Latest Odisha News

BREAKING NEWS

ବ୍ୟଙ୍ଗ : ଅପରେସନ ସକ୍ସେସଫୁଲ୍ ବଟ୍ ପେସେଣ୍ଟ ଡେଡ୍

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ… 

ରାଜରାସ୍ତା ଚଉଡା ପାଇଁ ଆମ ଗାଁ ମୁଣ୍ଡ ତାରିଣୀ ମନ୍ଦିର ଓ ତା’ ସଂଲଗ୍ନ ଚଉତରାକୁ ମାଟିରେ ମିଶେଇ ସରକାର ଏବେ ସେଠାରେ ଏକ ସୁଦୃଶ୍ୟ ଭବ୍ୟ ପଥପ୍ରାନ୍ତ ସୁଲଭ ଶୌଚାଳୟଟିଏ ତିଆରି କରିଛନ୍ତି । ଏହି ଶୌଚାଳୟ ତିଆରି ହେଉଥିବା ସମୟରେ ଅନେକ ଥର ସେହିବାଟ ଦେଇ ମୁଁ ଯାଇଛି । ଏକ ବଙ୍ଗଳାର ଭ୍ରମ ସୃଷ୍ଟି କରୁଥିବା ସେହି ଅର୍ଦ୍ଧନିର୍ମିତ ଘର ଯେତେବେଳେ ତିଆରି ସରି ନାମ ଫଳକ ଲାଗିଲା ସେତେବେଳେ ଜାଣିଲି ଏହା କୌଣସି ଡାକବଙ୍ଗଳା ନୁହେଁ ସୁଲଭ ଶୌଚାଳୟ ।

ପାଖରେ ଥିଲା ଏକ ବିରାଟ ବସ୍ତି ଓ ଜାତୀୟ ରାଜପଥ । ସହରର ଖାଲି ପଡିଆ ସବୁ କୋଠା ବାଡ଼ିରେ ପୂର୍ଣ୍ଣ ହୋଇଗଲା ପରେ ବାସହୀନ ପାଇଁ ସବୁଠୁ ବଡ଼ ସମସ୍ୟା ହେଲା ନିତ୍ୟକର୍ମ ପାଇଁ ଜାଗା । ସେ ଯାହାହେଉ ଶୌଚାଳୟ ଏମାନଙ୍କ ଏହି ସମସ୍ୟା ଦୂର କରିବା ସହ ଅନେକ ପଥଚାରୀଙ୍କ ଆକସ୍ମିକ ଜରୁରୀ ଆବଶ୍ୟକତା ମଧ୍ୟ ପୂର୍ଣ୍ଣ କରିବ । ମଣିଷ ପଛେ ଫୁଟପାଥରେ ଶୋଉ କିନ୍ତୁ ନିତ୍ୟକର୍ମ ଯେ ଦାମୀ ମାର୍ବଲ ଓ ଟାଇଲ ଖଚିତ ଶୌଚାଳୟରେ କରୁଛି ତାହା ତା ପାଇଁ ଏକ ସୁଖଦ ଆଶ୍ଵସନା । ମୁହଁ ଅନ୍ଧାରରୁ ଉଠି ନିତ୍ୟକର୍ମ ପାଇଁ ଜାଗା ଖୋଜିବା ଅପେକ୍ଷା ସ୍ୱଳ୍ପ ମୂଲ୍ୟ ଦେଇ ବିତ୍ତବାନସମ ଶୌଚାଳୟରେ ଶୌଚ ହେବା ଗରିବ ଲୋକଟି ପାଇଁ ବିଳାସ ନୁହେଁତ ଆଉ କଣ !

କିଛିଦିନ ପୂର୍ବେ ଥରେ ରିକ୍ସାରେ ଯାଉଥିବା ବେଳେ ଚାଳକ କହିଲା,” ବାବୁ କି ଯୁଗ ହେଲାଣି କେଉଁଠି ଇଞ୍ଚେ ଖାଲି ଜାଗା ମିଳୁନି । ମଣିଷକୁ ଟିକେ ପରିସ୍ରା କରିବାକୁ ବି ଜାଗା ଛାଡୁନାହାଁନ୍ତି ।” ମୁଁ କହିଲି-‘କାହିଁ ସରକାର ପରା ପ୍ରତିଛକରେ ସୁଲଭ ଶୌଚାଳୟ କରିଛନ୍ତି ।’ ମୋ କଥା ଶୁଣି ରିକ୍ସା ଚାଳକ ଚୁପ୍ ରହିଲା । ବୋଧେ ଭାବୁଥିବ କୋଡିଏ ଟଙ୍କା ଦେଇ ପାଣି ବୋତଲେ କିଣୁଥିବା ଲୋକଙ୍କ ପାଇଁ ହୁଏତ ପାଞ୍ଚ ଟଙ୍କା ଦେଇ ପରିସ୍ରା କରିବା ସ୍ୱାଭାବିକ ହୋଇଥାଇ ପାରେ । ହେଲେ ଆମ ପାଇଁ !!

ସେ ଯାହାହେଉ ଦିନେ ଫେରିବା ବାଟରେ ଦେଖିଲି ନୂତନ ଶୌଚାଳୟକୁ ଫୁଲରେ ସଜା ଯାଉଛି । ପାଖରେ ଏକ ବିରାଟ ଚାନ୍ଦୁଆ ଟଣା ଯାଇଛି । ଶୁଣୁ ଶୁଣୁ କଥା କଣ କି ଆଜି ମନ୍ତ୍ରୀ ଆସିବେ ଏବି ନୂତନ ଶୌଚାଳୟ ଉଦଘାଟନ କରିବାକୁ । ମନ୍ତ୍ରୀଙ୍କୁ ଖଣ୍ଡେ ଦୂରରୁ ପାଛୋଟି ଆଣିବାକୁ ବ୍ୟାଣ୍ଡ ବାଜାର ଆୟୋଜନ ହୋଇଥାଏ । ଦର୍ଶକଙ୍କ ପାଇଁ ପୁଡ଼ିଆ ବ୍ୟବସ୍ଥା ହୋଇଥାଏ । ବିଳମ୍ବରେ ହେଲେ ମଧ୍ୟ ମନ୍ତ୍ରୀ ମହୋଦୟ ତାନ୍ ଝାନ୍ ରେ ଆସି ସଭା ସ୍ଥଳରେ ପହଞ୍ଚିଲେ । କେଉଁ ଆଦିମ କାଳରୁ ନଦୀବନ୍ଧକୁ ନିତ୍ୟକର୍ମ ସ୍ଥଳ ଭାବେ ବ୍ୟବହାର କରୁଥିବା ଉପସ୍ଥିତ ଜନତାଙ୍କୁ ଶୌଚଳୟର ଉପକାରିତା ବିଷୟରେ ବୁଝାଇବା ସହ ଏହାକୁ ବ୍ୟବହାର କରିବାକୁ ପରାମର୍ଶ ବି ଦେଲେ । ଶେଷକୁ ଆସିଲା ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ନୂତନ କପଡା ଦୋକାନ ଉଦଘାଟନ ସମୟରେ ଯେମିତି ମୁଖ୍ୟ ଅତିଥି ପ୍ରଥମେ କିଛି କପଡା କିଣି ବଇନି କରନ୍ତି ସେମିତି ସମସ୍ତଙ୍କ ଅନୁରୋଧ ହେଲା ମନ୍ତ୍ରୀ ମହୋଦୟ ପଥମେ ନିଜେ ଏହାକୁ ବ୍ୟବହାର କରି ଉଦଘାଟନ କରନ୍ତୁ । ଆଗରୁ ଏ ସବୁ ନିଷ୍ପତ୍ତି ଠିକ ହୋଇଥିଲା କି କଣ ନୂଆ ଗାମୁଛା ମନ୍ତ୍ରୀଙ୍କ ପାଇଁ ପୂର୍ବରୁ କିଣା ହୋଇ ଆସିଥିଲା ।

ପ୍ରଥମେ ମନ୍ତ୍ରୀଙ୍କ ଦେହରକ୍ଷୀ ଶୌଚଳୟକୁ ତନଖି କରିସାରିବା ପରେ ବାଜା ବଜେଇ ନୂତନ ବସ୍ତ୍ର ପରିହିତ ମନ୍ତ୍ରୀ ମହୋଦୟ ଶୌଚାଳୟରେ ପ୍ରବେଶ କଲେ । ଏପଟେ ଦର୍ଶକଙ୍କ ପାଇଁ ଆସିଥିବା ପୁଡ଼ିଆ ପାଇଁ ଠେଲାପେଲା ଆରମ୍ଭ ହୋଇଗଲା । ଯେମିତି ଖାସ ସେଇଥିପାଇଁ ଦର୍ଶକମାନେ ଆସି ଧୈର୍ଯ୍ୟର ସହ ମନ୍ତ୍ରୀଙ୍କ ଭାଷଣ ଶୁଣୁଥିଲେ । ଖାଇବା ପୁଡ଼ିଆ ପାଇଲା ପରେ ଯେଝା ବାଟରେ ଯିଏ ଗଲେ ।

ଏପଟେ ଦଶ ମିନିଟ ଯାଇ ପନ୍ଦର ମିନିଟ ହେଲାଣି ମନ୍ତ୍ରୀ ମହୋଦୟ ଭିତରୁ ବାହାରୁନାହାନ୍ତି । ଅଧଘଣ୍ଟା ବିତିଲା ପରେ ବାହାରେ ଅପେକ୍ଷାରତ ଯନ୍ତ୍ରୀ ଓ ଦେହରଖି କିଛି ଆଶଙ୍କା କରି ବାହାରୁ କବାଟ ବଡେଇ ସାରଙ୍କୁ ଡାକିଲେ । ଭିତରୁ ସାର୍ ଚିଲେଇଲେ ସେ ଶଳା ଯନ୍ତ୍ରୀକୁ ଆଗ ଡାକ । ଶୌଚାଳୟ କରି ଉଦଘାଟନ କରିବାକୁ ଡାକିଛ ହେଲେ ଭିତରେ ପାଣି ବ୍ୟବସ୍ଥା କାହିଁ ? ସଙ୍ଗେ ସଙ୍ଗେ ବାଲ୍ଟିରେ ପାଣି ଆଣି ମନ୍ତ୍ରୀଙ୍କୁ ଦିଆଗଲା । କିଛି ସମୟ ପରେ ମନ୍ତ୍ରୀ ବହାରକୁ ଆସି ଯନ୍ତ୍ରୀ ଓ କଣ୍ଟ୍ରାକ୍ଟରକୁ ଡାକି ବହେ ଶୋଧିଲେ । ଯନ୍ତ୍ରୀ ହାତ ଯୋଡି କହିଲେ , ସାର୍ କ୍ଷମା କରନ୍ତୁ । ବ୍ୟସ୍ତତା ଭିତରେ ଶୌଚାଳୟ ଭିତରେ ପାଣି ରଖିବାକୁ ଭୁଲି ଯାଇଥିଲି । ଯେତିକି ବଜେଟ ଆସିଥିଲା ତାହା ଘର ତିଆରି, ମାର୍ବଲ ଓ ଉଦଘାଟନ ସଭାରେ ସରିଗଲା । ପାଣି ବ୍ୟବସ୍ଥା ପାଇଁ ଆଉ ବଜେଟ ନାହିଁ । ଅତିରିକ୍ତ ବଜେଟ ପାଇଁ ଲେଖିଛୁ । ଉପରୁ ବ୍ୟବସ୍ଥା ହେଲେ ପାଣି ସଂଯୋଗ ହେବ ।

ମୁଁ ସେଠି ଭାବୁଥିଲି ଶୌଚାଳୟର ଭିତରୁ ନେଇ ବାହାର ପର୍ଯ୍ୟନ୍ତ ମାର୍ବଲ ବିଛେଇଲେ । ଡାକ ବଙ୍ଗଳା ସମ କୋଠା ତିଆରି ହେଲା ଜାଗା ଜାଗାରେ ନିୟନ ଲାଇଟ ଲାଗିଲା ହେଲେ ବିନା ପାଣି ବ୍ୟବସ୍ଥା ଯୋଗୁଁ ଶୌଚାଳୟ ବ୍ୟବହାର ଉପଯୋଗୀ ହେଲା ନାହିଁ । ଗୋଟିଏ ପଟେ ଦେଶର ରାଜକୋଷ ଖାଲି ଅନ୍ୟପଟେ ନୀତି ଆୟୋଗ ଯୋଜନା ପରେ ଯୋଜନା ବନେଇ ଚାଲିଛନ୍ତି । ମନ୍ତ୍ରୀ ମାନେ ନିତି ନିର୍ବାଚନୀ ସଭାରେ ହଜାର ହଜାର କୋଟିର ପ୍ରକଳ୍ପ କରିବେ ବୋଲି ଭାଷଣ ଦେଉଛନ୍ତି । ନା ସେ ଯୋଜନା କେବେ ଲୋକଙ୍କ ପାଖରେ ପହଞ୍ଚୁଛି ନା ସେ ପ୍ରକଳ୍ପ କେବେ ସାକାର ହେଉଛି । ଦେଶରେ ନୀତିବିହୀନ ନୀତି ଆୟୋଗର ଅବସ୍ଥା ଯାହା ବିନା ପାଣି ବ୍ୟବସ୍ଥାରେ ଶୌଚାଳୟ ନିର୍ମାଣ ତାହା । ୟାକୁହିଁ କୁହନ୍ତି ଅପରେସନ ସକ୍ସେସ୍ ଫୁଲ୍ ବଟ୍ ପେସେଣ୍ଟ ଡେଡ୍ ।

Comments are closed, but trackbacks and pingbacks are open.