ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୧
ଟପ୍ ଫ୍ଲୋର ଷ୍ଟଡିରୁମ୍ ଦୂଆର ମେଲା । ଆରାଧ୍ୟା ଗୋଟେ ଛୋଟ ଚେୟାର୍ ଉପରେ ଦୂଆରକୁ ପିଠି କରି ବସିଛି । ଛିଟ ଫୁଲପକା ପିଙ୍କ୍ ସାଲ୍ୱାର କାମିଜ ତା’କୁ ଖୁବ ମାନୁଛି । ହାଲ୍କା ହାଲ୍କା ପବନରେ ଖୋଲା ଚୁଟି ଉଡୁଛି । ଅଣାୟତ କେଶକୁ ବାରବାର କାନ ପଛରେ ଜାକି ଦେଉଛି । ପ୍ରଥମ ଥର ତା’କୁ ଏମିତି କଲର ଡ୍ରେସ୍ରେ ଦେଖିଥିଲା । ଓଃଫ୍ ! ପ୍ରକୃତରେ ଖୁବ୍ ସୁନ୍ଦର ଅରୁ । ସେୟାକୁ ଦେଖି ତ’ ଷ୍ଟାଟସ୍ ଫାଟସ୍ କିଛି ନ’ ଦେଖି ବାହା ହେଇପଡିଲା ।
କିନ୍ତୁ ଏ କ’ଣ! ଆଜି ଏକ ନୂଆ ରୂପରେ ଆରାଧ୍ୟା ।
ସାମ୍ନାରେ କାନଭାସ୍, କିଛି ରଙ୍ଗ ଓ ତୁଳୀ ଧରି କ’ଣ ଆଙ୍କୁଛି । ସେ ତା’ ପେଣ୍ଟିଙ୍ଗ୍ କରିବା ପ୍ୟାସନକୁ ବହୁ ବର୍ଷ ପରେ ପୁଣି ଆପଣେଇ ନେଇଛି ବୋଧହୁଏ । ଭଲ ତ’ । ସେ ତ’ ଖୁସି ହେବା କଥା । ଟାଇମ୍ କଟୁନି ବୋଲି ସବୁବେଳେ ଅଭିଯୋଗ କରୁଥିଲା । ଓଃ.. ସେଥିପାଇଁ ଏଥର ଏତେ ଚୁପ ରହିଛି ।
ଯିବ କି’ ପଛ ପଟୁ ଭିଡ଼ି ଧରି ଆଖି ବନ୍ଦ କରିଦେବ । ସାରା ଶରୀରକୁ ଛୁଇଁ ଯିବ ପରସ୍ତେ । ଦେହସାରା କିସ୍ କରି ଅସ୍ତବ୍ୟସ୍ତ
କାରିପକାଇବ । ତଳକୁ ଯାଇ ସିଆଡୁ ଆଣିଥିବା ଗିଫ୍ଟଟା ତା’ ହାତରେ ଧରେଇ ଦେବ । ଯେଉଁଟା ଆଲିଆ ଚଏସ୍ କରିଥିଲା ।
ସେଃ..ଆଜିଯାଏ ମନେ ନ’ଥିଲା । ସେମିତି ସୁଟକେସେ୍ରେ ପଡିଛି । ଆରାଧ୍ୟା ନିହାତି ଖୁସିରେ ଉଛୁଳି ପଡ଼ିବନି!
ସେ ଗଲା ପାଖକୁ ।
“ଆରେ! ତୁମେ ଆଜି ଏତେ ଜଲ୍ଦି ।”
ଛାଇ ଦେଖି ଚମ୍କି ପଡିଲା ଆରାଧ୍ୟା ।
ହୁଁ ..ଆସିଲି ଆଉ । କ’ଣ କରୁଛ? ଚିତ୍ର? ତୁମେ କୁହ ଏସବୁ କେବେଠୁ ଷ୍ଟାର୍ଟ କଲଣି? ଅବଶ୍ୟ ଭଲ । ମଣିଷ ତା’ ପ୍ୟାସନକୁ କେବେ ଭୁଲିବା କଥା ନୁହେଁ ।
ନା’ ମଃ…ଏବେଏବେ ତ ଷ୍ଟାର୍ଟ କରିଛି ।
ଆରାଧ୍ୟା ଯେଉଁ ଦୁଇ ତିନି ପଦ କଥା ହେଲା, ତା’ ବି ବୈଭବ ମୁହଁକୁ ନ’ ଚାହିଁ । ତା’ ମନ ମୁନ ଚୈତନ୍ୟ ପୁରାପୁରି ନିବିଷ୍ଟ ସେଇ କାନଭାସର ଅଧାଅଙ୍କା ଛବି ଉପରେ ।
ସେଇ ପାହାଡ ,ଝରଣା, ନଈ ଓ ବୃକ୍ଷତଲା ଉପରେ ତା’ର ଧ୍ୟାନ ।
କ୍ରମଶଃ
Comments are closed.