ମନୋଜ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ
ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ବାଲେଶ୍ବର ଶଙ୍ଖାରି ଗ୍ରାମ ର ସଂଭ୍ରାନ୍ତ ପରିବାରରେ ପିତା ଏବଂ ମାତା କାଦମ୍ବିନୀ ଦେବୀ ଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତାପର ଦୁଇ ସନ୍ତାନ ଝିଅ ସେ ପଞ୍ଚମ ତଥା କନିଷ୍ଠ ସନ୍ତାନ ଅଟନ୍ତି । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ ‘ଅଲୌକିକ ଶକ୍ତିର ଉତ୍ସ’ ଭାବେ ଅଭିହିତ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା । ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ । ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ । ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ, ସୃଜନ ସମ୍ଭାରର ପରିବ୍ୟାପ୍ତ ହୋଇଯାଇଥିଲା । ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଙ୍କଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଲା ଏବଂ ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ବାମପନ୍ଥୀ ଆନ୍ଦୋଳନ ରେ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ । ସେତେବେଳକୁ ‘ଜୀବନର ସ୍ୱାଦ’ ଗଳ୍ପ ସଙ୍କଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ ।
୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା କଲେ । ସେହି ବର୍ଷ ତାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ସୂତ୍ରପାତ ହୋଇଥିଲା । ଦିଗନ୍ତ ମାସିକ ପତ୍ରିକାର ପୁନଃ ପ୍ରକାଶ ଏବଂ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହିତ ବିବାହ । ସମଗ୍ର ଭାରତବର୍ଷରେ ରାଜାରାଜୁଡାଙ୍କ ମଧ୍ୟରୁ କୁଜଙ୍ଗ ରାଜପରିବାର ସ୍ୱାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଥିଲେ । ଏହି ପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହିତ ବିବାହ କରି ମନୋଜ ଙ୍କ ଜୀବନରେ ସାହିତ୍ୟ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ମନୋଭାବର ଯଥେଷ୍ଟ ପରିବର୍ତ୍ତନ ହୋଇଥିଲା। ୧୯୬୧ ମସିହାରେ ମନୋଜ ଦାସଙ୍କ ‘ଆରଣ୍ୟକ’ ପ୍ରକାଶ ପାଇବା ପରେ ଓଡି଼ଆ ଗଳ୍ପ ସାହିତ୍ୟର ମାନଦଣ୍ଡ ନିରୂପିତ ହୋଇଥିଲା । ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫ ମସିହାରେ ‘ଶେଷ ବସନ୍ତର ଚିଠି’ ପ୍ରକାଶ ପାଇବା ପରେ ୧୯୬୬ ମସିହାରେ ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୧୯୬୩ ମସିହାଠାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରି ଆସୁଥିଲେ । ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ ।
ପ୍ରତିଜ୍ଞା ଦେବୀ କେବଳ ତାଙ୍କର ସହଧର୍ମିଣୀ ନଥିଲେ ତାଙ୍କର ପ୍ରତ୍ୟେକ ଯାତ୍ରା ପଛର ପ୍ରେରଣା ଦାତ୍ରୀ ଏବଂ ଅନୁଗାମିନୀ ଥିଲେ।ଏହି ଯୁଗଳଯାତ୍ରା ତାଙ୍କ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା। ମନୋଜ ଦାସଙ୍କୁ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ବୋଲି କୁହାଯାଏ ଆଉ ସେଥି ନିମନ୍ତେ ସେ ଭାରତର ଜଣେ ସୁଗାଳ୍ପିକ ଭାବରେ ଜଣାଶୁଣା । ନିଜର ନିରନ୍ତର ସାଧନା ଏବଂ ଆଧ୍ୟାତ୍ମିକ ମନନଶୀଳତା ତାଙ୍କୁ ସାଧାରଣ ମଣିଷ ସ୍ତରରୁ ଉନ୍ନୀତ କରି ମନିଷୀ ମନୋଜ ରେ ପହଞ୍ଚାଇଥିଲା। ଦିନେ ତାଙ୍କର ବାମପନ୍ଥୀ ଶାଣିତ ସ୍ୱର କରୁଣାସିକ୍ତ ଐଶୀ ବଚନରେ ପରିବର୍ତ୍ତିତ ହୋଇଥିଲା। ସଂସାର ଭିତରେ ଦେଇ ମଧ୍ୟ ସେ ସଂସାରୀ ନଥିଲେ। ସାରା ସଂସାର ର କଲ୍ୟାଣ ନିମିତ୍ତ ସେ ସତତ ଚେଷ୍ଟିତ ଥିଲେ।
ପ୍ରଥମେ ପ୍ରତିଜ୍ଞା ଦେବୀଙ୍କ ତିରୋଧାନ ଘଟିଥିଲା ୨୦୧୮ ମସିହାର ଅକ୍ଟୋବର ମାସ ୩ ତାରିଖରେ। ବାହାରୁ ସ୍ଥିର ଅବିଚଳିତ ଜଣା ପଡୁଥିଲେ ମଧ୍ୟ ମନୋଜ ଦାସ ମନେ ମନେ ଝୁରି ହେଉଥିଲେ ପ୍ରାଣପ୍ରିୟା ପତ୍ନୀଙ୍କୁ। ସେଥିପାଇଁ ଗମ୍ଭୀର ଭାବରେ ରୋଗାକ୍ରାନ୍ତ ହୋଇଥିଲେ ମଧ୍ୟ ସେ ଅରୋଭିଲ୍ ଛାଡି ବାହାରକୁ ଯାଇ ଚିକିତ୍ସା କରାଇବା ପାଇଁ ଇଚ୍ଛା କରିନଥିଲେ।ତାଙ୍କୁ ଏଥିପାଇଁ ମନେଇବାକୁ ତାଙ୍କର ଅନୁଗାମୀମାନଙ୍କୁ ବହୁତ କଷ୍ଟ କରିବାକୁ ପଡି ଥିଲା । ସେମିତି ଚିକିତ୍ସାଧୀନ ଅବସ୍ଥା ରେ ୨୦୨୧ ମସିହା ଅପ୍ରେଲ ୨୭ ତାରିଖରେ ପଣ୍ଡିଚେରୀଠାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ସାଧନାପୀଠ ଅରୋଭିଲରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଥିଲେ । ତାଙ୍କର ଲେଖାରେ ସାମାଜିକ ସଚେ ତନତା , ସମାଜର ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣା ରୁ ଏକାଦିକ୍ରମେ ବ୍ୟଙ୍ଗ ଓ ଗଭୀର ଜୀବନଦର୍ଶନ ଦେଖିବାକୁ ମିଳେ । ତାଙ୍କର ସୃଜନ ସମଗ୍ର କେବଳ ଓଡିଶା ନୁହେଁ ସମଗ୍ର ବିଶ୍ବ ସାହିତ୍ୟର ଅମୂଲ୍ୟ ରତ୍ନ ।
କବି ମନ ନେଇ ଦିନେ ହୁଏତ ସେ ପୁଣି ଏ ଧୂସର ଧରଣୀ କୁ ଫେରିବାର ପ୍ରତିଶ୍ରୁତି ଦେଇଥିଲେ ତାଙ୍କ କବିତା “ ପ୍ରତିଶ୍ରୁତି “ ରେ…-
ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲୁଚରେ
ବାରି ବାରି ପଦଚିହ୍ନ ,ଏ ବିସ୍ମୃତ ତିମିର-ଶିବିରେ
ବେନି କରେ ଆଣିଥିବି ସେଦିନ ମୁଁ ଆଦରି ଯତନେ
ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା -ସଦନେ।
ତାଙ୍କର ଆତ୍ମା ତ ଈଶ୍ବର ସତ୍ତା ରେ ଲୀନ ହୋଇ ସାରିଛି ଗତବର୍ଷ ଆଜିର ଦିନରେ। ସାରା ପୃଥିବୀବାସୀଙ୍କ ପାଇଁ ଐଶ୍ୱରୀୟ ଶକ୍ତିର ଉତ୍ସ ପାଲଟିଛି ଯାଇଛନ୍ତି ମନୋଜ୍ଞ ମନୋଜ ଦାସ।
ଶାରଳା ଭବନ ପୋତାପୋଖରୀ ନୂଆବଜାର କଟକ
Comments are closed.