Latest Odisha News

BREAKING NEWS

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅସ୍ତିତ୍ୱର ସଙ୍କଟ 

ମୁଁ ବୋଲି ଯିଏ ସେ ସତରେ କିଏ ?
କାହିଁକି ସେ ଯନ୍ତ୍ରଣାରେ ଅହରହ ଥାଏ ?

ଯେତେଥର ଖୋଜିଛି , ଯେତେବେଳେ ଖୋଜିଛି , ଯେମିତି ବି ଖୋଜିଛି , ଯେଉଁ ଯେଉଁ ସ୍ଥାନରେ ତୁମ ସ୍ଥିତିକୁ ଅଣ୍ଡାଳିଛି ସେସବୁର ଆଧାର ହିଁ ମୋର ଯନ୍ତ୍ରଣା । ମୁଁ ଭୋଗୁଥିବା ଯନ୍ତ୍ରଣା ମୋ ପାଇଁ ସମୟର ବଡ଼ ଖଣ୍ଡେ ଅଂଶ ମାଡ଼ି ବସିଥାଏ । ଯନ୍ତ୍ରଣାର ଦୁଃସହତା ତ ଥାଏ କିନ୍ତୁ ତା ଭିତରେ ମୁଁ ମୋ ସହ ଅନବରତ କଥୋପକଥନରେ ଥାଏ । ପ୍ରଶ୍ନ ପ୍ରତିପ୍ରଶ୍ନରେ ବରଂ ମୁଁ କେବେ କେବେ ନିଜକୁ ଭୁଲି ଯାଇଥାଏ ।ମୁଁ ବିସ୍ମିତ ହୋଇ ନିଜକୁ ପଚାରେ ପ୍ରକୃତରେ ଏହି ଯନ୍ତ୍ରଣା ପାଉଛି କିଏ ! ମୋର ରକ୍ତ ମାଂସର ଦେହ ? ନା ମୋ ଭିତରର ଆଉ କାହାର ମୋହ ?

ମୁଁ ଦେଖିଛି ଶବର ଯନ୍ତ୍ରଣାବୋଧ ନଥାଏ । ସାମାନ୍ୟ ନିଆଁ ବାଜି ଫୋଟକା ହେଲେ ଜୀବନ୍ତ ଦେହ ତାକୁ ସମ୍ଭାଳି ନେଇ ପାରେନି । କିନ୍ତୁ ସେହି ଦେହ ଯେବେ ଶବ ପାଲଟିଯାଏ ନିଆଁରେ ପଡ଼ି ନିଆଁ ହେଉଥିବା ବେଳେ ଉଃ ଟିକକ ବି କରେନି । ତା’ ହେଲେ ପୀଡା କଣ ମନର ? ପ୍ରାଣର ? ନା ଏସବୁର ଉର୍ଦ୍ଧ୍ବରେ ଚେତନାର ?? ଏମିତି ଅନେକ କଥା ଘାରେ । ଏକଥା ବି ଆସେ ସମ୍ପୂର୍ଣ୍ଣ ଯନ୍ତ୍ରଣାହୀନ ସ୍ଥିତିରେ ମୁଁ କଣ ସୁଖୀ ରହିପାରେ !! ଏମିତିରେ ତ ଅନେକ ସମୟରେ ଦେହର ଯନ୍ତ୍ରଣା ନଥାଏ । ତାହେଲେ କଷ୍ଟ କାହିଁକି ହୁଏ ? କଷ୍ଟକୁ ଫୁଃ କରି ଉଡ଼େଇ ଦେଉଥିବା ତୁମ ବିନ୍ଦାସ ମନ , ପୀଡାକୁ ଜଡ଼ତ୍ୱରେ ରୂପାନ୍ତରିତ କରି ଦେଉଥିବା ତୁମ ଅଦ୍ଭୁତ ବ୍ୟକ୍ତିତ୍ୱ , ପ୍ରତିଟି ମୁହୂର୍ତ୍ତରୁ ଆନନ୍ଦର ରେଣୁ ଖୋଜିନେଇ ଆନନ୍ଦିତ ରହିବାର ତୁମ ନିଆରାପଣ ମୋତେ ଅନେକ ସମୟରେ ଆଚମ୍ବିତ କରେ । ତୁମେ ଥିବାଟା ଯାଏଁ ତୁମେ , ତୁମ ନଥିବାବେଳେ ହିଁ ତୁମେ ମୋତେ ଆଚ୍ଛନ୍ନ କରି ରଖେ କାରଣ ତୁମେ ନିଜକୁ ଢାଳି ଦେଇଥାଅ ମୋତେ ମୋ’ ଭଳି ରଖିବାରେ ।

ମୁଁ ନିଜ ସହ ଯେତିକି ଯୋଡି ହୋଇ ନପାରେ ସେତିକି ତୁମ ସହ ବାଣ୍ଟିହୋଇପାରେ । ତେଣୁ ଯାବତୀୟ ଅଳି ଅର୍ଦ୍ଦଳି ମୁହଁଫୁଲା ସବୁ ତୁମ ପାଖରେ ବାହାରେ । ସୁଖ ଖୋଜୁ ଖୋଜୁ ଅଟକିଯାଏ ମୋର ସୁଖଲୋଭୀ ମନ ତ ତୁମେ କୁହ ସୁଖ ବୋଲି ଯାହା ମନେ କରୁଛି ମୁଁ ତାହା ଯନ୍ତ୍ରଣାର ବିପରୀତ ହିଁ। ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାଖ । ଏକଥା ମୋତେ ବୁଝେଇ ପାରିଲା ଭଳି ତୁମେ କୋମଳ ଭାବରେ ଆଖିରେ ଆଖି ରଖି କୁହ । ମୁଁ ବୁଝିଗଲା ଭଳି ମୁଣ୍ଡ ତ ପ୍ରତିଥର ହଲାଏ କିନ୍ତୁ ଏଡ଼େ ଗହନକୁ ଝାଙ୍କି ହୋଇପାରେନାହିଁ ଯେମିତିକି ଝାଙ୍କୁଥାଏ ତୁମ ରହସ୍ୟମୟତା ତୁମକୁ ଲକ୍ଷ୍ୟସ୍ଥଳ କରି ରାସ୍ତା ତିଆରିବା ପାଇଁ । ତଥାପି ମୁଁ ମୁହଁ ଖୋଲେ ଯଦିଓ ଜାଣିଛି ମୋର ପ୍ରଶ୍ନ ପଚାରିବାର ପ୍ରକ୍ରିୟାଟି ଯେତିକି ସାବଲୀଳ ତୁମ ଉତ୍ତର ଦେବାର ତତ୍ପରତା ସେତିକି ଗଭୀର ଆଉ ନିବିଡ଼ ଯାହା ମୋତେ ଏକ ସୂଚନାଟେ ଦିଏ ସିନା ବଦଳେଇ ଦିଏନି ସମ୍ପୂର୍ଣ୍ଣ ଭାବରେ ।
ପଚାରେ ,”ସୁଖ ବେଳେ ତ ଯନ୍ତ୍ରଣା ନଥାଏ !”
ତୁମେ ବଡ଼ ଅଦ୍ଭୁତ ଉତ୍ତର ଦିଅ, “ସୁଖ ବେଳେ ନୁହେଁ ବରଂ ସୁଖ ଭିତରେ ଯନ୍ତ୍ରଣାର ମଞ୍ଜି ଥାଏ । ସୁଖର ଛାଇ ଅପସରିଗଲା ମାତ୍ରେ ଯନ୍ତ୍ରଣା ପୁଣି ତାର ରାଜତ୍ୱ ଆରମ୍ଭ କରିଥାଏ ।” ଏଥିରୁ ମୋର କିନ୍ତୁ ଗୋଟିଏ ଅନୁଭବ ହୁଏ ଯାହା ମୋତେ ଏମିତି ସ୍ଥିତିକୁ ନେଇଯାଏ ଯେ ନା ମୁଁ ଯନ୍ତ୍ରଣା ବେଳେ ଯନ୍ତ୍ରଣା ଭୋଗିପାରେ ନା ସୁଖ ବେଳେ ସୁଖକୁ ପୁରାଟା ଆକ୍ତିଆର କରେ ! କେମିତି ନିସ୍ପୃହ ଲାଗେ ମୋ ମନ ତଳ ଯାହାକୁ ମୁଁ ଆଜିଯାଏଁ ଭାବି ଆସିଛି ଅନ୍ଧାରି ଗହ୍ୱର ।
ମୁଁ ନିଜକୁ ଖୋଜୁଥାଏ , ପାଇବାକୁ ଚେଷ୍ଟା କରୁଥାଏ । ସାଧାରଣ ହେବାର ଅସାଧାରଣ ପ୍ରକ୍ରିୟାଟି ପାଇଁ ତୁମକୁ ପାଖରେ ନିଇତି ଲୋଡୁଥାଏ । ତୁମେ ‘ ହେଇ ଅଛି’ କହୁଥାଅ ପୁଣି ମୋତେ ଅସ୍ତିତ୍ୱର ସଙ୍କଟରେ ରଖି ନିଜେ ଗାୟବ ହୋଇଯାଅ ।
ବହୁତ ଖରା ,ଅଳ୍ପ ଛାଇ ହେଉ କି ଅଳ୍ପ ଛାଇ ବହୁତ ଖରାର ସମୟ ତୁମେ ତୁମ ଭଳି ଉଜ୍ଜ୍ଵଳ , ସମୟୋତ୍ତର ହୋଇ ଥାଅ । ମୋତେ ଚାହିଁଥାଅ । ମୋର ଗତି ଯେଉଁଭଳି ବି ହେଉ ତୁମ କରୁଣାର ଦୃଷ୍ଟିରେ ଥାଉ । ମୋ ପ୍ରଶ୍ନ ଯେତେ ଖଣ୍ଡ ବିଖଣ୍ଡିତ ହେଉ ତୁମ ଧୈର୍ଯ୍ୟର ଉତ୍ତର ସେସବୁକୁ ଶାନ୍ତ ହୋଇ ଯୋଡ଼ି ଯୋଡ଼ି ଦେଉ ଯେମିତି କି ପ୍ରଶ୍ନ ଆଉ ଉତ୍ତରର ମିଳିତ ବିନ୍ଦୁରେ ରୂପ ନେଉଥିବ ଜୀବନ – ଆମ ଦୁହିଁଙ୍କ ପ୍ରେମର ।
ତୁମର “ମୁଁ ”

 

 

Leave A Reply

Your email address will not be published.