Latest Odisha News

ନିର୍ବାଚନର ୨୧ ମାସ ପୂର୍ବରୁ ୨୧ ମନ୍ତ୍ରୀ ଦଳକୁ ଦେଇପାରିବେ କି ସଫଳତା?

ଭୁବନେଶ୍ବର: ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ୨୧ ମାସ ବାକି ଅଛି । ଏହା ପୂର୍ବରୁ ବିଜେଡି ସୁପ୍ରିମୋ ବାଜି ଲଗାଇଛନ୍ତି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟର ଅଧା ବିଭାଗ ବି ପରିବର୍ତ୍ତନ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ୨୧ ଜଣ ମନ୍ତ୍ରୀ ଶପଥ ନେବା ବେଳେ ଏଥିରେ ୭ ନୂଆ ମୁହଁ ଦେଖିବାକୁ ମିଳିଛି ତ ପୁଣି ୫ଜଣ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି । ଆଉ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ ଜିତିଥିବାରୁ ମନ୍ତ୍ରୀ ପଦ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି । ନବୀନଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଖାଲି ଓଡ଼ିଶାରେ ନୁହେଁ ଭାରତର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବି ଚର୍ଚା ଚାଲିଛି ।

ନବୀନଙ୍କ ନୂଆ ଟିମର ମୂଳ ସୂତ୍ର ନିଶ୍ଚୟ ହୋଇପାରେ ଯେ ୨୦୨୪ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଜିତିବା । ଏପରିକି ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ପାଇଁ ନବୀନ ଏଭଳି ନିଷ୍ପତ୍ତି ନେଇଥିବା ବିଶ୍ୱାସ କରାଯାଏ। ଏମିତି ବି ନବୀନ ପଟ୍ଟନାୟକ ଗତ ୨୨ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ତେବେ ମଧ୍ୟ କୈାଣସି ବି ନିର୍ବାଚନକୁ ନବୀନ ହାଲୁକା ଭାବେ ନେଇନଥାନ୍ତି । ଆଉ ଫଳ ସ୍ବରୂପ ସବୁ ନିର୍ବାଚନରେ ବିଜେଡିର ସଫଳତା ହାର ଅନ୍ୟ ଦଳଠୁ ଅଧିକ ରହିଛି । ଗତ ସପ୍ତାହରେ ନବୀନ ପଟ୍ଟନାୟକ ରାଜନୀତିରେ ୨୫ ବର୍ଷ ପୂରଣ କରିବା ପରେ ପରେ ଏବେ ଏପରି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ।

ଆପଣମାନେ ଜାଣନ୍ତି ୧୯୯୭ ରେ ପ୍ରଥମ ଥର ପାଇଁ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ନବୀନ । ନବୀନଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ବିଜେଡି ଗଠନ ହୋଇଥିଲା । ଆଉ ନବୀନ ଆସିଥିଲେ ରାଜନୀତିର ମଇଦାନକୁ । ସେବେଠାରୁ ସେ ବିରୋଧୀଙ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି । ଏକଥା ମଧ୍ୟ କୁହାଯାଇପାରେ ଯେ ବିଜୁ ଜନତା ଦଳ ଗଠନ ହେବା ପରଠାରୁ ଆଉ କୈାଣସି ଦଳ ରାଜ୍ୟରେ ଶାସନ କରିବା ପାଇଁ ବହୁମତ ପାଇପାରିନାହିଁ ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ରେ ଲଗାତାର ୫ ଥର ଓଡିଶାରେ ବହୁମତରେ ଜିତି ସରକାର ଗଠନ କରିଛନ୍ତି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ନବୀନ ଏଥର କିଛି ନୂଆ କରିଛନ୍ତି । ଯାହାକୁ ନେଇ ରାଜନୀତି ସମୀକ୍ଷକମାନେ ମଧ୍ୟ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି । ପ୍ରଥମ କଥା ହେଲା ସମସ୍ତ ମନ୍ତ୍ରୀଙ୍କୁ ସେ କହିଥିଲେ ଇସ୍ତଫା ଦେବା ପାଇଁ । ଦ୍ବିତୀୟ କଥା ହେଲା ପୂର୍ବ ସରକାରରେ ବଳିଷ୍ଠ ମନ୍ତ୍ରୀ ଥିବା ବିକ୍ରମ କେଶରୀ ଆରୁଖ , ପ୍ରତାପ ଜେନା, ଅରୁଣ ସାହୁଙ୍କୁ କ୍ୟାବିନେଟ ବିସ୍ତାରରେ ସ୍ଥାନ ମିଳିନାହିଁ। କାର୍ୟ୍ୟଦକ୍ଷତା ଆଧାରରେ ଉଭୟଙ୍କୁ ଅପସାରଣ କରାଯାଇଥିବା କୁହାଯାଉଥିଲେ ମଧ୍ୟ ଏଥିରେ ସେମାନଙ୍କ ବିବାଦୀୟ କାର୍ୟ୍ୟ ପାଇଁ ତାଙ୍କୁ ସ୍ଥାନମିଳିନଥିବା ଅନୁମାନ କରାଯାଉଛି ।

ପୂର୍ବ କ୍ୟାବିନେଟରେ କେବଳ ୩ ଜଣ ମହିଳାଙ୍କୁ ସ୍ଥାନ ଦିଆଯାଇଥିବାବେଳେ ନୂତନ କ୍ୟାବିନେଟରେ ନବୀନ ୫ ଜଣଙ୍କୁ ସ୍ଥାନ ଦେଇଛନ୍ତି। ୨୦୧୯ ରେ ଓଡିଶା ବିଧାନସଭା ନିର୍ବାଚନରେ ବିଜେପୁରରୁ ସର୍ବାଧିକ ବ୍ୟବଧାନରେ ଜିତିଥିବା ରୀତା ସାହୁଙ୍କୁ ମଧ୍ୟ ମନ୍ତ୍ରୀ କରିଛନ୍ତି ନବୀନ । ନୂଆ ଟିମକୁ ନୁଆ ଦାୟିତ୍ବ ଦେଇଥିବା ବିଜେଡି ସୁପ୍ରିମୋ ଏବେ ଆଗାମୀ ନିର୍ବାଚନରେ ଲଢ଼ିବା ପାଇଁ ଲୋକଙ୍କ ନିକଟକୁ ଯିବାକୁ କହିଛନ୍ତି । ଏପରିକି ନୂଆ ମନ୍ତ୍ରୀମାନଙ୍କୁ ନବୀନ ନିବାସ ଡକାଇ କାମ କରିବାର ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.