ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟ ବିଜେପି ଶିବିର। ୨୦୦୮ ପରେ ପ୍ରଥମ ଥର ପାଇଁ ବିଜେପି ଉପନିର୍ବାଚନରେ ବିଜୟୀ ହୋଇଛି। ତେଣୁ ବିଜେଡି ଭଳି ଦଳକୁ ହରାଇବା ନାମୁମକିନ ବା ଅସମ୍ଭବ ନୁହେଁ ବରଂ ସମ୍ଭବ ବୋଲି ହେଜିଛି ବିଜେପି। ଉତ୍ସାହିତ ରାଜ୍ୟ ବିଜେପି ସମୀର ମହାନ୍ତି କହିଛନ୍ତି, ଆମେ ଧାମନଗର ପରି ପଦ୍ମପୁରରେ ମଧ୍ୟ ବିଜୟୀ ହେବୁ।
ଧାମନଗରରେ ସୂର୍ୟ୍ୟବଂଶୀ ସୁରଜ ଜିତିବା ପରେ ସମୀର ମହାନ୍ତି କହିଛନ୍ତି ଯେ, ଏହି ଫଳାଫଳ ଓଡିଶାର ରାଜନୈତିକ ଇତିହାସରେ ଏକ ବଡ ପ୍ରମାଣ ରହିବ। ଶାସକ ବିଜେଡିର ବିକଳ୍ପ ଭାବେ ବିଜେପି ଉଭା ହୋଇଛି। ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଦଳ ସମାନ ରଣନୀତି ଆପଣାଇବ ବୋଲି ସେ କହିଛନ୍ତି।
ପୂର୍ବ ଉପନିର୍ବାଚନ ତୁଳନାରେ ଏଠାରେ ବିଜେପି ‘ନୂଆ କୋଚ’ଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା। ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ବିଜେପି ଅସଜଡା କୁହାଯାଉଥିବା ରାଜ୍ୟ ବିଜେପିକୁ ସୁଧାରିବା ପାଇଁ କ୍ଷେତ୍ରୀୟ ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ନିଯୁକ୍ତ କରିଛି। ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହା ଥିଲା ପ୍ରଥମ ନିର୍ବାଚନ।
ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସୁନୀଲ ବଂଶଲ ନିଜେ ଧାମନଗର ଯାଇ ସ୍ଥିତି ପରଖିବା ସହିତ ବିଭିନ୍ନ ନେତାଙ୍କ ଇନପୁଟ ଆଧାରରେ ରଣନୀତି ତିଆରି କରିଥିଲେ ବୋଲି କୁହାଯାଉଛି। ତେଣୁ ନେତାଙ୍କୁ ଟିଭି ବିତର୍କରେ ସାମିଲ ହୋଇ ମାହୋଲ ତିଆରି କରିବା ଅପେକ୍ଷା ଗ୍ରାଉଣ୍ଡରେ ରହି ଭୋଟର ଯୋଡ଼ିବାକୁ କଡା ତାଗିଦ କରିଥିଲେ। ସେହିପରି ମହିଳା ଭୋଟ୍ ବ୍ୟାଙ୍କ ନିଜ ଆଡକୁ ଆଣିବାକୁ ବିଭିନ୍ନ ଉପାୟ ଆପଣାଇଥିବା କୁହାଯାଉଛି। ସେହିପରି ଅଧିକ ଆତ୍ମବିଶ୍ୱାସୀ ହେବା ଅପେକ୍ଷା ନିଜ କାମରେ ବିଶ୍ୱାସ ରଖିବାକୁ ଦଳୀୟ ନେତାଙ୍କୁ କୁହାଯାଇଥିବା ସୂଚନା ରହିଛି।
ତେବେ ପଦ୍ମପୁରରେ ବିଜେପିର ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ ଜଣେ ସକ୍ରିୟ ନେତା ହୋଇଥିବାରୁ ପୁଣିଥରେ ବିଜେପି ବାଜିମାରିବ ବୋଲି ସ୍ୱପ୍ନ ଦେଖିଛି। ଏହି ଆସନରେ ଡିସେମ୍ବର ୫ରେ ଭୋଟ୍ ପଡିବ ଏବଂ ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି।
Comments are closed.