Latest Odisha News

BREAKING NEWS

ଅନୁବାଦ ଗଳ୍ପ : ମାଳପ୍ରସ୍ଥ

୧୯୧୦ ମସିହାରେ ଅବିଭକ୍ତ ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଉପେନ୍ଦ୍ରନାଥ ଅସ୍କ ଜନ୍ମଲାଭ କରିଥିଲେ । ଦେଶ ସ୍ୱାଧୀନତା ଲାଭ ପୂର୍ବରୁ ଓ ପରେ ସେ ଆକାଶବାଣୀ ନିମନ୍ତେ କିଛି ବର୍ଷ ପାଇଁ କାର୍ଯ୍ୟ କରିଥିଲେ । ଜଣେ ନାଟ୍ୟକାର ଭାବେ ପ୍ରସିଦ୍ଧି ଲାଭ କରିଥିବା ଉପେନ୍ଦ୍ରନାଥ ଅନେକ ଗଳ୍ପ ଓ ଉପନ୍ୟାସର ସ୍ରଷ୍ଟା । ଦେଶ ବିଭାଜନ ପରବର୍ତ୍ତୀ ଶରଣାର୍ଥୀମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ସେ ଅତି ନିକଟରୁ ଦେଖିଥିଲେ । ଦିଲ୍ଲୀରେ ଆକାଶବାଣୀରେ କାର୍ଯ୍ୟ କରୁଥିବାବେଳେ ସାଦତ ହାସନ ରାଜୀନ୍ଦର ସିଂହ ବେଦୀ, କିଷନ ଚନ୍ଦର ଆଦି ସାହିତ୍ୟିକ ବିଭାଜନର ବିଭୀଷିକା ଉପରେ ଉଭୟ ଉର୍ଦ୍ଦୁ ଓ ହିନ୍ଦୀ ଭାଷାରେ ଅନେକ ଗଳ୍ପ, ଉପନ୍ୟାସ ଓ ନାଟକ ରଚନା କରିଥିଲେ । ୧୯୬୫ ମସିହାରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୬ 

ମୂଳ ହିନ୍ଦୀ: ଉପେନ୍ଦ୍ର ନାଥ ଅସ୍କ

‘ଆପଣ ଜଣେ ସାଧାସିଧା ଦିଲ୍‍ଖୋଲା ଲୋକ ପରି  ଜଣାପଡ଼ୁଚନ୍ତି, ସେଇଥି ଲାଗି ମୁଁ ଭାବିଲି ଆପଣଙ୍କୁ ବି ମାଗିବି ବୋଲି’, ଶେଠ୍‍ ସାହେବ କହିଲେ । ‘ଆପଣ ନିଶ୍ଚିନ୍ତ ରହନ୍ତୁ । ଏକଥା ମୁଁ ସୁନିଶ୍ଚିତ କରିବି ଯେ ପଞ୍ଜାବର ହିନ୍ଦୁ ଲୋକଙ୍କ ପାଖରେ ଯେମିତି ଏ ଟଙ୍କା ପହଞ୍ଚିବ।’ ଦୀନାନାଥ ନିର୍ଭର ପ୍ରତିଶ୍ରୁତି ଦେବାପରି ଶେଠ୍‍ ସାହେବଙ୍କୁ  କହିଲେ ।

‘ଖଣ୍ଡେ କମ୍ବଳର ଦାମ୍‍ କେତେ ହେବ ବୋଲି ଆପଣ ଭାବୁଚନ୍ତି?’ ଶେଠ୍‍ ସାହେବ ପଚାରିଲେ । ‘ଦେଖନ୍ତୁ, ଆପଣଙ୍କ ଭଳିଆ ଧନୀ ଶେଠଙ୍କ ପାଇଁ ଏମିତିକି ଅତି ନରମ ଶହେଟଙ୍କିଆ କମ୍ବଳଟିଏ ବି ଦେହରେ ପକେଇବାକୁ ଭଲ ଲାଗିନପାରେ ।’ ଦୀନାନାଥ କହିବା ଆରମ୍ଭ କଲେ । ଭିତରେ ଭିତରେ କିନ୍ତୁ ସେ କୁରୁଳି ଉଠୁଥାନ୍ତି ଯେ ଶେଠ୍‍ଙ୍କ ଅଣ୍ଟା କିଛି ଟଙ୍କା ସେ ଅବଶ୍ୟ ଖସେଇ ପାରିବେ । ଏଥର ସେ ପୁଣି ଆରମ୍ଭ କଲେ, ‘କିନ୍ତୁ ସେମାନେ ତ ସର୍ବସ୍ୱ ହରାଇଥିବା ଅସହାୟ ଲୋକ । ସେମାନଙ୍କର ନରମ କମ୍ବଳ ନୁହେଁ, ଯେଉଁ କମ୍ବଳ ଶୀତ ସମ୍ଭାଳିବ ସେମିତିକିଆ ଦରକାର । ମୁଁ ଯେତେବେଳେ ଆରୋଗ୍ୟ ନିକେତନରେ ଥିଲି, ନାରାୟଣ, ଆମ ୱାର୍ଡବୟ, ଦଶଟଙ୍କା ଦେଇ ଖଣ୍ଡିଏ କମ୍ବଳ ଆଣି ଦେଇଥିଲା । କମ୍ବଳଟା ଟିକେ ଖଦଡ଼, ହେଲେ ଭଲ ଶୀତ ସମ୍ଭାଳିଥିଲା ।’

‘ଠିକ୍‍ ଅଛି । ମୋ ନାଁରେ ତିନିଖଣ୍ଡ କମ୍ବଳ ଲେଖିଦିଅ ।’ ତିନିଖଣ୍ଡ କମ୍ବଳ, ମାନେ ତିରିଶ ଟଙ୍କା । ଖୁସିରେ ଦୀନାନାଥଙ୍କ ମନ ଭିତରେ ଭିତରେ ଖୁସିରେ ଭରି ଉଠୁଥିଲା । ମୁହଁ ଉଜ୍ଜ୍ୱଳ ଦିଶିଲା । ଯେତେବେଳେ ଶେଠ୍‍ ହୀରାମଲ ଭୀରାମଲ ଆଡ଼ଭାନୀଙ୍କ ପାଖକୁ ଏମିତି ଚାନ୍ଦା ମାଗିବା କଥା ତାଙ୍କ ମନକୁ ଢୁକିଲା, ସେ ତାଙ୍କଠାରୁ ପାଞ୍ଚଟଙ୍କାରୁ ଅଧିକ ପାଇବେ ବୋଲି ଆଶା କରୁନଥିଲେ । ଶେଠ୍‍ ସା’ବ ଏବେ ଆରୋଗ୍ୟ ନିକେତନର ବିଶେଷ କଟେଜରେ ଅବସ୍ଥାନ କରୁଥିଲେ । ସେତିକି ଟଙ୍କା ପାଇବା ବି ବଡ଼ କଥା । ହୁଏତ ପାଞ୍ଚଟଙ୍କା ସବୁଠାରୁ ବଡ଼ ଚାନ୍ଦା ହେବ ବୋଲି ସେ ଅନୁମାନ କରୁଥିଲେ । ତାଙ୍କରି ନାଁରେ ପାଞ୍ଚଟଙ୍କା ପ୍ରଥମେ
ପକେଇଦେଲେ ଅନ୍ୟ ରୋଗୀମାନେ ତାହା ଦେଖି କିଛି କିଛି ଅର୍ଥ ଦାନ କରିପାରନ୍ତି । କିଏ ଆଠଅଣା ଅବା କିଏ ଟଙ୍କାଟିଏ ଦେବେ । ସେଇ ଚାନ୍ଦାରେ ଦୀନାନାଥ ଦି’ଖଣ୍ଡ କି ଅତି ବେଶୀରେ ଚାରିଖଣ୍ଡ କମ୍ବଳ କିଣି ପଞ୍ଜାବର ଶରଣାର୍ଥୀମାନଙ୍କ ନିକଟକୁ ପଠେଇପାରିବ । ଯକ୍ଷ୍ମା ରୋଗରୁ ଆରୋଗ୍ୟ ଲାଭ ନିମନ୍ତେ ସେ ଏହି ଆରୋଗ୍ୟ ନିକେତନରେ ଅବସ୍ଥାନ କରିବାର ମାତ୍ର କେଇ ଦିନ ଭିତରେ ସେ ଲକ୍ଷ୍ୟ କରିଥିଲେ ଯେ ଏଠାରେ ଅବସ୍ଥାନ କରୁଥିବା ଅନ୍ୟ ରୋଗୀମାନେ ଯଦିବା ମଉଜମସ୍ତି, ରମି ନାଇଟ୍‍ କି ଭୋଜିଭାତ କରିବା ଲାଗି ବେଶ୍‍ ମନଖୋଲା ଭାବେ ଅର୍ଥ ବ୍ୟୟ କରୁଥିଲେ କୌଣସି ଭଲ କାମ ପାଇଁ ପଇସାଟିଏ ମୂର୍ଚ୍ଛିବାକୁ କାହାରି ଇଚ୍ଛା ନଥିଲା । ସମସ୍ତେ କିଛି ନା କିଛି ବାହାନା କରି ଏଭଳି ଚାନ୍ଦାଭେଦା ଦେବାରେ ନିଜର ଅସାମର୍ଥ୍ୟ ପ୍ରକଟ କରୁଥିଲେ । ସେଇଥିପାଇଁ ଦୀନାନାଥ ଜାଣିଶୁଣି ଶେଠ୍‍ ହୀରାମଲ ଭୀରାମଲ ଆଡ଼ଭାନୀଙ୍କ ନାଁକୁ ଚାନ୍ଦା ଖାତାର ପ୍ରଥମରେ ରଖିବାକୁ ସ୍ଥିର କରିଥିଲେ । ଶେଠ୍‍ ସା’ବ୍‍ ଜଣେ ଧାର୍ମିକ ଓ ବଦାନ୍ୟ ବ୍ୟକ୍ତି । କିନ୍ତୁ ଦୀନାନାଥ
ଯେତେବେଳେ ଶେଠ୍‍ ସା’ବ୍‍ ଏକାଥରକେ ସେ ଠନ୍‍ ଠନ୍‍ କରି ତିରିଶ ଟଙ୍କା ଦେବାଲାଗି ବାହାରକଲେ ଦୀନାନାଥ ତାଙ୍କ ମୁହଁରେ କୃତଜ୍ଞତାର ହସ ଉକୁଟାଇ ଚାନ୍ଦାଖାତା ତାଲିକାରେ ତାଙ୍କ ନାଁରୁ ହିଁ ଶ୍ରୀଗଣେଶ କଲେ । ଏଥର ତାଙ୍କ ମୁହଁକୁ ଚାହିଁ ସେ କହିଲେ, ‘ମୁଁ ଠିକ୍‍ ଏତିକି ହିଁ ଆପଣଙ୍କ ପାଖରୁ ଆଶା କରୁଥିଲି ।

ସେଇଥିପାଇଁ ତ ଆପଣଙ୍କ ଠାରୁ ମୁଁ ଚାନ୍ଦା ଅସୁଲି ଆରମ୍ଭ କଲି ।’ ଶେଠ୍ ସା’ବ ପଚାରିଲେ, ‘ଆଚ୍ଛା, ମତେ କହିଲ – ତୁମ ଭାଇ ଆଉ ତୁମ ଅନ୍ୟ ସମ୍ପର୍କୀୟମାନେ ଆସି ଭଲରେ ଭଲରେ ପହଞ୍ôଚଲେ ତ?’ ‘ହଁ, େସେମାନେ ଆସି ଦିଲ୍ଲୀରେ ପହଞ୍ଚଛନ୍ତି । କିନ୍ତୁ ଭାରି କଷ୍ଟରେ । ସବୁକିଛି ଛାଡ଼ିଛୁଡ଼ିଦେଇ ପ୍ରାଣ ବଞ୍ଚେଇ ପଳେଇ
ଆସିବାକୁ ପଡ଼ିଲା ।’ ଦୀନନାଥ ଦୁଃଖ ମନରେ କହିଲେ । ‘ଆମର ଦି’ ଦି’ଟା ଘରକୁ ପୋଡ଼ିଦେଲେ । ସବୁ ଜିନିଷପତ୍ର ଲୁଟିନେଲେ । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଯେ ଆମର କେହି ମରିନାହାନ୍ତି ।’

ଶେଠ୍ ସା’ବ କହିଲେ, ‘ମୋତେ ଯଦି ଏ ପୋଡ଼ାମୁହାଁ ଟିବି ହୋଇନଥାନ୍ତା, ମୁଁ ନିଜ ହାତରେ ପଚାଶ କି ଶହେଟା ମୁସଲମାନଙ୍କୁ ମାରି ଆରପୁରକୁ ପଠେଇ ଦେଇଥାନ୍ତି ।’ ଏତିକି କହି ସେ କାଶି ଉଠିଲେ ଓ ପୁଳାଏ ଖଙ୍କାର ତାଙ୍କ ପିକଦାନୀକୁ ପକେଇଲେ । ଏତକ କହିଲାବେଳେ ତାଙ୍କ ଶେତା ମୁହଁଟା ମୁହୂର୍ତ୍ତକ ଲାଗି କେମିତି ଏକ କୁଟୀଳ ହସ ଚେନାଏ ଉକୁଟି ଉଠିଲା । ମାତ୍ର ଷତିକି କଥା କହିଲା ବେଳକୁ ସେ ଏତେ ହାଲିଆ ଅନୁଭବ କରୁଥିଲେ ଯେ ଶେଯଟା ଉପରେ ସେ ପୁଣି ଶୋଇପଡ଼ିଲେ । ଦୀନାନାଥଙ୍କ ମନରେ ତ ସଦାବେଳେ ଏଇ ପ୍ରକାର ଭୟଙ୍କର ଭାବନା ବାରମ୍ବାର ଆସୁଥିଲା । ଶେଠ୍ ସା’ବ୍ ହେଲେ ମହାସଭାର ଜଣେ ଟାଣୁଆ ସଦସ୍ୟ । କିନ୍ତୁ ହିନ୍ଦୁ କି ମୁସଲମାନଙ୍କ ଭିତରେ କୌଣସି ପ୍ରକାର ବିଭେଦ ଦେଖିବା ଭଳିଆ ଲୋକ ଦୀନାନାଥ ନଥିଲେ । ବମ୍ବେରେ ବିଭିନ୍ନ ଫିଲ୍ମ କମ୍ପାନୀ ସାଙ୍ଗରେ କାମ କରିବା ହେଲା ତାଙ୍କର ପେଶା । ସିଏ ଜଣେ ମୁକ୍ତବୃତ୍ତି କଳାକାର, ଅଭିନେତା । ତାଙ୍କୁ ଯେଉଁଠି କାମ ମିଳିଲା ସେ ତାହା ଆଦରି ନେଉଥିଲେ । ଗଲା କିଛିଦିନ ଧରି ତ ସାମ୍ପଦାୟିକ ଘୃଣାର ବିଷ ଫିଲ୍ମ କମ୍ପାନୀମାନଙ୍କୁ ବି ବ୍ୟାପିବା ଆରମ୍ଭ କରିସାରିଥିଲା । ତେବେ ସେଥିଯୋଗୁ ଦୀନାନାଥଙ୍କୁ କାମ ଯୋଗାଡ଼ କରିବାରେ ଏ ପର୍ଯ୍ୟନ୍ତ କିଛି ଅସୁବିଧା ହୋଇନଥିଲା । ବରଂ ତାଙ୍କୁ ନିୟମିତ କାମ ମିଳିଯାଉଥିଲା । ଏପରିକି ସୁମଲମାନ ଡାଇରେକ୍ଟରଙ୍କ ଫିଲ୍ମରେ ବି ତାଙ୍କୁ କାମ ମିଳୁଥିଲା । କାରଣ, ତାଙ୍କ ସାଙ୍ଗସାଥୀଙ୍କ ଭିତରୁ ଅଧିକାଂଶ ଥିଲେ ମୁସଲମାନ ।ତା’ପରେ ଯେତେବେଳେ ଯକ୍ଷ୍ମା ପୀଡ଼ିତ ହୋଇ ସେ ପଞ୍ଜଗାନୀର ଏଇ ଆରୋଗ୍ୟ ନିକେତନକୁ ଆସିଲେ ଓ ଛଅମାସ ରହିଲେ, ବମ୍ବେର ଆଉ ଜଣେ ଅଭିନେତା କାଶିମ ଭାଇଙ୍କ ସାଙ୍ଗରେ ତାଙ୍କର ଦୋସ୍ତି ବଢ଼ି ଯାଇଥିଲା । ତା’ଛଡ଼ା ଆଉ କିଛି ମୁସଲମାନ ସାଙ୍ଗ ମଧ୍ୟ
ଏଠାରେ ତାଙ୍କୁ ମିଳିଯାଇଥିଲେ । ସେମାନେ ବି ଏଇ ଅସପିଟାଲରେ ରୋଗୀ ଭାବେ ଚିକିତ୍ସିତ ହେଉଥିଲେ । ସେଇମାନଙ୍କ ଗହଣରେ ତ ତାଙ୍କର ଅଧିକାଂଶ ସମୟ ବିତୁଥିଲା । ଆଉ ଆଜି ସେଇ ଦୀନାନାଥଙ୍କ ମନରେ ଏତେ ଘୃଣା ଏତେ ପରିବର୍ତ୍ତନ ସୃଷ୍ଟି ହୋଇଥିଲା । ତାଭ୍‌କ ମନ ତିକ୍ତତାରେ ଭରି ଉଠିଥିଲା । ଠିକ୍‌ ଶେଠ୍ ହୀରାମଲଙ୍କ ପରି । ଯଦି ଯଦି ତାଙ୍କ ଆୟତ୍ତରେ ଥାଆନ୍ତା, ତା’ହେଳେ ପଞ୍ଜାବକୁ ଖସିଯାଇ ମହିଳା ଓ ଶିଶୁମାନଙ୍କ ଉପରେ ଅତ୍ୟାତାର କରୁଥିବା ମୁସଲମାନମାନଙ୍କୁ ସେ ଆରପାରିକୁ ପଠେଇ ଦିଅନ୍ତେ ।

ୟା’ଭିତରେ ସାମାନ୍ୟ ସୁସ୍ଥା ହୋଇଥିବା କାରଣରୁ ହେଉ ଅବା ନିଜ ପାଖରେ ଟଙ୍କା ଅଭାବ କାରଣରୁ ହୋଇଥାଉ, ସେ ଆରୋଗ୍ୟ ନିକେତନରୁ ଦି’ମାସ ତଳେ ବାହାରି ସାରିଥିଲେ । ତେବେ ତାଙ୍କୁ ବଞ୍ଚିବାଲାଗି ଗୋଟିଏ ସ୍ଥାନ ମିଳି ସାରିଥିଲା । ଅଧିକାଂଶ ସମୟରେ ପଶ୍ଚିମ ପଞ୍ଜାବ ଆଡ଼ୁ ଭୟଙ୍କର ଖବରମାନ ଆସୁଥିଲା । ସେସବୁ ଶୁଣି ତାଙ୍କ ରକ୍ତ ଟକମକ ହୋଇ ଫୁଟୁଥିଲା । ବେଳେବେଳେ ସେ ସ୍ୱପ୍ନ ଦେଖୁଥିଲେ ଯେ ହାତରେ ଖଣ୍ଡାଟିଏ ଧରି କି ସଟ୍ ଗନ୍‌ଟିଏ ଧରି ସେ ମୁସଲମାନମାନଙ୍କୁ ପଦା କରିଚାଲିଛନ୍ତି । ଯଦି ବା ସାମ୍ପ୍ରଦାୟିକ ଦଙ୍ଗା ଲାଗିବାର ପାଖାପାଖି ବର୍ଷଟିଏ ବିତି ସାରିଥିଲା, ତଥାପି ଏଇ ଗଲା ଦି’ମାସ ପୂର୍ବରୁ ହିଁ ତାଙ୍କ
ମନକୁ ଏମିତିକା ଭାବନା ଆସିଥିଲା । କଲିକତାରେ ପ୍ରାୟ ବାରମାସରେ  ସ ତଳେ ମୁସଲିମ୍ ଲିଗ୍ ଯେମିତି ‘ଡାଇରେକ୍ଟ ଆକ୍ସନ ଡେ’ ଘୋଷଣା କରିଥିଲା, ଏବେ ତା’ର ପ୍ରତ୍ୟକ୍ଷ ଲହର ଆସି ବମ୍ବେରେ ପହଞ୍ଚି ସାରିଥିଲା । କିନ୍ତୁ ଦୀନାନାଥ ସେଥିପ୍ରତି କ୍ୱଚିତ୍‌ ଧ୍ୟାନ ଦେଇଥିଲେ । ଯେମିତି ଏକ ଦୀର୍ଘକାଳୀନ ଅସୁସ୍ଥତା ଜଣେ
ସ୍ୱାସ୍ଥ୍ୟକର୍ମୀଙ୍କ ମନରେ ସାମାନ୍ୟ ସମ୍ବେଦନା ଅବା ପ୍ରତିକ୍ରିୟା ସୃଷ୍ଟି କରିଥାଏ । ସେମିତି ଦୀନାନାଥଙ୍କ ର ଏଇ ସାମ୍ପ୍ରଦାୟିକ ବ୍ୟାଧି ପ୍ରତି ଅଧିକ ଧ୍ୟାନ ନଥିଲା । ଦୈନିକ କେତେ ହିନ୍ଦୁ ମରୁଛନ୍ତି ଅବା କେତେ ମୁସଲମାନ ପ୍ରାଣ ହରାଉଛନ୍ତି ତାଙ୍କର ସେଥିରେ ଯାଏଆସେ କେତେ? ସେସବୁ ଖବର ତାଙ୍କୁ ବ୍ୟସ୍ତ ବିବ୍ରତ କରୁନଥିଲା । ସେ ମାଲାଦ ଇଲାକାରେ ଯଥାରୀତି ରହି ଆସୁଥିଲେ । ବମ୍ବେ ନଗରୀରେ ଲାଗିଥିବା ଦଙ୍ଗା ଫସାଦଠାରୁ ମାଲାଦ ପ୍ରାୟ କୋଡ଼ିଏ ମାଇଲ୍ ଦୂର । ଏସବୁ ଘଟଣା ଛଡ଼ା, ସେ ନିଜ କାମରେ ଏତେ ବ୍ୟସ୍ତ ରହୁଥିଲେ ଯେ ସେସବୁ ଦଙ୍ଗା କଥା ଜାଣିବାକୁ ତାଙ୍କ ପାଖରେ ଫୁରସତ ନଥିଲା । ସେ ଜଣେ ଅଭିନେତା । ଯଦିବା ସେ ଏତେ ଛୋଟ ମୋଟ ଅଭିନେତା ନଥିଲେ ତଥାପି ତାଙ୍କୁ ଜଣେ ଚର୍ଚ୍ଚିତ ଅଭିନେତା ବୋଲି ସୁଦ୍ଧା କହିହେବନି । ଗୋଟିଏ ଚଳଚ୍ଚିତ୍ରରୁ ଅଭିନୟ ସରିବା ଆଗରୁ ତାଙ୍କୁ ଆଉ
ଗୋଟିଏ କାମ ଯୋଗାଡ଼ କରିବାକୁ ରୀତିମତ କସରତ କରିବାକୁ ପଡ଼ୁଥିଲା । ଏଇଆ ହେଲେ ହିଁ ଅଭିନୟ ଦୁନିଆରେ ସେ ସଦାବେଳେ ତିଷ୍ଠି ରହିପାରିବେ । ଏ ରୁପେଲୀ ପର୍ଦ୍ଦାର ରଙ୍ଗୀନ ଦୁନିଆ ସଦାବେଳେ ଚଳଚଞ୍ଚଳ । ନହେଲେ କେତେବେଳେ ପାଦ ଖସିଯିବ, ଆଉ ଥଳକୂଳ ମିଳିବନି କି ସୁଯୋଗ । ତେଣୁ ଦଙ୍ଗାଫସାଦ ଭଳି ‘ବୋକାମୀ’ କରିବାକୁ ତାଙ୍କ ହାତରେ ବେଳ କାହିଁ? ହଁ, ଦଙ୍ଗା ଓ ଗଣ୍ଡଗୋଳକୁ ସେ ବୋକାମାନଙ୍କ କାମ ବୋଲି ହିଁ ଭାବୁଥିଲେ । ତା’ଛଡ଼ା ସେ ଦଙ୍ଗା ତ କାହିଁ ସୁଦୂର କଲିକତା, ନୂଆଖାଲି, ବିହାର, ବମ୍ବେ କି ପଶ୍ଚିମ ପଞ୍ଜାବରେ ଲାଗିଛି । ଆଉ ତାଙ୍କ ନିଜ ସହର ଲାହୋର ବି ଏମିତିକିଆ ହାଣକାଟ ଓ ପୋଡ଼ାଜଳାରୁ ବର୍ତ୍ତିନଥିଲା । ଦୀନାନାଥଙ୍କ ମତରେ ତାଙ୍କ ପାଇଁ ଲାହୋରଠୁ ବଳି ଭାରତର ଆଉ କୌଣସି ସହର ଏତେ ପ୍ରିୟ ନୁହେଁ । ତାଙ୍କ ନକୁ ବି ଛୁଏଁନି । ଲାହୋର ହେଲା ନିରପେକ୍ଷ ସହର । ତେଣୁ ଦୀନାନାଥ ବି ନିଜକୁ ନିରପେକ୍ଷ ରଖିବାକୁ ଶ୍ରେୟ ମଣିଥିଲେ । ତା’ପରେ କାମ ଚାପ, ବିଶ୍ରାମର ଅଭାବ ଓ ଖରାପ ଖାଦ୍ୟର ମିଳିତ
ପ୍ରଭାବ ତାଙ୍କ ଶରୀରରେ ଯକ୍ଷ୍ମା ଆକାରରେ ପ୍ରକାଶ ପାଇଥିଲା । ତେଣୁ ତାଙ୍କୁ ବମ୍ବେ ଛାଡ଼ି ପଞ୍ଜଗାନୀ ଆସିବାକୁ ପଡ଼ିଥିଲା । ଆଉ ଓଇଠି ତାଙ୍କ ହାତରୁ କେବଳ କାମ ଯାଇନଥିଲା, ମନରୁ ସେ ନିରପେକ୍ଷତା ବି ନିଃଶେଷ ହୋଇଯାଇଥିଲା । ସାରା ଦେଶର ପରିସ୍ଥିତି ଦିନକୁ ଦିନ ଅଧିକରୁ ଅଧିକ ବିଗିଡ଼ିବାରେ ଲାଗିଥିଲା । ଆରୋଗ୍ୟ ନିକେତନରେ ରହୁଥିବା ସବୁ ଅନ୍ତେଃବାସୀ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ରମି ନାଇଟରେ ସମୟ ବିତାଉଥିଲେ । ନୋ ହୋଷ୍ଟ
ପାର୍ଟିର ଆୟୋଜନ କରି ସେଥିର ମଜା ନେଉଥିଲେ । କଥା ସତ । କିନ୍ତୁ ଯଦି ଧରେ ସେମାନଙ୍କ ଭିତରେ କଥାବାର୍ତ୍ତା ଭାରତ କି ପାକିସ୍ତାନ ଆଡ଼କୁ ମୁହାଇଲା, ତା’ହେଲେ ସେମାନଙ୍କ ଭିତରେ ଭାଳେଣି ପଡ଼ିଯାଉଥିଲା । ଏକା କାଶିମ ଭାଇଙ୍କୁ ଲାଗୁଥିଲା ଯେ ସବୁ ଗଣ୍ଡଗେଳା, ଦଙ୍ଗା ପଛରେ ବ୍ରିଟିଶ୍ ଲୋକ ଓ ଦେଶୀ
ହିଂସା ଭିଆଣକାରୀ ଗୋଷ୍ଠୀଙ୍କ ହାତ ରହିଛି । ସେ ସେମାନଙ୍କ ମନଇଚ୍ଛା ଗାଳି ଦେଉଥିଲେ, ଅଭିଶାପ ବର୍ଷୁଥିଲେ । ଅନ୍ୟ ହିନ୍ଦୁ କି ମୁସଲମାନମାନେ ପରସ୍ପର ଉପରେ ଦୋଷ ଲଦୁଥିଲେ । ଦୀନାନାଥ ସେଇସବୁ ଘୃଣାବ୍ୟଞ୍ଜକ କଥା ଶୁଣିଥିଲେ । ସେଇ କଥା ପରେ ତାଙ୍କ ମନକୁ ଆନ୍ଦୋଳିତ କଲା ଓ ପ୍ରତିଥର ଶୋଇଲା ବେଳେ ତାଙ୍କ ମୁଣ୍ଡ ଭିତରେ ସେସବୁ କଥା ସତେ ଯେମିମତି ନିଆଁ ହୋଇ ଜଳିବାକୁ ଆରମ୍ଭ ଭଲା । ପୂର୍ବରୁ ଏସବୁ ଘଟଣା କି କଥା ପ୍ରତି ତାଙ୍କ ମନରେ ଥିବା ହେୟ ଭାବ କୁଆଡ଼େ ଉଭେଇ ସାରିଥିଲା ।

ଦି’ମାସ ତଳେ ଆରୋଗ୍ୟ ନିକେତନରୁ ବାହାରିବା ପରେ ହଠାତ୍‌ ଲାହୋର ସହରରେ ସେଇ ସାମ୍ପ୍ରଦାୟିକ ନିଆଁ ଯେମିତି ଆଗ୍ନେୟଗିରି ଭଳି ବିସ୍ଫୋରଣ କରି ସାରା ସହରଟାକୁ କବଳିତ କରିପକାଇଥିଲା । ତା’ ତୁଳନାରେ କଲିକତା, ବମ୍ବେ, ବିହାର କି ଅନ୍ୟ ସ୍ଥାନର ହିଂସା ସାମାନ୍ୟ ଫଟକାଟିଏ ପରି ଥିଲା ।

ଦୀନାନାଥଙ୍କର ସେ ନିରପେକ୍ଷ ଚିନ୍ତାଧାରା କୁଆଡ଼େ ଉଭେଇଗଲା । ତାଙ୍କର ସେଇ ପ୍ରିୟ ସହରକୁ ଶେଷରେ ଦଙ୍ଗା ଗ୍ରାସିଗଲା! ଲାହୋରର ସବୁ ପ୍ରିୟ ସ୍ମୃତି ଓ ସ୍ଥାନ ଯେପରି କେହି ତାଙ୍କ ଠାରୁ ଜୋର୍‌ ଜବରଦସ୍ତ ଛଡ଼େଇ ନେଇଯାଇଛି । ସେସବୁ ସ୍ଥିତିକୁ ସେ ମନ ଭିତରେ କେତେ ଯତ୍ନରେ ସାଇତି ରଖିଥିଲେ । ସୀମା କମିଶନ ତାଙ୍କ ରିପୋର୍ଟ ଘୋଷଣା କରିବା ମାତ୍ରେ ବୁସଲମାନ ଲୋକମାନେ ଆକବରୀ ମଣ୍ଡିରେ ନିଆଁ ଲଗେଇ ଦେଇଥିଲେ । ନିଜ ବଡ଼ଭାଇ ଓ ଅନ୍ୟ ସମ୍ପର୍କୀୟମାନଙ୍କ ସୁରକ୍ଷା ଚିନ୍ତା ନେଇ ଦୀନନାଥ ବେଶ୍‌ ବିବ୍ରତ ହୋଇପଡ଼ିଥିଲେ । ସେମାନଙ୍କ ଭଲମନ୍ଦ ହାନିଲାଭ ଜାଣିବାକୁ ସେ ସେମାନଙ୍କ ପାଖକୁ ପଠେଇଥିବା ଟେଲିଗ୍ରାମ ଜବାବରେ ତାଙ୍କ ବଡ଼ଭାଇ ଲାହୋରରୁ ଲେଖିଥିଲେ: ‘ମୁଁ ଏବେ ତୋ ପାଖକୁ ଚିଠି ଲେଖିଲାବେଳେ ପୂରା ଲାହୋର ସହର ଜଳୁଛି । ମହଲା ସରବଣ,ପଟରା ପୂର୍ବିୟାଁ, ଭିଟି ଓ ଦିଲ୍ଲୀ ଦରୱାଜା, ଶାହ ଆଲମୀ ଓ ପେପର ମଣ୍ଡିରେ ଅଧିକାଂଶ ହିନ୍ଦୁ ଲୋକଙ୍କ ଘର ଓ ଦୋକାନ ଜଳିପୋଡ଼ି ଛାରଖାର ହୋଇସାରିଛି । ଖାଲି ପେପର ମଣ୍ଡି ଇଲାକାରେ ଶହେରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଛି । ଭୋର୍ ସାଢ଼େ ଦି’ଟା ପାଖାପାଖି ସେସବୁ ଘରମାନଙ୍କରେ ନିଆଁ ଲାଗିଥିଲା । କର୍ଫ୍ୟୁ ଲାଗୁ ହୋଇଥିବାବେଳେ ଏସବୁ କାଣ୍ଡ ଘଟିଛି । ନିଆଁ ଲିଭେଇବାକୁ ଯିଏ ବାହାରିଲେ ପୁଲିସ ସେମାନଙ୍କୁ ଗୁଳିକରି ମାରିଦେଲା । ଲାହୋର ସହରରେ ଏମିତିକିଆ ଅଘଟଣ ଆଗରୁ କେବେ ଘଟିନଥିଲା ।ଏଇ ଅଳ୍ପଦିନ ତଳେ ଆକବରୀ ମଣ୍ଡିର ସବୁଠୁ ବଡ଼ ଗହମ ଗୋଦାମକୁ ଜାଳିପୋଡ଼ି ଧ୍ୱଂସ କରି
ଦିଆଯାଇଛି । ଆଉ ପୁରୁଣା ସିଟି ଇଲାକା ଅବସ୍ଥା ତ ଆହୁରି ଖରାପ । ଅନାରକଲି ଇଲାକାରେ ଦିନରେ ପେଚା ଶାଗୁଣା ଉଡ଼ୁଛନ୍ତି ।ସାରା ସିଭିଲ ଲାଇନ୍ସ ଅଞ୍ଚଳ ଏବେ ଆତଙ୍କିତ ଅବସ୍ଥାରେ ଅଛି । ଏବେ ସେଠାରେ ଅବସ୍ଥା ଲାନ୍ତ ଲାଗୁଚି କିନ୍ତୁ ସେ ନୀରବତା ଝଡ଼ ପୂର୍ବର ଅବସ୍ଥା ପରି ମନେହେଉଛି । ମାଜିଷ୍ଟ୍ରେଟ୍‌ଙ୍କଠାରୁ ଆରମ୍ଭ କରି ସାଧାରଣ ପୁଲିସବାଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାମ୍ପ୍ରଦାୟିକ ଭାବନା ଗୋଣାପଣେ ଗ୍ରାସ କରିଛି । ଲାହୋରରେ ଆମ ବେପାର ଡୁବି ସାରିଛି । ଯେତେ
ଶୀଘ୍ର ସମ୍ଭବ ମୁଁ ଆମର ଦିଓଟିଯାକ ଘର ବିକିବାକି ଦେଇ ଏଠାରୁ ପଳେଇ ଯିବାକୁ ଚେଷ୍ଟା କରୁଛି । କିନ୍ତୁ କିଣିବ କିଏ? ଚାରିଆଡ଼େ ତ ଖାଲିଘର ଯାହାକୁ ଯେତେ । କେହି ଘର କି ଜମିଜମା କିଣୁନାହାନ୍ତି । ସମସ୍ତେ ସହରଛାଡ଼ି ପଳେଇବାକୁ ଗୋଡ଼କାଢ଼ି ବସିଛନ୍ତି । ସିଭିଲ ଲାଇନ୍ସଠାରୁ ନେଇ ସନ୍ତ ନଗର, ଋଷି ନଗର, ରାମ ଓ କୃଷ୍ଣ ନଗର ଭାରତ ନଗର ଏପରିକି ମଡେଲ ଟାଉନ ଇଲାକାରେ ଏକା ଅବସ୍ଥା । ଆଉ କେଇଟା ଦିନ ଭିତରେ ଲାହୋର ସହର ପୂରାପୂରି ହିନ୍ଦୁଶୂନ୍ୟ
ହୋଇଯିବ ।’

ଏ ଚିଠି ପଢ଼ିଲାପରେ ଦୀନାନାଥଙ୍କ ମୁଣ୍ଡ ଭିତରେ ଯେମିତି ଚକ୍ରବାଦ ତୋଫାନ ସୃଷ୍ଟି ହୋଇଥିଲା । ଲାହୋର ସହର ନୁହେଁ, ତାଙ୍କ ନିଜ ହୃଦୟ ଭିତରେ କିଏ ଯେପରି ନିଆଁ ଲଗେଇ ଦେଇଥିଲା । ତାଙ୍କ ଆଖି ଆଗରେ ଶାହ ଆଲମୀ ବଜାରର ଗହଳଚହଳ ଦୃଶ୍ୟ ନାଚି ଉଠିଥିଲା । କିଷନ ନଗର, ସନ୍ତ ନଗର, ରାମ ନଗର, ଋଷି ନଗର, ଭଗବାନଙ୍କୁ ଜଣା ଲାହୋର ସହରରେ ଗଢ଼ି ଉଠିଥିବା ଆହୁରି କେତେକେତେ ନୂଆ ହିନ୍ଦୁ କଶୋନୀ ଚାଦରରେ ଚୁମକି ଲାଗିଲାପରି ଦିଲୁଥିଲା!

ଦୀନାନାଥ ଭାବିଲେ, ଅମାନୁଷିକ ବର୍ବରତାର ସେଇ ନିଷ୍ଠୁର ହାତ ଆଜି ସେଇସବୁ ଚକମକ ତାରାଗୁଡ଼ିକୁ ଗୋଟି ଗୋଟିକରି ନିଶ୍ଚିହ୍ନ କରିଚାଲିଛି! ତା’ପରେ ବଡ଼ଭାଇଙ୍କଠାରୁ ଆଉ କୌଣସି ଚିଠି ଦୀନାନାଥଙ୍କୁ ମିଳିନଥିଲା । ଲାହୋର ସହରରେ ଚାଣିଥିବା ଧ୍ୱଂସଲୀଳା, ଅସଂଖ୍ୟ ଅସହାୟ ହିନ୍ଦୁଙ୍କ ପଳାୟନ ଓ ସେମାନଙ୍କ
ଅବର୍ଣ୍ଣନୀୟ ଦୁର୍ଦ୍ଦଶାର କାହାଣୀମାନ ତାଙ୍କ କାନରେ ପଡ଼ୁଥିଲା । ପୁରୁଏ, ମହିଳା, ଶିଶୁ, ବୃଦ୍ଧ – ପଶ୍ଚିମ ପଞ୍ଜାବର ଗାଆଁଗହଳିରେ ସୁଦ୍ଧା ସମସ୍ତଙ୍କ ଉପରେ ଏଇ ପ୍ରକାର ଅତ୍ୟାଚାର ଚାଲିଥିଲା । ଦିନରେ ଏସବୁ କଥା ଶୁଣିଲାପରେ ତାଙ୍କ ମନରୁ ସବୁ ସରାଗ ତୁଟି ଯାଉଥିଲା ଆଉ ରାତିରେ ଆଖିରୁ ନିଦ ହଜାଇ ଦେଉଥିଲା । ଦିନକୁ ଦିନ ଦୀନାନାଥ ଅସୁସ୍ଥ ହୋଇ ପଡ଼ୁଥିଲେ । ତାଙ୍କୁ ପୂର୍ଣ୍ଣ ମିଶ୍ରାମ ନେବାଲାଗି ଡାକ୍ତରମାନେ କହୁଥିଲେ । ଉଭୟ ଶାରୀରିକ ଓ ମାନସିକ ବିଶ୍ରାମ ଦରକାର । ଶେଷକୁ ସେ ଖବରକାଗଜ ପଢ଼ା ବି ବନ୍ଦ୍ କରିଦେଇଥିଲେ । ଖବରକାଗଜ ସାରା ତ କେବଳ ସେଇ ଖବରରେ ଭରପୂର ଥିଲା! ସେସବୁ ପଢ଼ିଲେ ତାଙ୍କ ମନ
ଆହୁରି ଭାରାକ୍ରାନ୍ତ ହୋଇ ଉଠୁଥିଲା । କିନ୍ତୁ ଯେତେ ଯାହା ଚେଷ୍ଟାକଲେ କି ଏଠାଇବାକୁ ଚାହିଁଲେ ସୁଦ୍ଧା କୁଆଡ଼ୁ ବୋଲି କୁଆଡ଼ୁ ସେ ଖବରମାନ ଆସି ତାଙ୍କ କାନରେ
ପଡ଼ୁଥିଲା । ସଦାବେଳେ ତାଙ୍କର ମନେ ପଡ଼ିଯାଉଥିଲା ବଡ଼ଭାଇଙ୍କ କଥା । ସେ କେମିତି ଅଛନ୍ତି । ଅନ୍ୟ ସମ୍ପର୍କୀୟମାନେ କେମିତି ଅଛନ୍ତି । ତେବେ ଯେତେ ଚେଷ୍ଟା କଲେ ସୁଦ୍ଧା ସେ ସେମାନଙ୍କର କିଛି ଖବର ପାଇ ପାରୁନଥିଲେ । ସେଶରେ ସେ ଆଶା ଛାଡ଼ି ଦେଇଥିଲେ ଯେ ବଡ଼ଭାଇଙ୍କ ଠାରୁ ଆଉ କିଛି ଖବର ମିଳିବ । ତଥାପି ଟେଲିଗ୍ରାମ ସାଙ୍ଗକୁ ଏୟାର ମେଲ୍‌ରେ ସେ ତାଙ୍କ ଠିକଣାରେ ବରାବର ଚିଠି ଲେଖିଚାଲିଥିଲେ । ସେତିକିବେଳେ ବଡ଼ଭାଇଙ୍କ ନିକଟରୁ ସେ ଖଣ୍ଡେ ଚିଠି ପାଇଲେ ।
ଚିଠିଟି ବଡ଼ଭାଇ ଦିଲ୍ଲୀରୁ ଲେଖିଥିଲେ: ‘ତୋତେ ମୁଁ ଭାଷାରେ କହି ପାରିବିନି, ଗଲା କିଛିଦିନ ଭିତରେ ଯେଉଁ ଦୁର୍ଦ୍ଦଶାରେ ମୁଁ ଜୀବନ ବିତେଇଛି । ତୋ ଦେହ
ଖରାପ ଥିବାରୁ ସେସବୁ କଥା ତୋତେ ଜଣେଇବାକୁ ମୁଁ ଉଚିତ ମଣିନଥିଲି । ସେକଥା ଶୁଣିଲେ ତୋ ଦେହ ବି ଅଧିକ ଖରାପ ହୋଇଥାନ୍ତା । ଏବେ ଅବସ୍ଥା ଟିକେ ସୁଧୁରିଲାଣି । ସେଇଥିଲାଗି ତୋତେ ଏ ଚିଠି ଲେଖୁଚି । ସମସ୍ୟା ସୁଧରିଲାଣି ଅର୍ଥ ନୁହେଁ ଯେ ମୁଣ୍ଡରୁ ଚିନ୍ତା ଗଲାଣି । ସତ କହିଲେ, ଚିନ୍ତା ଆରମ୍ଭ ହେଲା ।
ତେବେ ବିପଦର ପ୍ରଥମ ପାହାଚରୁ ମୁଁ ବର୍ତ୍ତି ଯାଇଛି । ସବୁପ୍ରକାର ସମସ୍ୟାକୁ ସହ୍ୟ କରିନେଇଚି । ଚାରଆଡ଼କୁ ଚାହିଁ ଦେଖୁଚି, ଏ ସମସ୍ୟା ଖାଲି ଏକା ମୋର ନୁହେଁ; ମୋ ସାଙ୍ଗରେ ଆହୁରି ଅସଂଖ୍ୟ ଶରଣାର୍ଥୀ ଅଛନ୍ତି । ସେମାନଙ୍କ ଭିତରୁ ଅନେକଙ୍କ ଦୁର୍ଦ୍ଦଶା ମୋଠାରୁ ଆହୁରି ଶୌଚନୀୟ । ତାହା ହିଁ ମୋତେ ଆଗକୁ ବଢ଼ିବାକୁ ସାହସ ଓ ସାମର୍ଥ୍ୟ ଯୋଗାଉଛି ।

ଆମ ମୁଣ୍ଡ ଉପରେ ଆକସ୍ମିକ ଭାବେ ଲଦି ଦିଆଯାଇଥିବା ବିପଦରେ ଅନେକ ଲୋକ କୁଆଡ଼େ ମରି ହଜି ଗଲେ । ଅମାନବୀୟ ଓ ବର୍ବରୋଚିତ ଲୋକଙ୍କ ଦୟାମାୟାଶୂନ୍ୟ ମନ ଓ ହାତରେ କିଏ କୁଆଡ଼େ ମଲା ତା’ର ହିସାବ ନାହିଁ । ଯେଉଁମାନେ ମଲେ ସେମାନେ ତରିଗଲେ । କିନ୍ତୁ ଯେଉଁମାନେ ବଞ୍ଚି ରହିଲେ ସେମାନଙ୍କ ଦୁଃଖଦୁର୍ଦ୍ଦଶା କହିଲେ ନସରେ । ସେମାନଙ୍କୁ ଆଶ୍ୱାସନା ଦେବା କି ଥଇଥାନ କରିବାର ସାମର୍ଥ୍ୟ କାହାରି ନାହିଁ । ହଁ, ସେମାନେ  ବଞ୍ଚିରହିବେ ସତ, ହେଲେ ଅଣ୍ଟା ସଳଖି ଠିଆ ହୋଇପାରିବେନି । ଯେଉଁମାନେ ଠିଆହେବେ ସେମାନଙ୍କର ଆଉ ଆଗକୁ ଚାଲିବାଲାଗି ଜୁ’ ନାହିଁ । ସେଇ ଦୃଷ୍ଟିରୁ ଦେଖିଲେ ଲକ୍ଷ
ଲକ୍ଷ ହତଭାଗ୍ୟଙ୍କ ଭିତରେ ମୁଁ ନିଜକୁ ଭାଗ୍ୟବାନ ବନେ କରୁଛି । କାରଣ, ମୁଁ ତ ପଡ଼ିଉଠି ପୁଣି ଠିଆ ହୋଇପାରିଛି । ଆଗକୁ ଚାଲିବାର ସାମର୍ଥ୍ୟ ମୋ ପାଖରେ ଅଛି । ଏଠାରେ ମହାତ୍ମାଗାନ୍ଧୀ ଓ ଅନ୍ୟ ନେତାମାନେ ଶରଣାର୍ଥୀମାନଙ୍କୁ ଥଇଥାନ କରୁଛନ୍ତି । ମୁକ୍ତ ହସ୍ତରେ ଆର୍ଥିକ ସହାୟତା ଦେବାକୁ ସରକାର ସମସ୍ତଙ୍କୁ ନିବେଦନ କରୁଛନ୍ତି । ହେଲେ ଏଭଳି ପରିସ୍ଥିତିରୁ ମୋଟୁ ଓ ପେଟୁ ବିରାଡ଼ିମାନେ ସେମାନଙ୍କ ଥନ୍ତଲା ପେଟକୁ ଆହୁରି ବଢ଼େଇ ଚାଲିଛନ୍ତି । ମଉକାରୁ ଫାଇଦା
ଉଠାଉଚନ୍ତି । ସଜ ତହବିଲରେ ଆହୁରି ମୁନାଫା ଭରୁଛନ୍ତି । ସେଇଥିଲାଗି ତ ସବୁ ଜିନିଷର ଦରଦାମ ଆକାଶଛୁଆଁ ହେଇଚି । ସବୁ ଜିନିଷ ମହଙ୍ଗା । ଚାରିଆଡ଼େ ଲାଞ୍ଚ ଓ ଘୁସ୍‌ କାରବାର ଚାଲିଚି । ଏଠି ଦିଲ୍ଲୀରେ ଜୀବନ ବଞ୍ଚି ଆଉ ସହଜସାଧ୍ୟ ହୋଇ ନାହିଁ । ହେଲେ ତୁ ବ୍ୟସ୍ତ ହେବୁନି । ଆମେ ତ ଜୀବନ ଘେନି ବର୍ତ୍ତି ଆସିପାରିଚୁ । ମଣିଷ ସବୁ ପରିସ୍ଥିତିରେ କଷ୍ଟ ସହ୍ୟ କରିପାରିବ । ଯେତେ ତିକ୍ତ ହେଲେ ସୁଦ୍ଧା ଜୀବନ ପ୍ରତି ମଣିଷର ମୋହ କେବେ ତୁଟେନି । ପରିସ୍ଥିତି ଯେତେ ଭୟଙ୍କର ହେଉ ପଛେ…ବର୍ତ୍ତମାନ ଆମେ ସେଇଭଳିଆ ଅବସ୍ଥାରେ ଅଛୁ । ଆମେ ଆମ ମାନସିକ ଦୃଢ଼ତାକୁ ପ୍ରମାଣ ସିଦ୍ଧ କରି ଦେଖାଉଚୁ । ଯେଉଁମାନଙ୍କର କିଛି ଆତ୍ମସମ୍ମାନ ଅଛି ସେମାନେ ଏ ଦୁନିଆ ଛାଡ଼ି ଚାଲିଯିବାକୁ ଉଚିତ ମଣିଛନ୍ତି ।

ଚିଠିର ଏଇ ଶେଷ କେଇ ଧାଡ଼ି ଭିତରେ ଭରି ରହିଥିବା ତିକ୍ତତା ଦୀନାନାଥଙ୍କ ମନକୁ ଅତି ମାତ୍ରାରେ ଭାରାକ୍ରାନ୍ତ କରିପକାଇଲା । ତାଙ୍କ ବନ୍ଧୁବାନ୍ଧବମାନେ ଯେତେ ସୁଖଶାନ୍ତିରେ ଜୀବନ ବଞ୍ଚୁଥିଲେ ସେକଥା ଛାଡ଼ । ଅସଂଖ୍ୟ ଲୋକ ଏବେ ଯେଉଁ ଦୟନୀୟ ପରିସ୍ଥିତିରେ ଆଉଟୁପାଉଟୁ ହେଉଥିଲେ ସେକଥା ଭାବିଲା ବେଳକୁ ତାଙ୍କ ହୃଦୟ କୋରି ବିଦାରି ହେଇଯାଉଥିଲା । ଆଖିରେ ଲୁହ ଜକେଇ ଆସୁôଥିଲା । ସେତିକିବେଳେ ତାଙ୍କ ମୁଣ୍ଡକୁ ଗୋଟିଏ ଖିଆଲ ଢୁକିଲା: ଏଭଳି ଦୁସ୍ଥ ଲୋକଙ୍କ
ଭିତରୁ କେଇଜଣଙ୍କୁ ପୁଣି ଅଌକ୍ଷଗ୍ଧ;ା ସଳଖି ଠିଆ ହେବାଲାଗି ସେ ଯଦି ସାହାଯ୍ୟ କରିପାରନ୍ତେ! ସେମାନେ ପୁଣି ଥରେ ଜୀବନଯାତ୍ରା ପଥରେ ଆଗକୁ ପାହୁଣ୍ଡ ପକେଇବା ଲାଗି ଯଦି ସହାୟକ ହୋଇପାରେନ୍ତ! ଭାରତ ସରକାରଙ୍କ ନିବେଦନର କେଇପଦ କଥା ତାଙ୍କର ମନେ ପଡ଼ିଲା: ‘ଖଣ୍ଡିଏ କମ୍ବଳ ଜଣେ ଶରଣାର୍ଥୀଙ୍କ ଜୀବନ ରକ୍ଷା କରିପାରିବ ।’ ସେଇ କଥାଟି ତାଙ୍କ ମନରେ ସତେକି ବିଜୁଳି ଖେଳାଇଦେଲା! ସେଇ ମୁହୂର୍ତ୍ତରେ ଓ ସେଇଠି ସେ ମନେମନେ ଶପଥ ନେଲେ ଯେ ସେଇ ହତଭାଗ୍ୟ ଶରଣାର୍ଥୀମାନଙ୍କ ଲାଗି ସେ ନିଜେ କେବଳ କେଇଖଣ୍ଡ କମ୍ବଳ ପହଞ୍ଚାଇବେନାହିଁ, ଅପରପକ୍ଷେ ଆରୋଗ୍ୟ ନିକେତନରେ ଚିକିତ୍ସିତ ହେଉଥିବା ଅନ୍ୟ ହିନ୍ଦୁ ରୋଗୀ ବନ୍ଧୀୁମାନଙ୍କୁ ମଧ୍ୟ ସେ ଯଥାସାଧ୍ୟ ସାହାଯ୍ୟ କରିବାକୁ ଅନୁରୋଧ କରିବେ । ଅନ୍ୟ ମୁସଲମାନ ବନ୍ଧୁମାନଙ୍କଠାରୁ ସାହାଯ୍ୟ ଲୋଡ଼ିବା କି ସେମାନଙ୍କୁ ସେପରି ଅନୁରୋଧ କରିବା କଥା ତାଙ୍କ ମନକୁ ଆସିନଥିଲା । ପୂର୍ବରୁ ସେ ସମସ୍ତଙ୍କ ପ୍ରତି ଯେଉଁ ସମଭାବାପନ୍ନ ନିରପେକ୍ଷ ଭାବନା ପୋଷଣ କରୁଥିଲେ, ସେତେବେଳକୁ ତାହା ନିଃଶେଷ ହୋଇ ସାରିଥିଲା । ତେଣୁ ଶେଠ୍ ହୀରାମଲ ଭୀରାମଲ ଯେତେବେଳେ ତାଙ୍କ ହାତକୁ ତିରିଶ ଟଙ୍କା ଖଡ଼ଖଡ଼ କରି ଗଣିଦେଲେ ଓ ମୁସଲମାନଙ୍କ ପ୍ରତି ତାଙ୍କ ମନରେ ଥିବା ତିକ୍ତ ଭାବନା ବ୍ୟକ୍ତ କଲେ, ଦୀନାନାଥ ସେଥିରେ ନିଜ ମନର ଭାବନା ପ୍ରତିଧ୍ୱନିତ ହେବାପରି ଅନୁଭବ କଲେ । ‘ଆରେ ଭାଇ, ହାତରେ ଏ ନୋଟବୁକ୍ ଆଉ ପେନସିଲ ଧରି କୁଆଡ଼େ ଧପାଳିଚ?’ କାଶିମ ଭାଇର ଏଭଳି ପ୍ରଶ୍ନରେ ସେ ହଠାତ୍ ଚମକି ପଡ଼ିଲେ । ଶେଠଙ୍କ କୋଠରୀରୁ ବାହାରିବା ବେଳେ  ହିଁ ସେ କାଶିମ ହାବୁଡ଼େ ପଡ଼ିଯାଇଥିଲେ । ଶେଠଙ୍କଠାରୁ ତିରିଶ ଟଙ୍କାର ଚାନ୍ଦା ମିଳିବା ପରେ ତାଙ୍କ ମନ ବେଶ୍‌ ପ୍ରଫୁଲ୍ଲ ଥିଲା । ଏବେ ସେ ଜୁବୁଲି ୱାର୍ଡ ଆଡ଼େ ମୁହାଇଉଥିଲେ । କିନ୍ତୁ କାଶିମ ଭାଇଙ୍କୁ ସେ ଅବା କି ଉତ୍ତର ଦେବେ? ସେ ହଡ଼ବଡ଼େଇ ଯାଇ କହିଲେ, ‘ଆରେ କିଛି ନାହିଁ । ସେ ପଞ୍ଜାବୀ ଶରଣାର୍ଥୀମାନଙ୍କ ଲାଗି କିଛି ଚାନ୍ଦା ମାଗୁଥିଲି ।’ କହିଲେ ନାହିଁ ତ ତାଙ୍କ ତୁଣ୍ଡରୁ ଏତକ କଥା ଆପେ ବାହାରି ଆସିଲା ।

କାଶିମ କହିଲେ, ‘ଆର ଭଲ କଥାଟିଏ କରୁଚ । ଏଇ ତ ଚାରିଦିନ ତଳେ ବମ୍ବେର କଳାକାର ଓ ଅନ୍ୟ ଲୋକମାନେ ସହରରେ ଗୋଟିଏ ବିରାଟ ପଟୁଆର ବାହାର କରିଥିଲେ । ତୁମେ ବୋଧହୁଏ ସେ ଖବର ସମ୍ବାଦପତ୍ରରୁ ପଢ଼ିଥିବ! ପୃଥ୍ୱୀରାଜ କପୁରଙ୍କ ଠାରୁ ନେଇ ନୱାବ ସା’ବଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଟ୍ରକରେ ହାତ ଧରାଧରି ହୋଇ ସହର ପରିକ୍ରମା କରିଥିଲେ । ତାଙ୍କ ପଛକୁ ସେ ଟ୍ରକ୍‌ରେ ବମ୍ବେର ନାମୀଦାବୀ ଓ ବଛାବଛା ଅନ୍ୟ କଳାକାର ଓ ଲେଖକମାନେ ବି ଥିଲେ । ପୁରୁଷ ମହିଳା, ହିନ୍ଦୁ ମୁସଲମାନ ସମସ୍ତେ । ସେ ପଟୁଆର ଉଭୟ ହିନ୍ଦୁ ଓ ମୁସଲମାନ ଇଲାଭାରେ ବୁଲିଥିଲା । ଉଭୟ ପକ୍ଷ ଏହାକୁ ସ୍ୱାଗତ କରିଥିଲେ । ସମସ୍ତେ ଏଇ କଳାକାର ଓ ଲେଖକମାନଙ୍କ ଭାଷଣ ଶୁଣିଥିଲେ । ସାମ୍ପ୍ରଦାୟିକ ଦଙ୍ଗାକୁ ନିନ୍ଦା କରିଥିଲେ । ମୁଁ ତ ନିଜେ କାବୁଚି ଦଙ୍ଗା ବିରୋଧୀ କାଣ୍ଠି ଲାଗି କିଛି ଚାନ୍ଦାଭେଦା ସଂଗ୍ରହ କରି ବମ୍ବେ ଦଙ୍ଗାଦୁର୍ଗତଙ୍କ ସହାୟତା ଲାଗି ପଠେଇବି । ଆମର ଶରଣାର୍ଥୀମାନଙ୍କୁ ସାହାଯ୍ୟ କରିବା ଯେତିକି ଦରକାର, ଶାନ୍ତିରେ ବସବାସ କରୁଥିବା ଲୋକମାନେ ଯେପରି ଦଙ୍ଗାଗ୍ରସ୍ତ ହୋଇ ଶରଣାର୍ଥୀ ପାଲି ନଯାଆନ୍ତି, ସେକଥା ପ୍ରତି ଧ୍ୟାଦ ଦେବା ସେତିକି ଜରୁରି । କିନ୍ତୁ କେହି ଏକଥା ଶୁଣିବାକୁ ନାରାଜ । ତୁମେ ଗୋଟିଏ କଥା ଜାଣିଚ ? ସେମାନେ ଦୀପାବଳି ଉତ୍ସବବେଳେ ତିନିଶହ ଟଙ୍କା ଚାନ୍ଦା ଆଦାୟ କରିଥିଲେ । ମୁଁ ସେମାନଙ୍କୁ ମହାତ୍ମା ଗାନ୍ଧୀ କହିଥିବା କଥା ମନେ ପକେଇ ଦେଇଥିଲି । ଲକ୍ଷ ଲକ୍ଷ ଲୋକ ବାସହୀନ ଓ ଅସହାୟ ଭାବେ ଘୂରି ବୁଲୁଥିବାବେଳେ ଦୀପାବଳି ଉତ୍ସବ ମନେଇବା ଆମ ପକ୍ଷେ ଉଚିତ ହେବନି । ବମ୍ବେ ନଗରୀକୁ ପୁଣି ଥରେ ଦଙ୍ଗାରୁ ବଞ୍ଚେଇବା ସକାଶେ ସେ ତିନିଶହ ଟଙ୍କା ରିଲିଫ ପାଣ୍ଠିକୁ ଦାନ କରିଦେବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲ । ଯଦି ତାହା ନକରୁଛ ତା’ହେଲେ ଶରଣାର୍ଥୀମାନଙ୍କ ପାଇଁ କିଛି କମ୍ବଳ କିଣି ପଠେଇଦିଅ । ହଁ, ମୋର ଏଠାରେ ଥିବା ଜଣେ ପଞ୍ଜାବୀ ସାଙ୍ଗ ଭଲ କଥାଟିଏ କହିଲେ; ତୁମରିପଟ ଦୁନିଆ କଥା: ‘କୋଇ ମରେ, କୋଇ ଜିଏ ସୁଥରା ଘୋଲ ବତାସେ ପିୟେ’ । ଏଠାକାର ଲୋକଗୁଡ଼ାକ ତିଳେ ତିଳେ ସେଇ ସୁଥର । ମୁଁ କିନ୍ତୁ ଖୁସି ଯେ ତୁମେ ହାତଗୋଡ଼ ବାନ୍ଧି ବସିନ । ମୁଁ ବି ଜଣେ କଳାକାର । ଦେଶ ଏବେ ସମ୍ମୁଖୀନ ହୋଇଥିବା ବିପଦ ବେଳେ ମୁଁ ମୋର ସାଙ୍ଗଙ୍କ ଏହି ପ୍ରୟାସରେ ଭାଗୀଦାର ହେବାକୁ ଚାହୁଁଛି । କିନ୍ତୁ ତୁମେ ତ ଜାଣିଚ, ଏଠାରେ ଜରଣ ରୋଗୀ ହସିାବରେ ମୁଁ ଅନ୍ୟମାନଙ୍କ ପାଖକୁ ଯାଇ ପାରିବିନି । ତୁମେ ବି ନୁହଁ । ହେଲେ ତୁମେ ତ ଏଠାରୁ ଡିସଚାର୍ଜ ହୋଇସାରିଛ । ତେଣୁ ତୁମର ରୋଗୀବନ୍ଧୁମାନଙ୍କୁ ଏ କାମ ଲାଗି ଚାନ୍ଦା ମାଗିପାରିବ ।

ସେଥିପାଇଁ ତୁମକୁ ଆରଏମଓ ଙ୍କ ଅନୁମତି ଲୋଡ଼ିବା ବି ଦରକାର ନାହିଁ । ଆସ, ମୋ ଚାନ୍ଦାଟା ବି ନେଇଯାଅ । ମୋ ନାଁରେ ପାଞ୍ଚଟଙ୍କା ଲେଖ ।’ ଏକା ନିଃଶ୍ୱାସକେ କାଶିମ୍ ଭାଇ ଏତେ ଗୁଡ଼ାଏ କଥା ଭାଷଣ ଦେଲାପରି କହିଗଲେ । ତା’ପରେ ଦୀନାନାଥଙ୍କୁ ସାଙ୍ଗରେ ଧରି ସେ ନିଜ ୱାର୍ଡ ଆଡ଼େ ଚାଲିଲେ ।

ଦୀନାନାଥ ତାଙ୍କୁ କହିଲେ, ‘ମୁଁ ତୁମ ମୁହଁରେ ଗୋଟିଏ କଥା ମୂଳରୁ ସ୍ପଷ୍ଟ କରିଦେଉଛି । ମୁଁ କେବଳ ପଞ୍ଜାବୀ ଶରଣାର୍ଥୀମାନଙ୍କ ଲାଗି ଏ ଚାନ୍ଦା ଆଦାୟ କରୁଛି ।’ ଦୀନାନାଥଙ୍କ କଣ୍ଠସ୍ୱରରେ ସନ୍ତର୍ପଣ ଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । କାଶିମ ଭାଇ କହିଲେ, ‘ମୁଁ କାଇଁକି ପ୍ରତିବାଦ କରିବି?

ପଞ୍ଜାବର ହିନ୍ଦୁ କି ମୁସଲମାନ ଶରଣାର୍ଥୀମାନେ ମନ ଭିତରେ ହୁଏତ ରାଗୁଥାଇ ପାରନ୍ତି । କିନ୍ତୁ ସେମାନଙ୍କୁ ଯଦି ଯଥାଶୀଘ୍ର ଥଇଥାନ କରାନଯାଏ ତା’ହେଲେ ସେମାନେ ତା’ର ପ୍ରତିଶୋଧ ସେଇ ନୀରିହ ମୁସଲମାନ ଲୋକଙ୍କ ଉପରେ ନେବେ ଯେଉଁମାନଙ୍କର ଏ ଦଙ୍ଗାରେ କିଛି ବୋଲି ନେଣ ଦେଣ ନାହିଁ । ତେଣୁ ମୋ ମତରେ ପଞ୍ଜାବୀ ଶରଣାର୍ଥୀମାନଙ୍କ ସାହାଯ୍ୟ କରିବା ମୋ ନିଜ ଭାଇମାନଙ୍କୁ ସାହାଯ୍ୟ କରିବା ସଙ୍ଗେ ସମାନ ।

ଏବେ ଦୀନାନାଥ ଆଉ କ’ଣ କହିବେ? ତେଣୁ ସେ ଅଗତ୍ୟା କାଶିମ ଭାଇଙ୍କ ପଛେ ପଛେ ବିନା ବାକ୍ୟରେ ଅନୁଧାବନ କଲେ । କାଶିମ ଭାଇ ପ୍ରଥମେ ଦୀନାନାଥଙ୍କୁ ନିଜ କୋଠରୀକୁ ନେଇ ପର୍ସରୁ ବାହାର କରି ପାଞ୍ଚଟଙ୍କିଆ ନୋଟ ଖଣ୍ଡିଏ ବାହାରକରି ଦୀନାନାଥଙ୍କ ହାତକୁ ବଢ଼େଇଦେଲେ । ଦୀନାନାଥ ସେ ଟଙ୍କାକୁ ଗ୍ରହଣ
କରିବା ଛଡ଼ା ତାଙ୍କର ଅନ୍ୟକିଛି ଉପାୟ ନଥିଲା । କାଶିମ ଭାଇଙ୍କୁ ଧନ୍ୟବାଦ ଜଣାଇ ତାଙ୍କଠାରୁ ବିଦାୟ ନେବା ମୁଦ୍ରାରେ ସେ ହାତ ଟେକିଲେ ।

କାଶିମ ଭାଇ ଦୀନାନାଥଙ୍କ ହାତକୁ ଧରି ଆଉ ଦଣ୍ଡେ ଅପେକ୍ଷା କରିବାଲାଗି କହିଲେ । ତା’ପରେ ସେ କହିଲେ, ‘ବନ୍ଧୁ, ମୁଁ ଗୋଟିଏ କଥା କହୁଛି, ଶୁଣ । ତୁମେ ଚାନ୍ଦାମଗା ଷ୍ଟାଇଲକୁ ସାମାନ୍ୟ ବଦଳେଇଦିଅ । ସମସ୍ତଙ୍କୁ କୁହଯେ ତୁମେ ଉଭୟ ହିନ୍ଦୁ ଓ ମୁସଲମାନ ଶରଣାର୍ଥୀଙ୍କ ଲାଗି ସାହାଯ୍ୟ ଭିକ୍ଷା କରୁଚ ।’

‘କିନ୍ତୁ ମୁସଲମାନ ଶରଣାର୍ଥୀମାନେ ତ ପାକିସ୍ତାନ ଯାଇ ସାରିଛନ୍ତି!’

‘ନା, ଆଦୌ ନୁହେଁ । ଏବେ ବି କିଛି ଶରଣାର୍ଥୀ ଏଠାରେ ଅଛନ୍ତି ।’

‘ହେଲେ ଭାଇ, ମୁଁ ତ କେବଳ ହିନ୍ଦୁମାନଙ୍କ ଲାଗି ଚାନ୍ଦା ମାଗୁଛି । ମୋତେ କ୍ଷମା କରିବ ଯେ ମୁଁ ତୁମକୁ ଏକଥା ସିଧାସଳଖ ଭାବେ କହୁଚି । ତୁମେ ମୋ ସାଙ୍ଗ । ତେଣୁ ତୁମ ଆଗରେ ସବୁକଥା ଖୋଲି କହିପାରିବି ବୋଲି ଭାବୁଛି । ଯଦି ଚାହୁଁଛ ତୁମେ ତୁମ ପାଞ୍ଚଟଙ୍କା ଫେରେଇ ନେଇପାର ।’ ଦୀନାନାଥ ପକେଟରୁ ପାଞ୍ଚଟଙ୍କିଆ ନୋଟଟା କାଢ଼ି ହାତରେ ଧରିଲେ । କାଶିମ ଭାଇ ହସି ହସି କହିଲେ, ‘ଏଠାକାର ଅନ୍ୟସବୁ ହିନ୍ଦୁଲୋକଙ୍କ ଭଳି ତୁମର ବି ମୁସଲମାନ ଲୋକଙ୍କ ପ୍ରତି କୌଣସି ଦରଦ କି ଅନୁକମ୍ପା ନାହିଁ । ତୁମେ କ’ଣ ଭାବୁଚ ଯେ ଯେଉଁ ସମସ୍ୟା ଏବେ ଆସି ସେମାନଙ୍କ ମୁଣ୍ଡରେ ପଡ଼ିଚି, ସେଥିପାଇଁ ସେମାନଙ୍କ ପାପକର୍ମ ଦାୟୀ? ବନ୍ଧୁବର, ଯଦି ସେମାନେ ଦୋଷୀ ବୋଲି ଭାବୁଥାଅ, ତା’ହେଲେ ଏଇଟା ସେଇଭଳିଆ କଥା ହେବ, ଯେମିତି ନିରୀହ ଶିଶୁଟିଏ ଭୋଗେ । ଶିଶୁଟିର ମାତାପିତା ତା’ ମୁଣ୍ଡରେ ଯେଉଁ ଦୋଷ ଥାପିଦିଅନ୍ତି, ତାହା ବିଚାର କରିବାର ବୋଧଶକ୍ତି ଶିଶୁଟିର ନଥାଏ । ତେଣୁ ସେ କେବଳ ଦୁର୍ଦ୍ଦଶା ହିଁ ଭୋଗେ । ବିଶେଷ କରି ଦେଶର ସାଧାରଣ ଲୋକ ଓ ଶିଶୁମାନଙ୍କ ଭିତରେ କିଛି ଫରକ ନାହିଁ । ସେ ସାଧାରଣ ଲୋକଙ୍କ କଥା ଛାଡ଼, ଏବେ ହିନ୍ଦୁ ଲୋକଙ୍କ କଥା ଧରାଯାଉ । ସମୟ ଥିଲା ଯେତେବେଳେ
ସେମାନେ ସୁଭାଷ ଚନ୍ଦ୍ର ବୋଷଙ୍କୁ କଂଗ୍ରେସର ସଭାପତି ଭାବେ ଦ୍ୱିତୀୟବାର ନିର୍ବାଚିତ କରିଥିଲେ । କିନ୍ତୁ ମହାତ୍ମା ଗାନ୍ଧୀଙ୍କର ଇଚ୍ଛା କ’ଣ ସେକଥା ସେମାନଙ୍କୁ ମାଲୁମ ନଥିଲା । ଯେତେବେଳେ ପଟ୍ଟାଭି ସିତାରାମେୟାଙ୍କ ପରାଜୟକୁ ଗାନ୍ଧୀଜୀ ନିଜ ପରାଜୟ ସଙ୍ଗେ ତୁଳନା କଲେ, ସେଇ ସୁଭାଷ ବୋଷଙ୍କ କ୍ଷୀର ଗ୍ଲାସ
ଉପରେ ବସିଥିବା ବାଝିଟିଏ ଭଳି ହଟେଇ ଦିଆଯାଇଥିଲା । ଅପମାନିତ ହୋଇ ଓ ନିଜ ଜୀବନକୁ ବାଜି ଲଗେଇ ସୁଭାଷ ବୋଷ ଦେଶରୁ ଖସି ପଳେଇ ଯାଇଥିଲେ । ଦେଶ ବାହାରେ ଯାଇ ଗଢ଼ିଥିଲେ ଆଜାଦ ହିନ୍ଦ୍ ଫଉଜ । ଆଉ ଦେଖ କ’ଣ ଘଟିଲା, ଯେଉଁ ଲୋକମାନେ ତାଙ୍କୁ ବିଦା କରିଥିଲେ, ସେଇମାନେ ପୁଣି ଥରେ ତାଙ୍କୁ ଦେବତା ଭଳି ପୂଜା କଲେ, ପ୍ରଶଂସା କଲେ! ଏମିତି ସମୟ ଆସିଲା ଯେ ସେଇ କଂଗ୍ରେସ ତାଙ୍କର ଓ ତାଙ୍କ ଅନୁଗାମୀମାନଙ୍କ ପ୍ରଶାସଂର ଢୋଲ ବାଡ଼େଇ ନିର୍ବାଚନ ଜିଣିଲା । ବେଳେବେଳେ ସାଧାରଣ ଲୋକଙ୍କ ଆଚରଣକୁ ନିରେଖି ଦେଖିବା ଦରକାର । ସେମାନଙ୍କ ଆଚରଣ ବିଚିତ୍ର ପରି ଲାଗିବ! ଅଧିକାଂଶ ଲୋକଙ୍କୁ ଜଣାନାହିଁ ଯେ ସେଇ ଯୀଶୁଙ୍କ ଅନୁଗାମୀମାନଙ୍କର ଏହା ପଛରେ କି ହାତ ଅଛି । ଯେଉଁ ବିପଦ ଆସି ଆମ ମୁଣ୍ଡ ଉପରେ ପଡ଼ିଛି ସେମାନଙ୍କର ତା’ ପଛରେ କି ଭୂମିକା ରହିଛି ।

୧୯୦୯ ମସିହାରେ ଗୋରା ଲୋକମାନେ ହିନ୍ଦୁ- ମୁସଲମାନଙ୍କ ଭିତରେ ତିକ୍ତତା ସୃଷ୍ଟି କରିବା ସକାଶେ ଯେଉଁ ବିଷମଞ୍ଜିଟି ପୋତିଥିଲେ ଏବେ ତାହା ମହାଦ୍ରୁମରେ ପରିଣତ ହୋଇଛି । ସେଇ ବିଷ ଏ ଦେଶସାରା ଚରିଯାଇଛି । ଆମେମାମେ ହୀନସ୍ତା ହେଉଛୁ । ସେମାନେ ଜାଣନ୍ତିନି ଯେ ହିନ୍ଦୁ- ମୁସଲମାନ ବୈରତାୁ ଯେଉଁ କୁପ୍ରଭାବ ଆମମାନଙ୍କ ଉପରେ ପଡ଼ୁଛି ତାହା ସେମାନଙ୍କ ସୈତାନୀ ରାଜନୀତିର କୁପରିଣାମ । ତୁମେ ଲକ୍ଷ୍ୟ କରିପାରୁନ? ଏଇ ପଞ୍ଜାବରେ,  ଇଲାକାରେ ପ୍ରଥମେ ଦଙ୍ଗାଫସାଦ୍ ଆରମ୍ଭ ହୋଇଥିଲା । କଣ୍ଟେନମେଣ୍ଟ  ଇଲାକା ତ ପୂରା ବ୍ରିଟିଶ୍ ଫଉଜଙ୍କ କବ୍‌ଜାରେ ଥିଲା । ଯଦି ସେଇ ରକ୍ତାକ୍ତ ଦଙ୍ଗାର କାରଣ ଜାଣିବାକୁ
ଗୋଟିଏ ନିରପେକ୍ଷ ତଦନ୍ତ କମିଶନ ବସିଥାନ୍ତା, ତା’ହେଲେ ଈଶ୍ୱରଙ୍କର ସେଇ ସୁପୁତ୍ର (ବ୍ରିଟିଶ୍ ସରକାର)ମାନେ କେତେ ଧୀରେ ସୁସ୍ଥେ, ସୁଚିନ୍ତିତ ଭାବେ ପଞ୍ଜାବରେ ଲକ୍ଷ ଲକ୍ଷ ହିନ୍ଦୁ ଓ ମୁସଲମାନ ଲୋକଙ୍କ ମୃତ୍ୟୁ ପାଇଁ ମୈଦାନ ପ୍ରସ୍ତୁତ କରିଥିଲେ ସେକଥା ସାରା ବିଶ୍ୱ ଜାଣିପାରିଥାନ୍ତା । ସେମାନେ ନିଜକୁ ନିରପେକ୍ଷ ବୋଲି ଯେଉଁ
ଦାବି କରି ବୁଲୁଚନ୍ତି, ସେମାନଙ୍କର ସବୁ ମୁଖା ଖୋଲି ଯାଇଥାନ୍ତା । କିନ୍ତୁ ଯାହା ଅବଧାରିତ ତାକୁ ଅବା କିଏ ଟାଳିପାରିବ? ବ୍ରିଟିଶରମାନେ ଯେଉଁ ବିଷବୃକ୍ଷ ଲଗେଇ ଯାଇଛନ୍ତି ଆମେ ଏବେ ତା’ର ମୂଳୋତ୍ପାଟନ କରିପାରିବାନି । ତାହା ଆମ ଆୟତ୍ତ ବାହାରେ । ତେଣୁ ସ୍ୱାଧୀନତାର ଚାରାଟି ନିରାପଦରେ ବଢ଼ୁ, ବିରାଟ ବୃକ୍ଷରେ ପରିଣତ ହେଉ ଆଉ ଭାରତ ଓ ପାକିସ୍ତାନରେ ଦୁଇଟିଯାକ ଦେଶରେ ଯାହା ଫଳ ଫଳିବ ଫଳୁ । ଏ ଦଙ୍ଗାକୁ ରୋକିବା ସହଜସାଧ୍ୟ ନୁହେଁ । ସେକଥା ମୋତେ ଭଲଭାବେ ଜଣା । କିନ୍ତୁ ତୁମେ କ’ଣ ଭାବୁନ ଯେ ଏଭଳି ସମୟରେ ଆମେମାନେ ନିଜ ନିଜର ଦାୟିତ୍ୱ ସଂପର୍କରେ ସଚେତନ ହେବା ଜରୁରି ବୋଲି?

କାଶିମ ଭାଇ ହଠାତ୍ ତୁନି ପଡ଼ିଗଲେ ଓ ଦଣ୍ଡେ ରହିଯାଇ ପୁଣି କହିଲେ, ‘ଆରେ, ମୁଁ ତ ତୁମ ଆଗରେ ଭାଷଣ ଦେବା ଆରମ୍ଭ କରିସାରିଲିଣି । ସେକଥା ଛାଡ଼, ଏ ପାଞ୍ଚଟଙ୍କା ରଖ । ମୁଁ ଯାହା କିଛି କରିଛି ସେଇକଥା ତୁମକୁ କହିଲି । କାଇଁକିନା ଏ ଆରୋଗ୍ୟ ନିକତେନରେ ଯେତିକି ହିନ୍ଦୁ ରୋଗୀ ଅଛନ୍ତି ତା’ଠୁ ବେଶୀ ମୁସଲମାନ ଓ ଖ୍ରୀଷ୍ଟିଆନ ଓ ପାର୍ସୀ ରୋଗୀ ଅଛନ୍ତି । ତାମେ ଯଦି ତୁମର ଚାନ୍ଦା ସଂଗ୍ରହର ଫର୍ମୁଲାକୁ ଟିକେ ବ୍ୟାପକ କରିଦେବ ତା’ହେଲେ ତୁମକୁ ଅଧିକ ସାହାଯ୍ୟ ମିଳିବ ।
ପଛରେ ଚିନ୍ତା କରିବ ସେ ଅର୍ଥ ତୁମେ କାହାକୁ ସାହାଯ୍ୟ ପାଇଁ ଦେବ – ହିନ୍ଦୁ ଶରଣାର୍ଥୀଙ୍କୁ ନା ମୁସଲମାନ ଶରଣାର୍ଥୀଙ୍କୁ ।

ଶେଠ୍ ହାରାଲାଲ ପୂର୍ବରୁ ତାଙ୍କୁ ଦେଇଥିବା ପରାମର୍ଶଠାରୁ କାଶିମ ଭାଇର କଥାରେ ଅଧିକ ବାସ୍ତବତା ଥିବାପରି ଲାଗିଲା । ବରଂ କାଶିମ ଭାଇଙ୍କ କଥା ଦୀନାନାଥଙ୍କ ନିଜ ମନର ବିବେକର ପ୍ରତିଧ୍ୱନି ଭଳି ମନେହେଲା । ଏ ଦୁଇଟି ଭିତରୁ କେଉଁଟି ଠିକ୍‌? ଅଧିକ ଗ୍ରହଣୀୟ ସତ୍ୟ? ସେକଥା ନିର୍ଦ୍ଧାରଣ କରିବାରେ ତାଙ୍କୁ ସାମାନ୍ୟ କଷ୍ଟ ହେଉଥିଲା । ଶେଷକୁ ଚିଡ଼ିଉଠି ସେ କହିଲେ, ‘ମୁଁ ମୁସମାନଙ୍କ ଠାରୁ ଚାନ୍ଦା ଆଦାୟ କରିବି ଓ ସେ ଟଙ୍କାକୁ ହିନ୍ଦୁ ଶରଣାର୍ଥୀମାନଙ୍କ ସହାୟତା ଲାଗି ପଠେଇବି, ସେକଥା ମୋ ଦ୍ୱାରା କଦାପି ହୋଇପାରିବନି ।’

କାଶିମ୍ ଭାଇ କହିଲେ, ‘ଠିକ୍ ଅଛି । ତା’ହେଲେ ଏମିତି କର । ଦଙ୍ଗା ବିରୋଧୀ ପାଣ୍ଠି ନାଁରେ ଟଙ୍କା ଆଦାୟ କର । ହିନ୍ଦୁ ଶରଣାର୍ଥୀମାନଙ୍କ ସାହାଯ୍ୟ କରିବା ଅର୍ଥ ମଧ୍ୟ ଏକା ଯେ ତୁମେ ଦଙ୍ଗାକୁ ଅଧିକ ବ୍ୟାପିବାକୁ ରୋକିବାକୁ ଚାହୁଁଛୁ । ସେମାନେ ଥଇଥାନ ନହେବାଯାଏ ହିନ୍ଦୁ ଶରଣାର୍ଥୀମାନେ ମୁସଲମାନ ଲୋକଙ୍କ ଉପରେ ପ୍ରତିଶୋଧ ନେଇ ଚାଲୁଥିବେ । ହିନ୍ଦୁ ଶରଣାର୍ଥୀମାନଙ୍କ ସାହାଯ୍ୟ କରିବା ଅର୍ଥ ମୁସଲମାନ ଶରଣାର୍ଥୀମାନଙ୍କୁ ପରୋକ୍ଷରେ ସାହାଯ୍ୟ କରିବା ସଙ୍ଗେ ସମାନ । ଚାଲ,
ମୁଁ ବି ତୁମ ସାଙ୍ଗରେ ଯିବାକୁ ପ୍ରସ୍ତୁତ ଅଛି । କିନ୍ତୁ ସବୁବେଳେ ମନେ ରଖିବ: ଆମର ଏକମାତ୍ର ନିବେଦନ ହେବ ‘ଦଙ୍ଗାକୁ
ରୋକିବା! ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ।’

ଦୀନାନାଥ କିଛି ନକହି ନୀରବ ରହିଲେ । ତାଙ୍କ ମୌନଭାବକୁ କୁଣ୍ଠିତ ସମ୍ମତିର ସୂଚନା ବୋଲି ଭାବି କାଶିମ ଭାଇ ତାଙ୍କ ସହ ଚାନ୍ଦା ଆଦାୟ ପାଇଁ ବାହାରିପଡ଼ିଲେ ।
ତିନି ଘଣ୍ଟା ପରେ ଯେତେବେଳେ ଦୀନାନାଥଙ୍କ ପକେଟକୁ ଦି’ଶହ ଟଙ୍କା ନଗଦ ଆସିଗଲା, ସେ କାଶିମ ଭାଇଙ୍କୁ ଧନ୍ୟବାଦ ଜଣାଇ ଖୁସିରେ କରମର୍ଦ୍ଦନ କଲେ ।

ପରବର୍ତ୍ତୀ ସାତଦିନ ପର୍ଯ୍ୟନ୍ତ ଦୀନାନାଥ ଫି’ଦିନ ଚାନ୍ଦା ସଂଗ୍ରହରେ ଲାଗିପଡ଼ିଲେ । ଗୋଟିଏ ଦିନ ବି ଛାଡ଼ ଗଲାନି । ପ୍ରଥମ ଦିନର ସଫଳତା ତାଙ୍କୁ ଏଭଳି ପ୍ରୋତ୍ସାହନ ଯୋଗାଇଥିଲା । ଅବଶ୍ୟ ସେଥିପାଇଁ କାଶିମ ଭାଇ ହିଁ ଧନ୍ୟବାଦର ପାତ୍ର ଥିଲେ । ତାଙ୍କରି ପ୍ରେରଣା ଓ ପରାମର୍ଶ ହିଁ ଏକଳି ସଫଳତା ଆଣି
ଦେଇଥିଲା । ପ୍ରଥମରୁ ସେ ଭାବିଥିଲେ ଯେ ତାଙ୍କୁ ସମ୍ଭବତଃ ଦଶ କି କୋଡ଼ିଏ ଟଙ୍କା ମିଳିପାରେ । ଏବେ ସେ ମନେ ମନେ ଦୃଢ଼ ସଂକଳ୍ପ କରିଥିଲେ ଯେ ଯେମିତି ହେଲେ ତାଙ୍କୁ ଅତି କମ୍‌ରେ ପାଞ୍ଚଶହ ଟଙ୍କା ପଠେଇବାକୁ ପନିବ । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ । ତେଣୁ ସକାଳବେଳା ଓ ସନ୍ଧ୍ୟାରେ ସେ କେବଳ ବଜାରର ନିଜ ହୋଟେଲ ପର୍ଯ୍ୟନ୍ତ ବୁଲି ଲୋକମାନଙ୍କ ଠାରୁ ଚାନ୍ଦା ସଂଗ୍ରହ କରୁଥିଲେ । ବେଳେବେଳେ ଖଣ୍ଡିଏ ଟାକ୍ସି ଧରି ଏଇ ସାତଦିନ ଭିତରେ ସେ ଆେୁରି ଦୂର ଇଲାକାକୁ ଯାଇ କିଛି ଚାନ୍ଦା ସଂଗ୍ରହ କରିଥିଲେ । ବିଶେଷ କରି ସହରର ଅନ୍ୟ ସ୍ଥାନରେ ପାର୍ସୀ, ଖୋଜା କି ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ କେଇଟି ଆରୋଗ୍ୟ ନିକେତନକୁ ଯାଇ ସେ ସେଠାକାର ଅନ୍ତେଃବାସୀମାନଙ୍କୁ ଚାନ୍ଦା ମାଗୁଥିଲେ । ଏପରିକି ଆଖପାଖ ପଡ଼ୋଶୀଙ୍କ ବଙ୍ଗଳା ଓ ବଜାରକୁ ସେ ଛାଡ଼ିନଥିଲେ । ଆଜି ଅଷ୍ଟମ ଦିନରେ ସେ ମେନ୍‌ ରୋଡ଼ରେ ଯାଇଥିବାବେଳେ ପାଞ୍ଚଶହ ପୂରଣ ବୋକୁ ଆଉ ମାତ୍ର ଦଶଣଙ୍କା ବାକି ଥିଲା । ତାଙ୍କର ମନେ ପଡ଼ିଗଲା, ଡକ୍ଟର ମର୍ଚ୍ଚାଣ୍ଟଙ୍କର ଏଇଠି ଗୋଟିଏ ପ୍ରାଇଭେଟ କ୍ଲିନିକ ଅଛି ଓ ସେଠାରେ କିଛଇ ରୋଗୀ ରହି ଚିକିତ୍ସିତ ହେଉଛନ୍ତି । ତେଣୁ ସେଇ କ୍ଲିନିକକୁ ଯାଇ କିଛି ଟଙ୍କା ଅସୁଲ କରିଦେଲେ ତାଙ୍କର ପାଞ୍ଚଶହ ଲକ୍ଷ୍ୟ ପୂରଣ ହୋଇଯିବ ବୋଲି ସେ ମନେ ମନେ ଚିନ୍ତାକଲେ । ଏତିକି ଚାନ୍ଦା ଅସୁଲ ପରେ ସେ ପୂରା ସପ୍ତାହେ ବିଶ୍ରାମ ନେବେ ଓ କିଛିଟା ସ୍ୱାସ୍ଥ୍ୟ ଫେରିପାଇବେ । ଗଲା ସାତଦିନ ଭିତରେ ଏଣେତେଣେ ବୁଲି ଏଇ ଚାନ୍ଦା ସଂଗ୍ରହରେ ତାଙ୍କର ବେଶ୍ ଓଜନ ହ୍ରାସ ପାଇଥିଲା ।

ରିଙ୍ଗ୍ ରୋଡ଼ର ଉଠାଣି ରାସ୍ତାରେ ଡାହାଣ ପଟକୁ ଆଗକୁ ଗଲେ ସୁନ୍ଦର କୋଠାଘରମାନ ଦିଶିବ । କିଛି ଦୂରରେ ରୂପେଲି ଓକ୍‌ଗଛଗୁଡ଼ିକ ସହ ସମାନ୍ତରାଳ ଭାବେ କଳାରଙ୍ଗର ପଥରର ଲମ୍ବା ପାଚେରୀଟିଏ ଆଖିରେ ପଡ଼ିବ । ପ୍ରାୟ ମାସେ ତଳେ ସାଙ୍ଗମାନଙ୍କ ସାଥିରେ ସେ ସେଇ ପାଚେରୀ ପର୍ଯ୍ୟନ୍ତ ବୁଲି ଯାଇଥିଲେ ।
ସର୍ପିଳ ଭାବେ ଲମ୍ବିଥିବା ରାସ୍ତା କଡ଼େ କଡ଼େ କନଭେଭେଣ୍ଟ ସ୍କୁଲ ଡେଇଁ ଟାକ୍ସିଟି ଯେତେବେଳେ ସେଇ ପ୍ରାଚୀର ପାଖରେ ପହଞ୍ଚିଲା, ଦୀନାନାଥ ମନେମନେ ବିସ୍ମିତ ହୋଇଥିଲେ । ଯାହାକୁ ସେ ପଥର କାନ୍ଥଟିଏ ବୋଲି ଭାବୁଥିଲେ ତାହା ବାସ୍ତବରେ କାନ୍ଥ ନଥିଲା । ବରଂ ସେଇଠାରୁ ଗୋଟିଏ ସମତଳ ଭୂଖଣ୍ଡ ମାଇଲ ମାଇଲ
ଧରି ଆଗକୁ ଲମ୍ବିଥିଲା । ଏବେ ସେ ସେଇ ମାଳଭୂମିର ସୁଦୃଶ୍ୟ ସମ୍ମୁଖ ଭାଗରେ ହିିଁ ଠିଆ ହୋଇଥିଲେ । ସେ ଆଶ୍ଚର୍ଯ୍ୟ ହୋଇଥିଲେ ପ୍ରକୃତିର ଏଇ ବିସ୍ମୟକର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି । ଏତେ ଉଚ୍ଚର ମାଇଲ ମାଇଲ ଧରି ବିସ୍ତୀର୍ଣ୍ଣ ଏଇ ସୁନ୍ଦର ଭୂପୃଷ୍ଠ କ’ଣ ଆପଣା ଛାଏଁ ସୃଷ୍ଟି ହେବା ସମ୍ଭବ! ପୁଣି ସାମ୍ନା ପଟକୁ ଏଭଳି
ବନ୍ଧୁର! ତେବେ ସେଇ ମାଳପୃଷ୍ଠର ସୌନ୍ଦର୍ଯ୍ୟ ଠାରୁ ତାଙ୍କର ଧ୍ୟାନ ହଟିଥିଲା ଆଖି ସାମ୍ନାରେ ଦିଗସ୍ତବିସ୍ତାରୀ ସମତଳ ଭୂମିକୁ ଦେଖି । ଶୀତଦିନର ଜାଡ଼ ସବୁଜ ଘାସକୁ ମାଟି ରଙ୍ଗ ସହ ଏକାକାର କରିଦେଇଥିଲା । ମୁଣ୍ଡ ଉପର ଆକାଶ ଦିଶୁଥିଲା ତାକୁ ଘୋଡ଼େଇ ପକାଇଥିବା ଏକ କାଚପାତ୍ର ପରି ।

ଆକାଶରେ କେଇଖଣ୍ଡ ପତଳା ବାଦଲ ନିଃଶେଷ ଓ ଓଲଟା ସୁରାପାତ୍ର ତଳେ ଲାଗିଥିବା କିଛି ଫେଣ ପରି ଦୃଶ୍ୟ ହେଉଥିଲା । ଦୀନାନାଥ ରିଙ୍ଗ୍ ରୋଡ଼ ପାଶ୍ୱର୍କୁ ଉଠିଯାଇ ସେ ଦୃଶ୍ୟକୁ ନିରୀକ୍ଷଣ କଲେ । ବିସ୍ତୀର୍ଣ୍ଣ ମରୁପ୍ରାନ୍ତରେ ଆକସ୍ମିକ ଓ ଆକର୍ଷଣୀୟ ମରୁଦ୍ୟାନଟିଏ ପରି ପଞ୍ଜଗାନିର ସେଇ ଲୋହିତ ବର୍ଣ୍ଣର ପାହାଡ଼ସବୁ ପ୍ରତୀୟମାନ ହେଉଥିଲା । କେଡ଼େ ସୁନ୍ଦର ଓ ମନଲୋଭା! ମାଳପୃଷ୍ଠର ସୁଉଚ୍ଚ ପ୍ରାଚୀର ପାଶ୍ୱର୍ରେ ଲମ୍ବିଥିବା ସେଇ ସରୁ ରାସ୍ତାକଡ଼ର ଓକ୍‌ଗଛ ଖେଳନା ଭଳି ପ୍ରତୀତ ହେଉଥିବା ବଙ୍ଗଳା । ବଙ୍ଗଳା ସାମ୍ନାର ଛୋଟ ଛୋଟ ଉଦ୍ଦ୍ୟାନ, ପିମ୍ପୁଡ଼ିଭଳି ଏଣେ ତେଣେ ଯାତାୟତ କରୁଥିବା ଖର୍ବକାୟ ମଣିଷମାନଙ୍କୁ ଦେଖି ଦୀନାନାଥ ଏକପ୍ରକା ଭାବବିହ୍ୱଳ ହୋଇ ପଡ଼ିଥିଲେ । ତାଙ୍କର ଇଚ୍ଛା ହେଉଥିଲା, ଏଇ ଦୃଶ୍ୟକୁ ଚାହିଁ ସେ ଅନନ୍ତକାଳ ପର୍ଯ୍ୟନ୍ତ ସେମିତି ସେଇଠି ଠିଆ ହୋଇ ରହିଥାନ୍ତେ!

ପଞ୍ଜଗନିର ସେଇ ଲୋହିତ ପାହାଡ଼ସବୁ ପ୍ରତୀୟମାନ ହେଉଥିଲା । କେଡ଼େ ସୁନ୍ଦର ଓ ମନଲୋଭା! ମାଳଭୂମିର ସୁଉଚ୍ଚ ପ୍ରାଚୀର ପାଶ୍ୱରେ ଲମ୍ବିଥିବା ସେଇ ସରୁ ରାସ୍ତା ଓ ରାସ୍ତାକଡ଼ର ଓକଗଛ ଖେଳନା ଭଳି ପ୍ରତୀତ ହୋଇଥିବା ବଙ୍ଗଳା, ବଙ୍ଗଳା ସାମ୍ନାର ଛୋଟ ଛୋଟ ଉଦ୍ଦ୍ୟାନ ପିମ୍ପୁଡ଼ି ଭଳି ଏଣେତେଣେ ଯାତାୟତ କରୁଥିବା ଖର୍ବକାୟ ମଣିଷମାନଙ୍କୁ ଦେଖବ ଦୀନାନାଥ ଏକପ୍ରକାର ଭାବବିହ୍ୱଳ ହୋଇପଡ଼ିଥିଲେ । ତାଭ୍‌କର ଇଚ୍ଛା ହେଉଥିଲା, ଏଇ ଦୃଶ୍ୟକୁ ସେ ଏମିତି ଅନନ୍ତକାଳ ପର୍ଯ୍ୟନ୍ତ ଚାହିଁ ରହିଥାନ୍ତେ । ସେଇଠି ସେମିତି ଠିଆ ହୋଇ ରହିଥାନ୍ତେ । ପଞ୍ଜଗାନୀର ସେଇ ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରି ଚାଲିଥାନ୍ତେ । ଏବେ ଗଲା ସାତଦିନ ଧରି ପଞ୍ଜଗାନିର ସେଇ ରାସ୍ତା ଦେଇ ସେ ବାରମ୍ବାର ଯା’ଆସ କରି ଚାଲିଥିଲେ । ମାଳଭୂମି ଉପରୁ ଦେଖିଲେ ତାଙ୍କ ଏ ସ୍ଥାନଟି ଯେତିକି ସୁନ୍ଦର ଲାଗୁଥିଲା ତା’ର ବାସ୍ତବ ସ୍ୱରୂପ ସେତିକି ଆକର୍ଷଣୀୟ ଲାଗୁନଥିଲା । ବରଂ ତାହା ଥିଲା ଠିକ୍‌ ବିପରୀତ – ଅସୁନ୍ଦର । ସ୍ଥାନୀୟ ଲୋକମାନଙ୍କ ବିଷୟରେ ନଜାଣି ସେ ଯେତେବେଳେ ସେହିସବୁ ସୁନ୍ଦର ବଙ୍ଗଳାକୁ ଚାନ୍ଦା ଆଦାୟ କରିବାକୁ ଗଲେ ତାଙ୍କ ଏପରି ଗୋଟିଏ ଘର ମିଳିଲାନି ଯେଉଁଠି ଜଣେ ଯକ୍ଷ୍ମା ରୋଗୀ ନଥିବେ ।

ରୂପେଲୀ ଓକ୍‌ଗଛ ଛାଇରେ ଧାଡ଼ି ଧାଡ଼ିହୋଇ ଲମ୍ବିଥିବା ସେଇ ବଙ୍ଗଳା କଡ଼ଦେଇ ଯେତେବେଳେ ଦୀନାନାଥ ଯା’ଆସ କରୁଥିଲେ, ତାଙ୍କ ମୁହଁରୁ ଏକ ଦୀର୍ଘଶଶ୍ୱାସ ବାହାରି ଆସିଥିଲା । ବଙ୍ଗଳାରେ ରହି ଆରୋଗ୍ୟ ଲାଭ କରୁଥିବାବେଳେ କେତେଯେ କ୍ଷୟକାଶର ଆକ୍ରମଣରେ ନିଃଶେଷ ହୋଇ ଚାଲୁଛନ୍ତି ସେ ଭାବନା ତାଙ୍କୁ ଗୋଟାପଣେ ଆଚ୍ଛନ୍ନ କରିପକାଇଥିଲା । ବଜାରରେ ଦିଶୁଥିବା କୁକୁଡ଼ାଭାଡ଼ି କରି ଜାସନ୍ ରୋଡ଼ କଡ଼େ କଡ଼େ ସେଇସବୁ ଗରିବ ଲୋକମାନଙ୍କ ଝୁପୁଡ଼ି ଘର ।
ସେତିକିବେଳେ ଦୁଇଟି ଲୋକଙ୍କ ମୁହଁର ଦୁଇଟି ଘଟଣା ହଠାତ୍‌nତାଙ୍କ ସ୍ମୃତିରେ ନାଚି ଉଠିଲା ।

ଜାସନ ରୋଡ଼ରେ ଦିନେ ସେ ସେମିତି ଗୋଷିଏ କୁକୁଡ଼ା ଭାଡ଼ିପରି ଦିଶୁଥିବା ଗୋଟିଏ କୁଡ଼ିଆ ଘର ସାମ୍ନାରେ ଠିଆ ହୋଇଛନ୍ତି କି ନାହିଁ କେହି ଜଣେ ଲୋକ ସେଇ କୁଡ଼ିଆ ଭିତରୁ କାଶି କାଶି ତାଙ୍କୁ ଭିତରକୁ ଆସିବାକୁ ଡାକିଲେ । ସା୍‌ନା ଦରଜାଟି ବନ୍ଦ୍ ନଥିଲା । ତେଣୁ ସେ ଭିତରକୁ ଗଲେ । କୋଠରୀଟି ଖୁବ୍ ଛୋଟ । ଖଣ୍ଡିଏ ଖଟ,
ପୁରୁଣା ଚେୟାରଟିଏ ଓ ଟି’ ଟେବୁଲ ଖଣ୍ଡେ ପଡ଼ିବାକୁ ଯଥେଷ୍ଟ ଥିଲା । ସେଇ ଖଟ ଉପରେ ଜଣେ ଭୟାର୍ତ୍ତପରି ଦିଶୁଥିବା କ୍ଷୀଣକାୟ ଶରୀର (ରୋଗୀ)ଟି ପଡ଼ି ରହିଥିଲେ । ତାଙ୍କ ଛାତି ଉପରେ ତକିଆଟିକୁ ଜାକି ଧରିଥିଲେ । ମୁଣ୍ଡରେ ଓ ବେକରେ ଖଣ୍ଡିଏ ଚଦର ବେଶ୍ ସଯତ୍ନରେ ଗୁଡ଼େଇ ହେବା ପରି ଲାଗୁଥିଲେ । ଦୀନାନାଥ ତାଙ୍କ ନିଜ ଆଗମନର ଉଦ୍ଦେଶ୍ୟ ଜଣାଇଥିଲେ । ଆଶ୍ଚର୍ଯ୍ୟ! ନିଜେ ଏଭଳି ଦୁରାରୋଗରେ ଆକ୍ରାନ୍ତ ହୋଇ ଦୁସ୍ଥ ଅବସ୍ଥାରେ ଥିଲେ ସୁଦ୍ଧା, ଦେଶରେ ଏବେ ଦେଖା ଦେଇଥିବା ଦୁଃସମୟରେ ତାଙ୍କର ବି କିଛି କର୍ତ୍ତବ୍ୟ ଅଛି ବୋଲି ସେ ଅନୁଭବ କରିଥିଲେ । କ୍ଷଣକ ପାଇଁ ଲୋକଟିର ଆଖି ଉଜ୍ଜ୍ୱଳ ହୋଇଉଠିଥିଲା । ଥରଥର ହାତରେ ସେ ନିଜ ଶେଯତଳ ଦରାଣ୍ଡି ଗୋଟିଏ ପୁରୁଣା ବଟୁଆ କାଢ଼ିଥିଲେ । ସେଥିରୁ ଦିଓଟି ଟଙ୍କିକିଆ ନୋଟ ବାହାରକରି ସେ ଦୀନାନାଥଙ୍କ ଆତକୁ
ବଢ଼େଇ ଦେଇ କହିଥିଲେ, ‘ଆପଣ ଖୁବ୍ ମହତ କାମ କରୁଛନ୍ତି । ମୁଁ ତ ବସିସୁଦ୍ଧା ପାରୁନି । ଡାକ୍ତ କହିଚନ୍ତି ସମ୍ପୂର୍ଣ୍ଣ ଶୋଇ ରହିବାକୁ । ନହେଲେ ମୁଁ ବି ଆପଣଙ୍କ ସାଙ୍ଗରେ ଯାଇଥାନ୍ତି । ମୁଁ ଜଣେ ଗରିବ ଲୋକ । ଯେତିକି ସାମର୍ଥ୍ୟ ସେତିକି ଦେଲି । ମୋତେ କ୍ଷମା କରିବ ।’

ଦୀନାନାଥଙ୍କ ତଣ୍ଟିରେ ପୁଳାଏ ଛେପ ଅଟକିଗଲା ପରି ସେ ଅନୁଭବ କଲେ । ଭାବ ବିହ୍ୱଳ ହୋଇ ସେ କହିଲେ, ‘ଇଏ ଦି’ଟଙ୍କା ମୋ ପାଇଁ ଦି’ଶହ ଟଙ୍କା ସାଙ୍ଗେ ସମାନ । ଆପଣଙ୍କ ତୁଣ୍ଡର ଏଇ ଦି’ପଦ କଥା ମୋତେ ଯଥେଷ୍ଟ ପ୍ରେରଣା ଯୋଗାଇଛି ।’ ଏଥର ଦୀନାନାଥ ଲୋକଟିର ନାଁ ପଚାରିଲେ ।

‘ନାଁ? ଏଇ ସାମାନ୍ୟ ଦି’ଟା ଟଙ୍କା ପାଇଁ…’

ଦୀନାନାଥ ତାଙ୍କୁ ଆଉ କିଛି କହିବାକୁ ନଦେଇ କହିଲେ, ‘ପ୍ଲିଜ୍‌, ମୁଁ ଆପଣଙ୍କ ନାଁ ଲେଖିବାକୁ ଚାହେଁ । ସେଇଟା ମୋ ଖୁସି ଲାଗି । ମୋତେ ଲାଗିବ ଯେ ସବୁ ସମ୍ପ୍ରଦାୟର ଲୋକ ଏଇ ମହାତ କାମଟି ଲାଗି ହାତ ବଢ଼େଇଛନ୍ତି ।’ ‘ଠିକ୍ ଅଛି । ମୋ ନାଁ ନଶିର ଏମ ଅବୁୱାଲା ।’ ଲୋକଟି ତାଙ୍କର ନାଁ କହିଲେ ।

ଦିନାନାଥଙ୍କ ମଚୁ ବାରମ୍ବାର ନଶିର ଭାଇଙ୍କ ସେଇ ଶେତା ଓ ଶୁଖିଲା ମୁହଁ ବାରମ୍ବାର ଆସିଲା । ପୁଣି ଚମ୍ପକଲାଲ ରାମ ରତନ ଘରେକରଙ୍କ ଫୁଲୁକା ମୁହଁ । ସତେ ଯେମିତି ଗାଲ ଉପରେ ପରସ୍ତ ପରସ୍ତ ଚର୍ବି ବଧ ବସିଛି । ସେଇ ଚର୍ବିଳ ଗାଲ ଯେତିକି ନରମ ସେତିକ ଚକମକ କରୁଥିଲା । ଆଉ ତା’ ଉପରେ ଦିଓଟି ବ୍ରଣ ।
ପଞ୍ଜଗନିରେ ତାଙ୍କର ଦିଓଟି ବଡ଼ ବଡ଼ ଦୋକାନ । ଆଜି ସାଳେ ସେ ଦୋକାନକୁ ଦୀନାନାଥ ଯାଇଥିଲେ । କେଇଟା ଟଙ୍କା ଚାନ୍ଦା ମାଗିବାରୁ ସେ କହିଲେ ଯେ ତାଙ୍କ ଅଂଶୀଦାର ସହଯୋଗୀଙ୍କ ସହ କଥାବାର୍ତ୍ତ କଲାପରେ ସେ ଯାହାକିଛି ଚାନ୍ଦା ଦେଇପାରିବେ ।

ଦୀନାନାଥ ତାଙ୍କୁ କହିଥିଲେ, ‘ଆପଣଙ୍କର ଯାହା ସ୍ୱଚ୍ଛ ସେତିକ ଦିଅନ୍ତୁ । ମୁଁ ଅସୁସ୍ଥ ଲୋକ । ଆଉ ଥରେ ଆସି ପାରିବିନି ।’

‘ନା, ମୁଁ ସେମିତି ଦେଇ ପାରିବିନି । ତା’ର ଅର୍ଥ ହେବ ମୋର ବ୍ୟବସାୟିକ ସହଯୋଗୀଙ୍କୁ ନପଚାରି । ନା । ବରଂ ଆପଣ ସନ୍ଧ୍ୟାବେଳେ ଆସନ୍ତୁ ।’

ଦୀନାନାଥ ସନ୍ଧ୍ୟାବେଳେ ପୁଣି ଥରେ ସେ ଦୋକାନକୁ ଗଲେ । ଏବେ କାଉଣ୍ଟରରେ  ଆଉ ଜଣେ ନୂଆ ଲୋକ ବସିଥିଲେ । ବେଶ୍ ବୃଦ୍ଧ । ସନ୍ନ୍ୟାସୀ ଭଳି ଚେହେରା । କଥାବାର୍ତ୍ତା ଛଳରେ ସେ ଦୀନାନାଥଙ୍କୁ କହିଲେ, ଢେର୍ ବର୍ଷ ତଳୁ ସେ ଏସବୁ ବେପାରବଣିଜ, ମୋହମାୟା ଠାରୁ ନିଜକୁ ସଂପୂର୍ଣ୍ଣ ମୁକ୍ତ କରି ସାରିଛନ୍ତି । ‘ଏ ଦୋକାନର ଭାଗ ଏବେ ମୋ ପୁଅ ହାତରେ । ଆପଣ କେବଳ ତାଙ୍କୁ ହିଁ ଚାନ୍ଦା ମାଗିପାରିବେ ।’

ତା’ପର ଦିନ ସକାଳେ ଦୀନାନାଥ ଚମ୍ପକଲାଲଙ୍କୁ ଭେଟିଲେ । ଭାଗ୍ୟ ଭଲ, ସେତେବେଳେ ଦୋକାନରେ ଦୁଇ ଭାଗୀଦାର ଉପସ୍ଥିତ ଥିଲେ । ଚମ୍ପକଲାଲ ଗୋରା ଓ ମଧ୍ୟମ ଉଚ୍ଚତାର ଯୁବକଟିଏ । ସୁଟ୍‌କୋର୍ଟ ପିନ୍ଧି ସେ ବେଶ୍ ଭଦ୍ର ଓ ମାର୍ଜିତ ପରି ଲାଗୁଥିଲେ । ତାଙ୍କର ଦୁଇ ଫୁଲୁକା ଗାଲ ସଦ୍ୟ ସେକାଯାଇଥିବା ପାଉଁରୁଟି ଭଳି
ଦିଶୁଥିଲା । ବୋଧହୁଏ ସେ ଗାଲରେ କିଛି ଫେସିଆଲ୍ କ୍ରିମ୍‌ ମାରିଥିଲେ । ତେଣୁ ତାହା ଆବଶ୍ୟକତା ଠାରୁ ଅଧିକ ଚମକୁଥିଲା । ତାଙ୍କ ମୁହଁରେ ପ୍ରାଚୁର୍ଯ୍ୟ ଓ ସନ୍ତୁଷ୍ଟିର ଭାବ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ତାଙ୍କ ଆଗମନର କାରଣ ଦୀନାନାଥ ଚମ୍ପକଲାଲଙ୍କୁ ତୃତୀୟଥର ପାଇଁ କହିବା ପେରେ ଦୀନାନାଥଙ୍କୁ ସେ ଦିଓଟି ପ୍ରଶ୍ନ ପଚାରିଲେ: ତାଙ୍କୁ ଏପରି ଚାନ୍ଦା ଆଦାୟ କରିବା ସକାଶେ କିଏ ଅନୁବତି ଦେଇଛି ଏଂ ସେ ଯଦି ବା କିଛି ଚାନ୍ଦା ଦିଅନ୍ତି, ତାହା ଶରଣାର୍ଥମୀନଙ୍କ ପାଖରେ ପହଞ୍ଚିବାର କି ଗ୍ୟାରେଣ୍ଟି  ଅଛି?

କାଶିମ ଭାଇ ଯେଉଁ କୌଶଳଟି ତାଙ୍କୁ ଶିଖେଇଥିଲେ ଦୀନାନାଥ ସେହି ଉପାୟଟି ଅବଲମ୍ବନ କଲେ: ‘ମୁଁ ଜଣେ ଅଭିାନତା – କଳାକାର । ଅକ୍ଟେବର ଦୁଇ ତାରିଖ ଦିନ ବମ୍ବେର କଳାକାର, ଅଭିନେତା ଓ ଲେଖକମାନେ ସହରରେ ଯେଉଁ ଶୋଭାଯାତ୍ରା କରିଥିଲେ ତାକୁ ସମର୍ଥନ ଜଣାଇ ମୁଁ ଏ ଚାନ୍ଦା ଆଦାୟ କରୁଛି । ସହରରେ ଦଙ୍ଗା ରୋକିବା ହେଲା ଆମର ଉଦ୍ଦେଶ୍ୟ । ମୁଁ ସଂଗ୍ରହ କରୁଥିବା ସବୁ ଚାନ୍ଦା ଦେଓଧର ହଲ୍‌କୁ ପଠେଇ ଦେଉଛି ।

ମୁଁ ମଧ୍ୟ ଆପଣଙ୍କୁ ଚାନ୍ଦା ଆଦାୟ ରସିଦ୍ ଦେବି ।’ ଦୀନାନାଥଙ୍କ ହାତରୁ ଚାନ୍ଦା ଆଦାୟ ରସିଦ ବହିଟା ଝାମ୍ପିନେଇ ଚମ୍ପକଲାଲ ତାକୁ ଭଲଭାବେ ନିରୀକ୍ଷଣ କଲେ । ସେଥିରେ ସନ୍ତୁଷ୍ଟ ହେବାପରି ସେ ରସିଦ୍ ବହିଟିକୁ ଦୀନାନାଥଙ୍କ ହାତକୁ ବଢ଼େଇଦେଇ ପଚାରିଲେ, ‘ଆପଣ କେତେ ଚାନ୍ଦା ଚାହୁଁଛନ୍ତି?’

ଦୀନାନାଥଙ୍କୁ ଲାଗିଲା ଲୋକଟିର ସବୁ ପରୀକ୍ଷାରେ ସେ ପାସ୍‌ କରିଛନ୍ତି । ଅବଶ୍ୟ ତାଙ୍କର ରୁକ୍ଷ ବ୍ୟବହାର ଆଦୌ ଭଲ ଲାଗୁନଥିଲା । ତେଣୁ ସେ କହିଲେ, ‘ଆପଣ ନିଜେ ରସିଦ୍ ବହି ଦେଖିଲେ । ତିରିଶ ଟଙ୍କାଠାରୁ ନେଇ କେହି କେହି ଚାରିଅଣା ପର୍ଯ୍ୟନ୍ତ ଚାନ୍ଦା ଦେଇଛନ୍ତି । ଆପଣ ଯାହା ଉଚିତ ଭାବୁଛନ୍ତି ସେତିକି ଦିଅନ୍ତୁ ।’

ଚମ୍ପକଲାଲ ଡ୍ରୟାର ଭିତରୁ ସୁଉକିଟିଏ ବାହାରକରି କାଉଌକ୍ଷଗ୍ଧ;ର ଉପରେ ଦୀନାନାଥଙ୍କ ଆଗକୁ ଫିଙ୍ଗିଦେଲେ । ତା’ପରେ ତାଙ୍କ ସହଯୋଗୀଙ୍କୁ ଚାହିଁ କହିଲେ, ‘ଚାନ୍ଦା ବାବଦକୁ ଚାରିଅଣା ଦାନ ଦିଆଯାଇଛି ବୋଲି ହିସାବଖାତାରେ ଲେଖିଦେବ ।’ ଦୀନାନାଥଙ୍କ ସାମ୍ନାରେ ମାଳଭୂମିର ବିସ୍ତୀର୍ଣ୍ଣ ସମତଳ କ୍ଷେତ୍ର ଆଖି ପାଇବା ପର୍ଯ୍ୟନ୍ତ ଲମ୍ବିଥିଲା । ତା’ ଆଡ଼କୁ ଚାହିଁଲେ ମନ ଆନନ୍ଦରେ ଭରି ଉଠୁଥିଲା । ତାହା ଖୁବ୍ ସୁନ୍ଦର, ସ୍ଥିର ଓ ହୃଦୟଗ୍ରାହୀ ଲାଗୁଥିଲା । ଆଉ ତଳ ଆଡ଼କ ଲମ୍ବିଥିଲା
ପଞ୍ଜଗାନୀ – ତା’ର ଅସଂଖ୍ୟ ବଙ୍ଗଳା, ଦୋକାନବଜାର, କୁକୁଡ଼ାଭାଡ଼ି ଭଳି ଲାଗୁଥିଲା ଝୁମ୍ପୁଡ଼ିଘର । ପୁଣି ତା’ସହିତ ସୌମ୍ୟକାକ୍ତ ଶରୀର ସାଙ୍ଗକୁ ଆମ୍ବିଳାମୁହାଁ,
ସଂକୁଚିତ ମନ ଓ ଉଦାରଚିତ୍ତ ଲୋକମାନଙ୍କ ଆତଯାତ । ଦୀନାନାଥ ମନେମନେ ଆଶ୍ଚର୍ଯ୍ୟ ହେଉଥିଲେ । ସଂସାରର ଏଇ ଶାଶ୍ୱତ ସୌନ୍ଦର୍ଯ୍ୟର ଛାୟାରେ ସମଗ୍ର ମାନବ ସଭ୍ୟତା ଓ ସମାଜ ପଛରେ…

ଏତିକିବେଳେ ତାଙ୍କ ଆଖିରେ ପଡ଼ିଲା ଡକ୍ଟର ମର୍ଚ୍ଚାଣ୍ଟଙ୍କ ନର୍ସିଂ ହୋମ୍ । ନିଜ ଭାବନା ରାଜ୍ୟରୁ ଫେରିଆସି ଦୀନାନାଥ ସେଇଆଡ଼େ ପାଦ ବଢ଼ାଇଲେ । ଡକ୍ଟର ମର୍ଚ୍ଚାଣ୍ଟଙ୍କ ନର୍ସିଂହୋମ୍ ସାମ୍ନାରେ ଗୋଟିଏ ପ୍ରଶସ୍ତ ବଙ୍ଗଳା ଓ ଠିକ୍ ତା’ପଛପଟକୁ ଦିଓଟି ବ୍ଲକ୍ । ବଙ୍ଗଳାଟି ମଧ୍ୟ ଚାରିଟି ବ୍ଲକରେ ବିଭକ୍ତ । ସେଥିରୁ ଗୋଟିଏ ଡିସପେନସାରୀ ଭାବେ ବ୍ୟବହୃତ ହେଉଥିଲା । ସେଥିରୁ ଗୋଟିଏ ଏ.ପି. ରୁମ୍ ମଧ୍ୟ ଥିଲା । ତା’ ପଛକୁ ଥିବା ତିନୋଟିଯାକ ବ୍ଲକ୍‌ରେ ରୋଗୀମାନେ ରହୁଥିଲେ ।

ଦୀନାନାଥଙ୍କ ଭାଗ୍ୟ ଭଲ । ପ୍ରଥମ ବ୍ଲକରୁ ହିଁ ତାଙ୍କ ପାଞ୍ଚଟଙ୍କା ଚାନ୍ଦା ମିଳିଗଲା । ଜଣେ ଉଦାର ହୃଦୟ ଧନାଢ଼୍ୟ ଯୁବକ ସେଠାରେ ରହୁଥିଲେ । ତାଙ୍କ ଅସୁସ୍ଥ ପତ୍ନୀଙ୍କ ଚିକିତ୍ସା ଲାଗି ସେ ସେଠାକୁ ଆସିଥିଲେ । ଯୁବକଜଣକ ଖୁବ୍ ଖୁସି ଜଣା ପଡ଼ୁଥିଲେ । ସେଇଦିନ ସକାଳେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙକ ପତ୍ନୀଙ୍କ
ସ୍ୱାସ୍ଥ୍ୟରେ ଉନ୍ନତି ପରିଲଡ଼ିତ ହେଉଛି । ଦ୍ୱିତୀୟ ବ୍ଲକରୁ ମଧ୍ୟ ଦୀନାନାଥଙ୍କୁ ଆଉ ଦି’ଟଙ୍କା ମିଳି ଯାଇଥିଲା । ତୃତୀୟ ବ୍ଲକ୍‌ରୁ ଟଙ୍କାଟିଏ ।ତାଙ୍କର ଆଉ ମାତ୍ର
ଦି’ଟଙ୍କା ଦରକାର । ତେଣୁ ସେ ଶେଷ ବ୍ଲକ୍‌ଆଡ଼େ ମୁହାଇଲେ । ଚତୁର୍ଥ ବ୍ଲକ୍‌ରେ ପହଞ୍ଚିବାକୁ ଆଉ ମାତ୍ର ଅଳ୍ପ ବାଟ ଅଛି, ଦୀନାନାଥ ଲକ୍ଷ୍ୟକଲେ, ଗୋଟିଏ ଘରର ରୋଷେଇଘର ସାମ୍ନାରେ ଝିଅଟିଏ ଜଣେ ବୟସ୍କା ମହିଳାଙ୍କ ସହିତ ତାଙ୍କ ଆଡ଼କୁ ପଛକରି ଠିଆ ହୋଇଛନ୍ତି । ବୟସ୍କା ମହିଳାଙ୍କ ବେଶପୋଷାକରୁ ଦୀନାନାଥ ଅନୁମାନ କଲେ ସେମାନେ ସମ୍ଭବତଃ ଦେଶର ଉତ୍ତର ଭାଗର କୌଣସି ସ୍ଥାନର ହେବେ । ହୁଏତ ଉତ୍ତର ପ୍ରଦେଶ କି ପଞ୍ଜାବର ।

ଦୀନାନାଥଙ୍କ ଉପରେ ନଜର ପଡ଼ିବା ମାତ୍ରେ ଦିହିଁକି ଦିହେ ଘର ଭିତରକୁ ପଶିଗଲେ । କିନ୍ତୁ ସେଇ ମୁହୂର୍ତ୍ତକର ଦୃଷ୍ଟିପାତ ଭିତରେ, ଦୀନାନାଥ ଲକ୍ଷ୍ୟ କରିପାରିଥିଲେ ଯେ ଉଭୟଙ୍କ ଶରୀର କେତେ କ୍ଷୀଣ ଓ ଦୁର୍ବଳ । ପୁଣି ଉଭୟଙ୍କ ଆଖିରେ ଦୁଃଖକୁ ମଧ୍ୟ ସେ ଉତ୍ତମ ରୂପେ ଠଉରାଇ ପାରିଥିଲେ । ସତେ ଯେମିତି ସେ ତୀକ୍ଷ୍ଣ ଦୃଷ୍ଟି ତୀର ଭଳି ଦୀନାନାଥଙ୍କ ହୃଦୟକୁ ସିଧାସଳଖ ବିଦ୍ଧ କରିଥିଲା । ଏଭଳି ଦୁଃଖ ସହ ସେ ଉତ୍ତମ ରୂପେ ପରିଚିତ ଥିଲେ । କାରଣ, ପଞ୍ଜଗନୀକୁ ସଦ୍ୟ ପହଞ୍ଚୁଥିବା ଅନେକ ରୋଗୀ ଓ ସେମାନଭ୍‌କ ଆତ୍ମୀୟଙ୍କ ଆଖିରେ ଏଭଳି ଦୁଃଖ ସେ ପୂର୍ବରୁ ମଧ୍ୟ ଦେଖିଥିଲେ । ଏହି ମହିଳାଙ୍କ ସହ ଆସିଥିବା ରୋଗୀଟି ହୁଏତ ଜାଣିଥିବ ଯେ ତାଙ୍କ ବ୍ୟାଧି ଆରୋଗ୍ୟସାଧ୍ୟ ନୁହେଁ – ଦୀନାନାଥ ମନେମନେ ଭାବିଲେ ।

ସେତେବେଳକୁ ସେ ଆସି ସେଇ ଘରଟି ସାମ୍ନାରେ ପହଞ୍ôଚ ସାରିଥିଲେ । ଏଥର ସେ କବାଟରେ ମୃଦୁ ଆଘାତ କଲେ । ସେ ଘରୁ ତାଙ୍କୁ ଟଙ୍କାଟିଏ ମିଳିଲା । ପାଞ୍ଚ ଶହ ପୂରଣ ହେବାକୁ ଆଉ ମାତ୍ର ଗୋଟିଏ ଟଙ୍କା ବାକି । ଆଶା ଓ ଆଶଙ୍କା ମନରେ ସେ ଅନ୍ୟ ବ୍ଲକ୍‌ଆଡ଼େ ମୁହାଇଲେ । କାହିଁକି କେଜାଣି ସେଇ ଗୋଟିଏ ଟଙ୍କା ସଂଗ୍ରହ କରି ପାଞ୍ଚଶହ ପୂରଣ କରିବା ସକାଶେ ତାଙ୍କ ମନ ଉଚ୍ଚାଟିତ ହୋଇ ଉଠୁଥିଲା । ଡକ୍ଟର ମର୍ଚ୍ଚାଣ୍ଟଙ୍କ ନର୍ସିଂ ହୋମ୍‌ରୁ ହିଁ ସେ ତାହା ସଂଗ୍ରହ କରିବାକୁ ଚାହୁଁଥିଲେ ।

ଏବେ ସେ ସାମ୍ନା ଦରଜାରେ ଧୀରେ ଆଘାତ କଲେ । ଯେଉଁ ଝିଅଟି କବାଟ ଖୋଲିଲା ସିଏ ସେଇ ଝିଅ ଯିଏ କିଛି ସମୟ ପୂର୍ବରୁ ତାଙ୍କ ଦେଖି ନିଜ ମା’ଙ୍କ ସହ ହଠାତ୍ ଘର ଭିତରେ ଅଦୃଶ୍ୟ ହୋଇଯାଇଥିଲା । ଦୀନାନାଥଙ୍କ ଲାଗିଲା ଏ ଝିଅଟି ନିଶ୍ଚୟ ସେଇ ଝିଅ । ଘର ଭିତରେ ଖଣ୍ଡିଏ ଖଟ ପଡ଼ିଥିଲା ଓ ତା’ ଉପରେ ଶୋଇଥିଲେ ଜଣେ ଜୀର୍ଣ୍ଣଶୀର୍ଣ୍ଣ ବ୍ୟକ୍ତି । ବୟସ ପଚାଶ କି ତା’ଠାରୁ ବେଶୀ ହେବା ପରି ଲାଗୁଥିଲା । ହଠାତ୍ ଜଣେ ଅଚିହ୍ନା ଲୋକଙ୍କୁ ସାମ୍ନାରେ ଦେଖି ସେ ଶେଯରୁ ଉଠି ବସିପଡ଼ିଲେ । ତାଙ୍କ ଠାକରାଗାଲ ଓ ଅଚାନକ ଜଣେ ଅପରିଚିତ ଲୋକଙ୍କୁ ଦେଖି ଆଖିର ଭୟ ମୁହଁର ମୁଦ୍ରାରେ ସ୍ପଷ୍ଟ ପ୍ରତିଫଳିତ ହୋଇଉଠିଲା । ସେଥବରେ ତାଙ୍କ ଭିତରର ଯନ୍ତ୍ରଣା ମଧ୍ୟ ପାରି ହୋଇ ପଡ଼ୁଥିଲା । ସେଇ ଏକା ଯନ୍ତ୍ରଣା ସେ କିଶୋରୀଟି ଓ ମହିଳାଙ୍କ ଆଖିରେ ମଧ୍ୟ ଦେଖିଥିଲେ । ତାଙ୍କ ଅନୁମାନ ନିର୍ଭୁଲ ଥିଲା ।

ଦୀନାନାଥ ଯେତେବେଳେ ତାଙ୍କ ଆଗମନର ଅଭିପ୍ରାୟ ସଂପର୍କରେ କହିଲେ ଶେଯରେ ଶୋଇଥିବା ବ୍ୟକ୍ତି ଜଣକ ମୁହଁରେ ହସର କ୍ଷୀଣ ରେଖାଟିଏ ଖେଳିଗଲା । ଅସ୍ପଷ୍ଟ ସ୍ୱରରେ ସେ କହିଲେ, ‘ଆମେ ନିଜେ ଢେର୍ ଗରିବ । ମୋର ଇଚ୍ଛା ହେଉଛି ମୁଁ ଯଦି ଆପଣଙ୍କୁ କିଛି ସାହାଯ୍ୟ କରିପାରନ୍ତି ।

‘ଆପଣଙ୍କର ଯାହା ଇଚ୍ଛା ସେଇଆ ଦିଅନ୍ତୁ । କିଏ ତିରିଶ ଟଙ୍କା ଦେଇଛନ୍ତି ତ ଆଉ କିଏ ଚାରି ଅଣା ।’

ମଧ୍ୟବୟସ୍କ ବ୍ୟକ୍ତି ଜଣକ ତାଙ୍କ କାଠିପରି ସରୁ ଲାଗୁଥିବା ହାତରେ ନିଜ ପକେଟ ଅଣ୍ଡାଳିଲେ ଓ ତା’ପରେ ଡାକିଲେ, ‘ଅଫଜଲ୍‌!’

ସେଇ କିଶୋରୀଟି ପର୍ଦ୍ଦା ପଛରୁ ବାହାରିଆସି ଦୁଆରମୁୁହଁ ସାମ୍ନାରେ ଦଣ୍ଡେ ଠିଆହେଲା । ଝିଅଟି ଯେଉଁ ଢଙ୍ଗରେ ଆସି କହିଲା, ‘ଅଫଜଲ ବାହାକୁ ଯାଇଛି’ ଦୀନାନାତଙ୍କ ତୁଣ୍ଡରୁ ଆପେ ବାହାରି ଆସିଲା, ‘କି ତୁସିନ୍ ପଞ୍ଜାବୀ ଓ?’ (ତୁମେ କ’ଣ ପଞ୍ଜାବୀ?’)

‘ଜୀ ଆସିନ୍ ବଦ୍ ନସୀବ୍ ଜଲନ୍ଧର ସେ ରହନ ୱାଲେ ଆନ୍ ।’ (ହଁ, ଆମେ ହତଭାଗ୍ୟ ଜଳନ୍ଧରର ବାସିନ୍ଦା ।’) ।

‘ସେଠାରୁ କ’ଣ କେହି ମୁସଲମାନ ପ୍ରାଣ ଘେନି ଆସି ପାରିଛନ୍ତି? ନା ସେମାନେ ବି ପଶ୍ଚିମ ପଞ୍ଜାବର ହିନ୍ଦୁ କି ଶିଖଙ୍କ ଭଳିଆ ସର୍ବସ୍ୱାନ୍ତ ହୋଇଛନ୍ତି?’

ମଧ୍ୟବୟସ୍କ ବ୍ୟକ୍ତି ଜଣକ ଦୀର୍ଘଶ୍ୱାସଟିଏ ଛାଡ଼ି ଉତ୍ତର ଦେଲେ, ‘ସମସ୍ତେ ନିଶ୍ଚିହ୍ନ ହୋଇଯାଇଛନ୍ତି ।’ ଏତିକି କହିଲା ବେଳକୁ ଯେମିତି ତାଙ୍କ କଣ୍ଠରୋଧ ହୋଇଆସିଲା । ତା’ପରେ ଦୀନାନାଥଙ୍କ ବିଚିତ୍ର ବେଶପୋଷାକ ପିନ୍ଧାରୁ ତାଙ୍କ ଜଣେ ମୁସଲମାନ ଭାଇ ବୋଲି ଠଉରାଇ, ସେ ନିଜର ଦୁଃଖକାହାଣୀ ବଖାଣି ଚାଲିଲେ ।

ଏପର୍ଯ୍ୟନ୍ତ ଦୀନାନାଥ କେବଳ ପଶ୍ଚିମ ପଞ୍ଜାବରେ ହିନ୍ଦୁ ଓ ଶିଖମାନଙ୍କ ଉପରେ ହୋଇଥିବା ଅତ୍ୟାଚାର କଥା ଶୁଣିଥିଲେ । ସେଠାରେ ସ୍ତ୍ରୀଲୋକଙ୍କଠାରୁ ନିରୀହ ଶିଶୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା । କେମିତି ବଢ଼ିଲା ଝିଅମାନଙ୍କ ପ୍ରତି ଦୁଷ୍କର୍ମ କରାଯାଇଥିଲା । ସେମାନଙ୍କ କୁମାରୀତ୍ୱ ଲୁଣ୍ଠନ
କରାଯାଇଥିଲା । କେମିତି ସେମାନଙ୍କୁ ଉଲଗ୍ନ କରି ବିଚ୍ ରାସ୍ତା ଉପରେ ଚଲାଯାଇଥିଲା । ହିନ୍ଦୁ ମହିଳାମାନଙ୍କ ଥନକୁ ଅତି ନିଷ୍ଠୁର ଭାବେ ନୃଶଂସମାନେ କାଟି ପକାଇଥିଲେ । ବାପାମା’ଙ୍କ ସାମ୍ନାରେ ବଢ଼ିଲା ଝିଅବୋହୂଙ୍କୁ ଧର୍ଷଣ କରିଥିଲେ । ଏଭଳି ହତ୍ୟା, ଲୁଣ୍ଠନ, ରକ୍ତପାତ ଓ ପୋଡ଼ାଜଳାର ଖବର ଶୁଣି ଦୀନାନାଥଙ୍କ ରକ୍ତ
ଟକମକ ହୋଇ ଫୁଟି ଉଠିଥିଲା । କିନ୍ତୁ ଏବେ ଏଇ ମଧ୍ୟବୟସ୍କ ଅଚିହ୍ନା ଲୋକଟି ତୁଣ୍ଡରୁ ତାଙ୍କ ଅଙ୍ଗେନିଭା କାହାଣୀ ଶୁଣି ଜଳନ୍ଧର ସହରରେ ମୁସଲମାନ ଲୋକଙ୍କ ଉପରେ କରାଯାଇଥିବା ଅତ୍ୟାଚାର ବିଷୟରେ ଜାଣି ଦୀନାନାଥଙ୍କ ଲୋକ ଟାଙ୍କୁରି ଉଠିଲା । ଲଜ୍ଜାରେ ମୁଣ୍ଡ ତଳକୁ ହୋଇ ଯାଉଥିଲା । ରାମ, କୃଷ୍ଣ, ନାନକ କି ଗୁରୁ ଗୋବିନ୍ଦ ସିଂହଙ୍କର ଏଇ ଅନୁଗାମୀମାନେ ମୁସଲମାନଙ୍କ ଉପରେ କିପ୍ରକାର ଦାଉ ସାଧି ନାହାନ୍ତି! ଲୋକଟି ବଖାଣି ଚାଲିଥିଲା କେମିତି ଷ୍ଟେସନ ପାଖକୁ ଲାଗି ଦିଓଟି
ବଡ଼ ବଡ଼ ଖାତ ଖୋଳାଯାଇ ସେଥିରେ ନିଆଁ ଜଳାଯାଇଥିଲା ଓ ସେଇ ଜଳନ୍ତା ନିଆଁ ଭିତରକୁ ମୁସଲମାନ ଲୋକଙ୍କୁ ଜୀଅନ୍ତା ଫିଙ୍ଗି ଦିଆଯାଉଥିଲା! ସତେ ଯେମିତି ସେମାନେ ବଳିବୋଦା!

କେମିତି ଏଇ ଲୋକମାନଙ୍କୁ ନିଆଁକୁ ଫିଙ୍ଗି ବ୍ରାହ୍ମଣମାନେ ‘ଜୟ!’, ‘ଜୟ!’ ଚିତ୍କାର ଛାଡ଼ୁଥିଲେ! ସତେ ଯେମିତି ସେମାନଙ୍କୁ କାଳିସୀ ଲାଗିଥିଲା । ଦୀନାନାଥ ଆଉ ବସିଥିବା ଚେୟାରରେmସ୍ଥିର ହୋଇ ରହିପାରିଲେନି । ଚେୟାରରୁ ଉଠି ସେ ସେଇ ଛୋଟ କୋଠରୀଟି ଭିତରେ ଏପଟୁ ସେପଟ ପଦଚାରଣ କରିଚାଲିଲେ ।
ସେଇ ମଧ୍ୟବୟସ୍କ ବ୍ୟକ୍ତିଙ୍କର ଦି’ ଦି’ଟା ଜୁଆନ ପୁଅ ଓ ତାଙ୍କ ଝିଅ-ଜ୍ୱାଇଁଙ୍କୁ ପ୍ରଥମେ ଅକଥନୀୟ ନିର୍ଯ୍ୟାତନା ଦେବାପରେ ଶେଷକୁ ସେଇ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଜିଅନ୍ତା ଜଳେଇ ଦିଆଯାଇଥିଲା । ତାଙ୍କ ସାନପୁଅଟି କୌଣସି ମତେ ଖସି ପାକିସ୍ତାନ ପଳେଇଥିଲା । ଭଦ୍ରବ୍ୟକ୍ତି ନିଜେ ଦିଲ୍ଲୀରେ ଏଇଭଳି ପରିସ୍ଥିତିର ସାମ୍ନା କରିଥିଲେ । ସେତେବେଳେ ସେ ତାଙ୍କ ପତ୍ନୀଙ୍କ ସହ ନିଜର ଚିକିତ୍ସା କରେଇବାକୁ ଜଣେ ହକିମଙ୍କ ପାଖକୁ ଯାଇଥିଲେ । ସାଙ୍ଗରେ ତାଙ୍କର ଛୋଟ ଝିଅଟି ଥିଲା ।
ଯେତେବେଳେ ଦିଲ୍ଲୀରେ ଦଙ୍ଗା ବ୍ୟାପିବାକୁ ଲାଗିଲା ସେମାନେ କୌଣସି ମତେ ବମ୍ବେ ପଳେଇ ଆସିଥିଲେ । ସେମାନଙ୍କ ପାଖରେ କପଡ଼ା ଦି’ଖଣ୍ଡ ଛଡ଼ା ଆଉ କିଛି ସମ୍ବଳ ନଥିଲା । ଲୋକଟି ସଂପୂର୍ଣ୍ଣ ଅସୁସ୍ଥ । ଡାକ୍ତର ତାଙ୍କୁ ପରୀକ୍ଷା କରି ସେ ଯକ୍ଷ୍ମା ରୋଗରେ ପୀଡ଼ିତ ବୋଲି କହିଥିଲେ । କେତେଜଣ ବଦାନ୍ୟ

ମୁସଲମାନ ବ୍ୟକ୍ତିଙ୍କ ସହାୟତାରେ ସେ ଆସି ପଞ୍ଜଗାନୀରେ ରହି ଚିକିତ୍ସିତ ହେଉଥିଲେ । ପାକିସ୍ତାନକୁ ପଳେଇ ଯାଇଥିବା ପୁଅ ଯେତେବେଳେ ବାପାଙ୍କ ଦେହ ଅସୁସ୍ଥ ଖବର ଶୁଣିଲା, ସେ ପୁଣି ଥରେ ସୀମା ପାର ହୋଇ ଆସି ବମ୍ବେରେ ପହଞ୍ଚି ଥିଲା । ସେଠାରୁ ପଞ୍ଜଗାନୀ ଆସିଥିଲା ।

‘ପ୍ରତିଶୋଧର ନିଆଁ କାହାକୁ ଛାଡ଼ିନି – ତାହା ଶରୀର ହେଉ ଅବା ଆତ୍ମା,’ ଅସୁସ୍ଥା ମୁସଲମାନ ବ୍ୟକ୍ତି ଜଣକ ଦୀର୍ଘଶ୍ୱାସଟିଏ ଛାଡ଼ି କହିଲେ । ‘ମୋ ପୁଅ ଯେତେବେଳେ
ମୋତେ ପାକିସ୍ତାନରେ ହିନ୍ଦୁମାନଙ୍କ ପ୍ରତି ଘଟିଥିବା ଅମାନୁଷିକ ହିଂସା ଓ ଅତ୍ୟାଚାର କଥା କହେ, ଆମେ ନୀରବ ପଡ଼ିଯାଉ ଓ ମନେମନେ ଭାବୁ, ଆମ ଉପରେ ପଡ଼ିଥିବା ବିପଦ ହେଉଛି ଆମ ପାପ କର୍ମର ଫଳ । ଗଲା ଦି’ମାସ ଧରି ଆମେ ଏଇଠି ରହିଅଳସୁଛୁ । ଡକ୍ଟର ମର୍ଚ୍ଚାଌକ୍ଷଗ୍ଧ; ଅବଶ୍ୟ ଜଣେ ମୁସଲମାନ ଲୋକ । ସେ କଞ୍ଜୁସ୍ ବି ନୁହନ୍ତି । କିନ୍ତୁ ସିଏ ଭଲା କେତେଦିନ ପର୍ଯ୍ୟନ୍ତ ଆମ ଭଳିଆ ଦୁସ୍ଥ ଲୋକଙ୍କୁ ଏମିତି ସାହାଯ୍ୟ କରିପାରିବେ?’ ନିଜ କପାଳରେ ହାତ ପିଟି ସେ କହିଲେ, ‘ଯାହା ଆଲ୍ଲାଙ୍କ ଇଚ୍ଛା… ।’

ନିଜ ପରିବାରର ଏତେସବୁ ଦୁଃଖ କାହାଣୀ କହିସାରିବା ବେଳକୁମଧ୍ୟବୟସ୍କ ସେଇ ବ୍ୟକ୍ତିଙ୍କ ଆଖିରୁ ଧାର ଧାର ଲୁହ ବହି ଆସିଥାଏ । ଠିକ୍ ସେତିକିବେଳେ ଭଗବାନଙ୍କୁ ଜଣା, ଦୀନାନାଥଙ୍କର କ’ଣ ହେଲା କେଜାଣି, ଶେଠ୍ ହୀରାଲାଲଙ୍କୁ ସେ ଦେଇଥିବା ପ୍ରତିଶ୍ରୁତି କଥା ସଂପୂର୍ଣ୍ଣ ଭୁଲିଗଲେ । ନିଜ ପକେଟରେ ରଖିଥିବା ସବୁ ଚାନ୍ଦା ରାଶିକୁ ସେ କାଢ଼ି ହାତରେ ଧରିଲେ । ସେଥିରେ ନୋଟଠାରୁ ରେଜା ପଇସା ପର୍ଯ୍ୟନ୍ତ ସବୁକିଛି ଥିଲା । ପାଞ୍ଚଶହ ଟଙ୍କାକୁ ଆଉ ମାତ୍ର ଗୋଟିଏ ଟଙ୍କା ବାକି । ସବୁତକ ରାଶି ସେ ସେଇ ଅପରିଚିତ ବ୍ୟକ୍ତିଙ୍କ ଶେଯ ଉପରେ ଥୋଇଦେଲେ ।

ଲୁହଭିଜା ଆଖିରେ ଲୋକଜଣକ ସେ ଟଙ୍କା ଆଡ଼କୁ ଥରେ ଚାହିଁଲେ ଓ ପର ମୁହୂର୍ତ୍ତରେ ଦୀନାନାଥଙ୍କ ମୁହଁକୁ ଅନାଇଲେ ।

ଦୀନାନାଥ ତାଙ୍କୁ କହିଲେ, ‘ବାବା, ମୁଁ ଜଣେ ହିନ୍ଦୁ । ପାକିସ୍ତାନରେ ଥିବା ଆମ ଘର, ସବୁ ସମ୍ପତ୍ତି ଲୁଟ୍‌ ହୋଇସାରିଛି । ରବୁଲ ଅଲମିନ୍‌ପନ୍ଥୀମାନେ ପାକିସ୍ତାନରେ
ହିନ୍ଦୁମାନଙ୍କ ପ୍ରତି ଯେଉଁଭଳି ଅତ୍ୟାଚାର କରିଛନ୍ତି, ହିନ୍ଦୁସ୍ତାନରେ ଭଗବାନଙ୍କ ଭକ୍ତମାନେ ମୁସଲମାନଙ୍କ ପ୍ରତି ସମାନ ପ୍ରକାର ନାରକୀୟ କାଣ୍ଡ ଘଟାଇଛନ୍ତି । ଯେତେ ଭଲ କାମ କଲେ ସୁଦ୍ଧା ସାତ ଜନ୍ମରେ ସେମାନଙ୍କ ପାପକର୍ମ କେବେ ଧୋଇଯିବନି । ମୁଁ ଏ ଚାନ୍ଦା କରୁଥିଲି ପଞ୍ଜାବର ଶରଣାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ।
ଆପଣ ମଧ୍ୟ ପଞ୍ଜାବର ଜଣେ ଶରଣାର୍ଥୀ । ଆପଣ କିଛି କମ୍‌ ଦୁର୍ଦ୍ଦଶା ଭୋଗିନାହାନ୍ତି, କମ୍ ନିର୍ଯ୍ୟାତନା ସହ୍ୟ କରିନାହାନ୍ତି । ଏତିକି ଟଙ୍କ ଯଥେଷ୍ଟ ନୁହେଁ, ମୁଁ ଜାଣିଛି ।
ତଥାପି, ଏ ଟଙ୍କା ଆପଣଙ୍କୁ କିଛି ମାତ୍ରାରେ ସହାୟକ ହୋଇପାରିବ ।’

ମଧ୍ୟବୟସ୍କ ସେଇ ଭଦ୍ରବ୍ୟକ୍ତି ଜଣକ ଆଉ କିଛି କହିବା ପୂର୍ବରୁ ଦୀନାନାଥ ରୁମାଲରେ ନିଜ ଆଖିରୁ ଲୁହ ପୋଛି ସେ କୋଠରୀରୁ ବାହାରି ସାରିଥିଲେ ।ଚତୁଃପାଶ୍ୱର୍ରେ ଶୁଷ୍କ, ବନ୍ଧୁର ଓ ଜଙ୍କ୍‌ଲଗା ଭଳି ଦିଶୁଥିବା ପାହାଡ଼ ଭିତରେ ମାଳଭୂମିଟି ବେଶ୍ ସୁନ୍ଦର ଲାଗୁଥିଲା । ରାସ୍ତାପଡ଼ର ସୁଉଚ୍ଚ ଓକ୍‌ଗଛର ରୁପେଲୀ ଗହଳପତ୍ର ଅପୂର୍ବ ଶୋଭା ମଣ୍ଡନ କରିଥିଲ । ତା’ ଉପରେ ଅସ୍ତସୂର୍ଯ୍ୟଙ୍କ ରକ୍ତାଭ କିରଣ ପଡ଼ି ସେ ଶୋଭାକୁ ଆହୁରି ବର୍ଦ୍ଧନ କରୁଥିଲା ।

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.