ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୧
ଆଉ କେତେ ଦିନ ଏଇ ଗେଷ୍ଟ ହାଉସ୍ରେ ରହିଥିବ ଅରୁ?
ଠିକ୍ କହିଲ କୁମାର । କାଲି ହିଁ ଗାଁ ଆରପାଖ ମନ୍ଦିର ପାଖରେ ଗୋଟେ ଘର ବୁଝିଛି । ଦୁଇ ବଖରା । ବାରି ବଗିଚା । ଆଗରୁ ଯିଏ ରହୁଥିଲେ, ଏବେ ଛାଡିଛନ୍ତି । ପହିଲାକୁ ସିପ୍ଟ କରିଦେବି । ଭଡ଼ା ବେଶୀ ନୁହଁ । ଆଡ଼ଭାନ୍ସ ବି ଦେଇଆସିଛି । ଗାଁ ସେମୁଣ୍ଡରେ?
ସେଇଠି ଟିକେ ନିଛାଟିଆ ଲାଗିବ । ତୁମେ ଏକୁଟିଆ ଚଳି ପାରିବ? ରହିପାରିବ ତ?
ଏକୁଟିଆ କେମିତି? କେଦାର ନାହିଁ କି? ସେ ଆଉ ମୁଁ ଆରାମରେ ଚଳି ପାରିବୁ । ରୁହ ଆଜି ସନ୍ଧ୍ୟରେ ଯାଇ ନିଜେ ଦେଖି ଆସିବ ।
ସେଇ ପାଖରେ ନୂଆ କରି ଗୋଟେ ସ୍କୁଲ ଖୋଲୁଛି । ସେଇଠି ଜଏନ୍ କରିବି । କେଦାର ବି ସେଇଠି ପଢିବ । ତା’ ଭିତରେ ମୋ ପି.ଜି ଲାଷ୍ଟ ଇୟରଟା ବି ଘରେ ବସି କମ୍ପ୍ଲିଟ୍ କରିଦେବି ବୋଲି ଭାବିଛି ।
ପରିସ୍ଥିତି ଯେତେ ଖରାପ ହେଉନା କାହିଁକି, ମଣିଷ ସମୟ ସହ ନି ଟଳମଳ ପାଦକୁ ସମ୍ଭାଳି ନିଏ, ବା ସମ୍ଭାଳିବା ଶିଖିଯାଏ । ଏଇ କେତୋଟି ଦିନ ଭିତରେ ଆରାଧ୍ୟା କେତେ ଷ୍ଟ୍ରଙ୍ଗ୍ ହୋଇ ସାରିଲେଣି । ସେ ଆରାଧ୍ୟାକୁ ଚାହିଁ ନୀରବ ତାରିଫ୍ କଲା ।
କୁମାର ବହୁତ ଭଲ ଭାବରେ ଜାଣେ, ଆରାଧ୍ୟା ପାଖରେ ଯାହା କିଛି ଗଚ୍ଛିତ ଥିଲା, ସେ, ସେଥିରୁ ଗୁଡାଏ ଟଙ୍କା ହରିଶ୍ ପାଇଁ ଖର୍ଚ୍ଚ କରିସାରିଛି । ଏବେ ତା’କୁ ଚଳିବାକୁ ଅସୁବିଧା ହେବ । ସେ ଏୟା ବି ଜାଣେ, ଆରାଧ୍ୟା ବହୁତ ସ୍ୱାଭିମାନୀ । ସେ ତା’ ଠାରୁ କିଛି ବି ନେବ ନାହିଁ । ସେଥିପାଇଁ ପଚାରିବାକୁ ସାହସ ବି ହୁଏନା ।
ଆରାଧ୍ୟା ବିକଳ୍ପ ଖୋଜି ସାରିଲାଣି । ଗେଷ୍ଟ୍ହାଉସ୍ ଛାଡି ଭଡ଼ା ଘରକୁ ଚାଲିଯିବ । ଖର୍ଚ୍ଚ କମିବ । ସ୍କୁଲରେ ଚାକିରୀ କରିବ ।
କି ବିଚିତ୍ର ଦୁନିଆ! ଯିଏ ଦିନେ ବିଳାସ ପୁର୍ଣ୍ଣ ଜୀବନ କାଟିଛି, ଯାହା ସ୍ୱାମୀର କମ୍ପାନୀରେ କେତେ ଲୋକ ଚାକିରୀ କରିଥିଲେ, ସେ ଆଜି ଅନ୍ୟ ପାଖରେ ମୁଣ୍ଡ ବିକିବ ।
ଆରାଧ୍ୟା କହେ, ଏଥିରେ ସେ ଅଭ୍ୟସ୍ତ । ଆଗରୁ ତ’ ଗାଁ ରେ ଆଉ ସୀମିତ ଚଳଣିରେ ବଞ୍ଚି ଆସଛି । ମଝିରେ କିଛି ଦିନ ଅଏସ୍
କରିଦେଲେ କ’ଣ, ନିଜର ସ୍ଥିତି ଭୁଲିଯିବ? ତା’କୁ ଚଳିବାରେ ଜମାରୁ ଅସୁବୁଧା ନାହିଁ ।
କ୍ରମଶଃ
Comments are closed.