Latest Odisha News

ଅନୁବାଦ କବିତା : ବୁଢ଼ା ମଣିଷ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ 

ମୋର ଯାହା ଇଚ୍ଛା ଥିଲା ଯାହା ଚାହିଁଥିଲି
ଅଧାଠାରୁ ବେଶୀ ତା’ର
ଗଲିଣିତ ଭୁଲି
ବଞ୍ଚିଛି ମୁଁ ଖାଲି
ଶୀତଳ ଶୁଖିଲା ଏକ
ବୁଦ୍ଧିବାଦ ନେଇ
ଯଦିଓ ଏକାଠି ଆମେ ଥିଲେ
ଦୁହେଁ ସାଥି ହୋଇ
କେବଳ ସ୍ୱପ୍ନରେ ।

ହେମନ୍ତର ଦୁର୍ବଳ ଓ ରୁଗ୍ଣ ଆଲୋକରେ
ଅତୀତର ସ୍ମୃତି ଆଜି ହୁଏ ଆଲୋଡ଼ିତ
ସେହିପରି ଲାଗୁଛି ଅନ୍ତତଃ ,
କିନ୍ତୁ ମୁଁ କେମିତି କୁହ କରିବି ବିଶ୍ୱାସ
ସେ ଛାଇକୁ , ଯାହା ଏକ ଯୁବକର
ସପନରେ ଭାସି ଆସି ଥିଲା ତ ସୀମିତ ?

ପ୍ରକୃତରେ ତାହା କଣ ଥିଲା ସତ
ଅବା ଥିଲା କେବଳ କଳ୍ପନା
କ୍ଷଣକ ପାଇଁ ବି ହେଲେ
ଭୁଲିଯାଏ ପୁରାତନ କ୍ଷତ
ପୁଣି ଦେଖେ ଛବି ଏକ
କଳ୍ପିତ ଦୃଶ୍ୟର
ଯାହା ପୁଣି ଧୀରେ ଧୀରେ
କୁହୁଡ଼ିରେ ହୁଏ  ଅନ୍ତର୍ହିତ।

ବିଶ୍ୱାସ ମୁଁ କରେ ନାହିଁ
ପରୀ ରାଇଜରେ ଅବା ଯାଦୁର ମାୟାରେ
ଦେହ ଓ ମନର ଏଇ
ପରିଣତ ଶେଷ ସୋପାନରେ
କେହି ହେଲେ ଖୋଜି ପାଉ ସେଇ ପଥ
ମୁଁ ଯାହା ପାଇଲି ନାହିଁ
ଏଇ ଜୀବନରେ।

ଅନୁବାଦ : ମନୋରଞ୍ଜନ ହୋତା 

Comments are closed.