Latest Odisha News

BREAKING NEWS

ଶ୍ରୀଲଙ୍କା ସଙ୍କଟ ଓ ଜନବିରୋଧୀ ରାଜନୀତି

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ପ୍ରତ୍ୟେକ ଘଟଣାରେ ରାଜନୀତିର ରଙ୍ଗ ଦେଇ ସେଥିରୁ କିପରି ରାଜନୈତିକ ଫାଇଦା ହାସଲ କରିହେବ, ରାଜନୈତିକ ଦଳମାନଙ୍କର ମୂଖ୍ୟ ଲକ୍ଷ ହୋଇଯାଇଛି । ଏହି ଦୌଡ଼ରେ ସମ୍ପ୍ରତି ସରକାରରେ ଥିବା ଦଳ ଅନ୍ୟମାନଙ୍କଠାରୁ ବହୁତ ଆଗରେ ଅଛି । ଅବଶ୍ୟ ସରକାରଙ୍କ ପାଖରେ ନିଜର ପ୍ରଚାର କରିବା ପାଇଁ ଓ ପୁନଶ୍ଚ ଗାଦି ଦଖଲ କରିବା ପାଇଁ ଯଦି କୌଣସି ବିକାଶର ଉଦାହରଣ ନଥାଏ, ତେବେ ସେ ଲୋକମତକୁ ପ୍ରଭାବିତ କରିବା ପାଇଁ ଧର୍ମ, ଜାତି ନାଁ’ରେ ଲୋକଙ୍କୁ ଭାଗ ଭାଗ କରି ଭୋଟ୍‌କୁ ଧ୍ରୁବୀକରଣ କରିବା ସହିତ ଭିନ୍ନ ଭିନ୍ନ ଘଟଣାରେ ଅଯଥା ରାଜନୀତିର ପୁଟ ଦେଇ ବିରୋଧୀ ଦଳକୁ ନିନ୍ଦା କରିବାର ସହଜ ପନ୍ଥା ଆପଣେଇବା ସ୍ୱଭାବିକ । ଆମ ଦେଶରେ ଏବେ ଠିକ୍ ସେଇଆ ଚାଲୁଛି । ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଘୋର୍ ଆର୍ଥିକ ସଙ୍କଟରେ । ସମଗ୍ର ଦେଶରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି । ଲୋକମାନଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଘୋର ଅଭାବ ଦେଖାଦେଇଛି । ଖାଦ୍ୟ ଅଭାବ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀର ଅଭାବ ଯୋଗୁ ଦଙ୍ଗା ହଙ୍ଗାମାରେ ଜଳୁଛି ଭାରତର ଏହି ପଡ଼ୋଶୀ ରାଷ୍ଟ୍ର । ଶ୍ରୀଲଙ୍କାରେ ଗାଡ଼ି ଘୋଡ଼ା ଚାଲିବା ବନ୍ଦ ହୋଇଯାଇଛି । ସମଗ୍ର ଦେଶରେ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍‌ର ଘୋର୍ ଅଭାବ ଦେଖାଦେଇଛି । ସ୍କୁଲ୍ ଓ କଲେଜ୍ ଆଦି ବନ୍ଦ ହୋଇଯାଇଛି । ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ରଦ୍ଦ କରିଦିଆଯାଇଛି । ସରକାରରେ ଥିବା ସମସ୍ତ ମନ୍ତ୍ରୀ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି । ସ୍ପଷ୍ଟ ଶବ୍ଦରେ କହିଲେ ଶ୍ରୀଲଙ୍କାର ଜନସାଧାରଣ ରାସ୍ତା ଉପରେ ହାହାକାର କରୁଛନ୍ତି ।

ଶ୍ରୀଲଙ୍କାର ଏପରି ପରିସ୍ଥିତି ସହିତ ଆମ ଦେଶର କିଛି ସମ୍ପର୍କ ନାହିଁ । କିନ୍ତୁ ଶ୍ରୀଲଙ୍କା ପରିସ୍ଥିତିର ଉଦାହରଣ ଦେଇ ଆମ ଦେଶର ସରକାରରେ ଥିବା ରାଜନୈତିକ ଦଳ ବିଭିନ୍ନ ଆଞ୍ଚଳିକ ଦଳମାନଙ୍କର ଜନବାଦୀ ଆଭିମୂଖ୍ୟ ପ୍ରତି ପ୍ରଶ୍ନ ଉଠେଇ ସେମାନଙ୍କ ବିରୁଦ୍ଧରେ ଅପପ୍ରଚାର କରି ନିଜ ରାଜନୀତିର ରୁଟି ସେକିବାକୁ ପ୍ରୟାସ କରୁଛି । ଶ୍ରୀଲଙ୍କାର ପରିସ୍ଥିତି ଉତ୍କଟ ହେବା ପରେ ଗତ ଏପ୍ରିଲ୍ ଦୁଇ ତାରିଖରେ ଆମ ଦେଶର କିଛି ବରିଷ୍ଠ ଅମଲାମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ବୈଠକରେ
କହିଛନ୍ତି ଯେ, ଭାରତର ଭିନ୍ନ ଭିନ୍ନ ରାଜ୍ୟମାନେ ସାଧାରଣ ଲୋକମାନଙ୍କୁ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଯେପରି ମାଗେଣା ଦ୍ରବ୍ୟ ଓ ସେବା ଆଦି ପ୍ରଦାନ କରୁଛନ୍ତି, କିଛି ଦିନ ମଧ୍ୟରେ ଭାରତ ଶ୍ରୀଲଙ୍କା ପରି ପରିସ୍ଥିତି ଭୋଗ କରିବ । ସରକାରୀ ଅଧିକାରୀମାନଙ୍କର ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଜନବିରୋଧୀ ମାନସିକତାର ପ୍ରତିଫଳନ ବୋଲି ବୁଝିହେଉଛି । କାରଣ ଉପରୋକ୍ତ ଅମଲା ଗୋଷ୍ଠୀ ଯେଉଁ କେତୋଟି ରାଜ୍ୟର ଉଦାହରଣ ଉକ୍ତ ବୈଠକରେ ଦେଇଛନ୍ତି, ସେସବୁ ରାଜ୍ୟରେ ଆଞ୍ଚଳିକ ଦଳମାନଙ୍କର ସରକାର ପ୍ରତିଷ୍ଠିତ ଅଛି । ବିଶେଷ କରି ସେମାନେ ଆମ୍ ଆଦ୍‌ମୀ ପାର୍ଟିର ସରକାର ଥିବା ଦିଲ୍ଲୀ ଓ ପଞ୍ଜାବର ଉଦାହରଣ ଦେଇଛନ୍ତି ।

ଉପରୋକ୍ତ ଅମଲା ଗୋଷ୍ଠୀର ଅଭିଯୋଗ ଯେ, ଆମ୍ ଆଦ୍‌ମୀ ପାର୍ଟି ଯେପରି ଭାବେ ଲୋକମାନଙ୍କୁ ମାଗଣା ସେବା ଓ ଦ୍ରବ୍ୟର ପ୍ରତିଶ୍ରୁତି ଦେଉଛି ଓ ତାହାକୁ କାର୍ଯ୍ୟକାରୀ କରୁଛି, ତାହା ଦ୍ୱାରା ଉପରୋକ୍ତ ରାଜ୍ୟଗୁଡ଼ିକ ଦେବାଳିଆ ହୋଇଯିବା ସହିତ ଭାରତ ମଧ୍ୟ ଶ୍ରୀଲଙ୍କା ପରିସ୍ଥିତିକୁ ସାମ୍‌ନା କରିବ । ତେଣୁ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି । ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ପରେ ଆମ୍ ଆଦ୍‌ମୀ ପାର୍ଟି ବିପୁଳ ସଫଳତା ପାଇଥିବାରୁ ଆମ୍ ଆଦ୍‌ମୀ ପାର୍ଟିକୁ ଓ ତା’ର ନୀତିକୁ ତଳୁଆ ଦେଖାଇବା ପାଇଁ ଏହା ଏକ ସୁଚିନ୍ତିତ ପଦକ୍ଷେପ । ସମ୍ପ୍ରତି କ୍ଷମତାରେ ଥିବା ବିଜେପି ଦଳ ନିକଟ ଭବିଷ୍ୟତରେ ଯଦି କେଉଁ ଦଳ ତରଫରୁ ଆହ୍ୱାନର ସମ୍ମୁଖୀନ ହେବାକୁ ଯାଉଛି, ତାହା ହେଉଛି ଆମ୍ ଆଦ୍‌ମୀ ପାର୍ଟି । ଆମ୍ ଆଦ୍‌ମୀପାର୍ଟିର ବିକାଶ ଯୋଜନା ଓ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡ଼ିକୁ ବିଜେପି ତାର କ୍ଷମତା ଲୋଭ ପ୍ରତି ବିପଦ ଭାବୁଥିବାରୁ ବର୍ତ୍ତମାନ ଶ୍ରୀଲଙ୍କାର ଉଦାହରଣ ନେଇ ଆମ୍ ଆଦ୍‌ମୀ ପାର୍ଟିକୁ ତଳୁଆ ଦେଖାଇବାକୁ ବିଜେପି ଦଳ ଓ ତାର ଆଇ.ଟି. ସେଲ୍ କାର୍ଯ୍ୟକ୍ରମ ଆରମ୍ଭ କରିଦେଲାଣି । ଭକ୍ତମାନେ ବି ଏପରି ପ୍ରଚାରକୁ ଜୋର୍‌ସୋରରେ ଭଜନ କରିବା ଆରମ୍ଭ କରିଦେଲେଣି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗୋଟିଏ ରାଜ୍ୟ ସରକାରର ଅତ୍ୟନ୍ତ ଉପଯୋଗୀ ତଥା ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ନକରାତ୍ମକ ଭାବେ ଦେଖାଯାଉଛି । ଭକ୍ତମାନେ ବି ଏପରି ଷଡ଼ଯନ୍ତ୍ରକୁ ବୁଝିନପାରି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନିନ୍ଦା କରୁଛନ୍ତି । ଆମ୍‌ ଆଦ୍‌ମୀ ପାର୍ଟି ସାଧାରଣ ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଜୁଳି ପରି ସେବାକୁ ମାଗେଣା କରିବାରୁ ପ୍ରତିଶ୍ରୁତି ଦେଉଛି ଓ କରୁଛି ମଧ୍ୟ । ସରକାରୀ ଶିକ୍ଷା ବ୍ୟବସ୍ଥା ଓ ସରକାରୀ ସ୍ୱାସ୍ଥ୍ୟ ସେବା କେତେ ଉଚ୍ଚକୁ ଯାଇପାରେ ତାହା ଆମେ ଦିଲ୍ଲୀର ଉଦାହରଣରୁ ଦେଖୁଛୁ । ବିଜୁଳି ବି ଲୋକମାନେ ମାଗଣାରେ ପାଇପାରିବା ସମ୍ଭବ ବୋଲି ବି ଦିଲ୍ଲୀ ସରକାର ଦେଖାଇ ଦେଲେ । ଏପରି କାମକୁ ସାଧାରଣରେ ପ୍ରଶଂସା କରାଯିବା ଯୋଗ୍ୟ ।

ଦୁର୍ଭାଗ୍ୟଜନକ ଭାବେ ଶ୍ରୀଲଙ୍କାର ଉଦାହରଣ ଦେଇ ଏପରି କାମକୁ ନିନ୍ଦା କରାଯାଉଛି ଓ ଏହା ଦେଶ ବିରୋଧୀ ବୋଲି ପ୍ରଚାର କରାଯାଉଛି । ଓଧ ସହିତ ବଣ ବିରାଡ଼ି ବାଇ ହେବା ପରି ଭକ୍ତମାନେ ବି ଅନ୍ଧ ଭାବେ ଏହାକୁ ନିନ୍ଦା କରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଦେଶ ବିରୋଧୀ ବୋଲି ଚିତ୍ରଣ କରୁଛନ୍ତି । ସେହି ବରିଷ୍ଠ ଅମଲା ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଯେଉଁ କେତୋଟି ରାଜ୍ୟରେ ମାଗଣାରେ ଜିନିଷ ବଣ୍ଟାଯାଉଛି ବୋଲି କହିଛନ୍ତି, ସେଥିରେ ଗୋଟିଏ ବି ବିଜେପି ଶାସିତ ରାଜ୍ୟ ନାହିଁ । ଯେତେବେଳେ କି ମାଗେଣା ଦ୍ରବ୍ୟ ଓ ସେବା ଦେବାରେ କର୍ଣ୍ଣାଟକ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତରପ୍ରଦେଶ ଆଦି ବିଜେପି ଶାସିତ ରାଜ୍ୟମାନେ ବି ପଛରେ ନାହାନ୍ତି । ବିଭିନ୍ନ ରାଜ୍ୟ ସରକାରମାନେ ଲୋକମାନଙ୍କୁ ସବୁ ଜିନିଷ ମାଗେଣାରେ ବାଣ୍ଟୁଛନ୍ତି ବୋଲି ଯେତେବେଳେ ଅଭିଯୋଗ କରାଯାଉଛି, ସେତେବେଳେ କେମିତି ଆମେ ଦେଖିପାରୁନେ ଯେ, କେନ୍ଦ୍ର ସରକାର ବି କିଭଳି ଭାବେ ଅମ୍ବାନୀ, ଅଦାନୀ ଓ ଅନ୍ୟାନ୍ୟ କମ୍ପାନୀମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଟିକସ ଛାଡ଼ କରୁଛନ୍ତି! ଏହା କ’ଣ ସେମାନଙ୍କୁ ମାଗେଣା ସେବା ନୁହେଁ କି? ଗୋଟିଏ ଗଣତାନ୍ତ୍ରିକ ଜନକଲ୍ୟାଣକାରୀ ସରକାରଙ୍କ କାମ ହେଉଛି, ଗରିବ, ଅସହାୟ ଲୋକମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ରିହାତିରେ ଯୋଗାଇଦେବା । ଆମ୍ ଆଦ୍‌ମୀ ପାର୍ଟି ହେଉ ବା ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଥିବା ଭିନ୍ନ ଭିନ୍ନ ଆଞ୍ଚଳିକ ଦଳର ସରକାରମାନେ ତ ସେଇଆ କରୁଛନ୍ତି । ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି କମ୍ପାନୀଗୁଡ଼ିକୁ ବିଜୁଳି ସବ୍‌ସିଡ଼୍‌ରେ ନଦେଇ ଲୋକମାନଙ୍କୁ ଦେଉଛି, ଏଥିରେ ଅସୁବିଧା କେଉଁଠି? ଏହା ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଗତ ଦଶ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଭିନ୍ନ ଭିନ୍ନ କମ୍ପାନୀମାନଙ୍କୁ ଦଶ ଲକ୍ଷ କୋଟି ଟଙ୍କାର ଟିକସ ଛାଡ଼ କରିଛନ୍ତି । ଚଳିତ ବଜେଟ୍‌ରେ ବି କର୍ପୋରେଟ୍‌ ଟିକସ ହାର କମ୍ କରାଗଲା । ଯଦି ହିସାବ କରାଯାଏ, ଗତ ଦଶ ବର୍ଷ ମଧ୍ୟରେ କର୍ପୋରେଟ୍ ମାନଙ୍କୁ ଯେତିକି ଟିକସ ଛାଡ଼ କରାଯାଇଛି, ଯେତିକି ବିଜୁଳି, ପାଣି ଓ ଜମି ମାଗେଣାରେ ଯୋଗେଇ ଦିଆଯାଇଛି, ତାହା ତୁଳନାରେ ଗରିବ ଲୋକମାନଙ୍କୁ ସବ୍‌ସିଡ଼୍‌ରେ ଯେଉଁ ଚାଉଳ ଓ ଅନ୍ୟାନ୍ୟ ସୁବିଧା ଦିଆଯାଉଛି, ତାହା ତ କିଛି ନୁହେଁ । କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର ସାଧାରଣ ଲୋକମାନଙ୍କଠାରୁ ପେଟ୍ରୋଲ, ଡିଜେଲ୍ ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଦ୍ରବ୍ୟରେ ଯେତିକି ଟିକସ ନେଉଛନ୍ତି, ତାହା ତୁଳନାରେ ଲୋକମାନଙ୍କୁ ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଯାହା ବି ମାଗଣାରେ ବା ସବ୍‌ସିଡ଼୍‌ରେ ଦିଆଯାଉଛି, ତାହା କଣ ଏତେ ଅଧିକ? ଆଉ ଗୋଟିଏ କଥା ଆଦୌ ବୁଝି ହେଉନାହିଁ, ଯେତେବେଳେ ବି ଅର୍ଥନୀତିର କଥା ଉଠୁଛି, ସବୁବେଳେ ଗରିବମାନଙ୍କୁ ଦିଆଯାଉଥିବା ଅନୁଦାନ କଥା ପ୍ରଥମେ ଉଠୁଛି କାହିଁକି? ଧନୀମାନଙ୍କୁ ମିଳୁଥିବା ଟିକସ ଛାଡ଼ ବା ଅନ୍ୟାନ୍ୟ ସୁବିଧା ସୁଯୋଗ କଥା ତ କେବେ ଶୁଣା ଯାଉନାହିଁ ।

ପୁଣି ଯଦି ଶ୍ରୀଲଙ୍କା ଘଟଣାକୁ ଫେରିବା, ତେବେ ଏହା ସ୍ପଷ୍ଟ ଯେ, ଶ୍ରୀଲଙ୍କା କେବଳ ତାର ଲୋକମାନଙ୍କୁ ମାଗେଣାରେ ଜିନିଷ ଯୋଗାଇଛି ବୋଲି ତାର ବୈଦେଶିକ ଋଣ ଭାର ବଢ଼ିନାହିଁ ଓ ତାର ଅର୍ଥନୀତି ଧୂଳିସାତ୍ ହୋଇନାହିଁ । ଶ୍ରୀଲଙ୍କାର ବିପର୍ଯ୍ୟୟ ପଛରେ ଅନେକ କାରଣ ରହିଛି । ଶ୍ରୀଲଙ୍କାର ଜିଡ଼ିପିର ଦଶ ପ୍ରତିଶତ ପର୍ଯ୍ୟଟନରୁ ଆସିଥାଏ । ଯାହା ଗତ ଦୁଇ ବର୍ଷ ହେବ କରୋନାର କଟକଣା ଯୋଗୁ ବହୁଳ ଭାବେ ପ୍ରଭାବିତ ହୋଇଛି । ୨୦୧୯ରେ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟ ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର୍‌କୁ କମ୍ କରିଦେଇଥିଲା । ଏତଦ୍‌ବ୍ୟତୀତ ଶ୍ରୀଲଙ୍କାକୁ ଅଧିକାଂଶ ପର୍ଯ୍ୟଟକ ଋଷ୍‌, ୟୁକ୍ରେନ୍ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କରୁ ଆସିଥାଏ । ଯୁଦ୍ଧ ଯୋଗୁ ତାହା ମଧ୍ୟ ଗତ ଦୁଇମାସ ହେବ ତାହା ମଧ୍ୟ ପ୍ରଭାବିତ ହୋଇଛି । ଗତ ବର୍ଷ ଶ୍ରୀଲଙ୍କା ସରକାର
ହଠାତ୍ ଚାଷ କ୍ଷେତ୍ରରେ ସମସ୍ତ ପ୍ରକାର ରାସାୟନିକ ପ୍ରୟୋଗକୁ ବାରଣ କରିଦେବାରୁ ଶ୍ରୀଲଙ୍କାର ଚା’ ଉତ୍ପାଦନ ଓ ଅନ୍ୟାନ୍ୟ ଚାଷ ବି ବହୁଳ ଭାବେ ପ୍ରଭାବିତ ହୋଇଛି । ଏଥିପାଇଁ ଶ୍ରୀଲଙ୍କାର ୪୨୫ ମିଲିୟନ୍‌ ଡଲାର ଆର୍ଥିକ କ୍ଷତି ହୋଇଥିବା ବେଳେ ଧାନ ଉତ୍ପାଦନରେ ବି ୨୦ ପ୍ରତିଶତ ହ୍ରାସ ହୋଇଛି । ଶ୍ରୀଲଙ୍କାର
ଅର୍ଥନୀତି ମୂଖ୍ୟତଃ ଆମଦାନୀ ଉପରେ ନିର୍ଭରଶୀଳ । ଦେଶ ପାଖରେ ହଠାତ୍ ବୈଦେଶିକ ମୁଦ୍ରା କମ୍‌ ହୋଇଯିବାରୁ ଶ୍ରୀଲଙ୍କା ଖାଦ୍ୟ ଦ୍ରବ୍ୟ ସମେତ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଆମଦାନୀ କରିବାକୁ ସକ୍ଷମ ହୋଇପାରିଲା ନାହିଁ, ଯାହା ଶ୍ରୀଲଙ୍କାର ସଙ୍କଟକୁ ଅଧିକ ତୀବ୍ର କରିଦେଲା । ଭାରତର ଅବସ୍ଥା ଶ୍ରୀଲଙ୍କା ପରି ହେବାର ଆଦୌ ବି ସମ୍ଭାବନା ନାହିଁ । କାରଣ ଭାରତର ଅର୍ଥନୀତି ଶ୍ରୀଲଙ୍କା ଠାରୁ ବହୁତ ଭିନ୍ନ । ଆମ ଦେଶ ଖାଦ୍ୟ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଅତ୍ୟନ୍ତ ସ୍ୱାବଲମ୍ବନଶୀଳ ଓ ରପ୍ତାନୀ କରୁଛି । ତେଣୁ ଶ୍ରୀଲଙ୍କାର ଉଦାହାରଣ ଦେଇ ଆଞ୍ଚଳିକ ଦଳମାନଙ୍କୁ ଟାର୍ଗେଟ୍ କରି ଲୋକାଭିମୂଖୀ ଯୋଜନାଗୁଡ଼ିକୁ ବନ୍ଦ କରି ଦେଶରେ କେବଳ ଧର୍ମ ଓ ଜାତି ନାଁ’ରେ ରାଜନୀତିକୁ ବଞ୍ଚେଇ ରଖିବାର ଷଡ଼ଯନ୍ତ୍ର କରାନଯାଉ । ଶେଷରେ ଗୋଟିଏ କଥା, ଯେଉଁ ଅମଲା ଗୋଷ୍ଠୀ, ଅର୍ଥନୀତିଜ୍ଞ ଓ ଭକ୍ତମାନଙ୍କ ଆଖିକୁ କେବଳ ସାଧାରଣ ଲୋକମାନଙ୍କୁ ଚାମଚ ଅଗରେ ଦିଆଯାଉଥିବା ମାଗେଣା ଜିନିଷ ସବୁ ଦେଖାଯାଉଛି, ସେମାନେ ଟିକେ ଆଖି ଖୋଲି ବଡ଼ ବଡ଼ ପାଇପ୍ ଯୋଗେ କର୍ପୋରେଟ୍‌ମାନଙ୍କୁ ଯାହା ସବୁ ମାଗେଣାରେ ଓ ଟିକସ ରିହାତି ମାଧ୍ୟମରେ ଦିଆଯାଉଛି, ତାକୁ ଟିକେ ଦେଖନ୍ତୁ । ଦ୍ୱିତୀୟ କଥା ସାଧାରଣ ଲୋକମାନଙ୍କୁ ମାଗେଣାରେ ବା ରିହାତିରେ ଯାହା ବି ସବୁ ମିଳୁଛି, ତାହା ପରୋକ୍ଷରେ ଲୋକମାନଙ୍କ କ୍ରୟଶକ୍ତିକୁ ବୃଦ୍ଧି କରୁଛି ଓ ପ୍ରକାରାନ୍ତରେ ତାହା ଆମ ଅର୍ଥନୀତିକୁ ଚଳଚଞ୍ଚଳ ରଖୁଛି । କାରଣ ସାଧାରଣ ଲୋକମାନେ ହିଁ ବଡ଼ ଖାଉଟି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.