Latest Odisha News

ଶିଶୁ ଗଳ୍ପ : ଜାତୀୟ ପତାକା ବାଟ ଦେଖେଇଲା

କୁଞ୍ଜ ବିହାରୀ ସାହୁ 

ଭଙ୍ଗା ଆଜବେଷ୍ଟସ୍ ଉପରେ କଳାରଙ୍ଗର ଜରି ଘୋଡ଼ାହେଇଛି । ଦଦରା କାନ୍ଥ । ସେ ଘର ଭିତରେ ରହୁଛି ସୁକାନ୍ତ । ଛଅ ସାତ ବର୍ଷର । ପାଠ ଶାଠ ନାହିଁ । ବୁଲାବୁଲି, ଖେଳାଖେଳିରେ ତାର ମନ । କିନ୍ତୁ ବାପା ବୋଉର ବୋଲ ମାନେ । ଯୁଆଡ଼େ ଗଲେ ବି ଠିକ୍ ସମୟରେ ଫେରିଆସେ । ତା’ ଘର ଆଗରେ ସରସ୍ୱତୀ ଶିଶୁ ମନ୍ଦିର ।

ଏଇ କେଇଦିନ ହେଲା ଲଘୁଚାପ ଯୋଗୁଁ ତୁହାକୁତୁହା ବର୍ଷା ହେଉଛି । କୋହଲା ପାଗ । ଥଣ୍ଡା ଲାଗୁଛି । ଘରୁ ବାହାରିହେଉନି । ପାହାନ୍ତା ପହରୁ ଉଠିବାକୁ ଇଛା ହେଉନି ସୁକାନ୍ତର । ଶୋଇଛି ନିଦରେ । ବାଉଳି ହେଉଛି- ଭାରତମାତା କୀ ଜୟ, ବନ୍ଦେ ମାତରଂ..

ସୁକାନ୍ତର ବୋଉ ରୋଷେଇ ଘରୁ ଆସି ପୁଅର କଡ଼ ଲେଉଟାଇଲେ ।

ସୁକାନ୍ତ ଭିଡ଼ିମୋଡ଼ି ହେଲା । ଶେଯ ଛାଡ଼ିବାକୁ ଇଛା କଲାନି । କିନ୍ତୁ କଅଣ ମନ ହେଲା ଯେ ମନକୁମନ ଉଠିପଡ଼ିଲା । ତା ବୋଉକୁ କହିଲା – ବୋଉ ଆଜି କୋଉ ଦିନ କି ? ରାତିରେ ସପନ ଦେଖିଲି ମୋ ସାଙ୍ଗମାନେ ଡାକୁଛନ୍ତି । କହୁଛନ୍ତି, ଭାରତମାତା କୀ ଜୟ, ବନ୍ଦେ ମାତରମ୍ ।

ସୁକାନ୍ତର ବୋଉ କହିଲେ – ଆଜି ହେଉଛି ଅଗଷ୍ଟ ପନ୍ଦର ତାରିଖ । ଏହିଦିନ ଆମ ଦେଶ ସ୍ୱାଧୀନ ହେଇଥିଲା । ଇଂରେଜୀମାନଙ୍କ ହାତରୁ ଆମେ ମୁକୁଳିଗଲୁ । ଏହି ସ୍ୱାଧୀନତା ପାଇଁ ଜାତୀୟ ପତାକା ଉଡ଼େଇଲୁ । ୟାରି ଭିତରେ ୭୫ ବର୍ଷ ହେଇଗଲାଣି । ଲୋକମାନେ ବହୁତ ଖୁସିରେ ରହୁଛନ୍ତି । ଆ ଦାଣ୍ଡ ଦୁଆରକୁ ଆ, ଦେଖିବୁ ତୋ ଭଳିଆ ପିଲାମାନେ ପତାକା ଧରି ଗୀତ ଗାଉଛନ୍ତି । ଶିଶୁ ମନ୍ଦିରରେ ଜାତୀୟ ପତାକା ଉଡ଼ୁଛି । ସାହି ପଡ଼ିଶା ସବୁରି ଘରେ ପତାକା ଉଡ଼ୁଛି ।

ସେ ସମୟରେ ଜଣେ ଲୋକ ଆସି ପତାକାଟେ ଦେଇଦେଲା । କହିଲା – ଏବେ ପରା ଆଜାଦୀକି ଅମୃତ ମହୋତ୍ସବ ଚାଲିଛି । ସବୁ ଘରେ ପତାକା ଉଡ଼ିବ । ନିଅ ଏ ପତାକା ।

ସୁକାନ୍ତ ପତାକାଟିକୁ ଦେଖି ଖୁସି ହେଇଗଲା ।  ଭାବିଲା , ସତରେ ଠାକୁରେ ମୋ ଡାକ ଶୁଣିଲେ ।

ସୁକାନ୍ତ ଡେରି ନ କରି ନିଜର ନିତ୍ୟକର୍ମ ସାରିଦେଲା । ଅକ୍ଷମ ହେଲେ ବି ଖୁସିରେ ପତାକାଟିକୁ ଧରି ଦାଣ୍ଡରେ ଘେରାଏ ବୁଲିଆସିଲା । ଘର ଆଗରେ ସ୍କୁଲର ପିଲାଙ୍କୁ ଦେଖି ସମ୍ଭାଳି ରହିପାରିଲାନି । ସ୍କୁଲରେ ନାଁ  ଲେଖାହେଇନି, ହେଲେ ପିଲାମାନଙ୍କ ସହ ବୁଲିଲା । ମଉଜ ମଜଲିସ କଲା ।

ସମସ୍ତଙ୍କୁ କହିଦେଲା – ମୁଁ ସ୍ୱାଧୀନ ଭାରତର ସନ୍ତାନ । ମୁଁ ମନଦେଇ ପାଠ ପଢ଼ିବି । ଦେଶ ସେବା କରିବି । ପିଲାଏ କହିଲେ
– ସୁକାନ୍ତ ବସ୍ତିର ପିଲାଟେ । ଗୋଡରେ ଭଲଭାବରେ ଚାଲିପାରୁନି । ହେଲେ ମନରେ ଦେଶ ପାଇଁ ଭକ୍ତି ରହିଛି । ବାଃ ..ବାଃ..କଲେ ସଭିଏଁ । ପ୍ରଧାନ ଆଚାର୍ଯ୍ୟ ଆସି ସୁକାନ୍ତକୁ ଗେଲ କରିଦେଲେ ।

ହସି ହସି ସୁକାନ୍ତ ଘରକୁ ଫେରିଆସିଲା । ବୋଉକୁ କହିଲା – ବୋଉ…ବୋଉ… ମୁଁ ଆଜି ବହୁତ ଖୁସି । ଏ ଜାତୀୟ ପତାକା ମୋତେ ବାଟ ଦେଖେଇଦେଇଛି । ଭାରତମାତାର ସନ୍ତାନ । ମୁଁ ଆଜି ସ୍ୱାଧୀନ ଦେଶର ସନ୍ତାନ । ପାଠ ପଢ଼ିବି…ପାଠ ପଢ଼ିବି ।

ସୁକାନ୍ତକୁ ଗେଲ କରିଦେଲେ ତା’ ବୋଉ । ସେହି ଦିନଠାରୁ ସୁକାନ୍ତ ପାଠପଢ଼ାରେ ମନ ଦେଲା ।

ଏଲ୍.ଆଇ.ଜି – ୧୫ ନୟାପଲ୍ଲୀ
ବ୍ରିଟ୍ କଲୋନୀ ଭୁବନେଶ୍ବର
୭୦୦୮୧୪୨୦୪୦

Leave A Reply

Your email address will not be published.