ଓଡିଶାର ଅନେକ ଅଂଚଳରେ ଖରାଦିନେ ତାପମାତ୍ରା ୪୫ଡିଗ୍ରୀ ସେଲସିୟସ ଛୁଏଁ । ଫାରେନାଇଟରେ ମାପିଲେ ଏହା ଆମ ଦେହର ସାଧାରଣ ତାପମାନ (୯୮.୪ଡିଗ୍ରୀ ଫାରେନାଇଟ୍)ଠୁ ବେଶ ଅଧିକ (୧୧୩ ଡିଗ୍ରୀ ଫାରେନାଇଟ୍) । ରାଜସ୍ଥାନର କିଛି ସ୍ଥାନରେ ତ ପାରଦ ୫୦ଡିଗ୍ରୀ ସେଲସିୟସ ଛୁଇଁଯାଏ । ଏତେ ତାପମାନ ଆମ ଶରୀର ସହେ କେମିତି ।
ଅସଲରେ ଆମ ଶରୀର ଭିତରେ ଚାଲୁଥିବା ବିଭିନ୍ନ ରାସାୟନିକ ପ୍ରକ୍ରିୟା ପାଇଁ ୩୭-୩୮ଡିଗ୍ରୀ ସେଲସିୟସ ତାପମାନ ସୁହାଏ । ବ୍ୟବସ୍ଥା ଏମିତି ହୋଇଛି ଯେ ଏହି ତାପମାତ୍ରାର ଆଖପାଖରେ ଏସବୁ ବଢିଆ ଚାଲେ । ଏହି ପ୍ରକ୍ରିିୟା ଆମକୁ ଜୀବିତ କରି ରଖିଛି । ଏସବୁ ରାସାୟନିକ ପ୍ରକ୍ରିୟା କୌଣସି ନା କୌଣସି ଉତପ୍ରେରକ (କାଟାଲିଷ୍ଟ)ର ସହାୟତାରେ ସମ୍ପନ୍ନ ହୁଏ । ଏସବୁ ଉତପ୍ରେରକ ୩୭ଡଗ୍ରୀ ସେଲସିୟସରେ ଠିକଠାକ ଚାଲେ । ଏସବୁ ପ୍ରକ୍ରିୟା ସଠିକ ଚାଲିବା ଏବଂ ଆମେ ସୁସ୍ଥ ରହିବା ଲାଗି ଶରୀର ଭିତର ତାପମାନ ୩୭-୩୮ସେଲସିୟସ ରହିବା ଆବଶ୍ୟକ ।
ଶରୀରର ତାପମାତ୍ରା ନିୟନ୍ତ୍ରଣ ବ୍ୟବସ୍ଥା ଆଧାରରେ ଜୀବବିଜ୍ଞାନୀ ସମସ୍ତ ଜୀବଜନ୍ତୁଙ୍କୁ ଦୁଇ ଭାଗରେ ବାଂଟିଛନ୍ତି । କିଛି ଜୀବ ବାହାର ତାପମାତ୍ରା କମ ବେଶୀ ହେଲେ ବି ନିଜ ଶରୀରର ତାପମାତ୍ରା ସ୍ଥିର ରଖିପାରନ୍ତି । ଶରୀରରେ କିଛି ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଯୋଗୁ ତାପମାତ୍ରା ସ୍ଥିର ରହେ । ଏମାନଙ୍କୁ ଉଷ୍ଣରକ୍ତ ବିଶିଷ୍ଟ ଜୀବ କୁହାଯାଏ । ଅନ୍ୟପ୍ରକାର ଜୀବର ଶରୀରରେ ତାପମାନ ସ୍ଥିର ରଖିବା ପାଇଁ ବ୍ୟବସ୍ଥା ନାହିଁ । ପରିବେଶର ତାପମାତ୍ରା ବଢିବା କମିବା ଅନୁଯାୟୀ ଏମାନଙ୍କ ଶରୀରର ତାପମାନ ବଢେ ବା କମେ । ତେଣୁ ଏମାନେ ତାପମାତ୍ରା ଅନୁଯାୟୀ ନିଜ ସ୍ୱଭାବ ବଦଳାନ୍ତି, ଯେମିତିକି ଛାଇକୁ ଚାଲିଯିବା, ପାଣି ଭିତରେ ପଶିିଯିବା, ମାଟି ତଳେ ଲୁଚିଯିବା । ଏମାନଙ୍କୁ ଶୀତଳରକ୍ତ ବିଶିଷ୍ଟ ଜୀବ କୁହାଯାଏ ।
ଆମ ଶରୀର କେମିତି ତାତି ସହେ
ବାହାର ତାପମାତ୍ରା ବଢିଲେ ଆମ ଦେହରୁ ଆପେ ଆପେ ଝାଳ ବହେ । ଆମ ଚର୍ମ ତଳେ ଅତି ସରୁ ସରୁ ରକ୍ତ ନଳୀ ଖେଳାଇ ହୋଇ ରହିଛି । ଝାଳ ବୋହିବାରେ ଯାହାର ପ୍ରମୂଖ ଭୂମିକା ରହିଛି । ଗରମ ଲାଗିବା ମାତ୍ରେ ମସ୍ତିଷ୍କରୁ ଖବର ଆସେ ଆଉ ତୁରନ୍ତ ଆମର ଝାଳ ବହେ । ଯାହା ପବନ ସଂସ୍ପର୍ଶରେ ଆସିବା ମାତ୍ରେ ବାଷ୍ପ ହୋଇ ଉଡିଯାଏ । ବାଷ୍ପୀକରଣ ଫଳରେ ଦେହ ଥଣ୍ଡା ହୋଇଯାଏ । ଠିକ ଯେମିତି ମାଟି ସୁରେଇରେ ପାଣି ରଖିଲେ, ବାହାର ଗରମ ଥିବା ଯୋଗୁ ମାଠିଆର ଅତି କ୍ଷୁଦ୍ର କଣାବାଟେ ପାଣି ବାଷ୍ପ ହୋଇ ଉଡିଯାଏ, ଆଉ ପାଣି ଥଣ୍ଡା ରହେ ।
ଦେଖିବାକୁ ଗଲେ ଖରାଦିନେ ଆମ ଶରୀର ଏକ ମାଟି ମାଠିଆ ଭଳି କାମ କରେ । ଝାଳ ବାହାରେ, ଚର୍ମର ଲୋମ କୂପ ବାଟେ ବାହାରକୁ ଆସି ବାଷ୍ପ ହୋଇଯାଏ । ଆଉ ଆମ ଶରୀରର ଭିତର ଅଂଶ ଥଣ୍ଡା ରହେ । ପବନ ବହିଲେ ବାଷ୍ପୀକରଣ ବଢେ । ତେଣୁ ପଂଖା ତଳେ ବସିଲେ ଥଣ୍ଡା ଲାଗେ, ଆରାମ ଲାଗେ । ଯଦି ପବନରେ ଆର୍ଦ୍ରତା ବା ଜଳୀୟ ବାଷ୍ପ ଅଧିକ ଥାଏ ତେବେ ବାଷ୍ପୀକରଣ ଠିକ ଭାବରେ ହୁଏନାହିଁ । ଏଥିପାଇଁ ପବନରେ ଆର୍ଦ୍ରତା ଥିଲେ ବା ବର୍ଷା ଦିନେ ତାତି ଏତେ ଅଧିିକ ନଥିଲେ ବି ଆମକୁ ଅଡୁଆ ଲାଗେ ।
ଯଦି ବାହାର ତାପମାତ୍ରା ଅଧିକ ଥାଏ ତେବେ ଅଧିକ ଝାଳ ବାଷ୍ପ ହୋଇ ଉଡିଯାଏ । ଆମ ଶରୀରରୁ ଅଧିକ ପାଣି ଦରକାର ପଡେ । ତେଣୁ ଖରାଦିନେ ଅଧିକ ଶୋଷ ଲାଗେ । ପାଣି ନପିଇଲେ ଝାଳ ବୋହିବା ଏବଂ ବାଷ୍ପ ହୋଇ ଉଡିଯିବା ପ୍ରକ୍ରିୟା ବାଧା ପାଏ ଏବଂ ଶରୀରର ତାପମାତ୍ରା ବଢିଯାଏ, ଆମକୁ ଜର ଆସେ । ଯଦି ଶରୀରର ତାପମାତ୍ରା ବଢିବା ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ ତେବେ ଆମକୁ ଅଂଶୁଘାତ ହୁଏ, ଯାହା ଅତି ଘାତକ ହୋଇପାରେ ।
କାମ କଲେ ଦେହର ତାପମାନ ବଢିଯାଏ । ତାତି ବଢିବା ସହ କାମ ନକରିବା ପାଇଁ ଆମ ଦେହର ମାଂସପେଶୀକୁ ମସ୍ତିଷ୍କ ନିଦେ୍ର୍ଧଶ ଦିଏ । ଖରାଦିନେ ଯଲଦି ଥକା ଲାଗିବା ଏହାର କାରଣ । ତେଣୁ ବିଶ୍ରାମ ନେବା ଦ୍ୱାରା ମଧ୍ୟ ତାପମାନ ନିୟନ୍ତ୍ରଣ ହୁଏ । ଝାଳରେ କେବଳ ପାଣି ନଥାଏ । ଝାଳ ଚାଖିଲେ ଲୁଣିଆ ଲାଗେ । କାରଣ ଝାଳ ବାଟେ ପାଣି ସହ ଲବଣ ଅଂଶ ମଧ୍ୟ ବାହାରିଯାଏ । ଆମ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଲାଗି ଲୁଣ ଦରକାର ପଡେ । ତେଣୁ ପାଣି ସହ ଲୁଣର ଭରଣା କରିବା ମଧ୍ୟ ଜରୁରୀ । ଶରୀରର ତାପମାନ ନିୟନ୍ତ୍ରଣ ଲାଗି ଆମେ ଆହୁରି ଅନେକ ଉପାୟ କରେ । ଏଥିପାଇଁ ଆମେ ଛାଇରେ ବିଶ୍ରାମ କରୁ, ଖରାରେ ବାହାରିବା ବେଳେ ମୁଣ୍ଡ ଘୋଡେଇ ଦେଉ, ଦୁଇ ତିନି ଥର ଗାଧୋଇଥାଉ ବା ମୁଣ୍ଡରେ ପାଣି ଢାଳୁ ।
ତେବେ ପ୍ରଶ୍ନ ହେଉଛି ଆମେ ଶରୀର କେତେ ତାପମାତ୍ରା ସହି ପାରିବ । କହିବାକୁ ଗଲେ ପ୍ରଚୁର ଲୁଣ ଚିନି ଯୁକ୍ତ ପାଣି ପିଇଲେ ଏବଂ ସିଧା ଖରା ତାତିରୁ ନିଜକୁ ବଂଚାଇ ରଖିପାରିଲେ ଅସହ୍ୟ ତାତିକୁ ବି ଆମେ ଚକମା ଦେଇପାରିବା ।
Comments are closed.