ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୫
ପ୍ରଥମରୁ କହିବାକୁ ଚାହିଁବି ୱେଡିଙ୍ଗ କେକ୍ ବିବାହ ଭଳି ଏକ ଉତ୍ସବମୁଖର ସମୟର ଏକ ଆନୁଷ୍ଠାନିକ ଉପଜ ସତ, ମାତ୍ର ସାମୁହିକ ଭାବରେ ନିଜର ଯୋଗଦାନ ତଥା ବିବାହ ଭଳି ଏକ ପବିତ୍ର ଉତ୍ସବରେ ନିଜର ଭାଗିଦାରୀକୁ ସାବ୍ୟସ୍ତ କରିବା ପାଇଁ ସେଇଠି ବିବାହ ପରବର୍ତ୍ତି ବରକନ୍ୟାଙ୍କ ଦ୍ୱାରା କଟା ଯାଇଥିବା ସେହି ୱେଡିଙ୍ଗ୍ କେକ୍ ରୁ ଟୁକୁରାଏ ଟୁକୁରାଏ ଆନନ୍ଦର ସହ ଖାଇବା ଭଳି ଆଜିକାଲିର ପ୍ରଥା ଭଳି କଥା, ଏହାର ଉଦ୍ଦେଶ୍ୟ ନଥିଲା ।
ସରଳରେ ଏଇ କଥାକୁ ଏହିଭଳି କୁହାଯାଇପାରିବ : ୱେଡିଙ୍ଗ୍ କେକର ଉଦ୍ଦେଶ୍ୟ ପ୍ରଥମେ ଭିନ୍ନ ଥିଲା, ତାହାକୁ କାଟି ଖାଇବା ଭଳି ଉପଯୋଗିତାବାଦର କଥା ସେଥିରେ ଆଦୌ ନଥିଲା ।
ଇଏ ହେଉଛି ସେହି ସମୟ । ଖ୍ରୀଷ୍ଟ ପୂର୍ବ ପ୍ରଥମ ଶତାବ୍ଦୀ । ସ୍ଥାନ ହେଉଛି ରୋମ୍ । ଇତିହାସ ପ୍ରସିଦ୍ଧ ରୋମାନ ସାମ୍ରାଜ୍ୟ ର ହାଲୋଳ ଚାରିଆଡେ ।
ସାଧାରଣତଃ ବିବାହ ସମୟରେ ଯେଉଁ ଭଳି ଆଖିଦୃଶିଆ ସୁନ୍ଦର ସୁନ୍ଦର କେକ୍ ,ଯାହାକୁ ଆମେ କହିବା ୱେଡିଙ୍ଗ କେକ୍, ଆଜି କାଲି ସେହି ସବୁ କେକ୍ ରେ ସମକାଳର ବେକରମାନେ ନିଜର ସମସ୍ତ କଳାକୃତି ତଥା ନୟନାଭିରାମ ଅଭିନବ ସ୍ଥାପତ୍ୟ କୌଶଳ ପ୍ରତିସ୍ଥାପନ କରୁଛନ୍ତି ,ତାହାକୁ ଦେଖିବା ବେଳେ ଆମର ମନକୁ ନିଶ୍ଚୟ ଗୋଟିଏ କଥା ଆସିବ ଯେ,ଆମେ ଆମର ଜୀବନବୋଧରେ ସମସ୍ତ ସୁଖର ପ୍ରତୀକ ମାନଙ୍କୁ ସ୍ଥାପତ୍ୟ ରେ ଅନୁସୃଜିତ କରିବାରେ ଆଗ୍ରହୀ ରହିଛୁ ।
( ଖାଲି ସୁଖ କାହିଁକି ଆମେ ଆମର ଦୁଃଖବୋଧକୁ ବି ସ୍ଥାପତ୍ୟରେ ଦେଖିବାକୁଚାହୁଁ । ହେଲେ ଆଜି ଦୁଃଖର କଥା ନୁହଁ । ତେଣୁ ଏଇ ବାକ୍ୟ ଟି ବନ୍ଧନୀ ଭିତରେ ଥାଉ।)
ବିବାହ ପ୍ରକ୍ରିୟା ସମାପନ ହୋଇଯିବା ପରେ ସେ ସମୟରେ ୱେଡିଙ୍ଗ୍ କେକ୍ କୁ ଖଣ୍ଡ ଖଣ୍ଡ କରି ଅନ୍ୟ ସମସ୍ତେ ଆଶୀର୍ବାଦ ସ୍ୱରୂପ ନବବଧୂ ଉପରକୁ ପୁଷ୍ପବୃଷ୍ଟି କଲା ଭଳି ତାହାକୁ ଫୋପାଡୁଥିଲେ । ଏଇଠି ଏଇ କଥା ର ଉଲ୍ଲେଖ ପ୍ରାସଙ୍ଗିକ ଯେ, ଗହମ ହେଉଛି ଶସ୍ୟ ଆକାରରେ ଉର୍ବରତା ବା ଫଳନ ର ଏକ ସର୍ବପୁରାତନ ପ୍ରତୀକ । ତେଣୁ ଗହମରୁ ପ୍ରସ୍ତୁତ କେକ୍ କୁ ନବବଧୂ ଉପରେ ଶ୍ରଦ୍ଧାବୃଷ୍ଟି କରିବା ଭଳି ଆବଶ୍ୟକତା ପଛରେ ଥିବା ସାଂସ୍କୃତିକ ଗୋଷ୍ଠୀ-ଅବସ୍ଥାନଟି ହେଉଛି ,ସେ ନବବଧୂଟି ଏହାଫଳରେ ପ୍ରତୀକାତ୍ମକ ଭାବରେ ଗର୍ଭାଧାନ କରିବାକୁ ସବୁବେଳେ ଉପଯୁକ୍ତ ହେଉ । ସେଇଠି ଉପସ୍ଥିତ ଥିବା ଅନ୍ୟ ଅଭିଆଡି ଝିଅମାନେ ନବବଧୂ ଉପରେ ବୃଷ୍ଟି କରାଯାଉଥିବା କେକ୍ କୁ ପବିତ୍ର ମନରେ ସଂଗ୍ରହ କରୁଥିଲେ ,ଯାହାଫଳରେ ସେମାନଙ୍କର ମାଙ୍ଗଳିକ କାର୍ଯ୍ୟ ବି ଯଥାଶିଘ୍ର ସଂପନ୍ନ ହୋଇ ପାରିବ ।
ଆମେ ଏବେ ଯେଉଁ ସମୟର ରୋମାନ ସାମ୍ରାଜ୍ୟ ବିଷୟରେ କଥା ହେଉଛେ ,ଅର୍ଥାତ୍ ଖ୍ରୀପୂ ପ୍ରଥମ ଶତାବ୍ଦୀର ରୋମ୍ ସେତେବେଳେ ସାମାଜିକ ପ୍ରତିଷ୍ଠା ଦୃଷ୍ଟିରୁ ନଗର-ନିର୍ମାଣକାରୀ ଅର୍ଥାତ୍ “ମାସନ୍” ଙ୍କ ତୁଳନାରେ ସହର ର “ବେକର୍” ମାନଙ୍କ ସ୍ଥାନ ଯଥେଷ୍ଟ ଉଚ୍ଚରେ ଥିଲା । ସେମାନେ ନିଜକୁ ଅଧିକ ଉପଯୋଗୀ ଆକାର ରେ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ସେମାନଙ୍କର ଦ୍ୱାରା ପ୍ରସ୍ତୁତ ହେଉଥିବା ୱେଡିଙ୍ଗ୍ କେକ୍ କୁ ଅଧିକ ଲୋଭନୀୟ ଏବଂ ସୁସ୍ୱାଦୁ କରିଦେଲେ । ତାହା ଫଳରେ ରୋମୀୟ ମାନେ ଏହାକୁ ଆଗ ଭଳି ନବବଧୂ ଉପରକୁ ଫୋପାଡି ଏହାକୁ ଏକ ପ୍ରକାର ଅପବ୍ୟୟ କରିବାକୁ ଆଉ ଚାହିଁ ନଥିଲେ । ଆନୁମାନିକ ଖ୍ରୀପୂ ୧୦୦ ବେଳକୁ ତେଣୁ ରୋମ୍ ରେ ଗହମ ( ବିଶେଷତଃ ଏକ ଉର୍ବରକ-ପ୍ରତୀକ) ରୁ ପ୍ରସ୍ତୁତ ହୋଇଥିବା କେକ୍ ଅର୍ଥାତ୍ ଏକ ଉର୍ବରକ ର ଲୋଭନୀୟ ଫଳଶ୍ରୁତି ର ପ୍ରତୀକ ଆକାରରେ ସ୍ୱାଦଯୁକ୍ତ ହୋଇ କହିବାକୁ ଗଲେ ବିବାହ ସମୟରେ ଏକାଧାରରେ ଏକ ଆକର୍ଷଣୀୟ ପ୍ରତୀକ ଏବଂ ଏକ ଉପଯୋଗୀ ” କଂଜ୍ୟୁମେବଲ୍” ପ୍ରତୀକ ରେ ପରିବର୍ତ୍ତନ ହୋଇଗଲା ।
ସେହି ସମୟର ଜଣେ ରୋମାନ କବି ତଥା ଦାର୍ଶନିକ ଲୁକ୍ରେଟିଅସ୍ ବିବାହ ସମୟରେ ଗୋଟିଏ ସମନ୍ୱିତ ପ୍ରଥାର କଥା କହିଛନ୍ତି । ଲୁକ୍ରେଟିଅସ୍ ଙ୍କ ଅନୁସାରେ,ସେତେବେଳେ ବର ନବବଧୂର ମଥାରେ ୱେଡିଙ୍ଗ୍ କେକ୍ କୁ ବିବାହ ପରେ ବୋଳିଦିଏ ଆଉ ତାହାପରେ ଉଭୟ ବର ଓ ବଧୂ ଏକତ୍ର ସେହି କେକ୍ ଟୁକୁଡାକୁ ଖାଇଥାନ୍ତି । ବର ଓ ବଧୂ ଉଭୟେ ଏହି ଭଳି ୱେଡିଙ୍ଗ କେକ୍ ର ଟୁକୁଡାକୁ ଖାଇବା କଥାକୁ ଦାର୍ଶନିକ ଲୁକ୍ରେଟିଅସ୍ “ଏକାଠି ଖାଇବା” ବା କନଫେରିସିଓ ବୋଲି କହିଛନ୍ତି । ପରେ ଆଉ ବଧୂ ତାହାପରେ ବିବାହ ବାସରରେ ଉପସ୍ଥିତ ଥିବା ଆମନ୍ତ୍ରିତ ଅତିଥିଙ୍କୁ ସେହି ସୁସ୍ୱାଦୁ ୱେଡିଙ୍ଗ୍ କେକ୍ ରୁ ଟୁକୁଡାଏ ଟୁକୁଡାଏ ନିବେଦନ କରିଥାଆନ୍ତି ।
ବିବାହ ପରେ ବର ଆଉ ବଧୂଙ୍କର ଯୁଗ୍ମଜୀବନର ବ୍ୟକ୍ତିଗତ ଏବଂ ସାମୁହିକ ଜୀବନଚର୍ଯ୍ୟାର ଅୟମାରମ୍ଭ ଏହି ୱେଡିଙ୍ଗ କେକ୍ କୁ କାଟି ଖାଇବାରୁ ହୋଇଥାଏ ବୋଲି କବି ଆଉ ଦାର୍ଶନିକ ଲୁକ୍ରେଟିଅସ୍ ଉଲ୍ଲେଖ କରିଅଛନ୍ତି ।
ୱେଡିଙ୍ଗ କେକ୍ କୁ କାଟି ଖାଇବା ଭଳି ପ୍ରଥା ରୋମ୍ ରୁ ସମଗ୍ର ଇଉରୋପ୍ କୁ ବ୍ୟାପି ଯାଇଥିଲା । ମଧ୍ୟଯୁଗ ପର୍ଯ୍ୟନ୍ତ ଏହି ପ୍ରଥା ବିବାହର ଆନୁସଙ୍ଗିକ ଅଙ୍ଗ ହୋଇ ରହିବାକୁ ଲାଗିଲା । ମଝିରେ ମଝିରେ ସ୍ଥଳ ବିଶେଷରେ ଯେଉଁଠି ଦାରିଦ୍ର୍ୟ ଆଉ ଅସ୍ୱଚ୍ଛଳତା ରହିଥିଲା ସେଇଠି ବିବାହ ସମୟରେ କେକ୍ ପ୍ରସ୍ତୁତ କରାଯାଇ ପାରୁନଥିଲା । ଗହମ ଆଉ ଚାଉଳ ଶସ୍ୟ ଦାନା ବର ଆଉ ବଧୂଙ୍କ ଉପରେ ବୃଷ୍ଟି କରାଯାଉଥିଲା।
ୱେଡିଙ୍ଗ କେକ୍ ର ବିବର୍ତ୍ତନମୂଳକ ଇତିହାସରେ ବ୍ୟକ୍ତି ଆଉ କ୍ଷେତ୍ର ବିଶେଷର ଆର୍ଥିକ ଅନୁସଂଗର ତେଣୁ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି ।
ମଧ୍ୟବର୍ତ୍ତୀ ଯୁଗରୁ ଆଧୁନିକ ଯୁଗକୁ ଆସିବା ସମୟରେ ୱେଡିଙ୍ଗ କେକ୍ ର ଇତିହାସରେ ଆଗରୁ ଥିବା ରୋମାନ କାହାଣୀଟି ତାହାର ସ୍ଥାପତ୍ୟ ଦୃଷ୍ଟିରୁ ବ୍ରିଟିଶ-କାହାଣୀରେ ରୂପାନ୍ତରିତ ହୋଇଯାଇଛି । ଆଜି ଆମେ ଯେଉଁ ୱେଡିଙ୍ଗ କେକ୍ ଦେଖୁ ତାହା ଅନେକ ପରିମାଣ ରେ ବ୍ରିଟିଶ ମାନଙ୍କ ଦ୍ୱାରା
ପ୍ରଭାବିତ ।
ୱେଡିଙ୍ଗ କେକ୍ ରେ ବ୍ରିଟିଶ-କାହାଣୀର ପ୍ରଭାବ ଏହି ଭଳି ।
ବ୍ରିଟିଶ ଉପକୂଳରେ ଗୋଟିଏ ଅଜବ ପ୍ରଥା ପ୍ରଚଳିତ ଥିଲା । ସେଠାରେ ଲୋକମାନେ କୌଣସି ଭୋଜି ହେଲେ ତାହାର ସୁସ୍ୱାଦୁ ଖାଦ୍ୟ ପଦାର୍ଥକୁ ଗୋଟିକ ପରେ ଆଉ ଗୋଟିଏ ଏମିତି ସ୍ତୁପାକାରରେ ସଂଗୃହୀତ କରିଥାଆନ୍ତି । ଏହି ସ୍ତୁପର ଉଚ୍ଚତା ଯେତେ ଅଧିକ ହେବ ତାହା ସେତେ ଅଧିକ ସଂପନ୍ନତା ର କଥା ହିଁ ବିସ୍ତାରରେ ପ୍ରକାଶ କରୁଥିବ । ଇଂଲଣ୍ଡ ର ରାଜା ଦ୍ୱିତୀୟ ଚାର୍ଲସ୍ ଙ୍କ ସମୟରେ ଅର୍ଥାତ୍ ୧୬୬୦ ଖ୍ରୀଷ୍ଟାବ୍ବରେ ତାଙ୍କର ଜଣେ ଫରାସୀ ପାଚକ,ଦୁର୍ଭାଗ୍ୟକୁ ତାଙ୍କର ନାଆଁ ଇତିହାସରୁ ହଜିଯାଅଛି ବା ଏମିତି କୁହାଯାଇପାରେ ସ୍ୱାଦକୁ ନେଇ ଯେଉଁ ଅସ୍ମିତା ବୋଧ ର ସଂଘର୍ଷ ଥାଏ ସେ ଦୃଷ୍ଟିକୋଣରୁ ତାଙ୍କର ନାଆଁ କୁ ଲିଭାଇ ଦିଆଯାଇ ଥାଇପାରେ । ସେହି ଫରାସୀ-ପାଚକ ଜଣକ ଭୋଜି ମାନଙ୍କରେ ସୁସ୍ୱାଦୁ ଖାଦ୍ୟ ମାନଙ୍କର ଏହିଭଳି ଅସଂଜତ ସ୍ତୂପମାନଙ୍କୁ ଦେଖି ନିଜ ମନରେ ଗୋଟିଏ ବିଭିନ୍ନ ସ୍ତରର କେକ୍ ପ୍ରସ୍ତୁତ କରିବାକୁ ଚିନ୍ତା କରିଥିଲେ ।
ତେଣୁ ଇଂଲଣ୍ଡର ରାଜା ଦ୍ୱିତୀୟ ଚାର୍ଲସ୍ ଙ୍କ ସମୟରେ ବହୁ ସ୍ତରୀୟ ସୁନ୍ଦର ସୁନ୍ଦର ୱେଡିଙ୍ଗ କେକ୍ ମାନ ପ୍ରସ୍ତୁତ କରାଗଲା । ରାଜା ମାନେ ତ ଆଚରଣ ଦୃଷ୍ଟିରୁ ପ୍ରଜାମାନଙ୍କୁ ଚିରକାଳ ପ୍ରଭାବିତ କରିଆସିଛନ୍ତି । ସେଇଥିପାଇଁ ୱେଡିଙ୍ଗ କେକ୍ ମାନ ପ୍ରଜାଙ୍କ ନିକଟକୁ ବହୁବର୍ଣ୍ଣ ରେ ଆକର୍ଷଣୀୟ ହୋଇ କ୍ରମଶଃ ଆସିଅଛି ।
Comments are closed.