ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅତୀତାସକ୍ତ ଆମ ମନ
ତେଣୁ ଦିଶେନି ବର୍ତମାନ
ଏମିତି ଆଉ କେତେ ଦିନ
ଚଳିବ ସ୍ବକୀର୍ତି କଥନ ?
ଯାହା ବି ଦେଖଇ ନୟନ
ତାହା ତ ନୁହେ ଅନୁମାନ
ହେଲେଁ ହେ ସ୍ପଷ୍ଟ ବାସ୍ତବତା
ମୋଟେ ଘୂରୁନି ଆମ ମଥା
କଳ୍ପଲୋକର ଅଧିବାସୀ
କେବେ ବି ହୁଏନି ସାହସୀ
ସପନ ଦେଖି ହୁଏ ଖୁସି
ଆତ୍ମଉପେକ୍ଷା କରେ ବେଶି
ଭବିଷ୍ୟମୁଖୀ ନୋହୁଁ ଯେଣୁ
ମେଳା, ଉତ୍ସବ ଦିନ ଗଣୁ
କିଛି ମିଳୁ ଅବା ନ ମିଳୁ
ସଂସାରେ ସ୍ମୃତି ଧରି ଚଳୁଁ
ଛାଡ଼ୁନୁ ଏ ସବୁ ଅଭ୍ୟାସ
ହୋଇଛୁଁ ସର୍ବେ ପ୍ରଥାଦାସ
ଉନ୍ନତି ନାହିଁ କି ବିକାଶ
ତେବେ ବି ପାଉଛୁଁ ଉଲ୍ଲାସ
ସଫା ସରଳ ଏହି ଭାଷା
ଜଗାଇପାରେ ମନେ ଆଶା
ଭାବ ଓ ଜ୍ଞାନର ବାହକ
ବୁଝଂତି ନିରକ୍ଷର ଲୋକ
କାନରେ ଭାଗବତ ବାଣୀ
ଶୁଣି, ମୂର୍ଖ ବି ହୁଏ ଜ୍ଞାନୀ
ଆମର ଏହି ପରଂପରା
ବ୍ୟାପକ କରୁଁ ବିଶ୍ବସାରା
ଆମର କର୍ତବ୍ୟରେ ତ୍ରୁଟି
ଯୋଗୁଁ ଭାଷା ପାରୁନି ଉଠି
କରିଲେ ଏ ସତ୍ୟ ସ୍ବୀକାର
ସଂଭବ ସବୁ ଉପକାର
ସ୍ମୃତିଆଶ୍ରିତ ହୋଇ ରହି
କିଛି ବି କରିପାରୁନାହିଁ
ଲୋଡ଼ା ଏଣିକି କର୍ମଠତା
ସ୍ଥଗିତ ରଖୁଁ ଏବେ କଥା
Comments are closed.