନେ ମୋ ଗପକୁ ଆଗ୍ରହର ସହ ଛାପିଛନ୍ତି ସେମାନଙ୍କର ମହାର୍ଘ ମ୍ୟାଗାଜିନରେ। ଗପର ଆବେଦନ ନିଆରା। ଯାହା ପାଠକ ମନରେ ରେଖାପାତ କରିବାରେ ସକ୍ଷମ। କବିତା ସାମୟିକ ଆନନ୍ଦ ଦେଇପାରେ କିନ୍ତୁ ଗପ ଦିଏ ଚିରନ୍ତନ ତୃପ୍ତି ଓ ସୌଖ୍ୟ ।
ଓଡ଼ିଶା ବାହାରେ ରହି ଓଡ଼ିଆ ଭାଷା ସାହିତ୍ୟର ଜଣେ ପରିଚିତ ଲେଖକ ହେବାର ଦୀର୍ଘତମ ଯାତ୍ରା ଭିତରେ କେବେ କିଛି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କି ?
ଏବେ ପ୍ରାୟ ଚଉଦ ବର୍ଷ ହେଲା ବୃତ୍ତିଗତ କାରଣରୁ ମତେ ଦିଲ୍ଲୀରେ ରହିବାକୁ ପଡ଼ିଛି। ଓଡ଼ିଶା ବାହାରେ ରହୁଥିବାରୁ ପ୍ରକୃତରେ ମତେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଥମ କଥା ହେଲା ପତ୍ରପତ୍ରିକାରେ ଲେଖା ପ୍ରକାଶ ପାଇଲେ ଜାଣି ହୁଏନା କି ଦେଖିହୁଏନା। କମ୍ପ୍ଲିମେଣ୍ଟାରୀ କପି ଅର୍ଡିନାରୀ ଡାକରେ ଆସିଲେ ପୋଷ୍ଟାଲ ବାଲା ଡେଲିଭେରୀ କରନ୍ତି ନାହିଁ। କେବଳ ରେଜିଷ୍ଟରଡ ଡାକ କି କୋରିଅର ଉପରେ ଭରସା। ଆଜିକାଲି ସିନା ଲେଖା ସ୍କାନିଂ କରି ମେଲ୍ କରିହେଉଛି। ପୂର୍ବେ ଏ ସୁବିଧା ଉପଲବ୍ଧ ନ ଥିଲା। ପୁଣି ଓଡ଼ିଆ ଡ଼ିଟିପିର ସୁବିଧା ଏଇଠି ନାହିଁ। ସବୁ ପତ୍ରିକା ଏବେ ହାତଲେଖା ବଦଳରେ ଡିଟିପି ରୂପାୟନ ଚାହୁଁଛନ୍ତି। ପୁସ୍ତକ ପ୍ରକାଶନ ପାଇଁ କଟକ, ଭୁବନେଶ୍ୱର ଯିବାକୁ ପଡିଥାଏ। ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ସାହିତ୍ୟୋତ୍ସବ, ପୁସ୍ତକ ଉନ୍ମୋଚନ, ସାହିତ୍ୟ ଆଲୋଚନା ଚକ୍ରରେ ଯୋଗ ନଦେଇ ପାରିବାର କ୍ଷୋଭ ସୃଷ୍ଟି ହୁଏ। ସମଧର୍ମା ସାହିତ୍ୟିକମାନଙ୍କର ସହ ଭାବ ଆଦାନପ୍ରଦାନର ସୁଯୋଗରୁ ବଞ୍ଚିତ । ତଥାପି କଳ୍ପନା ନେତ୍ରରେ ନିଜକୁ ଓଡ଼ିଶାରେ ଅବସ୍ଥାପିତ କରି କିଞ୍ଚିତ ସାମୟିକ ଆଶ୍ୱସ୍ତି ପାଇଥାଏ।
ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?
ଆମର ଓଡ଼ିଆ ଭାଷାର ସାହିତ୍ୟ ଅତି ଉଚ୍ଚକୋଟୀର ଓ ଶୀର୍ଷସ୍ଥାନୀୟ। ଏହାର ଭବିଷ୍ୟତ ଖୁବ୍ ଦୀପ୍ତିମୟ ଓ ସମ୍ଭାବନାମୟ। ଅନୁବାଦର ଅଭାବରୁ ହିଁ ଆମ ସାହିତ୍ୟର ଉତ୍କର୍ଷତା ଜାତୀୟ ସ୍ତରରେ ଉପଯୁକ୍ତ ମର୍ଯ୍ୟାଦା ପାଇବାରୁ ବଞ୍ଚିତ । ବଡ଼ ବିଡମ୍ବନାର କଥା । ଅନ୍ୟ ଭାଷାରୁ ଆମ ଭାଷାକୁ ଯେତିକି ଅନୁବାଦ ହେଉଛି,ତା’ର ଶତକଡା ଏକ ଭାଗ ବି ଆମ ଭାଷାରୁ ଅନ୍ୟ ଭାଷାକୁ ଅନୂଦିତ ହେଉନାହିଁ। ଏଥିପାଇଁ ସାହିତ୍ୟିକମାନଙ୍କର ସମ୍ମିଳିତ ପ୍ରଚେଷ୍ଟା ଓ ରାଜ୍ୟ ସରକାରଙ୍କର ଆନ୍ତରିକତାର ଆବଶ୍ୟକତା ରହିଛି।
Comments are closed.