Latest Odisha News

BREAKING NEWS

ଜୀବନକୁ ହୀନିମାନ କରନା

ଜୀବନକୁ ହୀନିମାନ କରନା
ମନୋଜ ମେହେର


ନିଜକୁ ଏତେ ଛି’ ଛାକର କରନା ଭାଇ
ଜୀବନକୁ ବି ଧିକ୍କାର କରି
ତା’ର ଅପମାନ କରନା।
କାହିଁକି ନିଜ ପ୍ରତି, ଜୀବନ ପ୍ରତି ଏତେ ବିଦ୍ରୂପ ?
ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ହୋଇଗଲ ବୋଲି
କ’ଣ ତମେ ହୋଇଗଲ ହାରାମ୍‌ଜାଦା !!
ଯେମିତି ଚାହିଁବ ଲଙ୍ଗଳା କରିବ ଦେଶକୁ,
ଗଣତନ୍ତ୍ର ବିରୋଧରେ କରିବ ବିଷୋଦଗାର ??
ତଳକୁ ଟିକିଏ ଅନାଅ, ପାରୁଛ ଯଦି
ଆହୁରି ଟିକିଏ ଉଖାର ନିଜକୁ, କର ପ୍ରଶସ୍ତ
ଭାଇ, ଏତେ ହୀନିମାନ କରନା ଜୀବନକୁ।

ଦେଶର ରାଜନେତା ଓ ବୁଦ୍ଧିଜୀବୀଙ୍କୁ
ଜାଣିବାକୁ ମୋର ଆଉ କିଛି ବାକିନାହିଁ।
ଲେଖକ, କବି-କବୟିତ୍ରୀ, ସାହିତ୍ୟିକ ସର୍ବୋପରି
ତଥାକଥିତ ସର୍ଜନଶୀଳ ଶିଳ୍ପୀ
ଏମାନଙ୍କ କଥା କହିବି  କ’ଣ ?
ବାମପନ୍ଥୀ, ଦକ୍ଷିଣପନ୍ଥୀ ପରି ଯେତେ ସବୁ ଅଛନ୍ତି
ସଭଏଁ ଗୋଟିଏ ଲାଉର ମଞ୍ଜି,
ଶାସକ-ବିରୋଧୀ ବି ତ ଏକକୁ ଆରେକ;
ଧର୍ମଗୁରୁ ଓ ଆତ୍ମଘୋଷିତ ଈଶ୍ବରଙ୍କୁ ଏଠାକୁ ଆଣି
କାହିଁକି ଅଖା ଧୋଉଥିବି !
ଏଥିପାଇଁ ଥରେଥରେ ଭାବେ :
ଦୁଇମୁଣ୍ଡିଆ ଜିଆ କି ଏକକୋଷୀ ଜୋକ ବରଂ ଭଲ
ନିଜକୁ ସିଧା କରିପାରୁନଥିବା
ଏପରି ମେରୁଦଣ୍ଡୀଙ୍କଠୁ।

ତୁଚ୍ଛାଟାରେ ମୁଣ୍ଡକୁ ଟାଣ କଲେ ହେବ କ’ଣ !
ତମ ଭଳି ଏପରି କେତେ ପାଣିକୁ ବାଡ଼େଇ ଚାଲିଛନ୍ତି,
ରାଗ ଓ କ୍ରୋଧକୁ ଧୂଳିଉଡ଼ା ରାସ୍ତାରେ
ପଲସ୍ତରା ମାରି ଚୋବାଉଛନ୍ତି ରକ୍ତଚାଉଳ।
ଭାଇ, ଆଜି ବୁଝିବାକୁ ବାଧ୍ୟ ହେଉଛି
ଗଣତନ୍ତ୍ର ଦେଶବାସୀଙ୍କ ଦ୍ବାରା
ଯେତେ ଧର୍ଷିତ ହେଲେ ବି ମହାସତୀ,
ପ୍ରତି ନିର୍ବାଚନ ପରେ
ସରକାରଙ୍କୁ ପିଲାଙ୍କ ଗୁହପୋଛା କରି
ଆଉ ଥରେ ବ୍ୟବହାର ପାଇଁ ଶୁଖାଯାଏ
ହତାଶା, ଗ୍ଳାନି ଓ କ୍ଷୋଭର କଣ୍ଟାବାଡ଼ରେ।

ଏହାର ଅର୍ଥ ମୁଁ କହୁନାହିଁ ଯେ
ତମେ ବିଦ୍ରୋହ କରନାହିଁ,
ଉଠାଅ ନାହିଁ ସ୍ବର। ଭାଇ, ତମର ପୂରା ଅଧିକାର ଅଛି :
କାହାକୁ କେତେବେଳେ ଦେବ ଦେହ ଓ ହୃଦୟ,
କାହା ଆଗରେ କେତେ ନଇଁବ
କାହାର ଚାଟିବ ପାଦ, କାହା ପାଖରେ ବିକିଦେବ ମୁଣ୍ଡ
ବନ୍ଧା ପକାଇବ କଲମ।

ତମକୁ ମଁୁ ଯେତିକି ଜାଣେ
ତମର ଦୁଇ ଖାଲିହାତ ମଝିରେ
ଉଡ଼ୁଥିବା ପ୍ରଜାପତି ଉପରେ
ମାର ତାଳି ଉପରେ ତାଳି,
ନିଜର ଅହମିକା ଓ ଉନ୍ମାଦନାକୁ
ସହାନୁଭୂତିର ରଙ୍ଗରେ ରଙ୍ଗାଇବା ପାଇଁ
ବୁଣ ସୋରିଷ କୌଣସି ମୂତ ପଡ଼ିଆରେ।
ହଁ, ତମେ ସିଏ ଯିଏ ମୁହୂର୍ତ୍ତଟିକକର ପ୍ରେମିକା ପାଇଁ
ପ୍ରସ୍ତୁତ ହୋଇଯାଅ  ଛାତ ଉପରୁ ଡେଇଁ ପଡ଼ିବାକୁ,
ନିଜ ବିପକ୍ଷରେ ସାକ୍ଷ୍ୟ ଦେଇ
ଉତ୍ସୁକତା ଦେଖାଅ ଲୋକେ ଯେପରି
ତମ ଉପରେ ଛେପ ପକାଇବେ।

ଏଠି  କିଏ କରୁନାହାନ୍ତି ସଂଘର୍ଷ !
ଜୀବନର ସ୍ବାଦ ଚାଖିବାକୁ
ଚା’ରେ ଚିମୁଟାଏ ଲୁଣ ବଦଳରେ
କିଏ ପକାଉନାହାନ୍ତି ଲୁହବୁନ୍ଦା !!
ଯେଉଁଠି ପ୍ରେମିକାମାନେ
ବନ୍‌ଶୀ କଣ୍ଟାରେ କେଞ୍ଚୁଆ ଢୋକେଇବା ପରି
ପ୍ରେମିକକୁ କିଲ୍‌ବିଲ୍‌ କରିବା ପରେ
ଅଧାଓଗାଳି ପାଆନ୍ତି ଅପାର ଆନନ୍ଦ
ଅବଶ୍ୟ ସେଇଠି ତମେ ପ୍ରେମିକାର ସବାସାନପୁଅ
ହେବାର ସ୍ବପ୍ନ ଦେଖାଇଦେଇପାରିବ।
ହେଲେ ଭାଇ, ଏଡ଼େ ସହଜ ନୁହେଁ
ଅଭାବୀ ସଂସାର ଓ  କୂଳକିନାରା
ପାଇପାରୁନଥିବା  ନିହାତି ଜଞ୍ଜଳି ମଣିଷଟିଏ
ଦୁଃଖର ପାପଡ଼ ବେଲୁଥିବା ଭିତରେ
ନିଆଁଫୁଲ ଫୁଟାଇ ବାସ୍ନା ଚହଟାଇବା;
ଜୀବନକୁ ଏତେ ହୀନିମାନ କରନା,
ପାରୁଛ ଯଦି ଅର୍ଥପୂର୍ଣ୍ଣ କରିବା ପାଇଁ
ଭାଙ୍ଗଗଢ଼ ନିଜକୁ ମର୍ଜିରେ
ଏବଂ ପ୍ରଥମେ ବଦଳାଇଦିଅ ନିଜର
ଓ ପରେ ଦେଶର ଭାଗ୍ୟରେଖା।
……………….
‘ସମାଜ’ କାର୍ଯ୍ୟାଳୟ, ଗୋପବନ୍ଧୁ ଭବନ,ବକ୍ସିବଜାର କଟକ-୧
ଦୂରଭାଷ: ୯୪୩୮୭୦୫୨୫୬

Leave A Reply

Your email address will not be published.