ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ବର୍ଷକୁ ଥରେ ମକର ଯାତ୍ରା । ସେଥିପାଇଁ ଯିଏ ଯେଉଁଠି ଥିଲେ ସମସ୍ତେ ଗାଁକୁ ଆସିଛନ୍ତି। କେବଳ ଏବେ ନୁହେଁ, ଶହ ଶହ ବର୍ଷ ଧରି ଚାଲି ଆସିଛି ଏହି ପରମ୍ପରା। ଗାଁର ମହାଦେବଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ ମକର ମେଳା। ଗାଁର ଈଷ୍ଟଦେବତାଙ୍କ ଏ ମେଳାରେ କିଏ ବା ଭାଗ ନନେବ? ଏଥିପାଇଁ ଗାଁ ଠାକୁରାଣୀଙ୍କ ପାଖରେ ପ୍ରଥମେ ଜନ୍ତାଳ ହୁଏ। ଗାଁଟା ଯାକର ମଣିଷ ଏକାଠି ଠାକୁରାଣୀଙ୍କ ଭୋଗ ଖାଆନ୍ତି। ତା ପରେ ମହାଦେବଙ୍କ ପାଖରେ ବାନା ବାଉଁଶ ଉଠେ। ଗାଁ ଓ ଆଖ ପାଖ ଗାଁର କୀର୍ତ୍ତନିଆମାନେ ଆସି କୀର୍ତ୍ତନ କରନ୍ତି। ଶେଷରେ ସେହି ମନ୍ଦିର ବେଢ଼ାରେ ହିଁ ରାତିରେ ମହାଦେବଙ୍କ ପ୍ରସାଦ ସେବନର ସୁଯୋଗ ସମସ୍ତଙ୍କୁ ମିଳେ। ପୁଣି ତା ପରଦିନ ଗାଁ ମକର ମେଳା ପଡ଼ିଆରେ ନାଟକ ମଞ୍ଚସ୍ଥ ହୁଏ। ଏଥିପାଇଁ ଗାଁର ପ୍ରତ୍ୟେକ ଲୋକ ଆଖ ପାଖ ଗାଁରେ ଥିବା ନିଜ ସଂପର୍କୀୟମାନଙ୍କୁ ଘରକୁ ନିମନ୍ତ୍ରଣ କରନ୍ତି। ବିଶେଷ କରି ଶାଶୂଘରେ ଥିବା ଗାଁର ସବୁଝିଅଙ୍କୁ ନିଉତା ଦିଆଯାଏ। ପ୍ରକୃତରେ ଅନୁଭବ ହୁଏ ଗାଁରେ ମକର ଆସିଛି। ସେଥିପାଇଁ ତ ଯିଏ ଯେଉଁଠି ଥିଲେ ବି ମକର ଯାତ୍ରା ପାଇଁ ଗାଁକୁ ନିଶ୍ଚିତ ଆସନ୍ତି।
କିଏ ବାଙ୍ଗାଲୋରରେ କୋଉ କଣ୍ଟ୍ରାକ୍ଟର ପାଖରେ ଦାଦନ ହୋଇ ଖଟୁଥିଲା, ତ ଆଉ କିଏ ଆନ୍ଧ୍ର ଇଟାଭାଟିରେ କାମ କରୁଥିଲା। କିଏ ଚେନ୍ନାଇରେ ସିକ୍ୟୁରିଟି ଗାର୍ଡ ଥିଲା, ଆଉ କିଏ କଲିକତାରେ ରୋଷେୟା ଥିଲା। ସମସ୍ତେ ନିଜ ନିଜ ଠିକାଦାରକୁ କହି ବୋଲି ନେହୁରା ହୋଇ ଶେଷରେ ଗାଁକୁ ଯିବାକୁ ସୁଯୋଗ ପାଇଛନ୍ତି। ସେଥିପାଇଁ କିଏ ଚାଲୁ ଟିକଟରେ ଟ୍ରେନରେ ବସିଛି, ଆଉ କିଏ କୋଉ ମାଲବୋଝେଇ ଟ୍ରକ୍ ବାଲା ସାଙ୍ଗରେ କଥାବାର୍ତ୍ତା କରି ଅଧାବାଟ ଆସିବା ପରେ ପୁଣି ଆଉ କାହାର ସହାୟତାରେ ଗାଁମୁହାଁ ହୋଇଛି। ଗୋଟିଏ ଲକ୍ଷ୍ୟ, ମକର ସଂକ୍ରାନ୍ତି ସୁଦ୍ଧା ଗାଁରେ ପହଞ୍ଚିବାକୁ ହେବ। ପିଲାମାନେ ଘରେ ଅପେକ୍ଷା କରିଥିବେ। ମକର ଆସିଛି, ବାପା ନିଶ୍ଚୟ ଆସିବେ। ସାଙ୍ଗରେ ନୂଆ ପୋଷାକ ଆଣିବେ। ଖଜା ମିଠା ସାଙ୍ଗକୁ ସାଧ୍ୟ ମୁତାବକ ଖେଳଣା, କଣ୍ଢେଇ ବି ଆଣିବେ ବାପା। ଏଇ ଆଶାରେ ସବୁ ପିଲା ଅପେକ୍ଷା କରିଥାନ୍ତି।
ସମସ୍ତେ ଯେ ଠିକାଦାର ସହିତ ଚୁକ୍ତିକରି ଦାଦନ ଭାବେ ଖଟୁଛନ୍ତି ତା ନୁହେଁ। ଯେଉଁମାନେ ପାଠଶାଠ ପଢ଼ି ଗତ କିଛି ବର୍ଷ ହେଲା ଗାଁଠୁ ଦୂରରେ ରହି ବିଭିନ୍ନ ସ୍ଥାନରେ ଚାକିରି ବାକିରି କରୁଛନ୍ତି, ସେମାନେ ବି ସେହି ମକର ବେଳକୁ ଗାଁକୁ ଆସିବା ପାଇଁ ସମସ୍ତ ପ୍ରକାର ଫନ୍ଦି ଫିକର କରିଥାନ୍ତି। ଅବଶ୍ୟ ସମସ୍ତଙ୍କ ଭାଗ୍ୟରେ ମକର ମେଳା ପାଇଁ ଗାଁକୁ ଫେରିବାଟା ଜୁଟେନି। କିନ୍ତୁ ଦୂରରେ ଥିଲେ ବି ମନଟା ଗାଁ ମକର ଯାତ୍ରାରେ ହିଁ ଅଟକି ରହିଥାଏ। ତେଣୁ ମୋଟାମୋଟି କହିଲେ, କିଏ ଖଣି, ଖାଦାନରେ ହାଡ଼ଭଙ୍ଗା ପରିଶ୍ରମ କରି ପେଟ ଭାତିଆ ରୋଜଗାର କରୁଛି ତ ଆଉ କିଏ ଘରଠୁ ଦୂରରେ ରହି ହୁଏତ ଅଫିସରେ ବସି କାମ କରି ରୋଜଗାର କରୁଛି। ଫରକ କେବଳ ଏତିକି। ନଚେତ ଉଭୟେ ଦାଦନ। ଜଣେ ପାଠ ପଢୁଆ, ଆଉ ଜଣେ ଅପାଠୁଆ।
ଖାଲି ସେତିକି ନୁହେଁ, ଯଦି କେହି ଦଶ ପନ୍ଦର ଦିନ ଆଗରୁ ଗାଁରେ ପହଞ୍ଚିବାର ସୁଯୋଗ ପାଇଯାଏ, ତାହେଲେ ତାର କଚେପୁଅ ବାର। ମାନେ ଗାଁ ଯାତ୍ରାରେ ତାକୁ ଗୋଟେ ପାର୍ଟ୍ ତ ନିଶ୍ଚୟ ମିଳିବ। ଯଦିଓ ମାସେ ପୂର୍ବରୁ ଗାଁ ପିଲାମାନେ ନାଟ ମାଷ୍ଟ୍ରେଙ୍କୁ (ନିର୍ଦ୍ଦେଶକ) ଡାକି ଗାଁରେ ମକର ଯାତ୍ରା ପାଇଁ ବହି ପୂଜା କରି ରିହରସାଲ ଆରମ୍ଭ କରିଥିବେ, ତଥାପି ଏହି ପ୍ରବାସୀ ଦାଦନିଆ (ଗାଁରେ ସାଧାରଣତଃ ଦାଦନମାନଙ୍କୁ ଏମିତି ଦାଦନିଆ କହନ୍ତି) ମକରର ପନ୍ଦର ଦିନ ପୂର୍ବରୁ ଗାଁରେ ପହଞ୍ଚିଗଲେ ମନଟା କନକନ ହୁଏ। ଇଛାହୁଏ ଯେମିତି ହେଲେ ଗାଁ ଯାତ୍ରାରେ ରୋଲ୍ ଖଣ୍ଡେ କରିବାକୁ। ସେଥିପାଇଁ ପ୍ରତିଦିନ ଗାଁ ସ୍କୁଲଘରେ ରିହରସାଲ ଚାଲିଥିଲା ବେଳେ ପହଞ୍ଚିଯାଆନ୍ତି ସେମାନେ। ଅପେକ୍ଷା କରିଥାନ୍ତି, ଯଦି କୌଣସି ପାର୍ଟିଅର (ଅଭିନେତା) ଟିକିଏ ଠିକ୍ ଭାବେ ନିଜ ଭୂମିକା ନିଭାଇ ପାରୁନି, ତାହେଲେ ନାଟ ମାଷ୍ଟ୍ରେଙ୍କୁ କହି ସେହି ଭୂମିକାଟିକୁ ହାତେଇ ନିଆଯାଇପାରେ। କିନ୍ତୁ କାଁ ଭାଁ ଏଭଳି ସୁଯୋଗ ଆସେ। ନହେଲେ କେବଳ ଆଶା ନେଇ ଅନାଇ ବସିବାକୁ ପଡ଼େ। ଶେଷରେ ନିଜ ଓରିମାନା ମେଣ୍ଟାଇବା ପାଇଁ ମକର ମେଳା ଦିନ ଗାଁ ମୁକ୍ତାକାଶ ମଞ୍ଚ ପଛପଟେ ଥିବା ଗ୍ରୀନରୁମରେ କେବଳ ନାଟୁଆ ପିଲାଙ୍କୁ ସହଯୋଗ କରିବା ଏବଂ ଶେଷରେ ମଞ୍ଚ ପାଖରେ ରହି ଦର୍ଶକ ହୋଇ ନିଜକୁ ସନ୍ତୁଷ୍ଟ କରିବାକୁ ପଡ଼େ।
ଏଥର କି ମହାମାରୀ ଆସିଲା, ସରକାରୀ କଟକଣା ଲାଗିବା ଫଳରେ ଗାଁରେ ଆଉ ମେଳା ମହୋତ୍ସବ କିଛି ହେଲାନି। ଦେଢ଼ମାସ କାଳ ରିହରସାଲ କରି ଯେତେବେଳେ ମକର ସଂକ୍ରାନ୍ତି ଦିନ ଗାଁ ପିଲେ ମଞ୍ଚ ପ୍ରସ୍ତୁତ କଲେ, ସେଦିନ ସେମାନେ ଏତେ ଉତ୍କଣ୍ଠିତ ଥିଲେ ଯେ, ତାହା ପ୍ରତିଟି ପିଲାର ହାବଭାବରୁ ସ୍ପଷ୍ଟ ଦେଖାଯାଉଥିଲା। ମଞ୍ଚରେ ଆଲୋକ ସଜ୍ଜା ସରିଥିଲା। ମାଇକ୍ ଟେଷ୍ଟ ବି ହୋଇସାରିଥିଲା। ଏତିକି ବେଳେ ସରକାରୀ ବାବୁ ଆସି ପହଞ୍ଚିଲେ। ଆଉ ଯାତ୍ରା ହୋଇପାରିବ ନାହିଁ, ସବୁକିଛି ବନ୍ଦ କର ବୋଲି ନିର୍ଦ୍ଦେଶ ଦେବା ପରେ, ପିଲାମାନଙ୍କ ମୁହଁ ଶୁଖି ଯାଇଥିଲା। ସମସ୍ତେ ଭାଙ୍ଗି ପଡ଼ିଥିଲେ। କାହା ମୁହଁରେ କଥା ନଥିଲା। ଗାଁର ମୁରବିମାନେ ବି ଚୁପ୍। ରାଜାଆଜ୍ଞା .. ଆଉ କଣ କରାଯାଇପାରିବ? ଯିଏ ଯାହା ଘରକୁ ଫେରିଲେ। ଗାଁ ମକର ମେଳା ପଡ଼ିଆରୁ କୁନି ପିଲାଙ୍କଠୁ ଆରମ୍ଭ କରି ଗାଁର ବୁଢ଼ା ବୁଢ଼ୀ ସମସ୍ତେ ଘରକୁ ଫେରି ଆସିଥିଲେ। ଏତିକି ବେଳେ ସବା ପଛରେ କଥା ହୋଇ ହୋଇ ଫେରୁଥାନ୍ତି ପୌଷଚନ୍ଦ୍ର ଓ ଜିତେନ୍ଦ୍ରୀୟ। ଉଭୟଙ୍କ ବୟସ ଷାଠିଏ ପାଖାପାଖି। ସେମାନେ ପିଲାଦିନେ ନିଜ ବାପା ଜେଜେ ମକର ଯାତ୍ରାରେ ଅଭିନୟ କରିବା ଦେଖିଛନ୍ତି।
ତେବେ ସେତେବେଳେ ଯାତ୍ରାରେ କୌଣସି କାଳ୍ପନିକ ବା ସାମାଜିକ ନାଟକ ମଞ୍ଚସ୍ଥ ହେଉନଥିଲା। କେବଳ ପୌରାଣିକ ନାଟକ। ନହେଲେ ରାଧା ପ୍ରେମଲୀଳା ବା କୃଷ୍ଣଲୀଳା ଚାଲୁଥିଲା। କିନ୍ତୁ ଏଇମାନେ ଯେତେବେଳେ ବଡ଼ ହେଲେ ଏବଂ ମଞ୍ଚରେ ଅଭିନୟ କରିବା ଶିଖିଲେ, ସେତେବେଳକୁ ସମସ୍ତଙ୍କ ପ୍ରିୟ ଥିଲା କାଳ୍ପନିକ ନାଟକ। ପୌଷଚନ୍ଦ୍ର ଓ ଜିତେନ୍ଦ୍ରୀୟ ଉଭୟଙ୍କ କଥାବାର୍ତ୍ତା ଶୁଣିଲେ ଲାଗୁଥିଲା, ସତେ ଯେମିତି ସେମାନଙ୍କ ଆଖି ଆଗରେ ନାଚି ଉଠୁଛି ସେମାନଙ୍କ ମକରଯାତ୍ରାର ଦିନ ସବୁ।
ପୌଷଚନ୍ଦ୍ର ଓ ଜିତେନ୍ଦ୍ରୀୟଙ୍କୁ ସେତେବେଳକୁ ମାତ୍ର ପନ୍ଦର ଷୋହଳ ବର୍ଷ ବୟସ। ପାଠପଢ଼ା ଘର ଶୂନ୍। ପ୍ରଥମ ଶ୍ରେଣୀ ପରେ ଦ୍ୱିତୀୟକୁ ଯାଇଛନ୍ତି କି ନାହିଁ, ସେ କଥା ଈଶ୍ୱରଙ୍କୁ ଜଣା। ଏଭଳି ସ୍ଥଳେ ସେମାନଙ୍କ ହୃଷ୍ଟପୁଷ୍ଟ ଶରୀର ଦେଖି ନାଟ ମାଷ୍ଟ୍ରେ ଉଭୟଙ୍କୁ ଗାଁ ନାଟକରେ ଅଭିନୟ ପାଇଁ ସୁଯୋଗ ଦେଇଛନ୍ତି। ଗାଁରେ ଚାଲିଛି “ଧର୍ମହାଟ” ବହି। ତେବେ ଏମାନେ ସଂଳାପ ମନେ ରଖିବେ କେମିତି, ସେଇଟା ସବୁଠୁ ବଡ଼ ପ୍ରଶ୍ନ। କାରଣ ଉଭୟଙ୍କୁ ବହି ପଢ଼ିବା ଜଣା ନାହିଁ। ସବୁଠୁ ମଜାକଥା ହେଲା, ଉଭୟେ ସିନା ପଢ଼ି ଜାଣିନଥିଲେ, କିନ୍ତୁ ନାଟକର ସଂଳାପ ସବୁ ସେମାନେ ଶୁଣି ଶୁଣି ମନେ ରଖିପାରିଥିଲେ। ନାଟକର ନାୟକ ପୌଷଚନ୍ଦ୍ର ଏବଂ ଖଳନାୟକ ଜିତେନ୍ଦ୍ରୀୟ। ଯେତେବେଳେ ଗାଁ ମୁକ୍ତାକାଶ ମଞ୍ଚ ପ୍ରସ୍ତୁତ ହୋଇଗଲା, ସେତେବେଳେ ଲାଗୁଥିଲା ସତେ ଯେମିତି ଏ ଉଭୟଙ୍କ ଧମନୀରେ ଅଶ୍ୱବେଗରେ ରକ୍ତ ପ୍ରବାହିତ ହେଉଛି। ନାଟମାଷ୍ଟ୍ରେ ହାରମୋନିଅମରେ ପ୍ରାରମ୍ଭିକ ଧୂନ୍ ବଜାଇବା ସହିତ ନିଜ ଗୁରୁଗମ୍ଭୀର କଣ୍ଠରେ ବନ୍ଦେ ମାତରମ୍ ଉଦଘୋଷଣା କରିବା ପରେ ଆରମ୍ଭ ହୋଇଗଲା ନାଟକ। ଗୋଟିଏ ପରେ ଗୋଟିଏ ଦୃଶ୍ୟରେ ଅଭିନେତାମାନେ ମଞ୍ଚକୁ ଯାଇ ସସଂଳାପ ଅଭିନୟ କରୁଥାନ୍ତି। ନାଟକ ଅବିରତ ଚାଲିଥାଏ। ଯଦି କୌଣସି ପାର୍ଟିଅର କୌଣସି ସ୍ଥାନରେ ସଂଳାପ ଭୁଲିଗଲା, ତାହେଲେ ସେହି ସଂଳାପ ମାଇକରେ ନିଜେ କହିଦେଉଥାନ୍ତି ନାଟମାଷ୍ଟ୍ରେ। ଗ୍ରୀନରୁମ୍ ଓ ମଞ୍ଚ ମଝିରେ ବସିଥାନ୍ତି ବାଦ୍ୟଯନ୍ତ୍ର ସଂଗୀତ ଦଳ। ନାଟମାଷ୍ଟ୍ରଙ୍କ ନିର୍ଦ୍ଦେଶ ଅନୁସାରେ ପାର୍ଶ୍ୱ ସଂଗୀତ ଭାସି ଆସୁଥାଏ।
ତେବେ ଯେତେବେଳେ ପୌଷଚନ୍ଦ୍ର ଓ ଜିତେନ୍ଦ୍ରୀୟ ମଞ୍ଚ ଉପରକୁ ଉଠନ୍ତି, ସେତେବେଳେ ଖୁବ୍ କମ୍ ସଂଳାପ ଚାଲେ, ଆଉ ସବୁଠୁ ଅଧିକ ଚାଲେ ଯୁଦ୍ଧ। ଦୁଇ ଜଣଙ୍କ ହାତରେ ଦୁଇଟି ତଲୱାର। ଉଭୟେ ଉଭୟଙ୍କୁ ମାତ୍ ଦେବାକୁ ଚେଷ୍ଟା କରନ୍ତି। ଦୁଇ ବାଡ଼ିଆ, ଚାରି ବାଡ଼ିଆ, ଛଅ ବାଡ଼ିଆ, ଆଠ ବାଡ଼ିଆ ଏବଂ ଦଶ ବାଡ଼ିଆ .. ଏମିତି ବିଭିନ୍ନ ଶୈଳୀରେ ଖଣ୍ଡାଯୁଦ୍ଧ ଚାଲେ। ପଛରେ ବାଜୁଥାଏ କାନାଡ଼ା ବଇଁଶୀ (କ୍ଲାରିଓନେଟ୍) ଓ ତା ସାଙ୍ଗକୁ ଯୋଡ଼ି ନାଗରା। ଆଉ ସେମାନଙ୍କୁ ଅଧିକ ସହଯୋଗ କରୁଥାନ୍ତି ଦୁଇ ଜଣ ଝୁମୁକା ବଜାଳି। ତୁ ରୁ ରୁରୁ ରୁରୁରୁରୁରୁ ରୁ ରୁରୁରୁ …..ତୁରୁରୁରୁରୁରୁ .. ରୁରୁରୁରୁ … ହାଃ .. ହାଃ.. ହାଃ … । ମଞ୍ଚ ହଠାତ୍ ଅନ୍ଧାର ହୋଇଯାଏ। ତା ପରେ ସେହି ଅନ୍ଧାର ଭିତରେ ଏକ ତୀବ୍ର ସଂଗୀତର ତାଳେ ତାଳେ ମଞ୍ଚର ଉଭୟ ପାର୍ଶରୁ ଦୌଡୁଥାନ୍ତି ପୌଷଚନ୍ଦ୍ର ଓ ଜିତେନ୍ଦ୍ରୀୟ। କିଛି ସମୟର ଧାଁ ଦୌଡ଼ ପରେ ଶେଷରେ ଜିତେନ୍ଦ୍ରୀୟ ମୁହଁରେ କିରୋସିନି ଭର୍ତ୍ତି କରି ନିଜ ତଲୱାରରେ ନିଆଁ ଲଗାଇ ମଞ୍ଚ ଉପରକୁ ଦୌଡ଼ିଆସେ। ତା ପରେ ସେହି ଅନ୍ଧକାର ଭିତରେ ମୁହଁରୁ କିରୋସିନି ଫୁଙ୍କି ତା ଖଣ୍ଡା ଆଗରେ ଦେଖାଏ। ମନେହୁଏ ସତେ ଯେମିତି ତା ମୁହଁରୁ ଅଗ୍ନିବର୍ଷା ହେଉଛି। ଛୋଟ ଛୋଟ ପିଲାମାନେ ଏ ଦୃଶ୍ୟ ଦେଖି ଡରି ଯାଆନ୍ତି। ଏତିକି ବେଳେ ତାରି ଉପରେ ଆକ୍ରମଣ କରେ ପୌଷଚନ୍ଦ୍ର। ପୁଣି ଉଭୟଙ୍କ ଖଣ୍ଡା ଭାଙ୍ଗିଯାଏ। ସେଥିପାଇଁ ମଲ୍ଲଯୁଦ୍ଧ, କୁସ୍ତି ଓ ମୁଷ୍ଟିଯୁଦ୍ଧକୁ ଓହ୍ଲାଇ ପଡ଼ନ୍ତି ଉଭୟେ। ବଳିଷ୍ଠ ଶରୀର ସେ ସବୁ କିଛି କରିବାକୁ ପ୍ରୋତ୍ସାହିତ କରୁଥାଏ। କିଛି ସମୟର ଯୁଦ୍ଧ ପରେ ପୁଣି ଉଭୟେ ଦୌଡ଼ନ୍ତି ଗ୍ରୀନରୁମ୍ ଅଭିମୁଖେ। ପୁଣି ଦୁଇଟି ତଲୱାର ଧରି ଦୌଡ଼ି ଆସନ୍ତି ମଞ୍ଚକୁ। ଖଣ୍ଡାଯୁଦ୍ଧ ବେଳେ କେତେବେଳେ ପୌଷଚନ୍ଦ୍ରର ଦେହରେ ଖଣ୍ଡାବାଜି ରକ୍ତ ବହେ ତ ଆଉ କେତେବେଳେ ଜିତେନ୍ଦ୍ରୀୟର ଦେହରେ। କିନ୍ତୁ ଏ ରକ୍ତ ଅଭିନୟର ରକ୍ତ ନୁହେଁ.. ପ୍ରକୃତରେ ଅଭିନେତାର ନିଜ ରକ୍ତ। ସେମାନେ ଉଭୟେ ନିଜ ଅଭିନୟରେ ଏତେ ମଜ୍ଜିଯାଇଥାନ୍ତି ଯେ, ଜାଣିପାରନ୍ତିନି କେତେବେଳେ ପରସ୍ପରକୁ କ୍ଷତାକ୍ତ କରିପକାଇଛନ୍ତି।
ଏଇ କଥାବାର୍ତ୍ତା ଭିତରେ ହଠାତ୍ ଜିତେନ୍ଦ୍ରୀୟ କହିଲା, ହଇରେ ପୌଷ .. ଦେଖି ଦେଖି ତୋ ପିଠି ଦେଖାଇଲୁ.. ସେଥର ମକର ଯାତ୍ରାରେ ତୋ ପିଠିରେ ମୋ ତଲୱାର ବାଜି ଯେଭଳି ଭାବେ କଟି ଯାଇଥିଲା, ସେ ଚିହ୍ନଟା ଅଛି ନା ନାହିଁ। ପୌଷଚନ୍ଦ୍ର ତା କାମିଜଟାକୁ ଉପରକୁ ଉଠାଇଲା ଏବଂ ଟର୍ଚ୍ଚ ଆଲୁଅରେ ତାର ପିଠିରେ ହାତ ମାରି ଦେଖିବାକୁ ଚେଷ୍ଟା କରୁଥିଲା ଜିତେନ୍ଦ୍ରୀୟ। ସେ ଦେଖିପାରୁଥିଲା, ପ୍ରାୟ ଚାରି ଇଞ୍ଚ ଲମ୍ବର ଗୋଟିଏ କଟା ଦାଗ। ଯେଉଁଥିରେ ଆଠଟା ସିଲେଇ ପଡ଼ିଥିଲା ମକର ଯାତ୍ରାର ପରଦିନ ଡାକ୍ତରଖାନାରେ। ପୌଷ କହିଲା, ଦେଖିଲୁ .. ଏ ଦାଗ କଣ ଆମକୁ କେବେ ମକରଯାତ୍ରାକୁ ଭୁଲିବାକୁ ଦେବ? ତା ପରେ କହିଲା, ଆଛା ଜିତୁ .. ତୋ ଜଙ୍ଘରେ ଯେଉଁ ତଲୱାର ବାଜିଥିଲା … ସଙ୍ଗେ ସଙ୍ଗେ ଟର୍ଚ୍ଚ ଆଲୁଅ ପକାଇ ନିଜ ଜଙ୍ଘର ସେହି କଟାଦାଗଟାକୁ ଦେଖାଇଦେଲା ଜିତେନ୍ଦ୍ରୀୟ। .. ଉଭୟେ ଠୋ ଠୋ ହୋଇ ହସି ଉଠିଲେ। ଏମିତି ହସୁଥିଲେ ଦୁହେଁ, ଲାଗୁଥିଲା ସେମାନେ ସତେ ଯେମିତି ସେହି “ଧର୍ମହାଟ” ନାଟକର ମଞ୍ଚରେ ମକର ମେଳାରେ ଅଭିନୟ କରୁଛନ୍ତି। ଆଉ ତୀବ୍ର ସଂଗୀତର ତାଳେ ତାଳେ ସତେ ଯେମିତି ସେମାନେ ନିଜ ନିଜ ଚରିତ୍ର ଭିତରେ ପୁଣି ଥରେ ସବାର ହୋଇଯାଇଛନ୍ତି। ମହାମାରୀ ପାଇଁ ମକରଯାତ୍ରା ନହୋଇପାରିବାର ଦୁଃଖ ଅପେକ୍ଷା ସେମାନଙ୍କ ସ୍ମୃତିର ମକର ମେଳାରେ ସେମାନେ ହଜି ଯାଇଛନ୍ତି। ବୟସର ଅପରାହ୍ନରେ ମକର ମେଳାର ସ୍ମୃତି ସେମାନଙ୍କୁ ପୁଣିଥରେ ଯୌବନର ଉଦ୍ଦାମତା ଫେରାଇ ଦେଇଛି।
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ । ପିନ୍- ୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪
Comments are closed.