ମାନସ ରଞ୍ଜନ ମହାପାତ୍ର
ସକାଳ ଖୋଜିବି ବୋଲି ସେଦିନ ମୁଁ ଚାଲିଲି ଏକାକୀ
ବାଟ ସବୁ ଲମ୍ବିଗଲା, ଜୀବନ ବି ରହିଗଲା ବାକି
ଏ ଜୀବନ ପୂର୍ଣ୍ଣ କର ମାଗିଲି ମୁଁ ତୁମରି ଦୁଆରେ
ତୁମେ ରହିଲ ଅଜଣା କେଉଁ ଏକ ନିଭୃତ ମନ୍ଦିରେ
ଚାଲିଲାନି ଗୋଡ଼ ହାତ ମଥା ମୋର ହୋଇଲା ଅବଶ
ଯେତେ ସବୁ ଚିହ୍ନା ଲୋକ ଫେରିଗଲେ ନେଇ ଅବଶୋଷ
ପ୍ରେମର ପୁଲକ ଥିଲା, ଥିଲା କେତେ ଆନନ୍ଦ ଉଲ୍ଲାସ
ସବୁ କିଛି ସରିଗଲା, ଶେଷ ହେଲା, ହେଲାନି ବି ଶେଷ
ଏ କେଉଁ ଅଦ୍ଭୁତ ଦିନ, ଅନ୍ଧାରରେ ଦିଶେ ନାହିଁ ବାଟ
କାହିଁକି ଯେ କଲ ମତେ ତୁମ ପ୍ରେମ ନଦୀରେ ଉଚ୍ଚାଟ
ଏତେ ଭଲ ପାଇଥିଲି, ଜୀବନ ତ ଦେଲା ନାହିଁ ଧରା
ପ୍ରଥମେ ମୁଁ ଥିଲି ନିଃସ୍ଵ ଏବେ ବି ରହିଛି ସର୍ବହରା
ଜାଣିଛି ସକାଳ ଗୋଟେ ତୃଷ୍ଣାତୁର ଆକାଶୀ ଚଢ଼େଇ
ତଥାପି ବି କାହିଁକି ମୁଁ ଆଲୋକର ଗୀତ ଯାଏ ଗାଇ !!
ମଧୁବନ ଷଷ୍ଠ ଗଳି
ଇନ୍ଦ୍ରଦ୍ୟୁମ୍ନ ଛକ
ପୁରୀ-୭୫୨୦୦୨
୯୮୯୧୯୪୬୧୭୮
Comments are closed.