Latest Odisha News

ମୋ ସ୍ୱପ୍ନର ଭାରତ ଓ ପୂର୍ଣ୍ଣ ସ୍ୱରାଜ

ମୂଳ ରଚନା : ମୋହନଦାସ କରମଚନ୍ଦ ଗାନ୍ଧୀ

ସ୍ୱରାଜ- ଏକ ପବିତ୍ର ବୈଦିକ ଶବ୍ଦ । ଏହାର ଅର୍ଥ ନିଜ ଉପରେ ନିଜେ ରାଜୁତି କରିବା । ଏହା ସ୍ୱେଚ୍ଛାଚାରିତା ନୁହେଁ ବରଂ ଆତ୍ମ ସୁପରିଚାଳନାର ଏକ ସହଜ ଓ ସରଳ ମାର୍ଗ । ଶରୀର, ମନ, ବୁଦ୍ଧି, ବିଚାର ଓ ବିବେକ ଉପରେ ଅବିନାଶୀ ଆତ୍ମାର ନିୟନ୍ତ୍ରଣ ହେଉଛି ସ୍ୱରାଜର ଅନ୍ୟ ନାମ । କେବଳ ବାଧା ବନ୍ଧନ କିମ୍ବା ବିଦେଶୀ ଶାସନରୁ ମୁକ୍ତିକୁ ସ୍ୱରାଜ କୁହାଯିବା ସମୀଚିନ ନୁହେଁ । ଅଳ୍ପ କେତେକ ଲୋକଙ୍କ କ୍ଷମତାପ୍ରାପ୍ତି ବି ସ୍ୱରାଜ ନୁହେଁ । ସ୍ୱରାଜରେ ସମସ୍ତେ କ୍ଷମତାପ୍ରାପ୍ତ ହେବା ଦରକାର, ଆଉ ସେ କ୍ଷମତା ଆତ୍ମବିକାଶ ସହିତ ସାମାଜିକ, ରାଷ୍ଟ୍ରୀୟ ଓ ସମଗ୍ର ମାନବ ସମାଜର ହିତ ପାଇଁ ଶୃଙ୍ଖଳିତ ଭାବେ ବିନିଯୋଗ କରାଯିବା ଆବଶ୍ୟକ । ସ୍ୱରାଜ ହେଉଛି ଏଭଳି ଏକ ପବିତ୍ର ମଞ୍ଚ ଯେଉଁଠି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଧନୀ, ଗରିବ ନିର୍ବିଶେଷରେ ସମସ୍ତେ ନିଜ ନିଜର ମାନସିକ ଓ ଶାରିରୀକ ଶ୍ରମ ସ୍ୱେଚ୍ଛାକୃତ ଭାବେ ସମର୍ପଣ କରିଥାନ୍ତି ।

100 Years Of Mahatma Gandhi's First Odisha Visit

ଲୌକିକ ସ୍ୱାଧୀନତାକୁ ସ୍ୱରାଜ କହିବା ସମୀଚିନ ନୁହେଁ । ବିଦେଶୀ ଶାସନର ଅପସାରଣ ପାଇଁ ସ୍ୱାଧୀନତା ହିଁ ଦରକାର । କିନ୍ତୁ ଭାରତରୁ ଇଂରେଜମାନେ ଚାଲିଗଲେ ଯେ ଆମେ ସ୍ୱାଧୀନ ହୋଇଗଲୁ ତାହା ଭାବିବା ଭୁଲ୍ । ଯେତେବେଳେ ପ୍ରତ୍ୟେକ ଗ୍ରାମବାସୀ ବୁଝିବେ ଯେ ସେମାନେ ହେଉଛନ୍ତି ନିଜ ଭାଗ୍ୟ ନିୟନ୍ତା ଓ ଠିକଣା ପ୍ରତିନିଧି ବାଛି ନିଜେ ନିଜକୁ ଶାସନ କରିବା କ୍ଷେତ୍ରରେ ଯୋଗ୍ୟ, ସେତେବେଳେ ଯାଇଁ ସ୍ୱାଧୀନତା ଆସିବ । ଆଉ ଏଭଳି ସ୍ୱାଧୀନତାରେ ପ୍ରତ୍ୟେକ ଲୋକ ଅନୁଭବ କରିବେ, “ଆମ ଗାଁରେ ଆମେ ସରକାର, ଦିଲ୍ଲୀରେ ଆମ ସରକାର’ । ଏହି ସ୍ୱାଧୀନତାରେ ରାଷ୍ଟ୍ରମୁଖ୍ୟଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ପର୍ଯ୍ୟନ୍ତ ସବୁ ପାହ୍ୟାର ବେତନଭୋଗୀ କର୍ମଚାରୀ ଓ ଲୋକସେବକମାନେ ରାଷ୍ଟ, ରାଜ୍ୟ ବା ସେମାନଙ୍କର ଇଲାକାର ମାଲିକ ନୁହନ୍ତି, ଜନସାଧାରଣଙ୍କ ସେବକ ବୋଲି ଅନୁଭବ କରିବେ । କାରଣ ସ୍ୱାଧୀନ ଭାରତର ସରକାର ହେବ ଜନସାଧାରଣଙ୍କ ମାଲିକାନାର ଏକ ଟ୍ରଷ୍ଟ ବୋର୍ଡ । ଆଉ ସରକାରର ବିଭିନ୍ନ ସ୍ଥାନରେ ନିୟୋଜିତ ଲୋକ ପ୍ରତିନିଧି ଓ କର୍ମଚାରୀମାନେ ମାଲିକ ନୁହେଁ, ଟ୍ରଷ୍ଟୀ ଭାବେ ସେମାନଙ୍କ କର୍ତ୍ତବ୍ୟ ସତ୍ୟ, ଅହିଂସା ଆଧାରରେ
ସମାପନ କରିବେ । ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ଫରକ ନଥିବ । ସତ୍ ଚିନ୍ତା, ସତ୍ କର୍ମ ଓ ସତ୍ୟ ବଚନକୁ ଆଧାର କରି ହିଁ ଦେଶକୁ ସଫଳତାର ଶୀର୍ଷକୁ ନିଆଯାଇପାରିବ ।

ସ୍ୱରାଜ୍ୟରେ ସାଧାରଣ ଲୋକଙ୍କ ହାତରେ ଶାସନର ଡୋରି ରହିବ ଏବଂ ସାର୍ବଭୌମତ୍ୱ, ପ୍ରତିରକ୍ଷା, ଆଇନ, ଆର୍ôଥକ ବ୍ୟବସ୍ଥା, ଆମଦାନୀ ଓ ରପ୍ତାନୀ ଆଦି ଉପରେ ରାଷ୍ଟ୍ରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ । ଖାଦ୍ୟ, ବସ୍ତ୍ର ଓ ବାସଗୃହର ସମସ୍ୟା ନଥିବ । ନିଜ ଇଚ୍ଛା ବିରୁଦ୍ଧରେ ଜଣେ ହେଲେ ବି କେହି ଫୁଙ୍ଗୁଳା କିମ୍ବା ଭୋକିଲା ରହିବେ ନାହିଁ । ସ୍ୱାଧୀନ ଭାରତର ଲୋକେ ଏଭଳି ସୁରୁଚି ସମ୍ପନ୍ନ ହେବେ ଏବଂ ଏଠାକାର ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଏତେ ଉନ୍ନତ ହେବ ଯେ ରାତି ଅଧରେ ବି ଜଣେ ଯୁବତୀ କୌଣସି ସ୍ଥାନକୁ ଯାଇ ନିରାପଦରେ ଫେରିଆସିପାରିବ । ସ୍ୱରାଜ ହେବ ସର୍ବଧର୍ମ ସମନ୍ୱୟର ମଞ୍ଚ, ଏଠାରେ ଅସ୍ଫୃଶ୍ୟତା ବୋଲି କିଛି ରହିବ ନାହିଁ । ପ୍ରତ୍ୟେକ ଗାଁ ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ ହେବ । ଧନୀ ଦରିଦ୍ର‌୍ୟର ଶୋଷଣ ନଥିବ । ସ୍ୱାଧୀନ ଦେଶରେ ନିଶା ସମ୍ପୂର୍ଣ୍ଣ ଭାବେ ନିବାରିତ ହେବ । ନାରୀ ଓ ପୁରୁଷ ମଧ୍ୟରେ ସମାନ ଅଧିକାର ରହିବ । ପ୍ରତ୍ୟେକ ଲୋକଙ୍କ ପାଇଁ କାମ ଥିବ । ଦେଶର ସର୍ବୋଚ୍ଚ କର୍ତ୍ତା ଓ ସର୍ବନିମ୍ନ କର୍ମଚାରୀଙ୍କ ରୋଜଗାରରେ ଆକାଶ ପାତାଳ ଫରକ ରହିବ ନାହିଁ । ସବୁ ନାଗରିକ ଆଇନ୍ ମାନି ଚଳିବେ । ଦେଶର ୭ ଲକ୍ଷ ଗାଁ ହେବ ୭ ଲକ୍ଷ ରିପ୍ଲବିକ୍ ।

ଭାରତର ଆତ୍ମା ଗାଁରେ ରହିଛି, ସହରର ଚାକଚକ୍ୟରେ ନୁହେଁ । ସ୍ୱରାଜରେ ଗାଁଗୁଡ଼ିକ ଏଭଳି ସ୍ୱାବଲମ୍ବୀ ହେବେ ଯେ ସେମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ନିଜ ଗାଁରେ ନିଜେ ଉତ୍ପାଦନ କରିବା ସହ ପଡ଼ୋଶୀ ଗାଁକୁ ଆବଶ୍ୟକ ସ୍ଥଳେ ସହାୟତା ଦେବେ । ମାଲି ମକଦ୍ଦମାରେ ନ ମାତି ମନୋମାଳିନ୍ୟ ଓ ବାଦବିବାଦ ଗାଁ ସ୍ତରରେ ହିଁ ତୁଟିବ । ଯଦି ସ୍ୱାଧୀନ ଭାରତରେ ଲୋକେ ଖାଇବାକୁ ନ ପାଇ ହା ଅନ୍ନ ଚିତ୍କାର କରିବେ, ଚିକିତ୍ସା ନ ପାଇ ମରିବେ, ପାଠ ପଢ଼ିବାର ସୁଯୋଗ ପାଇବେ ନାହିଁ, ପ୍ରତି ସବଳ ହାତକୁ କାମ ମିଳିବ ନାହିଁ, ଲୋକମାନଙ୍କ ଧନ ଜୀବନ ବିପନ୍ନ ହେବ, ମହିଳାମାନେ ସ୍ନେହ ସମ୍ମାନ ପାଇବା ପରିବର୍ତ୍ତେ ନିର୍ଯାତିତା ହେବେ ତା\’ ହେଲେ ସାଧାରଣ ଲୋକଙ୍କ ପାଇଁ ସ୍ୱାଧୀନତାର ଅର୍ଥ ମୂଲ୍ୟହୀନ ହେବ । କେତେକ ଆଶଙ୍କାବ୍ୟକ୍ତ କରନ୍ତି ଯେ ଭାରତୀୟ ସ୍ୱରାଜ ମୁଖ୍ୟତଃ ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ଶାସିତ ହେବ । ଏହି ଉକ୍ତି ଠାରୁ ଦୁନିଆରେ ଆଉ ବଡ଼ ଭୁଲ କିଛି ନାହିଁ ବୋଲି ମୁଁ ବିଚାର କରେ । ଯଦି ଏଭଳି ହୁଏ ତା\’ ହେଲେ ଏହାକୁ ମୁଁ ସ୍ୱରାଜ ଭାବେ ଗ୍ରହଣ କରିପାରିବି ନାହିଁ । ବରଂ ମୋର ସମସ୍ତ ଶକ୍ତି ଖଟାଇ ଏହାର ବିରୋଧ କରିବି । କାରଣ ସ୍ୱରାଜ ପରିଚାଳନାରେ ସମସ୍ତଙ୍କର ସମାନ ଅଧିକାର ରହିବ । ସତ୍ୟ ଓ ନ୍ୟାୟର ରାଜତ୍ୱ ହିଁ ଏଠାରେ ସ୍ୱୀକାର୍ଯ୍ୟ । ତେଣୁ ସବୁ ସମ୍ପ୍ରଦାୟ, ଧର୍ମ, ଜାତି ଆଦି ପାଇଁ ସ୍ୱରାଜ ପରିଚାଳନା ଦ୍ୱାର ସଦାସର୍ବଦା ଖୋଲା । ସତ୍ୟ ଓ ଅହିଂସା ସ୍ୱରାଜର ଜାଗ୍ରତ ପ୍ରହରୀ । ଦରିଦ୍ରତମ ଲୋକମାନେ ପୂର୍ଣ୍ଣ ପ୍ରାଣରେ ସ୍ୱରାଜର ସୁବିଧା ସୁଯୋଗ ଅନୁଭବ କରି ଉପରକୁ ଉଠିବେ । ନହେଲେ ଏହାକୁ ପୂର୍ଣ୍ଣ ସ୍ୱରାଜ କୁହାଯାଇପାରିବ ନାହିଁ, ଅର୍ଥାତ୍ ଆମେ ଯେଉଁ ରାମ ରାଜ୍ୟର ସ୍ୱପ୍ନ ଦେଖୁଚେ ତାହା ବିଫଳ ହୋଇଯିବ ।

ସ୍ୱରାଜକୁ ଯେଉଁମାନେ ପରିପୁଷ୍ଟ କରିବେ ସେମାନେ ଅନ୍ତତଃପକ୍ଷେ ୭ଟି ସାମାଜିକ ପାପ ଠାରୁ ଦୂରେଇ ରହିବେ । ଏହି ପାପଗୁଡ଼ିକ ହେଲା- “ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା’ । ସ୍ୱରାଜକୁ ବଳିଷ୍ଠ କରିବା ପାଇଁ ରଚନାତ୍ମକ କାର୍ଯ୍ୟକ୍ରମର ସର୍ବଜନୀନ ପ୍ରୟୋଗ ଆବଶ୍ୟକ । ଏହି ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକ ଭିତରେ ନିଶା ନିବାରଣ, ଖଦି ଓ ଗ୍ରାମୋଦ୍ୟୋଗ, ସାମ୍ପ୍ରଦାୟିକ ସଦ୍‌ଭାବ, ଅସ୍ଫୃଶ୍ୟତା ନିବାରଣ, ଗ୍ରାମ ସଫେଇ, ମୌଳିକ ଓ ପ୍ରୌଢ଼ ଶିକ୍ଷା ତଥା ନିରକ୍ଷରତା ଦୂରୀକରଣ, ଆଦିବାସୀ ଓ ହରିଜନଙ୍କ ସେବା, କୁଷ୍ଠ ରୋଗୀଙ୍କ ସେବା, ନାରୀ ଜାତିର ଉତ୍‌ଥାନ, କୃଷି ଓ କୃଷକର ବିକାଶ, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ବିଜ୍ଞାନ, ଆର୍ôଥକ ସମତା, ସମସ୍ତ ଛାତ୍ରଙ୍କ କଲ୍ୟାଣ, ଶ୍ରମିକମାନଙ୍କର ଉନ୍ନତି ଏବଂ ପ୍ରାଦେଶିକ ଭାଷାର ସମୃଦ୍ଧି ସହିତ ରାଷ୍ଟ୍ର ଭାଷାର ପ୍ରଚାର, ପ୍ରସାର ଅନ୍ୟତମ ।

ମୁଁ ଭାରତର ଏକଛତ୍ରବାଦୀ ଶାସକ ହୋଇଥିଲେ ଦେଶ ସୁଧାରିବା ପାଇଁ ପ୍ରଥମେ କେଉଁ କାମ ହାତକୁ ନିଅନ୍ତି ବୋଲି କେହି କେହି ପଚାରନ୍ତି । ଯଦି ଦିନକ ପାଇଁ ଏ ସୁଯୋଗ ମୋ ହାତରେ ଥାଆନ୍ତା ତେବେ ବିନା ନୋଟିସ୍‌ରେ ସାରା ଦେଶର ସବୁ ମଦ ଦୋକାନକୁ ମୁଁ ଆଗେ ବନ୍ଦ କରିଦିଅନ୍ତି । କାରଣ ମଦ ହେଉଛି ସବୁ ଦୁଷ୍କୃତିର ଜନନୀ । ଚୋରି ଓ ବେଶ୍ୟାବୃତି ଠାରୁ ମଦ୍ୟପାନକୁ ମୁଁ ଅଧିକ ପାପ ବୋଲି ମଣେ । ନିଶା ଔଷଧ ଓ ମଦ ହେଉଛନ୍ତି ସୈତାନର ଦୁଇଟି ହାତ । ଦାରିଦ୍ର‌୍ୟ, ଦୁର୍ଘଟଣା, ହିଂସା, ଅପରାଧ, ରୋଗ, ନିରକ୍ଷରତା, ଆଳସ୍ୟ, ନାରୀ ଓ ଶିଶୁ ନିର୍ଯାତନା, ପାରିବାରିକ ଗଣ୍ଡଗୋଳ, ସାମାଜିକ ଓ ଆର୍ôଥକ ଅସନ୍ତୁଳନ ଏବଂ ନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅଧପତନର ଅନ୍ୟତମ କାରଣ ହେଉଛି ନିଶା । ଯାହା ମଣିଷକୁ ଏତେ ତଳର ଅମଣିଷ ସ୍ତରକୁ ଖସାଇ ଦିଏ ଯେ ସେ ନିଜ ମା\’ ଭଉଣୀଙ୍କ ସହ ବି ଖରାପ ଆଚରଣ କରିବସେ । ଲୋକଙ୍କ ବିନାଶର ସାଧନ ସେମାନଙ୍କ ହାତ ପାଆନ୍ତାରେ ଜୁଟାଇବା କୌଣସି ଜନମଙ୍ଗଳକାରୀ ସରକାର କିମ୍ବା ସଭ୍ୟ ସମାଜର କାମ ନୁହେଁ । ତେଣୁ ସ୍ୱାଧୀନ ଭାରତରେ ନିଶା ନିବାରିତ ହେବା ସହ ସରକାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ମଦ ସମେତ ଅନ୍ୟ ନିଶା ବେପାରକୁ ପ୍ରୋତ୍ସାହିତ କରିବେ ନାହିଁ । ଅବକାରୀ ରାଜସ୍ୱକୁ ତ ଆୟର ପନ୍ଥା ଭାବେ ଆଦୌ ଗ୍ରହଣ କରାଯିବ ନାହିଁ ।

୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ବିଭାଜନ ସହିତ ଆମେ ଯେଉଁ ସ୍ୱାଧୀନତା ପାଇଛେ ତାହା ଆମ କଳ୍ପିତ ସ୍ୱରାଜର ଏକ ଛୋଟିଆ ଅଂଶ ମାତ୍ର । ଇଂରେଜଙ୍କ ବଦଳରେ ଭାରତୀୟଙ୍କ ହାତରେ କେବଳ ଶାସନର ଡୋରି ରହିଗଲେ ସାଧାରଣ ଲୋକଙ୍କର ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ । ଆର୍ôଥକ, ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ନୈତିକ ସ୍ୱାଧୀନତା ବନି । ଏହି ରାଜନୈତିକ ସ୍ୱାଧୀନତା ଅର୍ଥହୀନ ହୋଇପଡ଼ିବ ।ତେଣୁ ରାଜନୈତିକ ସ୍ୱାଧୀନତା ପ୍ରାପ୍ତି ପରେ ପୁଣି ସଂକଳ୍ପବଦ୍ଧ ହୋଇ ପୂର୍ଣ୍ଣ ସ୍ୱରାଜ ହାସଲ ପାଇଁ ଲୋକେ ସେମାନଙ୍କ ସଂଗ୍ରାମ ଓ ସାଧନା ଜାରି ରଖନ୍ତୁ । ଗୋଟିଏ ରାଷ୍ଟ୍ରର ବିକାଶର ପ୍ରଥମ ପାହାଚ ହେଉଛି ବ୍ୟକ୍ତି । ବ୍ୟକ୍ତି ଜୀବନର ଆର୍ଥିକ , ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ନୈତିକ ବିକାଶର ସାମୂହିକ ପରିପ୍ରକାଶ ଘଟିଲେ ସମାଜରେ ଯେଉଁ ଉତ୍ତାଳ ତରଙ୍ଗ ସୃଷ୍ଟି ହେବ ସେଥିରେ ରାଷ୍ଟ୍ରର ସ୍ୱରୂପ ବଦଳିଯିବ ଏବଂ ସତ୍ୟାଗ୍ରହ ଆନ୍ଦୋଳନରେ ଅହିଂସା ଅସ୍ତ୍ରର ସଫଳ ପ୍ରୟୋଗ କରି ଦେଶବାସୀ ଯେଉଁ ସ୍ୱାଧୀନତା ହାସଲ କରିଛନ୍ତି ତାହା ବିଶ୍ୱରେ ଆଦର୍ଶ ସ୍ଥାନୀୟ ହୋଇପାରିବ । ସତ୍ୟାଗ୍ରହ ହେଉଛି ଏମିତି ଏକ ସକରାତ୍ମକ ଅସ୍ତ୍ର ଯେଉଁଥିରେ ହିଂସା, ଦ୍ୱେଷ, ଘୃଣା, ଭୟ ଓ ପକ୍ଷପାତିତାର ସ୍ଥାନ ନଥାଏ । ସତ୍ୟାଗ୍ରହ ଯୁଦ୍ଧରେ କେହି ବିଜିତ କିମ୍ବା ପରାଜିତ ନଥାନ୍ତି । ଯିଏ ଏହି ଅସ୍ତ୍ର ପ୍ରୟୋଗ କରେ ଏବଂ ଯାହା ଉପରେ ଏହାର ପ୍ରୟୋଗ କରାଯାଏ ସେଥିରେ ଉଭୟଙ୍କର କଲ୍ୟାଣ ହିଁ କଲ୍ୟାଣ ହୁଏ । ସତ୍ୟାଗ୍ରହ, ଅହିଂସା ଭୀରୁ ଓ କାପୁରୁଷଙ୍କ ଅସ୍ତ୍ର ନୁହେଁ । ସତ୍ୟର ଧାତୁ ଓ ଅହିଂସାର ସାଣଦିଆ ଅସ୍ତ୍ର ହେଉଛି ସତ୍ୟାଗ୍ରହ , ସତ୍ୟ ଓ ଅହିଂସାର ବାଣୀ ମୋର ସୃଷ୍ଟି ନେୁ ହଁ । ଏହା ପର୍ବତ ଭଳି କେଉଁ ଅନାଦି ଅନନ୍ତ କାଳରୁ ଚାଲି ଆସିଥିବା ଶୁଦ୍ଧ ବିଚାର ।

ବ୍ୟବସ୍ଥା ସଭାରେ ଗୃହୀତ ସିଦ୍ଧାନ୍ତ ଆମକୁ ସାମ୍ବିଧାନିକ ସ୍ୱରାଜ ଦେଇପାରେ, କିନ୍ତୁ ଆମ ଦେଶ ଆଗରେ ଥିବା ଅଗଣିତ ସମସ୍ୟାର ଯଦି ଆମେ ସମାଧାନ କରିନପାରୁ ତା’ ହେଲେ ସ୍ୱରାଜ କେବଳ ଏକ କଳ୍ପନାର ବିଷୟବସ୍ତୁ ହୋଇ ରହିଯିବ । ମିଥ୍ୟା କହିବା ଓ ଗୁଣ୍ଡାମୀ କରିବା ବ୍ୟକ୍ତି ସ୍ୱାଧୀନତା ବୋଲି କେହି କେହି ଯୁକ୍ତି କରନ୍ତି । କିନ୍ତୁ ଏପରି କରୁଥିବା ବ୍ୟକ୍ତି ନିଜର ଓ ସମାଜର ଗୁରୁତର କ୍ଷତି କରିଥାଏ । ପ୍ରକୃତ ଗଣତନ୍ତ୍ର କିମ୍ବା ସ୍ୱରାଜ ଅସତ୍ ଓ ହିଂସାତ୍ମକ ଉପାୟରେ ଆସେନାହିଁ । ପବିତ୍ର ଅହିଂସା ବଳରେ ପୂର୍ଣ୍ଣ ଓ ବ୍ୟକ୍ତିଗତ ସ୍ୱରାଜ ସମ୍ଭବପର । କର୍ତ୍ତବ୍ୟ ହିଁ ଅଧିକାରର ଜନକ । ତେଣୁ ସ୍ୱରାଜରେ ଲୋକେ ରାଷ୍ଟ୍ରଠାରୁ କେତେ ପାଇବେ ତାହାର ହିସାବ ନିକାଶ ନ କରି ରାଷ୍ଟ୍ର ପାଇଁ କେତେ କାମ କରିଯିବେ ତାହା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଅହିଂସାକୁ ଅବଲମ୍ବନ କରି ଗଢ଼ା ଯାଉଥିବା ସ୍ୱରାଜରେ ଅଧିକାରଗତ ଜ୍ଞାନ ପରିବର୍ତ୍ତେ କର୍ତ୍ତବ୍ୟ ଜ୍ଞାନ ରହିବା ଆବଶ୍ୟକ । ଯେଉଁମାନେ ଦେଶ ମାତୃକାର ନିଷ୍କାମ ସେବା କରନ୍ତି, ସେମାନଙ୍କ ନିକଟରେ କର୍ତ୍ତବ୍ୟର ନ୍ୟାୟ ସଂଗତ ଅଧିକାର ସ୍ପଷ୍ଟ ହୋଇଉଠେ ଏବଂ ଏହି ଦେଶସେବୀମାନେ ନେବା ପରିବର୍ତ୍ତେ ସେବା ଓ ଭୋଗ ପରିବର୍ତ୍ତେ ତ୍ୟାଗ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ସେମାନଙ୍କ ପାଇଁ ବାସ୍ତବରେ ସତ୍ୟ ହିଁ ଈଶ୍ୱର ଓ କର୍ମ ହିଁ ଉପାସନା । ବିନା ଶ୍ରମରେ ଖାଦ୍ୟ ଗ୍ରହଣ କରିବା ଓ ଆବଶ୍ୟକତା ଠାରୁ ଅଧିକ ସମ୍ବଳ ଓ ସାମଗ୍ରୀ ରଖିବା ତ ଚୋରି ସହ ସମାନ । ମନେ ରଖିବାକୁ ହେବ ଯେ ଧରିତ୍ରୀ ମାତା ନିକଟରେ ଯେତେ ସମ୍ପଦ ରହିଛି ତାହା ସମସ୍ତଙ୍କ ଚାହିଦା ମେଣ୍ଟାଇବାକୁ ଯଥେଷ୍ଟ, କିନ୍ତୁ ଅଳ୍ପ କିଛି ଲୋକଙ୍କ ଲୋଭ ମେଣ୍ଟାଇବାକୁ ଏହା ପର୍ଯ୍ୟାପ୍ତ ନୁହେଁ ।

ଭାରତବାସୀ ଯେଉଁ ସ୍ୱରାଜ ପାଇଁ ଲଢ଼ିଛନ୍ତି ସେଥିରେ ସେମାନଙ୍କ ସ୍ୱାଭିମାନ ଓ ସ୍ୱାବଲମ୍ବନ ଜଡ଼ିତ । ତେଣୁ ରାଷ୍ଟ୍ରକୁ ସମୃଦ୍ଧ କରିବା ପାଇଁ ସ୍ୱରାଜର ସ୍ୱତନ୍ତ୍ର ବାଣିଜ୍ୟ ନୀତି ରହିବ ଯେଉଁଠି କଞ୍ଚାମାଲ ପରିବର୍ତ୍ତେ ଆମ ଦେଶରେ ତିଆରି ସାମଗ୍ରୀ ଅଧିକ ପରିମାଣରେ ବିଦେଶକୁ ରପ୍ତାନୀ ହେବ ଏବଂ ନିହାତି ଆବଶ୍ୟକ ଥିବା ଜରୁରୀ ସାମଗ୍ରୀ କେବଳ କମ୍ ପରିମାଣରରେ ବିଦେଶରୁ ଆମଦାନୀ କରାଯିବ । ରପ୍ତାନୀ ଅପେକ୍ଷା ଆମଦାନୀ ଅଧିକ ହେଲେ ଦେଶରେ ଶ୍ରମ ସଂକଟ ସୃଷ୍ଟି ହେବା ସହିତ ଆର୍ôଥକ ଓ ଅନ୍ୟାନ୍ୟ ବିଶୃଙ୍ଖଳା ବଢ଼ିବ ଏବଂ ଦେଶ ଋଣଗ୍ରସ୍ତ ହୋଇ ପୁଣି ବିଦେଶୀ ଯନ୍ତାରେ ପଡ଼ିବ । ପାଶ୍ଚାତ୍ୟ ପଦ୍ଧତିର କୌଣସି ବିକଶିତ ପ୍ରାମାଣିକ ଜ୍ଞାନକୁ ଧାର ସୂତ୍ରରେ ଆଣିବା ଲାଗି ମୋର ସାମାନ୍ୟ ଲଜ୍ଜା ନାହିଁ, କିନ୍ତୁ ଏହାକୁ ପ୍ରାପ୍ୟ କଳନ୍ତର ଦେଇ ଆମକୁ ପରିଶୋଧ କରିବାକୁ ପଡ଼ିବ । ସେହିଭଳି ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସେବା ମନ୍ତ୍ରରେ ଅଭିମନ୍ତ୍ରିତ ହେବା ସହିତ ରାଜକୋଷର ସୁରକ୍ଷା ଓ ରାଷ୍ଟ୍ରର ମଙ୍ଗଳ ପାଇଁ ସେମାନଙ୍କ ସବୁ ଶକ୍ତି ଖଟାଇବା ଆବଶ୍ୟକ । ଯଦି କେତେବେଳେ ସେମାନେ ସଂଶୟରେ ପଡ଼ନ୍ତି ତା’ ହେଲେ ନିଜ ଜୀବନରେ କେବେ ଦେଖିଥିବା ଦରିଦ୍ରତମ ଲୋକଟିର ଚେହେରା ମନେପକାନ୍ତୁ ଏବଂ ଭାବନ୍ତୁ ଯେ ସେ ଯେଉଁ କାମଟି କରିବାକୁ ଯାଉଛନ୍ତି ତାହା ଏହି ଦରିଦ୍ରତମ ଲୋକଟିର ଜୀବନ ଓ ଭାଗ୍ୟ ବଦଳାଇବାରେ ସହାୟକ ହେବ କି ନାହିଁ । ସେମାନେ ସବୁବେଳେ ମନେ ରଖିବା ଆବଶ୍ୟକ ଯେ ଏହି ଦରିଦ୍ରତମ ଲୋକର ସେବକ ଭାବେ ସେମାନଙ୍କୁ ପାରିଶ୍ରମିକ ଓ ଭତ୍ତା ମିଳୁଛି । ତେଣୁ ଯେଉଁ ରାଜକୋଷରେ ଏହି ଦରିଦ୍ରତମ ଲୋକର ଯୋଗଦାନ ରହିଛି ତାହାର ନିଷ୍ଠାପର ପରିଚାଳନା, ସୁରକ୍ଷା ଓ ସମୃଦ୍ଧି କରିବା ସେମାନଙ୍କର ପରମ କର୍ତ୍ତବ୍ୟ ।
ମୁଁ ସେହି ଭାରତ ପାଇଁ କାମ କରୁଛି ଯେଉଁଠି ସର୍ବହରା ଲୋକଙ୍କର ଆତ୍ମବିଶ୍ୱାସ ରହିବ ଯେ ଏହା ହେଉଛି ସେମାନଙ୍କ ଦେଶ, ଯାହାର ଗଠନ ପାଇଁ ସେମାନଙ୍କର ଯଥେଷ୍ଟ ଦାୟିତ୍ୱ ରହିଛି । ମୋ ସ୍ୱପ୍ନର ସ୍ୱରାଜରେ ଉଚ୍ଚନୀଚ ଭେଦଭାବ ରହିବ ନାହିଁ- ଅର୍ଥାତ୍ ଏଠି ସମସ୍ତଙ୍କର ଜୀବିକା ନିର୍ବାହର ବୈଷମ୍ୟ ଦୂରେଇ ଯିବ, ସାମ୍ପ୍ରଦାୟିକତା ଓ ଅସ୍ଫୃଶ୍ୟତା ବୋଲି କିଛି ନଥିବ, ନିଶା ସମ୍ପୂର୍ଣ୍ଣ ନିବାରିତ ହେବ, ମହିଳାମାନେ ପୂର୍ଣ୍ଣ ସ୍ୱାଧୀନତା ପାଇବେ, ଦୁନିଆ ଲୋକଙ୍କ ସହିତ ଆମେ ଶାନ୍ତିରେ ରହିବୁ, ପୀଡ଼କ-ପୀଡ଼ିତ ନଥିବେ, ବିଦେଶୀ ଓ ସ୍ୱଦେଶୀ ମଧ୍ୟରେ ଭିନ୍ନତା ରହିବ ନାହିଁ, ସତ୍‌କାର୍ଯ୍ୟ କରିବାକୁ ଉତ୍ସାହ ମିଳିବ, ଗୋଷ୍ଠୀଗତ ବୌଷମ୍ୟ ଅପସରି ଯିବ । ଏହା ହିଁ ହେବ ମୋ ସ୍ୱପ୍ନର ଭାରତ ।

ଅନୁସୃଜନ- ପ୍ରହଲାଦ କୁମାର ସିଂହ

prahalladsinha@gmail.com
୯୪୩୭୦୧୭୩୯

Comments are closed.