Latest Odisha News

ବିଜେପି ସହ ଯୋଗାଯୋଗରେ ଅଛନ୍ତି ନୀତିଶ କୁମାର: ପିକେ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ଯଦି ରାଜନୈତିକ ପରିସ୍ଥିତି ସେପରି କିଛି ଉପୁଜେ ତେବେ ସେ ବିଜେପି ସହିତ ପୁଣିଥରେ ମେଣ୍ଟ କରିପାରନ୍ତି। ଏହା କହିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ତେବେ ଜେଡିୟୁ ଏହାକୁ ବିଭ୍ରାନ୍ତିକର ମତ ବୋଲି କହି ଖାରଜ କରିଦେଇଛି।

ଜେଡିୟୁ ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଜରିଆରେ ନୀତିଶ କୁମାର ବିଜେପି ସହ କଥା ହେବାକୁ ନୀତିଶ ବାଟ ଖୋଲା ରଖିଛନ୍ତି ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ହରିବଂଶ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିବା ବେଳେ ତାଙ୍କ ଦଳ ଏହି ଦାବିକୁ ଖଣ୍ଡନ କରି କହିଛି ଯେ ନୀତିଶ କୁମାର ଆଉ କେବେ ବି ବିଜେପି ସହ ହାତ ମିଳାଇବେ ନାହିଁ।

ପ୍ରଶାନ୍ତ କିଶୋର ପିଟିଆକୁ ଏକ ପ୍ରତିକ୍ରିୟା ଦେଇ କହିଛନ୍ତି, “ଯେଉଁ ଲୋକମାନେ ଭାବୁଛନ୍ତି ଯେ ନୀତିଶ କୁମାର ସକ୍ରିୟ ଭାବେ ବିଜେପି ବିରୋଧରେ ଏକ ମେଣ୍ଟ ଗଠନ କରୁଛନ୍ତି, ସେମାନେ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ସେ ବିଜେପି ସହିତ କଥା ହେବାକୁ ଏକ ବାଟ ଖୋଲା ରଖିଛନ୍ତି। ସେ ତାଙ୍କ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଜରିଆରେ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ଏହି କାରଣରୁ ଜେଡିୟୁ ବିଜେପି ସହ ସମ୍ପର୍କ ଛିନ୍ନ କରିଥିବା ବେଳେ ହରିବଂଶଙ୍କୁ ଏୟାଏ ତାଙ୍କ ରାଜ୍ୟସଭା ପଦରୁ ଇସ୍ତଫା ଦେବାକୁ କୁହାଯାଇନାହିଁ ବୋଲି ପିକେ ଆକଳନ କରିଛନ୍ତି।

ତେବେ ପ୍ରଶାନ୍ତ କିଶୋରଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ । ସେ କହିଛନ୍ତି ଯେ ନୀତିଶ କୁମାର ସର୍ବସାଧାରଣରେ ଘୋଷଣା କରିଛନ୍ତି ଯେ ସେ ଆଉ କେବେ ବି ବିଜେପି ସହ ହାତ ମିଳାଇବେ ନାହିଁ। ନୀତିଶ କୁମାର ୫୦ ବର୍ଷରୁ ଅଧିକ ସମୟ ରାଜନୀତିରେ ସକ୍ରିୟ ରହିଛନ୍ତି । ପ୍ରଶାନ୍ତ କିଶୋର ୬ ମାସ ଧରି ସକ୍ରିୟ ରାଜନୀତିରେ ଅଛନ୍ତି। ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ପିକେ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କେସି ତ୍ୟାଗୀ କହିଛନ୍ତି।

Comments are closed.