Latest Odisha News

BREAKING NEWS

ଅନୁବାଦ କବିତା : ହ୍ୟାମଲେଟ

ମୂଳ ରଚନା : ବୋରିସ ପାସ୍ତରନାକ 

କଲରବ ଥମିଯିବା ପରେ
ମୁଁ ପ୍ରବେଶ କରେ ମଞ୍ଚରେ
ଦ୍ୱାରଦେଶରେ ଛିଡ଼ା ହୋଇ
ଦୂରରୁ ଭାସି ଆସୁଥିବା
ପ୍ରତିଧ୍ଵନିମାନଙ୍କରୁ
ଆବିଷ୍କାର କରିବାର ଚେଷ୍ଟାକରେ
ମୋର ଭବିଷ୍ୟତରେ କ’ଣ ଲେଖା ଅଛି ।

ରାତିର ଘନ ଅନ୍ଧକାର ସହସ୍ର ଦୂରବିକ୍ଷଣର
ଶାଣିତ ଦୃଷ୍ଟି ନେଇ ମୋ ଉପରେ ସ୍ଥିର ,
ମୋ ପାଖରୁ ଦୂରରେ ରଖ ଏଇ ପାନପାତ୍ର
ହେ ପୂଜ୍ୟ ପିତା ! ତୁମ ପାଇଁ ତ ସବୁକିଛି ସମ୍ଭବ !

ମତେ ଭଲ ଲାଗେ ତୁମର ଏଇ ଅବାଧ୍ୟ ଯୋଜନା
ମୁଁ ସନ୍ତୁଷ୍ଟ ମୋ ନିଜ ଭୂମିକାରେ ।

ମାତ୍ର ଆଉ ଏକ ନାଟକ ବି ତ ଚାଲିଛି
ମୋତେ ସେଥିରୁ ଏଥରକ ପାଇଁ ବାଦ ଦେଇଦିଅ
କିନ୍ତୁ କାର୍ଯ୍ୟକ୍ରମର ଖସଡ଼ା ତ ନିର୍ଦ୍ଧାରିତ
ଏବଂ ପରିଣତି ମଧ୍ୟ ଜଉମୁଦରେ ସିଲ ହୋଇ ନିର୍ଣ୍ଣିତ।
ମୁଁ ନିତାନ୍ତ ଏକାକୀ , ମୋର ଚାରିଦିଗ ମିଥ୍ୟାର ଘେରରେ
ଜୀବନଟା ନୁହେଁ ଖାଲି ଯାତ୍ରା ଏକ ପ୍ରାନ୍ତର ଭିତରେ ।

ଅନୁବାଦ : ମନୋରଞ୍ଜନ ହୋତା

Comments are closed, but trackbacks and pingbacks are open.