ଆଶିଷ ମହାପାତ୍ର
ରେଳ ଷ୍ଟେସନରୁ ବାହାରିଲି ତ
ପିଠିରେ ଲଦାଥିଲା ମାର୍ଚ୍ଚର ଖରା
ଭିତରୁ ବାଜୁଥିଲା
ମଧ୍ୟାନ୍ତର ଭୋକର ବିଗୁଲ୍
କଲେଜ ଛକରେ
ଆସିଲା ମନୋଜର ଫୋନ୍ ।
ଅଣଓଡ଼ିଆ ଇଂଜିନିୟରିଂ ଛାତ୍ର ସେ
ଏକାକୀ ରହେ ଉପର ମହଲାରେ
ହିନ୍ଦୀରେ କହୁଥିଲା ଅଙ୍କଲ୍
ଚାଳିଶ ଥର ଓ୍ବାସରୁମ୍
ଯାଇ ଆସିଲିଣି କାଲି ସଞ୍ଜରୁ।
ଚାଲନ୍ତୁ ଡାକ୍ତର ପାଖକୁ।
କାଲିଠୁ କଣ କରୁଥିଲା ବୋକାଟା ।
କହିଲି ଫାଷ୍ଟଫୁଡ୍ ଖାଆନା। ଖାଇଲା।
ନର୍ସିଂହୋମରେ ଔଷଧ ସାଲାଇନ
ଝୁଲି ପଡିଲେ ଚାରିପାଖରେ।
ନର୍ସଙ୍କୁ କହି ଖାଇବାକୁ ଆସିଛି,
ଫେରି ଦେଖେ ତ
ତା ପାଦ ପାଖରେ ମନି ବସିଛି ।
ତା କଲେଜର ନୁହେଁ।
ଅନ୍ଯ କଲେଜର
ଇଂଜିନିୟରିଂ ପଢୁଥିବା ଝିଅ।
ସୋସିଆଲ ମିଡିଆରେ ଗଜୁରା ବନ୍ଧୁତ୍ବ
ଦୁହିଁଙ୍କ ସତରରେ
ହୃଦୟରେ ମେଲେଇଛି ଚେର ।
ସଂଧ୍ୟା ସାଢେ ସାତ ବାଜୁଥିଲା ଘଡିରେ
ସେବାରେ ଲାଗି ପଡିଥିଲା ମନି
କହିଲା ବୁଲି ଆସନ୍ତୁ ଘରୁ
ଭୁବନେଶ୍ବର ଫେରିବି ଆଠଟାରେ ।
ଷ୍ଟାର୍ଟ କରୁଛି ସ୍କୁଟର, ମନେପଡିଲା
ଗଲାକାଲି ଫୋନ୍ କରିଥିଲେ ଭଦ୍ର ମହିଳା
ଶ୍ରୀରାମଚନ୍ଦ୍ର ଭବନରେ
ଆଜି ସନ୍ଧ୍ୟା ଛ’ଟାରେ
କବିଙ୍କ ତୈଳଚିତ୍ର ଉନ୍ମୋଚନର ସଭା ।
ସଭା ସରି ଆସୁଛି
କଥା ରଖିବାକୁ
ବହୁ ବିଳମ୍ବରେ ପଶୁଛି ହଲ୍ ଭିତରକୁ
ବହିଆସିଲା ହଠାତ୍ ପବନଟେ ।
ଏନ୍ ନାଇଣ୍ଟି ଫାଇଭ୍ ମାସ୍କ ଖୋଲି
ମୁହଁ ଦେଖେଇବାର ନଥିଲା ଆଉ
ଚିହ୍ନା ଅତିଥି ଅବା
ନିମନ୍ତ୍ରଣକାରୀ ଭଦ୍ର ମହିଳାଙ୍କୁ
ଉଭେଇଗଲେ ଯେମିତି ସମସ୍ତେ ।
ପ୍ରଶ୍ନ କଲେ କେବେ ସଶରୀରେ
ଭେଟି ନଥିବା ପ୍ରିୟ କବି
ଇଂଜିନିୟରିଂ କଲେଜ ଗ୍ରନ୍ଥରୁ ମୁହଁ ଉଠାଇ
କବି ଓ ମନିକାର
ଯେଉଁ ଅନୁରାଗକୁ ଖୋଜୁଥିଲୁ ପତ୍ରିକାରେ
ତାକୁ ତ ନିଶ୍ଚେ ଭେଟିଥିବ ଆଜି !!
ମନୋଜ ଓ ମନିମାନଙ୍କର
ଗଭୀର ଆଶ୍ଳେଷ ଭିତରେ
ସୁଦୃଢ ପ୍ରିୟ କବିଙ୍କ ବିଶ୍ବାସ
ସତେଜ ମୁହଁରେ ଚକ୍ଷୁ ସଜଳ
କାହିଁ କେତେ ଝଡ ଆସୁ
ଜିଦ୍ ର ଯୁଦ୍ଧରେ
ହୃଦୟର ବଙ୍କର ଉପରେ ହେଉ ପଛେ
ଶତ୍ରୁର ଘନ ଘନ ଆକ୍ରମଣ ଅବା ବିସ୍ଫୋରଣ
ଅମଳିନ ପ୍ରୀତିର ସସ୍ନେହ ବନ୍ଧନରେ
‘ମନିକା’ ଜୀଇଁ ରହିବ କାଳ କାଳ ।
ଭଲପାଇବାର ମହାର୍ଘ୍ଯ ମଶାଲ
ହାତରେ ବାଟ ଚାଲୁଛି ମନିକା
ଉଭେଇ ଯାଇଛି ତୈଳଚିତ୍ର
ସେହି ମହାମାନବୀୟ ଆଲୁଅରେ ଉଦ୍ଭାସିତ
‘ମନିକାର ପ୍ରିୟ’ , ମନିକାର ପ୍ରିୟ କବି
ଡକ୍ଟର ପ୍ରସନ୍ନ କୁମାର ମିଶ୍ର ।।
Comments are closed.