ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
ଆମର ଏ ପ୍ରିୟ ରାଜ୍ୟ ଓଡ଼ିଶା ଖଣିଜ, ବନ, ଜଳ ସମ୍ପଦର ବିଶାଳ ଭଣ୍ଡାର । କିନ୍ତୁ ଶିଳ୍ପ ଓ କୃଷି କ୍ଷେତ୍ରରେ ଆଶାନୁରୂପ ଅଗ୍ରସର ହୋଇପାରୁନାହିଁ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ ଜମିରେ ବର୍ଷକୁ ଗୋଟିଏ ଫସଲ ଅମଳ ହୁଏ । ତା’ ପୁଣି ବର୍ଷାର ଦୟା ଉପରେ ହିଁ ନିର୍ଭର କରେ । ଜଳର ପ୍ରାଚୁର୍ଯ୍ୟ ଥିଲାବେଳେ ଜଳସେଚନର ସୁବିଧା ନାହିଁ । ବାତ୍ୟା, ବଢି, ମରୁଡିରେ କବଳିତ ଓଡିଶାର ଚାଷୀ ଓ କୃଷି ଶ୍ରମିକ ନିହାତି ହୀନିମାନିଆ ଅବସ୍ଥାରେ ଦିନ କଟାନ୍ତି । ଚାରିଆଡେ ନଦୀନାଳ, ମାଟି ତଳେ ପାଣି, ମାଟି ଉପରେ ପାଣି, କିନ୍ତୁ ଚାଷ ଜମିକୁ ଜଳ ନାହିଁ । ଏପର୍ଯ୍ୟନ୍ତ ଜଳ ଭଣ୍ଡାର ଓ ଜଳସେଚନରୁ ଯାହାକିଛି ଜମି ଚାଷ କରାଯାଉଛି, ତାହା ନଗଣ୍ୟ । ଯେ ପର୍ଯ୍ୟନ୍ତ ଚାଷ ପାଇଁ ପର୍ଯ୍ୟାପ୍ତ ଜଳସେଚନର ବ୍ୟବସ୍ଥା କରାନଯାଇଛି, ସେ ପର୍ଯ୍ୟନ୍ତ କୃଷିର ବିକାଶ ହେବା ଅସମ୍ଭବ । କୃଷିର ବିକାଶ ନ ହେଲେ ଦାରିଦ୍ୟ ଘୁଞ୍ଚିବ କିପରି ?
ଓଡ଼ିଶାରେ ଛୋଟ ଚାଷୀ, ଭୂମିହୀନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁମାନଙ୍କ ପାଖରେ ଅଳ୍ପ ଜମି ଅଛି – ସେମାନେ ସମ୍ବଳ, କୌଶଳ ଖଟାଇ ଚାଷ ଉଠାଇବା କଷ୍ଟକର ହୋଇପଡିଛି । ଜମି ଧୀରେ ଧୀରେ ବଡ ଚାଷୀ ଓ ଶିଳ୍ପପତିମାନଙ୍କ ଦ୍ୱାରା କବଳିତ ହେବାରେ ଲାଗିଛି । ଚାଷରୁ ଲାଭ ପାଉନାହାନ୍ତି ବୋଲି ଅଧିକାଂଶ ଗ୍ରାମରୁ ଲୋକମାନେ କାମଧନ୍ଦା ଅନ୍ୱେଷଣରେ ଓଡ଼ିଶା ବାହାରକୁ ପଳାଇ ଯାଉଛନ୍ତି ।
୧୩ ରୁ ୩୦ରେ ପହଞ୍ଚି ସାରିଛି ଓଡିଶାର ଜିଲ୍ଲା ସଂଖ୍ୟା କାହିଁ କେଉଁଦିନୁ ! ହେଲେ ଅନେକ ଅଦଳବଦଳ ସମେତ ସୀମା ନିର୍ଦ୍ଧାରଣ ସରିଥିବା ସତ୍ତ୍ୱେ ଓଡ଼ିଶାରେ ନିର୍ବାଚନମଣ୍ଡଳୀମାନ ସୀମିତ ରହିଛି ସେଇ ୧୪୭ ସଂଖ୍ୟାର ଶିକୁଳି ମଧ୍ୟରେ । ଜିଲ୍ଲା ବଢିଲା, ମାତ୍ର ବଢିପାରିଲାନି ନିର୍ବାଚନମଣ୍ଡଳୀ । ୧୪୭ ବିଧାୟକଙ୍କୁ ନେଇ ଓଡ଼ିଶା ବିଧାନସଭାର ବହୁ ବିତର୍କିତ ବ୍ୟାପାର ଆମକୁ ମନେପକାଇଦିଏ ସେଇ ପୁରାଣ-ପୂର୍ତ କୌରବ-ପାଣ୍ଡବ କଳହରେ କଳଙ୍କିତ କୁରୁକ୍ଷେତ୍ର କଥା । ଇଏ ହେଉଛି ସେଇ ବିଡମ୍ବିତ ବିଧାନସଭା, ଯେଉଁଠି ଚା’ କପ୍ରେ ଝଡ ଉଠେ ମୁହୂର୍ତ୍ତକ ମଧ୍ୟରେ । ବିଧା ବର୍ଷଣରେ ବନ୍ୟତାର ବନ୍ୟା, ଗାଳି ଗର୍ଜନରେ ଗୋରୁହାଟରେ ଗଣ୍ୟା ଏ ସଭା ଭଙ୍ଗ କରେ ସମସ୍ତ ବିଧାନ ଦୂରଦର୍ଶନ ସୌଜନ୍ୟରୁ ଅଛପା ହୋଇ ରହିପାରେନା ଏଭଳି ଅଭାବନୀୟ ଅତିନାଟକୀୟତା !
୩୦ ଜିଲ୍ଲାର ୧୪୭ ନିର୍ବାଚନମଣ୍ଡଳୀରୁ ବିଧାନସଭାର ସଭ୍ୟ ଆସନ ମଣ୍ଡିଥିବା ଉକ୍ତ ମାନ୍ୟଗଣ୍ୟ ମହାଶୟମାନେ ଏମିତି ଉନ୍ନତ ହୋଇପାରନ୍ତି କେମିତି ? ନିଜ ନିଜ ଦଳକୁ ନେଇ ନିନ୍ଦନୀୟ ଦ୍ୱନ୍ଦ୍ୱଯୁଦ୍ଧରେ ଏମିତି ଯଦୁବଂଶୀ ଯଥେଚ୍ଛାଚାରିତାର ପ୍ରମତ ପ୍ରଦର୍ଶନ କରିପାରନ୍ତି କେମିତି ? ୧୪୭ ନିର୍ବାଚନମଣ୍ଡଳୀର ନଖଦର୍ପଣରେ କ’ଣ ଦୁଃଖିନୀ ଓଡ଼ିଶା ମାଆର ମୁହଁଟି ଦିଶିପାରେନାହିଁ ମୋଟେ ?
ଆମର ଏ ଅନ୍ନପୂର୍ଣ୍ଣା ମାଆ ଓଡିଶାମାଟି ୧୪୭ ବିଧାୟକଙ୍କ ସୌଖିନ୍ ଡ୍ରଇଂରୁମ୍ର କାନ୍ଥରେ କ’ଣ କେବଳ ଫିମ୍ପିମରା ପଟ୍ଟଚିତ୍ର ? ମହାପାତ୍ରମାନଙ୍କ ମାର୍ବଲ୍ ମହଲଗୁଡାକରେ ଟଙ୍ଗା ହୋଇଥିବା ମୌନ ମାନଚିତ୍ର ? ଭୋକର ଭୂଚିତ୍ର ? ଆଜି ଦଳ ନେଇ ଦଳାଦଳି । ଦଳଗାଡିଆରେ ଶାସକପକ୍ଷରୁ ବିରୋଧୀବର୍ଗକୁ ବଳାବଳି । ସଚିବାଳୟର ସଦରଦର୍ଜା ସାମ୍ନାରେ ଶୋଭାଯାତ୍ରାକାରୀ ସଙ୍ଗଠନ ସମୂହଙ୍କ ମହାମେଳି । କେତେ ଦାବୀ ଦବିଯାଏ ସ୍ୱୈରାଚାରୀ ଶାସନର ସ୍ୱାର୍ଥରକ୍ଷା ପାଇଁ । କେତେ ଅନୁନୟ ଅସଫଳ ହୋଇ ରହିଯାଏ ଅନୁଚିତ ଉପେକ୍ଷାରେ । ଜଳକା ଜନତା ବଳକା ବ୍ୟଥାରେ ବିତାଉଥାଏ ବିଫଳ ଜୀବନ ।
ଗରିବମାନଙ୍କ ଗଡଜାତ, ଗାଉଁଲୀମାନଙ୍କ ଗାଆଁ, ମୂର୍ଖମାନଙ୍କ ମଫସଲ, ମୂଢମାନଙ୍କ ମୋଗଲବନ୍ଦି, ଜନଜାତିମାନଙ୍କ ଜଙ୍ଗଲ ଜମିକୁ ନେଇ ସମୁଦ୍ରଠୁ ପାହାଡ ପର୍ଯ୍ୟନ୍ତ ପ୍ରସାରିତ ଏକ ପ୍ରକୃତିପ୍ରତିମା ଏ ଓଡ଼ିଶା ।
କେନ୍ଦୁପତ୍ରଠୁ କୁନ୍ଦପୁଷ୍ପଯାଏଁ, ତାଳବେଣେଇଠୁ ଶାଳବଣଯାଏଁ, ଘାଟଘେରିଠୁ ଘାଟିମୁଲକଯାଏଁ ବାଟିବାଟି ବିଲବାସ୍ନାର ବିହ୍ୱଳ ଭୂମିକା ଏ ଓଡ଼ିଶା । ଏଠି ଖଣି ଅଛି, ମଣି ଅଛି, କ୍ଷେତ ଅଛି, ନେତ ଅଛି, ନଦୀ ଅଛି, ବେଦୀ ଅଛି, ମଠ ଅଛି, ପୀଠ ଅଛି, ମୂର୍ତି ଅଛି, କୀର୍ତି ଅଛି – ନାହିଁ କ’ଣ? ନାହିଁ ଖାଲି ମନ । ଓଡ଼ିଶାକୁ ଓଡ଼ିଶାମାନଙ୍କର ବୁକୁଭରି ଭଲପାଇବାର ଭରପୂର୍ ମନ ।
୧୪୭ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଆସୁଥିବା ବିଧାୟକବର୍ଗ ମନେ ହେଉଛି, ଯେମିତି ବିଧାନସଭାକୁ ବୁହା ହୋଇ ଆସୁଛନ୍ତି ଓଡ଼ିଶାରୁ ନୁହେଁ, ଓଡ଼ିଶା ବାହାରୁ ! କାହିଁକିନା କଦବା କେମିତି ନିଜନିଜ ନିର୍ବାଚନମଣ୍ଡଳୀର ନାଆଁ ସିନା ସେମାନେ ଧରୁଛନ୍ତି ଗଣମାଧ୍ୟମ ଆଗରେ, ମାତ୍ର ଗୋଟାପଣେ ଓଡ଼ିଶାର ସମ୍ବୋଧନ ସେମାନଙ୍କ ସ୍ୱରଶଦ୍ଦରେ ଶୁଣାଯାଉଛି କି ଥରଟିଏ ? ଲଙ୍କାରେ ପଛେ ହରିନାମ ଶୁଭିପାରେ ରକ୍ଷିତ ରାକ୍ଷସମାନଙ୍କ ମୁହଁରେ, ହେଲେ ଓଡିଶା ବିଧାନସଭାରେ ‘ଓଡିଶା’ ନାଆଁଟି ଶୁଭୁଛି କି ଆମ ବିଧାୟକବର୍ଗଙ୍କ ଭକ୍ତିପ୍ରତ୍ୟୁକ୍ତିରେ ? ଓଡ଼ିଶାର ବିଧାୟକବର୍ଗ ଭୁଲିଯାଇଛନ୍ତି ଓଡ଼ିଶାକୁ – ନିଜ ନିର୍ଯାତିତା ନୀଳମାଧବୀକୁ ।
ଶବରମାନଙ୍କ ଖବର, କନ୍ଧମାନଙ୍କ କାହାଣୀ, କୋହ୍ଲମାନଙ୍କ କୋହ, ଜୁଆଙ୍ଗମାନଙ୍କ ଯନ୍ତ୍ରଣା, ମୁଣ୍ଡାମାନଙ୍କ ମୁହାଁସ, ପରଜାମାନଙ୍କ ପରାସ, ବଣ୍ଡାମାନଙ୍କ ବ୍ୟଥା, କୁଇମାନଙ୍କ କଥା କେଉଁ ଓଡିଶାର ଗିରିକନ୍ଦରକୁ ଚିରିଦେଉଥାଏ ଚିରକାଳ ? ପ୍ରଜା, ପ୍ରଜାତି, ଜନଜାତିର ଅସୁମାରି ଆଙ୍କାକ୍ଷା କେଉଁ ଓଡ଼ିଶାର ଚିତ୍ରପଟରେ ଅଙ୍କା ହେଉଥାଏ ଅବିକଳ ? କେଳା, କୈବର୍ତ, କୁମ୍ଭାର, କମାର, ଚଷା, ଚମାର, ଗୋପାଳ, ଗୋଚ୍ଛାୟତ, କ୍ଷତ୍ରୀ, ଖଣ୍ଡାୟତ, ନାହାକ, ନାପିତ, ସାହୁ, ସେବାୟତ ଇତ୍ୟାଦି ଶତାଧିକ କୁଳ ଓ ବର୍ଗର ଭାଷା-ଉପଭାଷା କେଉଁ ଓଡିଶାର ଲୋକସଂସ୍କୃତିକୁ ଏକାଠି କରୁଥାଏ ସେକାଳରୁ ଏକାଳ ?
ଓଡ଼ିଶାକୁ ମହାଜନମାନେ ଏବେ ବି ଅଣ୍ଡାଳି ଚାଲିଛନ୍ତି ଖାତକର ଖତଗଦାରେ ବେଠି-ବେକାରି-ବେରୋଜଗାରିରେ ବେଦମ୍ ଏ ବାଦାମୀ ଭୂଇଁ । ଝଡି-ବଢି- ମରୁଡିରେ ଝୋଲାମରା ଏ ଖୋଲାମାଟି । ବନ୍ଧନାହିଁ, ବାଡ ନାହିଁ – ନଈନାଳର ଏ ନୂଆଣିଆ ନୈରାଜ୍ୟରେ । କେନ୍ଦ୍ରର କବାଟ ସାମ୍ନାରେ କରୁଣ କେନ୍ଦରା ବଜାଉଥିବା ନାଥଯୋଗୀର ଅନାଥ ଅନ୍ତଃସ୍ୱର !
ଗବେଷକମାନେ ଏ ଓଡ଼ିଶାକୁ ତଲାସ କରନ୍ତି ତାଳପତ୍ରରେ – ପର୍ଯ୍ୟଟକମାନେ ତାକୁ ଭଙ୍ଗାରୁଜା ମୂର୍ତ୍ତୀ ଭାବରେ ଭେଟନ୍ତି ପରିତ୍ୟକ୍ତ କେଉଁ ମନ୍ଦିରଗାତ୍ରରେ – ସାମ୍ବାଦିକମାନେ ତାର ଶୋକାର୍ତ୍ତ ସାକ୍ଷାତକାର ନିଅନ୍ତି ଅନାହାରୀ ଅପନ୍ତରାର ଅଜ୍ଞାତ ଅନ୍ନଛତ୍ରରେ ! ଐତିହାସିକମାନେ ଓଡ଼ିଶାକୁ ଠାବ କରନ୍ତି ଐରାବତର ଅରଣ୍ୟରେ ଏବଂ ରାଜନୈତିକ ରକ୍ତବାହୁମାନେ ତାକୁ ବରାବର ଧର୍ଷଣ କରନ୍ତି ଲୁପ୍ତଲୁଣ୍ଠିତ ରାଜକୋଷର ଗୁପ୍ତ ଗୋଦାମରେ !
ଓଡ଼ିଶା ପାଇଁ – ପରୁଆ ନାଇଁ । ବେପରୁଆ ବେପାରୀବର୍ଗର ପଣବନ୍ଦିନୀ ଗଣନର୍ତକୀଟିଏ ପାଲଟିବାକୁ ଯାଉଛି ଏ ବୁନିଆଦ୍ ଭୂଇଁ ! ସତ କହିବାକୁ ଗଲେ ଅତୀତର ବିଧର୍ମୀ ବାହିନୀର ବିପକ୍ଷତା ବା ବର୍ତ୍ତମାନର ମାଓବାଦୀ ସଂଗଠନର ଆକ୍ରମଣ ଦ୍ୱାରା ଓଡ଼ିଶା ଯେତେ କ୍ଷତିଗ୍ରସ୍ତ ହୋଇନାହିଁ, ତା’ ଅପେକ୍ଷା ଆହୁରି ଅଧିକ କ୍ଷୟକ୍ଷତିରେ ଆକ୍ରାନ୍ତ ହୋଇସାରିଛି ନିଜର ରାଜନୈତିକ ରଣକୌଶଳୀ ଶଠମାନଙ୍କ ଦ୍ୱାରା ! ଆଜିର ଏ ଚଂଚକ ନେତାମାନେ ହେଉଛନ୍ତି ପ୍ରକୃତରେ ଓଡ଼ିଶାର ପ୍ରଳୟଙ୍କର ପ୍ରତିପକ୍ଷ ! ବେଳ ଆସିଲେ ଏମାନେ ବିନା ଦ୍ୱିଧାରେ ଓଡ଼ିଶାକୁ କ୍ରୀତଦାସୀ କରି ରପ୍ତାନୀ କରିଦେଇପାରନ୍ତି ବିଦେଶୀକମ୍ପାନୀର ବ୍ଲାକ୍ମାର୍କେଟକୁ ।
ଓଡ଼ିଶା ଆଜି ଏଇ ରାଜନୈତିକ ବୈଶ୍ୟମାନଙ୍କ ନାରକୀୟ ନେଟ୍ୱାର୍କ୍ର ନମ୍ବର-ୱାନ୍ ନୂଆଶିକାର୍…ଟ୍ରାଜିକ୍ ଟାର୍ଗେଟ୍ ! ଓଡିଶା ଏବେ ପାଲଟିଛି କୁଶଳୀ କଂସାଇମାନଙ୍କ କୁଶ କଅଁଳୁନଥିବା ନବ୍ୟ ନରକ । ନର୍କ-ଓଡ଼ିଶାକୁ ସ୍ୱର୍ଗ କରାଯାଇପାରିବ – ଯଦି ଦଳମତ ନିର୍ବିଶେଷରେ ଏକଜୁଟ ହୋଇପାରନ୍ତି ୧୪୭ ନିର୍ବାଚନମଣ୍ଡଳୀର ଜନପ୍ରତିନିଧିମାନେ । ନହେଲେ ନାରା ଉଠିପାରେ ” ଓଡ଼ିଶାକୁ ଯଦି ନକରିବ ସ୍ୱର୍ଗ , ବିଦା ହୋଇଯାଅ ବିଧାୟକବର୍ଗ ।”
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.