କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୧
ମାଆ…ଦେବ ଆସିଲା କି ?
ବାପାଙ୍କ କରୁଣ କଣ୍ଠସ୍ୱର ଦେବୀକୁ ଉଠେଇ ଦେବା ପାଇଁ ଯଥେଷ୍ଟ ଥିଲା। ଲାଇନ କଟି ସାରା ଘର ଅନ୍ଧାରର କବଳରେ। କଳା ରଙ୍ଗର କାମିଜ ପିନ୍ଧି ଏକୁଟିଆ ବସିଛି ଲଣ୍ଠନ। ତା’ ଆଲୋକରେ ଦିଶୁଥିଲା ଏକ ଫୁଲଫୁଟା ଅତୀତ।
ହେଇ ଦିଶୁଛି ଗାଆଁ ଦାଣ୍ଡ। ଧୁଳିଖେଳ, ସୁନାମୁହିଁ ନଈ, ନଈରେ ମାଛଧରା। ହେଇ ଦିଶୁଛି ଏକ ଝଡ଼ବର୍ଷାରେ ଅନ୍ଧ ହୋଇଥିବା ସଂଜବୁଡ଼ ଚେନାଏ ଚମକ ପରି ଦେବର ମୁହଁ ।
ଦେବୀ ନିଜକୁ ଚିହ୍ନିଲା ଏଇ ଅତୀତ ଭିତରେ। କାଦୁଅ ସରସର ହୋଇ ପଡ଼ି ଉଠି ଯାଉଯାଉ ଆଗରେ ଦେଖାଗଲା ଏକ କୁଡିଆ। କାଳ ବିଳମ୍ବ ନକରି ଦେବୀ କୁଡିଆ ଭିତରେ ପ୍ରବେଶ କଲା।ଅନ୍ଧାରରେ ଭର୍ତି ହୋଇଥିଲା ତାର ଅଭ୍ୟନ୍ତର । ଦେବୀକୁ ଭୟ ଲାଗିଲା। ଲାଗିଲା ଯେମିତି ଅନ୍ଧାର ନୁହେଁ କେଉଁ ଏକ ଆଶରିରୀ ଆତ୍ମାର ଘନକୃଷ୍ଣ ଛାଇ। ବାହାରେ ବର୍ଷା ଆଉ ପବନର ଯୁଗଳ ମୂର୍ତ୍ତି ସତେ ଯେପରି ଧ୍ଵଂସର ଅଭିନୟ କରୁଛନ୍ତି। ଅନ୍ଧାର ଭିତରେ ହାତ ମାରି ଦେବୀ ଜାଣିପାରିଲା ଯେ କୁଡ଼ିଆ ଚାଳରୁ ପାଣି ଗଳୁଛି। ଅନେକ ସମୟ ଧରି ବର୍ଷା ଓ ପବନ ସହିତ ଲଢ଼ିଲଢି ସେ ହାଲିଆ ହୋଇଯାଇଥିଲା। ତା ଆଖିଆଗର ଅନ୍ଧାର ସତେ ଯେମିତି ଧିରେ ଧିରେ କାବୁକରୁଥିଲା ତା ଚେତନାକୁ।
ସହସା ତାକୁ ଲାଗିଲା ଆଉ କେହିଜଣେ ଏଠାକୁ ଆସିଲାଣି।
ଭୂତ ଫୁତ କିଛି ନୁହେଁ ତ ! ଏଇକଥା ଭାବିବା ମାତ୍ରେ ପାଦ ଆଡୁ ମାଡ଼ିଆସିଲା ଏକ ଅଭୂତପୂର୍ବ ଶୀତଳତା। ସେ ନିଜକୁ ଖୁବ୍ ସଞ୍ଜତ କରି ଚୁପ୍ ରଖିଲା। ଏମିତି କି ସେ ଚାହୁଁଥିଲା, ନେଉଥିବା ନିଃଶ୍ୱାସ – ପ୍ରଶ୍ୱାସ ବି ଶବ୍ଦ ରହିତ ହେଉ।
ଘର ଭିତରେ କେହି ଜଣେ ପଶିଲା। ଦେବୀ ଅନୁଭବ କଲା ତାର ଉପସ୍ଥିତି, ଛାଇ ମିଶ୍ରିତ ଆକାର । ଅହେତୁକ ଭୟରେ ଥରି ଉଠୁଥିଲା ତାର ସମଗ୍ର ଶରୀର। ହଠାତ୍ ସମଗ୍ରତାକୁ ସ୍ତବ୍ଦ କରି ଆକାଶରୁ ଖସିପଡିଲା ଏକ ପ୍ରଚଣ୍ଡ ଲତା ବିଜୁଳି। ଏହାର ଶବ୍ଦ ଏତେ ପ୍ରଖର ଥିଲା ଯେ ଲାଗୁଥିଲା ଏଇଠି କେଉଁଠି ଗୋଟେ ପାହାଡ଼ ଭାଙ୍ଗିପଡୁଛି ।
ବିଜୁଳିର କ୍ଷଣମାତ୍ର ଆଲୋକରେ କୁଡିଆ ଭିତରଟା କିଛି ସମୟ ପାଇଁ ଜଳି ଉଠିଲା। ଦେବୀ ଆଗରେ ଠିଆ ହୋଇଥିଲା ଦେବ। ମନ ଭିତରେ ଫଣା ତୋଳୁଥିବା ଭୟର ସାପ ଧିରେ ଧୀରେ ଅନ୍ଧାରରେ ଅଦୃଶ୍ୟ ହୋଇଗଲା ।
ବାହାରେ ବର୍ଷା ପବନର ମାତ୍ରା ଟିକେ କମିବା ଭଳି ଲାଗୁଥିଲା। କାଳ ବିଳମ୍ବ ନକରି ଦେବୀର ହାତ ଧରି ଦେବ ବାହାରକୁ ବାହାରିଲା। ଆଖି ଆଗରେ ଏକ ସ୍ତରୀଭୂତ ଅନ୍ଧାର ପାହାଡ଼।ବାଆଁ – ଡାହାଣ ଯୁଆଡେ ଚାହିଁଲେ ଖାଲି ଅନ୍ଧାର। ଦେବୀ ଦେହରେ ଟୋପାଏ ବଳ ନଥିଲା। ବର୍ଷା ପବନ ମାଡ଼ରେ ତା ପଦ୍ମ କୋମଳ କଳେବର ଝାଉଁଳି ପଡ଼ିଥିଲା।
ଏକଥା ବୁଝି ପାରିଲା ବୋଧେ ଦେବ। ସେ ଅଣ୍ଟାରେ ବାନ୍ଧିଥିବା ଗାମୁଛାକୁ ଦେବୀ ମୁଣ୍ଡ ଉପରେ ପକେଇ ଦେଇ ତା ହାତଧରି ଧିରେ ଧିରେ ଚାଲିଲା। ସେମାନେ କେତେବାଟ ଯାଉଛନ୍ତି କୁଆଡେ ଯାଉଛନ୍ତି ଜଣା ନଥିଲା। ଦେବୀକୁ ଲାଗୁଥିଲା ସତେ ଯେମିତି ସେ ଏକ ପୁନର୍ଜନ୍ମ ପାଉଛି। ଏକ ଆଶ୍ରୟର ସବଳ ବିଶ୍ୱାସ ତା ଭିତରେ ଅଙ୍କୁରିତ ହେଉଥିଲା ।ତାକୁ ଲାଗିଲା ତା ନାରୀ ଜନ୍ମ ସାର୍ଥକ ହେବାକୁ ଯାଉଛି।
କିଛି ସମୟ ପରେ ଶୁଣାଗଲା ଏକ ମଧ୍ୟମ ଧରଣର କୋଳାହଳ। ଦେବୀ ଦେବ କାନ୍ଧ ଉପରେ ମୁଣ୍ଡ ଥୋଇ ଆଗକୁ ଚାହିଁଲା।ଦେଖିଲା ତା ବାପା ହାତରେ ଟର୍ଚ୍ଚ ଧରି ଆଗେ ଆଗେ ଆସୁଛନ୍ତି। ତାଙ୍କୁ ପିଛା କରୁଛନ୍ତି ଗାଆଁର କିଛି ଲୋକ। ସମସ୍ତଙ୍କ ହାତରେ ଠେଙ୍ଗା ଓ କିଛି ପାରମ୍ପାରିକ ଅସ୍ତ୍ରଶସ୍ତ୍ର । କିଛି ମୁହୂର୍ତ୍ତ ପରେ ଦେବ ଆଉ ଦେବୀଙ୍କୁ ଦେଖିନେଲେ ବାପା। ସାଙ୍ଗେ ସାଙ୍ଗେ ଦେବ କାନ୍ଧରୁ ଦେବୀକୁ ନେଇ ନିଜ କାନ୍ଧ ଉପରେ ରଖିଦେଲେ। ତାପରେ ଅନ୍ଧାର ମାଡ଼ି ଆସିଲା ଦେବୀର ଆଖିରେ…।
କ୍ରମଶଃ………
Comments are closed.