9ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷା ନୁଖୁରା ଥିବା ଦେଖି
ମୁଁ ଯେଣୁ ହେଲିନାହିଁ ସୁଖୀ
ଭାଷା ମଥାରେ ତେଲ ବୋଳି
କଲି ଲୋକେ ଦେଖିବା ଭଳି
ଏ ଭାଷା ହେଲା ଯେବେ ବୁଢ଼ୀ
ସଂତାନଗଣ ଦେଲେ ଛାଡ଼ି
ନ କଲେ ତା’ର ସେବା, ଯତ୍ନ
ଏହା ତ ଏବର ଚଳନ
ମୁଁ ତା’ର ଅଧମ ସଂତାନ
ହେଲେ ହେଁ ମାନିଲାନି ମନ
ନ ଥିଲେ ସୁଦ୍ଧା ଧନ, ଜ୍ଞାନ
ଦେଲି ମୋ ମାଆକୁ ସମ୍ମାନ
ମାଆଁର୍ ଭାଷାକୁ ଆଦରି
କଲି ମୋ କାମ, ପଣ କରି
ଜିଣିବି ଅବା ଯିବି ହାରି
ଏ କଥା କେବେ ନ ବିଚାରି
ସାହିତ୍ୟ ହେଲେଁ ହେଁ ଉତ୍କୃଷ୍ଟ
ଦେଖିଲି ଭାଷା ହୁଏ ନଷ୍ଟ
ମୋ ମନେ ହେଲା ଯେଣୁ କଷ୍ଟ
ଲେଖିଲି ସରଳ ଓ ସ୍ପଷ୍ଟ
ରହୁ ନ ରହୁ ଭାଷା ବଂଚି
ତାହାର ଗୁଣାବଳି ସଂଚି
ଲେଖୁଛିଁ ଭାଷା ଭାଗବତ
ହେଉଛିଁ ନିଜେ ଉପକୃତ
ମୋର ଏ କାମ ବ୍ୟକ୍ତିଗତ
କରି ମୁଁ ହୁଏଁ ଆନଂଦିତ
ଯଥାସଂଭବ ସ୍ଥିରଚିତ୍ତ
ହୋଇ ମୁଁ ରହେଁ କର୍ମରତ