Latest Odisha News

ଶିଶୁ ଗଳ୍ପ : ପର ବୁଦ୍ଧି ପାଇଁ ଦଣ୍ଡ

ନମିତା ପାଇକରାୟ 

ଖରା ଛୁଟି ହୋଇଥାଏ । ରାଜୁ ଗଣିତରେ ଭଲ କରୁ ନଥିଲା । ସେଥିପାଇଁ ବାପା ତାକୁ ନେଇ ଗୋଟିଏ ଭଲ ଗଣିତ ଶିକ୍ଷକଙ୍କ ପାଖକୁ ଗଲେ , ବହୁ ଅନୁରୋଧ ପରେ ଶିକ୍ଷକ ରାଜି ହେଲେ ପଢେଇବା ପାଇଁ । କିନ୍ତୁ ସର୍ତ୍ତ ରଖିଲେ ସେ କେବଳ ଖରା ବେଳେ ଦୁଇ ଘଣ୍ଟା ପଢ଼େଇ ପାରିବେ।

ବାପା ରାଜି ହୋଇ କହିଲେ, “ଆପଣଙ୍କ ଇଚ୍ଛା ଆପଣ ଯେତେବେଳ ଡାକିବେ ସେତେବେଳେ ରାଜୁ ଆସିବ।”

ବାପାରାଜୁ ସହ ଖୁସିରେ ଫେରିଲେ । ଶିକ୍ଷକଙ୍କ ଚିନ୍ତାଧାରା ଥିଲା ନିଆରା, ସେ ଜାଣି ଜାଣି ବୈଶାଖ ମାସ ଖରାବେଳରେ ପିଲାମାନଙ୍କୁ ଡାକନ୍ତି, କାହିଁକି ନା ସେ ସମୟରେ ପିଲାମାନେ ଶୁଅନ୍ତି ନହେଲେ ଆମ୍ବ ତୋଟା ନଈପଠାରେ ବୁଲନ୍ତି । ଗଣିତ ଶିକ୍ଷକ ନଟସାର ସେଇଥି ପାଇଁ ଖରାବେଳକୁ ପାଠପଢା ସମୟ ସ୍ଥିର କରିଛନ୍ତି ।

ରାଜୁ କିଛିଦିନ ହେଲା ନଟସାରଙ୍କ ପାଖକୁ ପଢିବାକୁ ଯାଉଥାଏ ।ତା’ର ଗଣିତ ପ୍ରତି ଯେଉଁ ଭୟ ଥିଲା ଧିରେ ଧିରେ କଟୁଥାଏ । ସେଠାରେ ଅନେକ ପିଲା ରାଜୁର ସାଙ୍ଗ ହୋଇଗଲେ। ତାକୁ ଆଉ ଦୁଇ ପହରିଆ ନିଦ ଲାଗୁନଥାଏ। ଘରୁ ଦୁଇ କିଲୋମିଟର ସାଇକେଲ ଚଲାଇ ରାଜୁ ଠିକ ସମୟରେ ନଟ ସାରଙ୍କ ଘରେ ପହଞ୍ଚି ଯାଏ ।

ଦିନେ ରାଜୁ ପହଞ୍ଚିବାର କିଛି ସମୟ ପରେ ସାରଙ୍କ ପାଖକୁ ଜଣେ କିଏ ଆସି ବାହାରକୁ ଡାକି କିଛି କହିଲେ। ସାର ତୁରନ୍ତ ସାର୍ଟ ପ୍ୟାଣ୍ଟ ପିନ୍ଧି ବାହାରିଲେ, କହିଲେ “ ଛୁଆମାନେ ଅଙ୍କ କଷୁଥା, ମୁଁ ଅଧଘଣ୍ଟାରେ ଡାକ୍ତରଖାନାରୁ ଆସୁଛି ।”

ଅନେକ ପିଲା ତ ସେ ପର୍ଯ୍ୟନ୍ତ ପହଞ୍ଚି ନଥିଲେ । ଧିରେ ଧିରେ ସବୁ ପିଲା ଆସିଲେ । ସାରଙ୍କ ଅନୁପସ୍ଥିତି ଦେଖି ଏକ ରକମର ଖୁସିରେ ରାଜୁ ସହ ସାଙ୍ଗମାନେ ଗଦ ଗଦ । ନଟସାର ସେଠାରେ ଏକା ରହୁଥିଲେ। ସାରଙ୍କ ପଡୋଶୀ ହୋଇ ରହିଥାନ୍ତି ଏକ ବୟସ୍କ ଦମ୍ପତି । ଦୁହିଁଙ୍କର ପ୍ରବଳ ଲୋଭ । ତାଙ୍କ ବାଡିରେ ଥାଏ କଲମୀ ଆମ୍ବ ଗଛଟିଏ। ଖରା ବେଳେ ପିଲା ଯିବା ଆସିବା ସମୟରେ ସମସ୍ତଙ୍କ ନଜର କାକୁଡି ପରି ଝୁଲୁଥିବା ଲମ୍ବା ଲମ୍ବା କଲମୀ ଆମ୍ବ ଉପରେ ଥାଏ ।

ସାରଙ୍କ ଡରରେ କେହି ସିଆଡେ ଅନାନ୍ତିନି । ଆଜି ସୁଯୋଗ ଆସିଛି , ତେଣୁ ସମସ୍ତଙ୍କ ଦୃଷ୍ଟି ଆମ୍ବ ଗଛ ଉପରେ। କାହାର ଆଉ ଅଙ୍କ କଷାରେ ମନ ନାହିଁ ।

ବିଭିନ୍ନ ପ୍ରକାର ଉପାୟ ଚିନ୍ତା କରିବାକୁ ଲାଗିଲେ ସମସ୍ତେ । ଆମ୍ବ କେମିତି ତୋଳିବା? ବିଭିନ୍ନ ପ୍ରକାର କୌଶଳ ଭାବିଲେ, ସମସ୍ତେ କହିଲେ, “ ରାଜୁ ସମସ୍ତଙ୍କଠାରୁ ପତଳା ସେ ଗଛରେ ଚଢିଲେ କିଛି ଜଣା ପଡିବନି , ଗଛରେ ଥରେ ଚଢି ଗଲେ ଆମ୍ବ ଗୋଟିଏ ଗୋଟିଏ କରି ତୋଳି ନଟସାରଙ୍କ ଅଗଣାକୁ ଫୋପାଡିଲେ ଆମେ ସବୁ ଉଠାଇ ରଖିବା । ତା’ପରେ ସମସ୍ତେ ମିଶି ସାରଙ୍କ ଘରୁ ଲୁଣ ନେଇ ଖାଇବା। ବୁଢା ବୁଢୀ ତ ଖରାବେଳେ ଶୋଇଥିବେ । ଯୋଗକୁ ସାର ନାହାଁନ୍ତି । ମଜା ହିଁ ମଜା ।

ରାଜୁ ତା’ପରେ ଗଛରୁ ଅଧା ଓହ୍ଲାଇ ଧିରେ ଧିରେ ସାରଙ୍କ ପାଚେରୀ ଭିତରକୁ ଡେଇଁ ପଡିବ । ବୁଢା ବୁଢୀ ଉଠିଲା ବେଳକୁ ଆମେ ସମସ୍ତେ ଘରକୁ ପଳେଇ ଥିବା ଆଉ ସନ୍ଧ୍ୟା ହୋଇ ଯାଇଥିବ ।”

ଏକଥା ଶୁଣି ରାଜୁ ନିଜକୁ ଗର୍ବିତ ମନେ କଲା । ଏତେ ସହପାଠୀଙ୍କ ଭିତରେ ତାକୁ ହିଁ ଗୁରୁ ଦାୟିତ୍ବ ଦିଆଯାଉଛି । ତା ସାଙ୍ଗମାନଙ୍କ ଅଗାଧ ବିଶ୍ବାସ ତା ଉପରେ ଜାଣି ମନେ ମନେ ପ୍ରଚୁର ଖୁସି ହେଲା।

ତୁରନ୍ତ ନିଜକୁ କାର୍ଯ୍ଯରେ ଲଗାଇ ଦେଲା ରାଜୁ। ଧୀରେ ଧୀରେ ତାଙ୍କ ବାଡ଼ିରେ ପଶି ଗଛ ଉପରକୁ ଚଢି ଗଲା। ବୁଢାବୁଢୀଙ୍କ ଆଗପଟରୁ ଘର କବାଟ ବନ୍ଦ ଥିଲା ।କିନ୍ତୁ ଗଛ ଉପରୁ ରାଜୁ ଦେଖିଲା ଅଗଣା ଭିତର ବାରଣ୍ଡାରୁ ବୁଢା ବୁଢୀ ଦୁହେଁ ଗଛକୁ ଚାହିଁ କ’ଣ କଥା ହେଉଛନ୍ତି ।

ରାଜୁ ଦୁଇଚାରିଟା ଆମ୍ବ ତୋଳି ହାତରେ ଧରି ସାରଙ୍କ ଅଗଣାକୁ ଛାଟି ଦେଲା ସାଙ୍ଗମାନଙ୍କ ପାଖକୁ। ଗଛ ଟିକେ ହଲିଗଲା। ଗଛ ହଲିବା ଦେଖି ବୁଢୀ ଚିଲ୍ଲେଇଲା ,“କିଏ କିରେ ତୁ ,ଗଛ ରେ ଚଢିଛୁ ତୋର ତ ବଡ ବହପ। ”

ରାଜୁ ଡରିଗଲା , ନିଜକୁ ଲୁଚେଇବାକୁ ଅପଚେଷ୍ଟା କରି ଧିରେ ଧିରେ ଗୋଟିଏ ଝଙ୍କା ଡାଳ ଭିତରକୁ ଚଢିଗଲା । ତା’ର ଭାଗ୍ଯ ଖରାପ ଥିଲା, ସେହି ଡାଳ ରେ ଗୋଟିଏ ମହୁ ଫେଣା ଥିଲା । ଡାଳଟି ହଲିବାରୁ ଫେଣା ଭିତରୁ ମହୁମାଛି ମାନେ ବାହାରି ଇତସ୍ତତଃ ହୋଇ ଉଡିବାକୁ ଲାଗିଲେ । ନିଜକୁ ମହୁମାଛିଙ୍କ ଠାରୁ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡିଲା ରାଜୁ । ତଳେ ଥିଲା ଅନା ବନା ପୁଳାଏ କଣ୍ଟା ବଣ। ତାରି ଉପରେ ପଡି ଉଠି ରାଜୁ ଦୌଡିଲା। ସାରା ଦେହ ଲହୁ ଲୁହାଣ। ହାତ ଗୋଡ ସବୁ ଖଣ୍ଡିଆ ଖାବରା।

ନଟସାରଙ୍କ ଦୁଆରେ ବାଲଟିରେ ପାଣି ଥିଲା, ରାଜୁ ଜୀବନ ବିକଳ ହୋଇ ହାତଗୋଡ ଧୋଇ ପକାଇଲା। ହୁ ହୁ ହୋଇ ଜଳୁଥାଏ ଦେହ।

ଠିକ ସେତିକି ବେଳକୁ ନଟସାର ଆସି ପହଞ୍ଚିଗଲେ। ବୁଢା ବୁଢୀ ବି ଆସି ସାରଙ୍କ ପାଖରେ ଫେରାଦ କଲେ ରାଜୁ ନାଆଁରେ। ସାର ବହୁତ ରାଗିଲେ ।

ସବୁ ପିଲାଙ୍କୁ ଡାକି ପଚାରିଲେ,” କେତେ ଆମ୍ବ ତୋଳିଛି ରାଜୁ?”

ସମସ୍ତେ କହିଲେ, “ ଆମେ ଜାଣିନୁ ସାର ।”

ବନ୍ଧୁମାନଙ୍କର କଥା ଶୁଣି ରାଜୁ ଆଶ୍ଚର୍ଯ୍ୟର ସହିତ ଚାହିଁଲା। ସାର ରାଜୁକୁ ଭଲ କରି ଉତ୍ତମ ମଧ୍ଯମ କରି ଛେଚିଲେ। ରାଜୁ ସତ କଥା କହିବାକୁ ଚେଷ୍ଟା କରି ମଧ୍ଯ କହିପାରିଲାନି। କାରଣ ନଟସାର କୌଣସି କଥା ଶୁଣିବା ଅବସ୍ଥାରେ ନଥିଲେ।

ରାଜୁ ତୋଳିଥିବା ଆମ୍ବକୁ ସାଙ୍ଗମାନେ ଖାଇ ତାକୁ ଦୋଷୀକରି ଦଣ୍ଡ ପାଇବା ପାଇଁ ଛାଡ଼ିଦେଲେ ।

ରାଜୁ ତା’ର ନିର୍ବୋଧତା ପାଇଁ ଶାସ୍ତି ପାଇଲା। ସରଳ ବିଶ୍ବାସୀ ହେବା ଏକ ଉଚ୍ଚ କୋଟୀର ଗୁଣ କିନ୍ତୁ ନିଜେ ନିଜେ ବୋକା ବନିବା ମୂର୍ଖତାର ପରିଚୟ ।

ସାରା ଜୀବନ ପାଇଁ ରାଜୁ ଶିକ୍ଷା ପାଇଲା। କାହା କଥାରେ ସାଙ୍ଗେ ସାଙ୍ଗେ ଭାସିଯିବା ଉଚିତ ନୁହେଁ ।ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡଇ ଭାଲେ ।

ନିଳାଦ୍ରୀବିହାର, ଭୂବନେଶ୍ବର,

Comments are closed.