କଲ୍ଗାର୍ଲ
ଭରତ ବେହେରା
ଓଦା ଥିଲା ଆଧାର
ଥାପିବା କ୍ଷଣି ପାଦ
ଥଲଥଲ ହେଉଥିଲା ଗତି ମୁଣ୍ଡାମୁଣ୍ଡି
ବରାବର ବାଟବଣା ବୟସର
କଲ୍ଗାର୍ଲର କୋମଳ ତଳିପା ।
ସେମାନଙ୍କ ତଳିପା ତଳର ମାଟି
ହୋଇପାରିନାହିଁ ଏକାନ୍ତ ନିଜର
ମଥାନ ତଳର ମୁହଁମାନେ
ଦିଶନ୍ତିନି ନିବିଡ଼ ନିବିଷ୍ଟ ।
ଅବଚେତନର ଅଭେଦ୍ୟ ଅଞ୍ଚଳ
ଆବୃତ୍ତ ହୋଇଥାଏ,
ଅସୁମାରି ଇଚ୍ଛା ପତ୍ରଫୁଲ ।
ଅଥଚ, ବହୁ ଦିଗରୁ ବହୁବର୍ଗ ସମୂହର
ଥିଲେ ବଞ୍ଚିତ ମହିଳା
ସେମାନେ ଜିଇବାକୁ ଚାହାନ୍ତି
ସୌଖିନ୍ ଜୀବନ
ପଶ୍ଚାତରେ ଖୋଜୁଥାନ୍ତି
ପ୍ରାଣମୟ ଅସ୍ତରଙ୍ଗ ହାତ
ଏବଂ ସମାକୁଳ ଦରଦୀ ହୃଦୟ ।
ସେମାନେ ହୋଇ ପାରନ୍ତି
କାହାରନା କାହାର ପୁଷ୍ପକନ୍ୟା
ଅନାଦୃତା ଅନୂଢ଼ା ଅଙ୍ଗନା
ହୋଇପାରନ୍ତି ଅହ୍ୟ କି ବିଧବା
ଅଗ୍ନିମୂଲ୍ୟ ଅସୁଲ କରିବା ଲାଗି
ଆଦରି ନେବାକୁ ବାଧ୍ୟ ହୋଇଥାନ୍ତି
କଲ୍ଗାର୍ଲ କଳଙ୍କିତ ପେସା ।
ସେମାନେ ପାଲଟି ଯାନ୍ତି
ମସ୍ତବଡ଼ ମାଂସ କଣ୍ଢେଇ
ମଦ ମୁହାଁଶରେ ଆତ୍ମହରା ହୋଇଥାନ୍ତି
ମଧୁଶାଳା ନାଚ ଗୀତ ସଂଭୋଗ କୋଠରି ।
ଲୁବ୍ଧକଙ୍କୁ ପଖାଳି ଦେବାକୁ
ସାରାରାତି ବିତେଇ ଦିଅନ୍ତି
ମହୁଆ ନିଶାରେ ।
ସେମାନେ କ’ଣ ଗୋଟେ ଗୋଟେ
ଅପରୂପା ମାଂସ କଣ୍ଢେଇ
ନା, ଗୋଟେ ଗୋଟେ ଉତ୍ତେଜିତା
ପ୍ରୀତି ପାରାବାର?
କେତେ ଘଣ୍ଟା ଲାଗି ବିସ୍ମରି ଯାଆନ୍ତି
ଆପଣାର ଅକଥ୍ୟ ଅସ୍ତିତ୍ୱ,
ବୟସର ପୂର୍ବାହ୍ନରେ ମଧ୍ୟାହ୍ନରେ ପ୍ଲାବିତ ହୁଅନ୍ତି
ଅପରାହ୍ନରେ ପରିଣତ ହୋଇଯାନ୍ତି
ଅଲୋଡ଼ା ଅଥର୍ବ ।
ନିଦାରୁଣ ଜୀବନ ପର୍ଦାରେ
ସେମାନେ ପାଲଟିଯାନ୍ତି ବିଫଳ ନାୟିକା
ଅଭିନୟ ସରିବା ପୂର୍ବରୁ
ଅନ୍ଧକାର ଘୋଟିଯାଏ
ଅବଶିଷ୍ଟ ବର୍ଷ ।
ଲିଭିଯାଏ ମୁହଁରୁ ତାରୁଣ୍ୟ
ଶୁଖିଯାଏ ଅଧରରୁ ରଙ୍ଗ
କାରୁଣ୍ୟରେ କବଳିତ ହୋଇଯାଏ
କମନୀୟ କଢି ।
କେଉଁ ଦିଗ ଅପେକ୍ଷା କରିଛି
ଅର୍ପଣ କରିବା ଲାଗି ସ୍ନିଗ୍ଧ ସମ୍ବେଦନା
କେଉଁଠି ରହିଛି ଆଲୋକ ବର୍ତ୍ତିକା
ପ୍ରଜ୍ୱଳିତ କରିବାକୁ
ଅସ୍ତିତ୍ୱର ଅସଲ ଆଧାର?