Latest Odisha News

BREAKING NEWS

ଜାଗା ମିଶନ୍‌ରେ ଚିହ୍ନଟ ହେବେ ବସ୍ତି ବାସିନ୍ଦା;ଆରମ୍ଭ ହେବ ତଥ୍ୟ ସଂଗ୍ରହ

ବ୍ରହ୍ମପୁର:ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗତ ୧୦ ତାରିଖରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ଶେଷ ହୋଇଯାଇଛି। ସୋମବାର ଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଡ୍ରୋନ୍‌ ଫଟୋକୁ ଦେଖି ହିତାଧିକାରୀଙ୍କୁ କେମିତି ଚିହ୍ନଟ କରାଯିବ, ସେନେଇ ତାଲିମ୍‌ ପ୍ରଦାନ କରାଯାଇଥିଲା। ପରେ ତାଲିମ୍‌ରେ ଅଂଶଗ୍ରହଣକାରୀ କର୍ମଚାରୀମାନେ ବସ୍ତିକୁ ଯାଇ ସ୍ଥିତି ଦେଖିଥିଲେ।

ଡ୍ରୋନ ମାଧ୍ୟମରେ ସହରର ୧୬୮ଟି ବସ୍ତିରେ ସର୍ଭେ ଶେଷ ହୋଇଛି। ବର୍ତ୍ତମାନ ହିତାଧିକାରୀମାନଙ୍କ ତଥ୍ୟ ସଂଗ୍ରହ କରାଯିବ। ତାଲିମ୍‌ କାର୍ଯ୍ୟକ୍ରମରେ ତଥ୍ୟ ସଂଗ୍ରହକାରୀମାନେ ଭାଗନେଇଥିଲେ। ବସ୍ତି ବାସିନ୍ଦାଙ୍କ କିଭଳି ତଥ୍ୟ ସଂଗ୍ରହ କରାଯିବ, ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ହାଇଦ୍ରାବାଦର ଏକ ସଂସ୍ଥା ଗାୟତ୍ରୀ ରୁରାଲ ଏଜୁକେସନ ସୋସାଇଟି (ଗ୍ରେସ)କୁ ଏହାର ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ଅଧୀନରେ ୪୨ ଜଣ ତଥ୍ୟ ସଂଗ୍ରହକାରୀ କାମ କରୁଛନ୍ତି। ସେମାନେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରିବେ। ସଂଗୃହିତ ତଥ୍ୟକୁ ଅର୍ବାନ ସ୍ଳମ୍‌ ହାଉସହୋଲଡ ଏରିଆ ସର୍ଭେ(ଉଷା) ନାମକ ମୋବାଇଲ ଆପ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ ଇନପୁଟ୍‌ କରିବେ। ଏହି ଆପ୍‌କୁ ବ୍ୟବହାର କରି ସେମିତି ତଥ୍ୟ ସଂଗ୍ରହ କରାଯିବ, ସେନେଇ ଶିବିରରେ ତାଲିମ୍‌ ପ୍ରଦାନ କରାଯାଇଥିଲା। ଏଥିସହ ତଥ୍ୟ ସଂଗ୍ରହ ସମୟରେ ବସ୍ତି ବାସିନ୍ଦାଙ୍କ ସହ ଯୁକ୍ତି ତର୍କ ନ କରି ସହ ସେମାନଙ୍କୁ ବୁଝାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଯଦି ଜାଗା ମାଲିକ ଭଡା ଦେଇ ଅନ୍ୟତ୍ର ରହୁଥିବେ, ତେବେ ଜାଗା ମାଲିକଙ୍କଙ୍କ ହିଁ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ଏହି ଆପ୍‌ରେ ତଥ୍ୟ ସଂଗ୍ରହକାରୀମାନେ ନିଜର ଆଇଡି ଏବଂ ପାସ ୱାର୍ଡ ମାଧ୍ୟମରେ ଲଗ୍‌ଇନ୍‌ କରିବେ। ଆପ୍‌ ମାଧ୍ୟମରେ ତଥ୍ୟ ସଂଗ୍ରହ ଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀ ପଟ୍ଟା ପାଇପାରିବେ ବୋଲି ଆଶା ରଖାଯାଇଛି।

ଏହି ଶିବିରରେ ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ, ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇ, ଉପଆୟୁକ୍ତ ବିନୋଦ ବେହେରା, ଜାଗା ମିଶନର ରେଭୁନ୍ୟୁ କନସଲଟେଣ୍ଟ୍ ଅଶୋକ ରଞ୍ଜନ ସାମନ୍ତରାୟ, ସୁଚିସାନ୍ତ ସାହୁ, ନିକିତା ମିଶ୍ର, ସ୍ପାର୍କ ସଂସ୍ଥା ଏମଡି ଶୁଭଦର୍ଶିନୀ ମିଶ୍ର, ଟାଟା ମେମୋରିଆଲ ଟ୍ରଷ୍ଟର ଟିମ ମୁଖ୍ୟ ଶିଶିର ରଞ୍ଜନ ଦାଶ, ପ୍ରୋଜେକ୍ଟ ମ୍ୟାନେଜର ସନ୍ତୋଷ କୁମାରଙ୍କ ସମେତ ସିଇଓ ଗୀତାଞ୍ଜଳୀ ସାମନ୍ତରାୟ ଓ ନୋଡାଲ ସିଇଓ ସ୍ମିତା ଦାଶ ଯୋଗ ଦେଇଥିଲେ । ଏହି ତଥ୍ୟ ସଂଗ୍ରହ ପ୍ରଥମ ପର୍ଯ୍ୟାୟରେ ୧୦ ନଂ ୱାର୍ଡ ସ୍ଥିତ ଆଇନାବନ୍ଧ ସାହିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୦ଟି ବସ୍ତି ଚିହ୍ନଟ ହୋଇଛି। ସେଠାରେ ବସବାସ କରୁଥିବା ବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇଥିଲା। ଏଥିସହ ୧୦ଟି ବସ୍ତି ଉଚ୍ଛେଦ କରାଯାଇଛି।

Leave A Reply

Your email address will not be published.