Latest Odisha News

କେନ୍ଦୁଝରରେ ପଦ୍ମ ଫୁଟିବା ରୋକିପାରିବେ କି ବିଜେଡି ପ୍ରାର୍ଥୀ?

କେନ୍ଦୁଝର : ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ୍ ୨୩ ତାରିଖ ତଥା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ମେ’ ୨୩ ତାରିଖ ତଥା ନିର୍ବାଚନ ଫଳାଫଳ ଘୋଷଣା ଦିନ ନିର୍ଣ୍ଣୟ ହେବାକୁ ଯାଉଛି ।

ସେହିପରି କେନ୍ଦୁଝର ସଂସଦୀୟ କ୍ଷେତ୍ରରେ କ୍ଷମତା ହାସଲ କରିବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ରୋମାଞ୍ଚକର ହୋଇଛି । ଗୋଟେ ପଟେ ଦୁଇଥର ସାଂସଦ ରହିଥିବା ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଓ ଅନ୍ୟପଟେ ରାଜନୀତି ଜଗତରେ ନୂଆନୂଆ ପାଦ ଥାପିଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ଭାଗ୍ୟ ଇଭିଏମ୍ ବକ୍ସରେ କଏଦ ହୋଇଯାଇଛି ।

ସେ ମାତ୍ର ୨୫ ବର୍ଷ ବୟସରେ ସାଂସଦ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇ ସମସ୍ତଙ୍କୁ ହତଚକିତ୍ କରିଛନ୍ତି । ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ ହେଉଛନ୍ତି ଚନ୍ଦ୍ରାଣୀ । ଖଣିଜ ସମ୍ପଦରେ ଭରପୂର କେନ୍ଦୁଝର ଜିଲ୍ଲାରେ ବାରମ୍ବାର ବିଫଳତାର ମୁହଁ ଦେଖୁଥିବା ବିଜୁ ଜନତା ଦଳ ଏଥର ମହିଳା କାର୍ଡ ଖେଳିଛି । ଚନ୍ଦ୍ରାଣୀଙ୍କୁ ବିଜେଡି ଟିକେଟ୍ ପ୍ରଦାନ କରିବା ପଛରେ ସନାତନଙ୍କ ହାତ ରହିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ଏହାବ୍ୟତିତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ ସମର୍ଥନ କରିବାକୁ ଯାଇ ଶ୍ରୀଯୁକ୍ତ ମହାକୁଡ ଚଳିତ ନିର୍ବାଚନ ନଲଢିବା ମଧ୍ୟ ଅନ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦୁଝରର ଚମ୍ପୁଆକୁ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କ ଗଡ଼ କୁହାଯାଉଥିବାବେଳେ ଉତ୍ତର କେନ୍ଦୁଝରରେ ତାଙ୍କର ଖୁବ୍ ଦବଦବା ମଧ୍ୟ ରହିଛି ।

ଇଞ୍ଜିନିୟରିଂରେ ସ୍ନାତକ ପ୍ରାପ୍ତ ଚନ୍ଦ୍ରାଣୀ ମୁର୍ମୁ ରାଜନୀତି ଜଗତରେ ପାଦ ଥାପୁଥାପୁ ବିବାଦ ଘେରରେ ଛନ୍ଦି ହୋଇପଡିଥିଲେ । ଗତ କିଛି ଦିନ ତଳେ ତାଙ୍କର ଅଶ୍ଲୀଳ ମର୍ଫଡ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ସେ ବିବାଦକୁ ଟାଣି ହୋଇଯାଇଥିଲେ । ଆହୁରି ମଧ୍ୟ ନବୀନଙ୍କ ଜନମଙ୍ଗଳକାରୀ ଯୋଜନା ଓ ବିକାଶନ୍ନୋମୁଖୀ କାର୍ଯ୍ୟରେ ସେ ପ୍ରଭାବିତ ହୋଇ ବିଜେଡିର ସଦସ୍ୟ ହୋଇଥିବା ନେଇ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ କେନ୍ଦୁଝରରେ ବିଜେଡି ପ୍ରାର୍ଥୀ ପଦ୍ମ ଫୁଟିବା ରୋକିପାରିବେକି ନାହିଁ ତାହା ମେ’ ୨୩  ତାରିଖ ଦିନ ଜଣାପଡିବ ।

ଆହୁରି ମଧ୍ୟ ଜିଲ୍ଲାର ତେଲକୋଇ, ଚମ୍ପୁଆ, କେନ୍ଦୁଝର ସଦର ଓ କରଞ୍ଜିଆ ପ୍ରଭୃତି ଅଞ୍ଚଳରେ ବିଜେପିର କିଛିଟା ଦବଦବା ରହିଥିବାବେଳେ ଏଠାରେ ଆଞ୍ଚଳିକ ଦଳର କ୍ଷମତା ସ୍ଥିତି ସେତେଟା ଭଲ ନାହିଁ । ଅନ୍ୟପଟେ ଘସିପୁରାରେ ବିଜେଡିର ସ୍ଥିତି ବେଶ ଭଲ ରହିଥିବା ନେଇ ଦଳୀୟ କର୍ମୀ ଆଶା କରୁଥିବା ବେଳେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ବିପକ୍ଷରେ ସିଧାସଳଖ ନିର୍ବାଚନ ଲଢୁଛନ୍ତି । ବିଶେଷକରି ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆନନ୍ଦପୁର ଓ ପାଟଣାରେ ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ରହିଛି । ଅନ୍ୟପକ୍ଷରେ ଘସିପୁରାରେ ବିଜେପି ତୁଳନାରେ କଂଗ୍ରେସର ସ୍ଥିତି ସୁଦୃଢ ରହିଛି ବୋଲି କଂଗ୍ରେସର ଦଳୀୟ ସୁତ୍ରରୁ ପ୍ରକାଶ ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଏଠାରେ ଚଳିତ ନିର୍ବାଚନ ଖୁବ୍ ରୋମାଞ୍ଚକର ହେବ । ଏଠାରେ ଅନ୍ୟ ଦଳ ଅପେକ୍ଷା ବିଜେପିର ସ୍ଥିତି ସୁଦୃଢ ରହିଛି । ସେହିପରି ବିଜେଡି ପଛକୁ କଂଗ୍ରେସ ରହିଥିବାବେଳେ କେନ୍ଦୁଝରରେ ବିଜେପି କ୍ଷମତାକୁ ଆସିବାରେ ଯଥେଷ୍ଟ ସମ୍ଭାବନା ରହିଛି । ଯଦି ବିଜେପି କ୍ଷମତାକୁ ଆସେ ତେବେ ଅନନ୍ତ ନାୟକଙ୍କ ରାଜନୈତିକ ଜୀବନର ପୁନଃଉତଥାନ୍ ସମ୍ଭବପର ହୋଇପାରିବ । ଶ୍ରୀଯୁକ୍ତ ନାୟକ ୧୯୯୯ ଓ ୨୦୦୪ କେନ୍ଦୁଝର ସାଂସଦ ଭାବେ ରହିଥିଲେ ।

Leave A Reply

Your email address will not be published.