Latest Odisha News

BREAKING NEWS

ଭାଙ୍ଗିଯିବ କି ଉଦ୍ଧବଙ୍କ ସରକାର?

ଶିବସେନାର ୫୫ ଜଣ ବିଧାୟକ ଥିବାବେଳେ ୩୫ ଜଣ ବିଧାୟକ ବୈଠକରେ ଯୋଗ ଦେଲେନି

ମୁମ୍ବାଇ:  ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ସରକାର ରହିବ କି ଭାଙ୍ଗିବ ଏହି ଚର୍ଚା ଏବେ ସବୁଠି । ଅଢ଼େଇ ବର୍ଷର ମେଂଟ ସରକାର ଏବେ ବିପଦରେ ଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି । କାରଣ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେ ଦଳର ୨୬ ଜଣ ବିଧାୟକଙ୍କ ସହ ମିଶି ଏବେ ଉଦ୍ଧବ ସରକାରଙ୍କୁ ବିରୋଧ କରୁଛନ୍ତି । ସେ ଏବଂ ତାଙ୍କର ସମର୍ଥକ ଗୁଜୁରାଟର ସୁରଟ ସହରରେ ଏକ ହୋଟେଲ୍‌ରେ ଏବେ ଅଛନ୍ତି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେବା ଏକନାଥ ଟୁଇଟ କରି କହିଛନ୍ତି ସେ ମେଂଟ ସରକାରରେ ରହିବାକୁ ଚାହୁଁନାହାଁନ୍ତି । କାରଣ ଶିବସେନାର ଚିନ୍ତାଧାରା ସହ ମେଂଟ ସରକାରରେ ଥିବା ଏନସିପି ଏବଂ କଂଗ୍ରେସ ସହ ମେଳ ଖାଉନାହିଁ । ବାଲ୍ ଠାକରେଙ୍କ ଆଦର୍ଶ ଏବଂ ମେଂଟ ସରକାରର ଆଦର୍ଶ ପୁରା ଅଲଗା ବୋଲି ସେ ଖୋଲାଖୋଲି କହିଛନ୍ତି ।

 ଏଭଳି ସଂକଟ ସମୟରେ ସରକାର ଭାଙ୍ଗିଯିବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଅପରାହ୍ନରେ ବିଧାୟକମାନଙ୍କର ଏକ ବୈଠକ ଡାକିଥିଲେ ।  ତେବେ ଏହି ବୈଠକରେ ପ୍ରାୟ ୨୦ ଜଣ ବିଧାୟକ ଯୋଗ ଦେଇଥିଲେ। ଶିବସେନାରେ ସମୁଦାୟ ୫୫ ଜଣ ବିଧାୟକ ଥିବାବେଳେ ଆଜି ୩୫ ଜଣ ବିଧାୟକ ଯୋଗ ଦେଇନାହାଁନ୍ତି ।  ତେବେ କୁହାଯାଉଛି ଯଦି ଦଳରୁ ୨୭ ଜଣ ବିଧାୟକ ଦୂରେଇ ଯାଆନ୍ତି, ତେବେ ସେମାନଙ୍କ ପ୍ରତି ଦଳ-ବଦଳ ଆଇନ ଲାଗୁ ହେବ ନାହିଁ। ଏଭଳି ପରିସ୍ଥିତିରେ, ୩୫ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ବୈଠକରୁ ବିଧାୟକମାନେ ଦୂରେଇ ଯାଇ ଶିବସେନା ପାଇଁ ଚିନ୍ତାର କାରଣ ପାଲଟିଯାଇଛନ୍ତି। ସେପଟେ ଏକନାଥଙ୍କ ସହ ଉଦ୍ଧବଙ୍କ ଦୁଇ ବିଧାୟକ ଯାଇ ସୁରଟରେ ଆଲୋଚନା କରି ଫେରିଛନ୍ତି । କଣ ଆଲୋଚନା ହୋଇଛି ସେ ବିଷୟରେ କେହି ମତ ରଖିନାହାଁନ୍ତି ।

ସେପଟେ ଉଦ୍ଧବ ଠାକରେ ମଧ୍ୟ ଏକନାଥ ସିନ୍ଧେଙ୍କୁ ବିଧାନସଭା ଦଳର ନେତା ପଦରୁ ହଟାଇ ଦେଇଛନ୍ତି । ଅଜୟ ଚୌଧୁରୀଙ୍କୁ ସେ ନୂଆ ଦାୟିତ୍ୱ ଦେଇଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଏସବୁ ଶିବସେନାର ଆନ୍ତରିକ ମାମଲା । ଏଥିରେ ସେ କେବଳ ଏତିକି କହିବେ ଯେ ସଂଜୟ ରାଉତଙ୍କ ଗର୍ବ ପାଇଁ ଏସବୁ ଘଟୁଛି । ତାଙ୍କର ବ୍ୟବହାରରେ ଦଳର ମୂଳ ସଦସ୍ୟମାନେ ଅସନ୍ତୋଷରେ ରହି ଏପରି କରୁଛନ୍ତି ।  ସେ କହିଛନ୍ତି ଯେ ଏମଏଲସି ନିର୍ବାଚନ ଏବଂ ରାଜ୍ୟସଭା ନିର୍ବାଚନରେ ​ବିଜେପିକୁ ଭଲ ସମର୍ଥନ ମିଳିଛି। ଅନେକ ସ୍ୱାଧୀନ ବିଧାୟକ ଏବଂ ଛୋଟ ଛୋଟ ଦଳର ନେତାମାନେ ଆମକୁ ଭୋଟ୍ ଦେଇଥିଲେ। ତେବେ ଏହି ସମୟ ମଧ୍ୟରେ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି  ଆମେ ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛୁ। କଣ ହେବ କିଛି ଏବେ କହିହେବନି ।

ଚନ୍ଦ୍ରକାନ୍ତ ଆହୁରି କହିଛନ୍ତି ଯେ ଏକନାଥ ସିନ୍ଧେ ଆମକୁ କୌଣସି ପ୍ରସ୍ତାବ ପଠାଇ ନାହାଁନ୍ତି  ।  ଏହା ସହିତ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ରାଜନୀତିରେ ଯେକୌଣସି ସମୟରେ କିଛି ବି ହୋଇପାରେ ।  ଉଦ୍ଧବ ଠାକରେଙ୍କ ବୈଠକରେ ୩୫ ଜଣ ଶିବସେନା ବିଧାୟକଙ୍କ ଅନୁପସ୍ଥିତି ଯୋଗୁଁ ରାଜ୍ୟରେ ସରକାର ଭାଙ୍ଗିଯିବ ଚର୍ଚା ହେଉଛି ।  ମହାରାଷ୍ଟ୍ର ବିଧାନସଭାରେ 288 ଆସନ ରହିଛି । ଏବେ ବିଜେପିର ୧୦୬ ଜଣ ବିଧାୟକ ଅଛନ୍ତି ଏବଂ ଅନ୍ୟ ୧୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଏଭଳି ପରିସ୍ଥିତିରେ ଯଦି ତାଙ୍କୁ ୨୬ ଶିବସେନା ବିଧାୟକ ସମର୍ଥନ କରନ୍ତି, ତେବେ ସରକାର ଗଠନ କରିବାର ମ୍ୟାଜିକ ନମ୍ବରରେ ବିଜେପି ପହଞ୍ଚିଯିବ।

Leave A Reply

Your email address will not be published.