ଦୁଃଖ ଦୋରସ୍ତ
ରକ୍ଷକ ନାୟକ
ତୁମକୁ ମନେ ପକେଇବା ବି ପାପ
କହନ୍ତି ପଣ୍ଡିତମାନେ ।
ମନ କିନ୍ତୁ ସାର୍ବଭୌମ
ନିଜେ ତିଆରି କରେ ନିଜର ନିୟମ ।
ଗୋଟେ ଦିନରୁ ଖରାବେଳକୁ
କେମିତି ଫେଡ଼ିଦେବି,
ଖରାବେଳ ହିଁ ଦିନଟାକୁ
ଝାଳୁଆ କରି ଦେଇଥିଲା ।
ବହୁତ କଥା କହି ହୁଏନି
ତେଣୁ ମାନିନେବାକୁ ହୁଏ
ନିଜର ଚିତ୍ରକୁ ବିକୃତ କରିବାକୁ
ଏକରକମ ବାଧ୍ୟ ହୁଏ ।
ଧର ସିଡ଼ିରେ ଚଢ଼ି
ପିଢ଼ାରୁ ମୁଁ କଖାରୁ ତୋଳିଲି
ସିଡ଼ିକୁ କେମିତି ଭୁଲିଯିବି !
ମୋ ଗୋଡ଼ର ଧୂଳିରୁ କଳିହେବ
ମୋର ପଥ ଚରିତ୍ର
ତାକୁ ଅଣଦେଖା କରିହେବନି ।
ତୁମକୁ ଶାସ୍ତ୍ର, ପଣ୍ଡିତ, ପଂଚାୟତ
କାହିଁକି ଭଲ ପାଆଂତିନି
ତୁମକୁ ପାପର ପ୍ରିୟ ରୂପ ବୋଲି
କାହିଁକି ଚିତ୍ରାୟିତ କରନ୍ତି
ମୁଁ ବୁଝି ପାରେନି !
ମୋ ପାପର ହିସାବ ନିକାଶ ପାଇଁ
ଲକ୍ଷେ ଚାଟାର୍ଡ ଆକାଉଣ୍ଟାଣ୍ଟ ।
ପାପୀ ହୋଇ ବଂଚିବାକୁ ଚାହୁଁଛି
ସେଥିରେ ମୋର ଆନଂଦ, ପରମ ଗତି
ମତେ କିନ୍ତୁ ଛାଡ଼ୁନାହାଁନ୍ତି ଅନ୍ୟମାନେ
ଟାଣି ଓଟାରି ଠିଆ କରାଉଛନ୍ତି କଚିରୀରେ ।
କ’ଣ କହିବି
ମୁଁ ମୂର୍ଖ ପ୍ରେମିକଟିଏ ।
ଅପେକ୍ଷା କର:
ହୁଏତ ପାପର ସଂଜ୍ଞା ବଦଳି ପାରେ
ଶାସ୍ତ୍ରରେ; ସାହିତ୍ୟରେ
ଓ ଆଇନ ବହିରେ ।
…………………..
ରାଜଭବନ କଲୋନୀ,
ୟୁନିଟ୍-୮, ଭୁବନେଶ୍ୱର-୭୫୧୦୦୮
Comments are closed.