ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୨
ନିରୂପ କାଳ ବାୟୁ ହୋଇ
ପଶେ ଜୀବନ ଶ୍ବାସ ହୋଇ
ତତ୍କାଳ ଯାଏ ତା ବାହାରି
ବିଶ୍ବକୁ ରଖିଛି ଆବୋରି
ମୁହିଁ ବିଶ୍ବର ଅଂତର୍ଗତ
ଏହା ହିଁ ସର୍ବମୂଳ ସତ୍ୟ
ପବନ କରେ ଯାତାୟାତ
ତେଣୁ ମୁଁ ରହିଛିଁ ଜୀବିତ
କାଳର ନିରଂତର ଗତି
ନ ଥାଏ କ୍ଳାଂତି କି ବିରତି
ପିଂଡରେ କାଳର ଏ ଗତି
ମୋହର ନିତ୍ୟ ଅନୁଭୂତି
କାଳକୁ କରି ଭାଗ ଭାଗ
କିପାଇଁ ଭୋଗିବି ଦୁର୍ଯୋଗ ?
ମୋର ଜୀବନ କାଳାଧୀନ
ଯା ଆସ କରୁଛି ପବନ
ଏତିକି ମୋ ପାଇଁ ଯଥେଷ୍ଟ
ସମୟ କରିବିନି ନଷ୍ଟ
ଦେବି କି ପାଇବିନି କଷ୍ଟ
ଉଦ୍ଦେଶ୍ୟ ସରଳ ସୁସ୍ପଷ୍ଟ
ଭାବନା ଭାଷାଧ୍ବନି ହୋଇ
ତୁଂଡରୁ ସ୍ବଚ୍ଛଂଦେ ଖସଇ
ତାହା ବି ଅଟେ ଶୁଦ୍ଧ ବାୟୁ
ବଢ଼ାଏ ଭାଷା ପରମାୟୁ
ଭାଷାଲିପି ହୋଇଲେ ଲେଖା
ସର୍ବତ୍ର ଦେଇଥାଏ ଦେଖା
କାଳୋତ୍ତୀର୍ଣ ଓ ସ୍ଥଳୋତ୍ତୀର୍ଣ
ହେବା ହିଁ ଭାଷାର ଲକ୍ଷଣ
ବିଶ୍ବର ପ୍ରତ୍ୟେକ ସ୍ବଭାଷୀ
ହେଲେ ହେଁ ସ୍ଥଳ, କାଳ ବାସୀ
ହୁଅଂତି ପ୍ରବଳ ପ୍ରୟାସୀ
ସ୍ବଭାଷା ହେଉ ଅବିନାଶୀ
Comments are closed.