ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ଦ୍ଵିତୀୟ ଭାଗ’
‘ଆଧୁନିକ’ ସହ ଯୋଡ଼ି ହୋଇ ରହିଛି ‘ନୂତନତା’। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏ କ୍ରମରେ ଭାଷା ସାହିତ୍ୟର କ୍ଷେତ୍ରରେ ଆଧୁନିକତାର ପରମ୍ପରାଟିଏ ଗଢ଼ିଉଠେ। ଏ ଦୃଷ୍ଟିରୁ ଇଂରାଜୀ କାବ୍ୟ କବିତାର ସେକସପିୟର , ମିଲଟନ, ୱାର୍ଡସୱାରଥ ଆଦି କବିଗଣ ନୂତନତାର ସ୍ଫୁରଣ ସଂଘଟିତ କରିଛନ୍ତି। ଠିକ ସେହିପରି ଓଡ଼ିଆ କାବ୍ୟ କବିତା କ୍ଷେତ୍ରରେ ମଧ୍ୟ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ ଓ ରାଧାନାଥ ରାୟ ଆଦି କବିଗଣ ଆଧୁନିକତାର କାବ୍ୟ ପରମ୍ପରା ସହ ସଂଶ୍ଳିଷ୍ଟ।
ରାଧାନାଥ ରାୟଙ୍କ ସମସାମୟିକ ଭୀମ ଭୋଇ ଏ ଦୃଷ୍ଟିରୁ କମ୍ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି । ସେ ଜଣେ ବିସ୍ମୟ କାବ୍ୟ ପ୍ରତିଭା। ଏଥିପାଇଁ ଯେ ଅନ୍ୟ କୌଣସି କବିର ପ୍ରତ୍ୟକ୍ଷ ଅନୁକରଣ ନକରି ନିଜସ୍ୱ ବିଷୟବସ୍ତୁ , ଶୈଳୀ, ପଦ, ଛନ୍ଦ ଜରିଆରେ ତାଙ୍କ ମୌଳିକତା ପ୍ରଦର୍ଶନ କଲେ। ତାଙ୍କ କବିତାରେ ପରୀକ୍ଷା ନିରୀକ୍ଷା ମଧ୍ୟ କିଛି କମ ନଥିଲା। ଉଦାହରଣ ସ୍ୱରୂପ , ପାରମ୍ପରିକ ଚଉତିଶାଠାରୁ ସେ ଭିନ୍ନ ଧରଣର ଓଲଟ ଚଉତିଶା ରଚନା କଲେ। ‘କ’ ଠାରୁ ‘କ୍ଷ’ କ୍ରମରେ ରଚନା ନକରି ସେ ‘କ୍ଷ’ ଠାରୁ ‘କ’ କ୍ରମରେ ଚଉତିଶାର ଆଙ୍ଗିକ ସଜ୍ଜିକରଣ କରିଥିଲେ।
“କ୍ଷୀର ସିନ୍ଧୁ ବାସୀ ଯେହିରେ ସୁମନ
କ୍ଷୀର ସିନ୍ଧୁ ବାସୀ ଯେହି
କ୍ଷୀରନଳେ ଜଗି ଅଛନ୍ତି ରହି ( ସୁମନରେ)। ”
ନବାକ୍ଷରୀ ପଦ ରଚନା ମଧ୍ୟ ଭୀମଭୋଇଙ୍କ କାବ୍ୟ କୃତିରେ ଏକ ବିଶିଷ୍ଟ ଲକ୍ଷଣ ବୋଲି ବିବେଚନା କରାଯାଏ।। ତାଙ୍କ ରଚିତ କାବ୍ୟ ‘ଅଷ୍ଟକ ବିହାରୀ ଗୀତା’ , ‘ ନିର୍ବେଦ ସାଧନ’ ରେ ସେ ନବାକ୍ଷରୀ ପଦ ପ୍ରକରଣର ଶ୍ରେଷ୍ଠତମ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଠିକ ସେହିପରି ପ୍ରଶ୍ନୋତ୍ତର ଶୈଳୀରେ କାବ୍ୟ ରଚନା ଭୀମଭୋଇଙ୍କର ଅନ୍ୟ ଏକ ବିଶେଷତ୍ୱ। ଏହାର ଦୃଷ୍ଟାନ୍ତ ହେଉଛି ‘ବ୍ରହ୍ମ ନିରୂପଣ ଗୀତା’ ଓ ‘ଆଦିଅନ୍ତ ଗୀତା’ । ଏପରି ପ୍ରଶ୍ନୋତ୍ତର ଶୈଳୀରେ ରଚିତ କାବ୍ୟର ବିଶେଷତ୍ୱ ହେଲା କବିଙ୍କ ଭାବର ନୈବ୍ୟକ୍ତିକ ପରିପ୍ରକାଶ ।
କବି ଆପେକ୍ଷିକ ଦୂରତ୍ୱ ବଜାୟ ରଖିଲେ ସତ୍ୟର ସ୍ୱରୂପ ଉନ୍ମୋଚିତ ହୋଇପାରିଥାଏ। ଭାରତରେ ଯେତେ ପୁରାଣ ତନ୍ତ୍ର, ଶାସ୍ତ୍ର ଆଦି ରଚିତ , ତାହା ଏହି ପ୍ରଶ୍ନୋତ୍ତରର ଶୈଳୀରେ ଲିଖିତ ।
କ୍ରମଶଃ
Comments are closed.