Latest Odisha News

BREAKING NEWS

ଗଛରୁ ଦୁଇ ଦଳିତ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ପୁଣି ଦୁଷ୍କର୍ମର ଶିକାର ହେଲେ ଦୁଇ ଦଳିତ ନାବାଳିକା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ଲଖିମପୁର ଜିଲ୍ଲାରେ। ନିଘାସାନ ଥାନା ଅନ୍ତର୍ଗତ ତାମୋଲି ପୂର୍ବା ଗ୍ରାମ ନିକଟସ୍ଥ ଲାଲପୁର ମୌଜାର ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ଲୋକେ ବ୍ୟାନର ଧରି ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଦୁଇ ନାବାଳିକା ଝିଅଙ୍କୁ ତିନି ଜଣ ମିଶି ଦୁଷ୍କର୍ମ କରିବା ପରେ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାସ୍ତାରୋକ କରି ଆନ୍ଦୋଳନ କରୁଛନ୍ତି ଗ୍ରାମବାସୀ। ସେପଟେ ଲଖିପୁର ଖେରୀ ଏସପି ସଞ୍ଜିବ ସୁମନ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରାଯାଇଛି। ତୁରନ୍ତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୃତକଙ୍କ ପରିବାର ଲୋକଙ୍କୁ କହିଛି ପୋଲିସ।

ପୋଲିସ ଦୁଇ ନାବାଳିକାର ଝୁଲନ୍ତା ଦେହକୁ ଶବବ୍ୟବଚ୍ଛେଦ ପାଇ ପଠାଇଛି। ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରକୁ ନିନ୍ଦା କରିଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ପ୍ରତିଦିନ ଦଳିତଙ୍କ ଉପରେ ଅତ୍ୟାଚାର ଭଳି ଖବର ସାମ୍ନାକୁ ଆସୁଛି। କିନ୍ତୁ ରାଜ୍ୟସରକାର ଏଥିପ୍ରତି କୌଣସି କଡା ପଦକ୍ଷେପ ନେଉନଥିବା ବେଳେ କୌଣସି କଡ଼ା ଆଇନ ଆଣୁନାହିଁ । ଉତ୍ତର ପ୍ରଦେଶରେ ନାରୀ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି। ଏପରି କେତେ ଦିନ ଚାଲିବ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା।

Leave A Reply

Your email address will not be published.