Latest Odisha News

BREAKING NEWS

ମହାନଦୀରେ ଗାଧୋଇବା ବେଳେ ନିଖୋଜ ତୃତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ତୃତୀୟ ନାବାଳକର ମୃତଦେହ ମିଳିଥିବା ଜଣାଯାଇଛି। ମୃତକ ହେଲେ ରାଜ୍ ଓରଫ ସିଦ୍ଦିକ୍ ଖାନ୍ (୧୭)।

ଗତ ରବିବାର ଦିନ ପ୍ରାୟ ୧ଟା ବେଳେ ମାଲଗୋଦାମ ଥାନା ଚାରିଘରିଆସାହିର କେତେଜଣ ଯୁବକ ମହାନଦୀ ଯୋବ୍ରା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ସାହିଲ୍, ରାଜ୍ ଓ ଛୋଟୁ ପାଣି ସୁଅ ଭିତରକୁ ଚାଲିଯାଇଥିଲେ। ଅସାବଧାନତାରୁ ନଦୀର ପ୍ରଖର ସ୍ରୋତରେ ସାହିଲ୍ ଭାସି ଯାଇଥିଲେ। ଏହା ଦେଖିପାରି ରାଜ୍ ଓ ଛୋଟୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ, ସେମାନେ ଉଦ୍ଧାର କରିବେ କ’ଣ ନିଜେ ପାଣି ସୁଅରେ ଭାସିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରି କେବଳ ସାହିଲଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିପାରିଥିଲେ। ମାଲଗୋଦାମ ଥାନା ଚାରିଘରିଆସାହି ଚୂନଭାଟି ଅଞ୍ଚଳର ସେକ୍ ୟୁସୁଫଙ୍କ ପୁଅ ସେକ ସାହିଲ୍ (୧୭)ଙ୍କର ଏଥିରେ ମୃତ୍ୟୁ ଘଟିଥିଲା। ତାଙ୍କୁ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତକାଲି ସକାଳୁ ନିଖୋଜ ଅନ୍ୟ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗତକାଲି ଛୋଟୁ ଓରଫ ଆୟୋର୍ ଖାନ୍(୧୮)ଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ନିଖୋଜ ରାଜ୍ ଓରଫ ସିଦ୍ଦିକ୍ ଖାନ୍ (୧୭)ଙ୍କର ସନ୍ଧାନ ଏବେ ଜାରି ରହିଥିଲା।

Comments are closed.